ରାମଚନ୍ଦ୍ରଙ୍କ ଶେଷ ପ୍ରଚେଷ୍ଟା, ଧର୍ମେନ୍ଦ୍ରଙ୍କ ନାଁରେ ମାମଲା

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

ନିର୍ଭୟ ମିଡିଆ : ବାରିପଦା

ମୟୂରଭଞ୍ଜ ସାଂସଦ ରାମଚନ୍ଦ୍ର ହାଁସଦା ତାଙ୍କ ଧମକ ମୁତାବକ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ବାରିପଦା ଜିଲା ଜଜ୍‌ଙ୍କ ଅଦାଲତରେ ଏକ ମାମଲା ଦାଏର୍‌ କରିଛନ୍ତି । ବିଜୁ ଜନତା ଦଳ ଟିକଟ ବଜାୟ ରଖିବା ପାଇଁ ଏହା ରାମଚନ୍ଦ୍ରଙ୍କର ଶେଷ ପ୍ରଚେଷ୍ଟା ବୋଲି ଜାଣିବାଶୁଣିବା ମହଲ ମନେକରୁଛନ୍ତି । କାରଣଟି ହେଲା, ଧର୍ମେନ୍ଦ୍ର ଏବେ ନବୀନ ଏବଂ ତାଙ୍କ ବ୍ୟକ୍ତିଗତ ସଚିବ ଭିକେ ପାନ୍ଦିଆନ୍‌ଙ୍କ ଚକ୍ଷୁଶୂଳ ବୋଲି କୁହାଯାଉଛି । ତୃତୀୟ ମହଲା ଧର୍ମେନ୍ଦ୍ରଙ୍କୁ ଶତ୍ରୁ ନମ୍ବର-୧ ବୋଲି ବିବେଚନା କରୁଛନ୍ତି । ଏହି କାରଣରୁ ତୃତୀୟ ମହଲାକୁ ଖୁସି କରିବା ପାଇଁ ରାମଚନ୍ଦ୍ର ଧର୍ମେନ୍ଦ୍ରଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି । ଏହାକୁ ଜିଲା ଜଜ୍‌ ସଂଜୟ ରଞ୍ଜନ ବହିଦାର ବିଚାର ପାଇଁ ଗ୍ରହଣ କରିବା ସହ ତଦନ୍ତ ପାଇଁ ପୁଲିସକୁ ନିଦେ୍ର୍ଦଶ ଦେଇଛନ୍ତି ।
ଗତ ୫ ତାରିଖ ଦିନ ବାରିପଦାର ଛଉପଡ଼ିଆରେ ଭାଜପାର ଐତିହାସିକ ସମାବେଶରେ ଯୋଗ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବିଶାଳ ଜନ ସମାବେଶକୁ ଉଦ୍‌ବୋଧନ ଦେଲାବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ଭାଷଣରେ ଚିଟ୍‌ଫନ୍ଦ ଏବଂ ସ୍ଥାନୀୟ ସାଂସଦଙ୍କ ଭୂମିକାକୁ ନେଇ କଟୁ ଟିପ୍ପଣୀ ଦେଇଥିଲେ । ଏହା ତାଙ୍କର ସମ୍ମାନ ହାନି କରିଛି ବୋଲି ରାମଚନ୍ଦ୍ର ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି । ଧର୍ମେନ୍ଦ୍ର ଅଣଆଦିବାସୀ । ତେଣୁ ତାଙ୍କ ବିରୋଧରେ ତଫସିଲ ଭୁକ୍ତ ଜାତି ଓ ଜନଜାତି ନିର୍ଯାତନା ଆଇନ ଅନୁଯାୟୀ ମାମଲା ରୁଜୁ କରିବାକୁ ପ୍ରାର୍ଥନା କରିଛନ୍ତି ରାମଚନ୍ଦ୍ର ।
