କେତେଜଣ ଅଯୋଗ୍ୟ ? ଲୁଚାଉଛନ୍ତି ସରକାର କାଳିଆ ଯାଞ୍ଚ ସମୟ ବଢ଼ିଲା ୨୭କୁ

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ଅଯୋଗ୍ୟ ହିତାଧିକାରୀ ଫାନ୍ଦରେ ପଡ଼ି ସାରିଛନ୍ତି ନବୀନ ସରକାର । କିନ୍ତୁ କାଳିଆ ଯୋଜନାରେ ଦୁଇ କିସ୍ତିର ଅର୍ଥ ପାଇଯାଇଥିବା ୫୧ଲକ୍ଷ ହିତାଧିକାରୀଙ୍କ ଭିତରୁ ଏପର୍ଯ୍ୟନ୍ତ କେତେ ଜଣ ଅଯୋଗ୍ୟ ଚିହ୍ନଟ ହେଲେଣି, ସେସମ୍ପର୍କରେ ସରକାର ମୁହଁ ଖୋଲୁ ନାହାନ୍ତି । କେବଳ ଏତିକି କହିଛନ୍ତି ଯେ, ୧୩ ଯାଞ୍ଚ ସରିଛି, ତେଣୁ ଯାଞ୍ଚ ଅବଧି ଆସନ୍ତା ୨୭ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି । ଅଯୋଗ୍ୟ ହିତାଧିକାରୀମାନଙ୍କୁ ଆଉ କାଳିଆ ଟଙ୍କା ମିଳିବ ନାହିଁ ।
ଆରମ୍ଭରୁ ନିର୍ଭୟ ଏହାହିଁ ଚେତାଇ ଦେଇଆସୁଥିଲା ସରକାରଙ୍କୁ । ଧୁଆ ଓ ଅଧୁଆ ମୂଳାକୁ ସମାନ ନକରନ୍ତୁ ସରକାର । ରାଜନୈତିକ ଉଦେ୍ଦଶ୍ୟ ବିଶେଷକରି ଭୋଟ ମାୟାରେ ବାୟା ହୋଇ ସରକାରୀ ଅର୍ଥକୁ ଏମିତି ଉଡ଼ାଇ ଦିଅନ୍ତୁ ନାହିଁ ସରକାର । କିନ୍ତୁ ଥରେ କ୍ଷମତା ପାଖରେ ରଖିବାରେ ସମର୍ଥ ହେବାପରେ ନବୀନ ସରକାର ଏବେ ଅଯୋଗ୍ୟ ହିତାଧିକାରୀଙ୍କୁ ସେମାନଙ୍କ ଦ୍ୱାରା ବାଛିବାକୁ ବାହାରିଛନ୍ତି ।
ଚାଷୀ ଚିହ୍ନଟ ହୋଇନଥିଲେ । କେବଳ ପଞ୍ଚାୟତ ସ୍ତରରେ ଶାସକ ଦଳ ନେତାଙ୍କ ମର୍ଜିରେ କାଳିଆ ତାଲିକା ପ୍ରସ୍ତୁତ ହୋଇଥିଲା । ତରବରରେ କାଳିଆ ଯୋଜନା ଆରମ୍ଭ କରିଦେଇଥିଲେ ସରକାର । ଏବେ ପଡ଼ିଛନ୍ତି ଅକଳରେ । ନିର୍ବାଚନ ପୂର୍ବରୁ ଅଯୋଗ୍ୟ ହିତାଧିକାରୀଙ୍କ କଥା ଉଠିଥିଲା । କିନ୍ତୁ ଏହାକୁ ଉଡ଼େଇ ଦେଇଥିଲେ ସରକାର । ଏପରି କି ଦ୍ୱିତୀୟ କିସ୍ତି ଅର୍ଥ ମୋଦୀ ସରକାରଙ୍କ ଯୋଗୁଁ ଅଟକି ଯାଇଛି ବୋଲି ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଅଭିଯୋଗ କରିଥିଲେ । ଏହି ଅଭିଯୋଗକୁ ନେଇ ବିଜୁ ଜନତା ଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖକୁ ଯାଇଥିଲା । ମୁଖ୍ୟମନ୍ତ୍ରୀ ଘୋଷଣା କରିବାକୁ ପଡ଼ିଥିଲା ଯେ, ସେ ଯେଉଁଦିନ ମୁଖ୍ୟମନ୍ତ୍ରୀ ଭାବେ ପୁନଃ ଶପଥ ନେବେ, ସେହିଦିନ ଦ୍ୱିତୀୟ କିସ୍ତି ମଞ୍ଜୁର କରିଦିଆଯିବ । କାଳେ ବିଜଦ କ୍ଷମତାକୁ ନଆସିଲେ ଆଉ କାଳିଆ ଟଙ୍କା ମିଳିବ ନାହିଁ, ଏହି ଆଶଙ୍କାରେ ଶାସକ ଦଳକୁ ବେଶୀ ସମର୍ଥନ ଜଣାଇଥିଲେ ଭୋଟ୍‌ରେ । ଏବେ ଅଯୋଗ୍ୟ ହିତାଧିକାରୀମାନେ ପଇସା ନେଇଯାଇଛନ୍ତି ବୋଲି ସରକାର ହିଁ ପ୍ରଥମେ ସ୍ୱୀକାର କଲେ । ସେମାନଙ୍କ ପାଖରୁ ଅର୍ଥ ଫେରାଇ ଅଣାଯିବ ବୋଲି କହିଥିଲେ । ପ୍ରତି ପଞ୍ଚାୟତରେ ଗତ ୬ ତାରିଖ ଠାରୁ ଚାଲିଛି ହିତାଧିକାରୀ ଯାଞ୍ଚ ପ୍ରକି୍ରୟା । ଅଯୋଗ୍ୟ ହିତାଧିକାରୀମାନେ ନିଜଆଡ଼ୁ ଅଯୋଗ୍ୟ ଘୋଷଣା କରିବାକୁ ସରକାରୀ ନୋଟିସ୍‌ରେ ସେମାନଙ୍କୁ ପରାମର୍ଶ ଦିଆଯାଇଛି । ଏହି ଯାଞ୍ଚ ପ୍ରକି୍ରୟା ୧୪ ତାରିଖ ବୁଧବାର ଦିନ ସରିଥାନ୍ତା । ମାତ୍ର ଏହାକୁ ୨୭ ତାରିଖ ଯାଏଁ ଘୁଞ୍ଚାଇ ଦିଆଯାଇଛି । ମଙ୍ଗଳବାର ଦିନ କାଳିଆ ଯୋଜନାର ସମୀକ୍ଷା ପରେ କୃଷିମନ୍ତ୍ରୀ ଅରୁଣ ସାହୁ ଯାଞ୍ଚ ଅବଧି ଘୁଞ୍ଚାଇ ଦିଆଯାଇଥିବା ସୂଚନା ଦେଇଥିଲେ । ସେ କହିଥିଲେ, ୫୧ଲକ୍ଷ ହିତାଧିକାରୀଙ୍କ ଭିତରୁ ମାତ୍ର ୧୩ ଲକ୍ଷଙ୍କର ଯାଞ୍ଚ ସରିଛି । ବାକି ୩୮ ଲକ୍ଷ ହିତାଧିକାରୀଙ୍କ ତାଲିକା ଯାଞ୍ଚ ପାଇଁ ସମୟ ଦରକାର । ଏଣୁ ଅଧିକ ଦୁଇ ସପ୍ତାହ ସମୟ ଦେଇ ଯାଞ୍ଚ ପ୍ରକି୍ରୟା ଶେଷ କରିବା ନିମନ୍ତେ ଜିଲାପାଳମାନଙ୍କୁ ନିଦେ୍ର୍ଦଶ ଦିଆଯାଇଛି । ଅଯୋଗ୍ୟ ହିତାଧିକାରୀମାନଙ୍କୁ ନିଜଆଡ଼ୁ ଦରଖାସ୍ତ କରି ତାଲିକାରୁ ବାଦ୍‌ ପଡ଼ିବା ନିମନ୍ତେ ଆବେଦନ କରିବାକୁ କୁହାଯାଇଛି । ଅଗଷ୍ଟ ୨୭ ତାରିଖ ସୁଦ୍ଧା ପଞ୍ଚାୟତ ସ୍ତରରେ, ୨୯ ସୁଦ୍ଧା ବ୍ଲକ୍‌ ସ୍ତରରେ ଏବଂ ୩୧ ତାରିଖ ସୁଦ୍ଧା ଜିଲା ସ୍ତରରେ ଯୋଗ୍ୟ ହିତାଧିକାରୀ ତାଲିକା ଚୁଡ଼ାନ୍ତ କରିବାକୁ ସମୀକ୍ଷା ବୈଠକରେ ନିଷ୍ପତ୍ତି ନିଆଯାଇଛି । ଚୁଡ଼ାନ୍ତ ଯୋଗ୍ୟ ତାଲିକା ପ୍ରସ୍ତୁତ ନହେବା ପର୍ଯ୍ୟନ୍ତ କାଳିଆ ଅର୍ଥ ଦିଆଯିବ ନାହିଁ । ଅଯୋଗ୍ୟ ହିତାଧିକାରୀ ତାଲିକାରୁ ବାଦ୍‌ ପଡ଼ିବା ପରେ ସେମାନଙ୍କୁ ମଧ୍ୟ ଆଉ ପରବର୍ତ୍ତୀ କିସ୍ତି ମିଳିବ ନାହିଁ । ତ୍ରୁଟି ଯୋଗୁଁ ଯେଉଁ ଅଯୋଗ୍ୟ ହିତାଧିକାରୀ କାଳିଆ ଅର୍ଥ ପାଇଛନ୍ତି, ସେମାନଙ୍କ ପାଖରୁ ଅର୍ଥ କିଭଳି ଫେରିବ, ସେବାବଦରେ ଜିଲାପାଳମାନେ ପଦକ୍ଷେପ ନେବେ ବୋଲି କହିଛନ୍ତି ମନ୍ତ୍ରୀ ଅରୁଣ ସାହୁ ।
