୪୭ତମ ପ୍ରଧାନ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍‌ ଏସ୍‌ଏ ବୋବ୍‌ଡେ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୂଆଦିଲ୍ଳୀ

ଜଷ୍ଟିସ୍‌ ଶରଦ ଅରବିନ୍ଦ ବୋବ୍‌ଡେ ସୋମବାର ସୁପ୍ରିମ୍‌କୋର୍ଟର ୪୭ତମ ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଷ୍ଟ୍ରପତି ଭବନରେ ନିର୍ଦ୍ଧାରିତ ସମୟ ସକାଳ ସାଢ଼େ ୯ଟା ସମୟରେ ଜଷ୍ଟିସ୍‌ ବୋବ୍‌ଡେଙ୍କୁ ପଦ ଏବଂ ଗୋପନୀୟତାର ଶପଥପାଠ କରାଇଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହ ମନ୍ତ୍ରୀ ଅମିତ୍‌ ଶାହା, ଉପ-ରାଷ୍ଟ୍ରପତି ଏମ୍‌ ଭେଙ୍କେୟା ନାଇଡ଼ୁ, ପୁର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂଙ୍କ ସମେତ ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ । ପ୍ରାୟ ୧୮ ମାସ ଧରି ପ୍ରଧାନ ବିଚାରପତି ଭାବେ କାର୍ଯ୍ୟ କରିବେ ଜଷ୍ଟିସ୍‌ ବୋବ୍‌ଡେ । ୨୦୨୧ ମସିହା ଏପ୍ରିଲ ୨୩ରେ ସେ ଅବସର ଗ୍ରହଣ କରିବେ । ସୂଚନା ଥାଉ ଯେ, ରବିବାର ଜଷ୍ଟିସ୍‌ ରଞ୍ଜନ ଗୋଗୋଇ ପ୍ରଧାନ ବିଚାରପତି ଅବସର ଗ୍ରହଣ କରିଥିଲେ । ଏହାପୂର୍ବରୁ ଗୋଗୋଇ ଅକ୍ଟୋବର ୧୮ ତାରିଖରେ ତାଙ୍କର ଉତ୍ତରାଧିକାରୀ ଭାବେ ଶୀର୍ଷ ଅଦାଲତର ଦ୍ୱିତୀୟ ବରିଷ୍ଠ ବିଚାରପତି ଏସ୍‌ଏ ବୋବ୍‌ଡେଙ୍କ ନାମ ସୁପାରିସ କରିଥିଲେ ।
ଅଯୋଧ୍ୟା ଜମି ବିବାଦ ମାମଲାର ରାୟ ଶୁଣାଇଥିବା ୫ ଜଣିଆ ବିଚାରପତି ବିଶିଷ୍ଟ ଖନ୍ଦପୀଠ ମଧ୍ୟରେ ଜଷ୍ଟିସ୍‌ ବୋବଡେ ଅନ୍ତର୍ଭୁକ୍ତ ଥିଲେ । ଏଥିସହିତ ଜଷ୍ଟିସ୍‌ ବୋବ୍‌ଡେ ଅନ୍ୟ ବହୁ ଗୁରୁତ୍ୱପୁର୍ଣ୍ଣ ମାମଲାର ଫଇସଲା ନେଇଥିବା ଖନ୍ଦପୀଠର ଅଂଶ ରହିସାରିଛନ୍ତି । ଅଗଷ୍ଟ, ୨୦୧୭ରେ ତକ୍ରାଳୀନ ଚିଫ୍‌ ଜଷ୍ଟିସ୍‌ ଜେଏସ୍‌ ଖେହରଙ୍କ ଅଧ୍ୟକ୍ଷତାରେ ଗଠିତ ୯ ଜଣିଆ ସାମ୍ବିଧାନିକ ଖନ୍ଦପୀଠର ଅଂଶ ଥିଲେ । ଏଠାରେ ଉଲ୍ଲେଖନୀୟ ଯେ, ଅଗାମୀ ଦିନରେ ସାବରିମାଳା ମାମଲାରେ ପ୍ରଧାନ ବିଚାରପତି ଜଷ୍ଟିସ୍‌ ବୋବଡେଙ୍କ ନେତୃତ୍ୱାଧୀନ ପୀଠ ରାୟ ଶୁଣାଇବେ ।
୧୯୫୬ ମସିହା ଏପ୍ରିଲ ୨୪ରେ ନାଗପୁରରେ ଜନ୍ମିତ ଜଷ୍ଟିସ୍‌ ବୋବ୍‌ଡେ ସ୍ନାତକ ଶେଷ କରି ନାଗପୁର ବିଶ୍ୱବିଦ୍ୟାୟରୁ ଆଇନ୍‌ରେ ଡ଼ିଗ୍ରୀ ହାସଲ କରିଥିଲେ । ୧୯୭୮ସେ ମହାରାଷ୍ଟ୍ର ବାର୍‌ କାଉନ୍‌ସିଲ୍‌ରେ ରେଜିଷ୍ଟ୍ରେସନ୍‌ କରିଥିଲେ । ୨୦୦୦ରେ ବମ୍ବେ ହାଇକୋର୍ଟର ଜଜ୍‌ ବନିଥିବା ବୋବ୍‌ଡେ ୧୬ ଅକ୍ଟୋବର ୨୦୧୨ରେ ମଧ୍ୟପ୍ରଦେଶ ହାଇକୋର୍ଟର ଚିଫ୍‌ ଜଷ୍ଟିସ୍‌ ଏବଂ ପରେ ୧୨ ଏପ୍ରିଲ୍‌ରେ ୨୦୧୩ରେ ସୁପ୍ରିମ୍‌କୋର୍ଟର ଜଜ୍‌ ବନିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*