ଧର୍ମେନ୍ଦ୍ର କ’ଣ କହିଥିଲେ ତାଙ୍କ ଭାଷଣରେ? ସେ କହିଥିଲେ ‘ମୟୂରଭଞ୍ଜ ଲୋକମାନେ ଗତଥର ଜଣକୁ ଲୋକସଭାକୁ ପଠାଇଥିଲା । ସେ ବାବୁ ଜଣଙ୍କ କୁଆଡ଼େ ଥିଲେ ୪ବର୍ଷ କାଳ? କେଉଁଠି ଥିଲେ? ସଂସଦରେ ମୟୂରଭଞ୍ଜର ଗରିବ ଆଦିବାସୀଙ୍କ ପ୍ରଶ୍ନ ଉଠାଇ ଥିଲେ କି? ସେ ମହାଶୟ ଥିଲେ ଜେଲ୍‌ରେ । ଓଡ଼ିଶାର ସ୍ୱାର୍ଥରକ୍ଷା ପାଇଁ ସେ ଜେଲ୍‌ ଯାଇ ନଥିଲେ । ସେ ଯାଇ ନଥିଲେ ଓଡ଼ିଶାର ହକ୍‌ କଥା ଉଠାଇବାକୁ । ସେ ଜେଲ୍‌ ଯାଇ ନଥିଲେ ମୟୂରଭଞ୍ଜ ଜିଲାର ସ୍ୱର ଉଠାଇବା ଲାଗି । ସେ ଜେଲ୍‌ ଯାଇଥିଲେ ଭ୍ରଷ୍ଟାଚାର ଆରୋପରେ, ଚିଟ୍‌ଫନ୍ଦ ଆରୋପରେ । ମୟୂରଭଞ୍ଜ ଏମ୍‌ପି ମହାଶୟଙ୍କୁ ଦାନା ଦେଇ ରଖିଥିଲା କିଏ? ନବୀନ ବାବୁ ଆପଣଙ୍କୁ ଦାନା ଦେଇ ରଖିଥିଲେ ।’ ମୟୂରଭଞ୍ଜ ଏମ୍‌ପି ରାମଚନ୍ଦ୍ର ହାଁସଦା ତାଙ୍କ ଅଭିଯୋଗ ପତ୍ରରେ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ।
ତେବେ ଧର୍ମେନ୍ଦ୍ର କ’ଣ ମିଛ କହିଥିଲେ କି? ନବଦିଗନ୍ତ ଚିଟ୍‌ଫନ୍ଦ ମାମଲାରେ ଗିରଫ ହୋଇ ନଥିଲେ କି ସାଂସଦ ରାମଚନ୍ଦ୍ର? ୪ବର୍ଷରୁ ଅଧିକ କାଳ ସେ ଝାରପଡ଼ା ଜେଲ୍‌ରେ ନଥିଲେ କି? ତାଙ୍କୁ ବିଜୁ ଜନତା ଦଳରୁ ନିଲମ୍ବନ କରାଯାଇ ନଥିଲା କି? ତାଙ୍କୁ ଦେଖିବା ପାଇଁ ଦଳର କୌଣସି ବଡ଼ ନେତା ଜେଲ୍‌ ଫାଟକ ନିକଟକୁ କେବେ ଯାଇଛନ୍ତି କି? ଏପର୍ଯ୍ୟନ୍ତ ନିଲମ୍ବନ ଆଦେଶ କାହିଁକି ଉଠାଇ ନାହାନ୍ତି ସଭାପତି ନବୀନ ପଟନାୟକ?
ଜାମିନରେ ଯିବା ପରେ ହାଁସଦା ନିଜେ ମଧ୍ୟ ଆଦିବାସୀ ଓ ଅଣଆଦିବାସୀ କଥା ଉଠାଇଥିଲେ । ଏପରି କି ସେ ବିଚାର ବିଭାଗ ବିରୋଧରେ ଅତି କଟୁ ମନ୍ତବ୍ୟ ଦେଇଥିଲେ । ରାମଚନ୍ଦ୍ର ହାଁସଦାଙ୍କ ସମ୍ପର୍କରେ ବିଭିନ୍ନ ଖବରକାଗଜରେ ଅତ୍ୟନ୍ତ ନେଗେଟିଭ୍‌ ଖବର ପ୍ରକାଶ ପାଇଥିଲା । କିନ୍ତୁ କେବେ ଏମ୍‌ପି ରାମଚନ୍ଦ୍ର ତାଙ୍କର ମାନହାନୀ ଘଟିଛି ବୋଲି ଦର୍ଶାଇ ଅଦାଲତର ଦ୍ୱାରସ୍ଥ ହୋଇ ନଥିଲେ । ଏବେ କିନ୍ତୁ ଧର୍ମେନ୍ଦ୍ରଙ୍କ ବିରୋଧରେ କାହିଁକି ଗଲେ ଅଦାଲତ?
ସରଳ କାରଣଟି ହେଲା, ଏହାଦ୍ୱାରା ତୃତୀୟ ମହଲା ତାଙ୍କ ଉପରେ ଖୁସି ହୋଇ ପୁନର୍ବାର ରାଜନୀତିରେ ଥଇଥାନ କରିବେ ବୋଲି ହୁଏତ ରାମଚନ୍ଦ୍ର ଦୃଢ଼ ଆଶା ରଖିଛନ୍ତି । ବିଜାତଳା ଜିଲା ପରିଷଦ ଉପନିର୍ବାଚନରେ ଦଳର ନେତାମାନଙ୍କ ସହ ଘୂରାଘୂରି କରିବା ଏବଂ ନିଲମ୍ବିତ ହୋଇ ମଧ୍ୟ ନବୀନ ନିବାସ ପରିସରକୁ ଆସିବା ରାମଚନ୍ଦ୍ରଙ୍କୁ ଉତ୍ସାହିତ କରିଛି । ଧର୍ମେନ୍ଦ୍ରଙ୍କ ବିରୋଧରେ ତାଙ୍କ ମାମଲା ଶେଷ ପ୍ରଚେଷ୍ଟା ବୋଲି କୁହାଯାଇପାରେ ।

