ସାମ୍ନାକୁ ଆସିଲା ସୁଶାନ୍ତଙ୍କ ଡାଏରୀ, ହଲିଉଡ଼୍‌ ପାଇଁ ନିଜକୁ କରୁଥିଲେ ପ୍ରସ୍ତୁତ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ମୁମ୍ବାଇ

ସୁଶାନ୍ତ ସିଂହ ରାଜପୁତ୍‌ଙ୍କ ମୃତୁ୍ୟକୁ ନେଇ ଦୈନିକ ନୂଆ ନୂଆ ଖବର ସାମ୍ନାକୁ ଆସୁଛି । ସିବିଆଇ ତଦନ୍ତ ଠାରୁ ଆରମ୍ଭ କରି ମୁମ୍ବାଇ ପୁଲିସ୍‌ର ଯାଞ୍ଚକୁ ନେଇ ରାଜନୈତିକ ଆରୋପ ପ୍ରତିଆରୋପ ଜୋର୍‌ ଧରିଛି । ବୁଧବାର ପ୍ରଥମ ଥର ପାଇଁ ଏହି ପ୍ରସଙ୍ଗରେ ରାକପା ମୁଖିଆ ଶରଦ ପାୱାର ମୁହଁ ଖୋଲିଥିବାବେଳେ ଏବେ ସୁଶାନ୍ତଙ୍କ ଡାଏରୀର କିଛି ପୃଷ୍ଠା ଆସିଛି ସାମ୍‌ନାକୁ । ଏଥିରେ ସୁଶାନ୍ତ ତାଙ୍କ ଜୀବନ ଏବଂ କ୍ୟାରିୟରକୁ ନେଇ କେତେ ଯୋଜନାବଦ୍ଧ ଉଦ୍ୟମ କରୁଥିଲେ ତାହା ଜଣାପଡିଛି । ଡାଏରୀର ପୃଷ୍ଠାରେ ସୁଶାନ୍ତ ବଲିଉଡ ଠାରୁ ଆରମ୍ଭ କରି ହଲିଉଡ ଯାତ୍ରାର ଏକ ଯୋଜନା ବନାଇଥିଲେ । ଡାଏରୀରେ ଭଉଣୀ ପ୍ରିୟଙ୍କା ନାମ ସହ ଅଭିନୟ କ୍ୟାରିୟରକୁ କିପରି ଆହୁରି ମଜ୍‌ବୁତ କରାଯିବ ତାହା ଉଲ୍ଲେଖ ହୋଇଛି ।
ଗୋଟିଏ ପୃଷ୍ଠାରେ ସୁଶାନ୍ତ ଲେଖିଛନ୍ତି ଯେ, ‘ମୁଁ ଚାହେଁ ଲୋକେ ମୋତେ ବୁଝନ୍ତୁ’ । ସେଥିରେ ସେ ଏକ ଫ୍ଲୋ ଚାର୍ଟ ମାଧ୍ୟମରେ ନିଜର ଆବଶ୍ୟକତା ଏବଂ ଲୋକଙ୍କ ଆଗରେ ନିଜର ଉପସ୍ଥିତିକୁ ନେଇ ଉଲ୍ଲେଖ କରିଥିଲେ । ତେଣୁ ସୁଶାନ୍ତଙ୍କ ଡାଏରୀର ଏହି ପୃଷ୍ଠା ସାର୍ବଜନୀନ ହେବା ପରେ ଏବେ ପ୍ରଶ୍ନ ଉଠୁଛି ଯେଉଁ ବ୍ୟକ୍ତି ଲମ୍ବା ଇନିଂସ ଖେଳିବାର ଯୋଜନା ରଖିଥିଲେ, ସେହି ବ୍ୟକ୍ତି ଜଣକ କିପରି ଆତ୍ମହତ୍ୟା କରିବେ । ପୂର୍ବରୁ ସୁଶାନ୍ତଙ୍କ ବାନ୍ଧବୀ ରିୟାଙ୍କ ପକ୍ଷରୁ ତାଙ୍କ ଓକିଲ ସୋଶିଆଲ ମିଡ଼ିଆରେ ଡାଏରୀର କିଛି ପୃଷ୍ଠାକୁ ଭାଇରାଲ କରିଥିଲେ । ଯେଉଁଥିରେ ସୁଶାନ୍ତ ରିୟାଙ୍କ ପରିବାର ଲୋକଙ୍କୁ ବଡ଼ ପ୍ରଶଂସା କରୁଥିବା ଦେଖିବାକୁ ମିଳିଥିଲା ।
ସିବିଆଇକୁ ବିରୋଧ କରୁନି, ମୁମ୍ବାଇ ପୁଲିସ୍‌ ଉପରେ ଭରସା ଅଛି: ଶରଦ