ଯାଞ୍ଚ ସରିଥିବା ୧୩ଲକ୍ଷ ଭିତରୁ ଅଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟା ୭୦ହଜାର ବୋଲି ସମୀକ୍ଷା ବୈଠକରେ ପ୍ରକାଶ କରାଯାଇଛି । ତେବେ ଏପର୍ଯ୍ୟନ୍ତ କେତେ ଜଣ ହିତାଧିକାରୀ ନିଜକୁ ଅଯୋଗ୍ୟ ଘୋଷିତ କରି ଦରଖାସ୍ତ ଦେଇଛନ୍ତି, ସେ ହିସାବ ସାର୍ବଜନୀନ ହୋଇନାହିଁ । ମିଳିଥିବା ସୂଚନା ଅନୁସାରେ, ନୋଟିସରେ ଯଦିଓ ନିଜଆଡ଼ୁ ଅଯୋଗ୍ୟ ଘୋଷିତ ହେବା ପାଇଁ ପରାମର୍ଶ ଦିଆଯାଇଛି, କିନ୍ତୁ ଏହାକୁ ଦୁଇଟି କାରଣରୁ ଲୋକେ ଗ୍ରହଣ କରୁ ନାହାନ୍ତି । ଥରେ ଦରଖାସ୍ତ ଦେଇ ନିଜକୁ ଅଯୋଗ୍ୟ ସାବ୍ୟସ୍ତ କରିବା ପରେ ଟଙ୍କା ଆଦାୟ ଲାଗି ପ୍ରଶାସନକୁ ସୁଯୋଗ ମିଳିଯିବ । ଏଭଳି ନିଜ ଗୋଡ଼ରେ କୁରାଢ଼ୀ ମାରିବା ପାଇଁ କୌଣସି ହିତାଧିକାରୀ ରାଜି ନୁହଁନ୍ତି । ଦ୍ୱିତୀୟରେ ନିଜକୁ ଅଯୋଗ୍ୟ ବୋଲି ଦେଖାଇବା ସକାଶେ କେହି ଆଗ୍ରହୀ ନୁହଁନ୍ତି । କାରଣ ଦରଖାସ୍ତ ଲେଖାଲେଖି କରିପାରୁ ନଥିବା ଲୋକ ଆଉ କାହା ମାର୍ଫତରେ ଏହାକୁ ଲେଖାଇ ଗାଁରେ ନିଜକୁ ଏବଂ ନିଜ ପରିବାରକୁ ବଦନାମ କରିବାକୁ ଚାହୁଁ ନାହାନ୍ତି । ତେଣୁ ସରକାର ଏବେ ଚଷୁ କୁଟୁଛନ୍ତି ।
କାଳିଆ ଫାନ୍ଦରେ ପଡ଼ିଛନ୍ତି ସରକାର । ପୁଣି ୭୫ଲକ୍ଷ ହିତାଧିକାରୀଙ୍କୁ କାଳିଆରେ ଅନ୍ତର୍ଭୁକ୍ତ କରିବା ପାଇଁ କିଭଳି ଯୋଜନା କରୁଛନ୍ତି ସରକାର, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । କାଳିଆ ଏକ ଆରମ୍ଭ ମାତ୍ର । ଆହୁରି ବହୁ ଯୋଜନାରେ ଅଯୋଗ୍ୟ ହିତାଧିକାରୀଙ୍କୁ ବାହାର କରିବା ପାଇଁ ସରକାରଙ୍କ ଉପରେ ଚାପ ପଡ଼ିବା ସ୍ପଷ୍ଟ । ତେବେ ୫୧ଲକ୍ଷ କାଳିଆ ହିତାଧିକାରୀଙ୍କ ଭିତରୁ କେତେ ଜଣ ଅଯୋଗ୍ୟ, ତାହା ସରକାର ଘୋଷଣା କରିବା ପରେ ବିବାଦରେ ନୂଆ ମୋଡ଼ ଆସିବା ନିଶ୍ଚିତ ।

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

Be the first to comment

Leave a Reply

Your email address will not be published.


*