ମିଥ୍ୟା ମୋକଦ୍ଦମା କରିଛନ୍ତି ରାମଚନ୍ଦ୍ର : ଭାଜପା
ଜାନୁଆରୀ ୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରିପଦା ଛଉପଡ଼ିଆଠାରେ ଏକ ବିରାଟ ସାଧାରଣ ସଭାରେ ଯୋଗ ଦେଇଥିଲେ । ଉକ୍ତ ସଭାର ସମସ୍ତ ଭିଡିଓ ରେକଡିଂ ଜିଲ୍ଲା ତଥା ରାଜ୍ୟ ପ୍ରଶାସନ ପାଖରେ ଗଚ୍ଛିତ ରହିଛି । ମାତ୍ର ତାକୁ ଠିକଭାବେ ଅନୁଧ୍ୟାନ ନକରି ମୟୂରଭଞ୍ଜ ସାଂସଦ ରାମଚନ୍ଦ୍ର ହାଁସଦା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନାଁରେ ମୟୂରଭଞ୍ଜ ଜିଲ୍ଲା ସ୍ୱତନ୍ତ୍ର ଦୌରାଜଜ୍‌ଙ୍କ ପାଖରେ ତାଙ୍କୁ ଅସମ୍ମାନ କରାଯାଇଛି ବୋଲି ଦଫା ୪୯୯,୫୦୦ ସହିତ ୩ ଏସଟିଏସ୍‌ସି ଆଇନ ଅନୁସାରେ ସୋମବାର ମୋକର୍ଦ୍ଦମା କରିଛନ୍ତି । ମାତ୍ର ଏ ମୋକଦ୍ଦମା କୌଣସି ନିର୍ଦ୍ଦିଷ୍ଟ ତଥ୍ୟ ଉପରେ ଆଧାରିତ ନୁହେଁ । କେନ୍ଦ୍ରମନ୍ତ୍ରୀ ତାଙ୍କ ବକ୍ତବ୍ୟରେ ସାଢ଼େ ୪ବର୍ଷର ସାଂସଦଙ୍କ କାର୍ଯ୍ୟକାଳ ସମୟ ବିଷୟରେ କେବଳ ଆଲୋଚନା କରିଛନ୍ତି ଯାହା ସଂପୂର୍ଣ୍ଣ ସତ୍ୟ ଏବଂ ଏ ବିଷୟରେ ସାରା ମୟୂରଭଞ୍ଜ ତଥା ଓଡ଼ିଶାବାସୀ ଅବଗତ ଅଛନ୍ତି । ସାଂସଦ ଆଜି ବି ତାଙ୍କ କାର୍ଯ୍ୟକଳାପ ପାଇଁ ବିଜଦରୁ ନିଳମ୍ବିତ ହୋଇ ରହିଛନ୍ତି । ତେଣୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ନାମରେ ମୋକର୍ଦ୍ଦମା କରିବା ଆଳରେ ବିଜଦ ତଥା ମୁଖ୍ୟମନ୍ତ୍ରୀଙ୍କୁ ଖୁସି କରିବା ପାଇଁ ସାଂସଦ ରାମଚନ୍ଦ୍ରଙ୍କର ଉଦେ୍ଦଶ୍ୟ ବୋଲି ଅନୁଭବ କରାଯାଉଛି । ସାଂସଦ ରାମଚନ୍ଦ୍ର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମର ସମସ୍ତ ଭିଡିଓ ରେକଡିଂକୁ ଆଉ ଥରେ ଅନୁଧ୍ୟାନ କରିବାକୁ ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମର ମିଡିଆ ସଂଯୋଜକ ଜୀବନ କୁମାର ସାହୁ ଏକ ପ୍ରେସ୍‌ ବିଜ୍ଞପ୍ତିରେ ଜଣାଇଛନ୍ତି ।

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

1 Comment

  1. କି ଯୁଗ ଆସିଲା ରେ ଚୋର ଙ୍କୁ ଚୋର କହିବା ବି ପାପ।
    Dear Ramachandra this trick don’t work.
    Apply another 🤣😂🤣😂

Leave a Reply

Your email address will not be published.


*