ପ୍ରଥମଥର ପାଇଁ ସୁଶାନ୍ତଙ୍କ ମୃତୁ୍ୟ ମାମଲାରେ ମୁହଁ ଖୋଲିଛନ୍ତି ରାକପା ମୁଖିଆ ଶରଦ ପାୱାର । ଘଟଣାର ସିବିଆଇ ଯାଞ୍ଚ ସମ୍ପର୍କରେ ସେ କହିଛନ୍ତି ଯେ, ସିବିଆଇ ଯାଞ୍ଚକୁ ନେଇ ମୋର ଆପତ୍ତି ନାହିଁ । ହେଲେ ମହାରାଷ୍ଟ୍ର ପୁଲିସ୍‌ ଓ ମୁମ୍ବାଇ ପୁଲିସ୍‌ ଉପରେ ମୋର ୫୦ବର୍ଷର ଭରସା ଅତୁଟ ରହିଛି । ମାତ୍ର ଏହାକୁ ନେଇ ପ୍ରତିଦିନ ଗଣମାଧ୍ୟମରେ ଯେଉଁଢ଼ଙ୍ଗରେ ଚର୍ଚ୍ଚା ହେଉଛି ସେଥିରେ ମୁଁ ଖୁସି ନୁହେଁ । କାରଣ ନିକଟରେ ଜଣେ ଚାଷୀ ଯେଉଁପରି ଭାବେ ମୋର ହାତକୁ ଧରି ତାର ଜିଲ୍ଲାରେ ୨୦ ଚାଷୀ ଆତ୍ମହତ୍ୟା ଘଟଣା ବିଷୟରେ କହିଥିଲା, ସେହି ଘଟଣାରେ କେହି ଜଣେ ଗଣମାଧ୍ୟମ କର୍ମୀ ମଧ୍ୟ ସେମାନଙ୍କ ନାଁ ପଚାରିନଥିବାକୁ ନେଇ ମୁଁ ଲଜ୍ଜିତ । ଠାକରେ ପରିବାରକୁ ବଦନାମ କରାଯାଉଛି କି ବୋଲି ପ୍ରଶ୍ନରେ ସେ କହିଥିଲେ ଯେ, ମୁଁ ଜାଣିନାହିଁ ଏହା ପଛର ଉଦେ୍ଦଶ୍ୟ କ’ଣ? ଅନ୍ୟପଟେ ଏହି ମାମଲାରେ ରାକପା ନେତା ତଥା ବରିଷ୍ଠ ଓକିଲ ମାଜିଦ୍‌ ମେମନ୍‌ କହିଛନ୍ତି ଯେ, ସୁଶାନ୍ତ ତାଙ୍କ ଜୀବନ କାଳରେ ଯେତିକି ପ୍ରସିଦ୍ଧି ପାଇନଥିଲେ ମୃତୁ୍ୟପରେ ସେ ଏହାଠାରୁ ଅଧିକ ପାଉଛନ୍ତି । ଗଣମାଧ୍ୟମ ତାଙ୍କୁ ଯେପରି ଭାବେ ଦର୍ଶାଉଛି ସେଥିରୁ ଜଣାପଡୁଛି ସେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଅଧିକ ପ୍ରସିଦ୍ଧ ।
ରିୟାଙ୍କୁ ସାହାଯ୍ୟ କରୁଛନ୍ତି ପିଠାନି
ସୁଶାନ୍ତଙ୍କ ପରିବାର ଓକିଲ ବିକାଶ ସିଂହ ବୁଧବାର ଏକ ନୂଆ ଖୁଲାସା କରିଛନ୍ତି । ସେ ଅଭିଯୋଗ ଆଣିଛନ୍ତି ଯେ, ବର୍ତ୍ତମାନ ସମୟରେ ସୁଶାନ୍ତଙ୍କ ବାନ୍ଧବୀ ରିୟାଙ୍କୁ ସୁଶାନ୍ତଙ୍କ ବନ୍ଧୁ ସିଦ୍ଧାର୍ଥ ପିଠାନି ସାହାଯ୍ୟ କରୁଛନ୍ତି । ସେ ପିଠାନୀଙ୍କୁ ଜଣେ ଚତୁର ଅପରାଧି ବୋଲି ଉଲ୍ଲେଖ କରିଛନ୍ତି । କହିଛନ୍ତି ଯେ, ସୁଶାନ୍ତଙ୍କ ପରିବାର ପକ୍ଷରୁ ମାମଲା ପଞ୍ଜୀକରଣ ହେବା ପୂର୍ବରୁ ସେ ଲଗାତାର ସୁଶାନ୍ତଙ୍କ ପରିବାର ସହ ଯୋଗାଯୋଗରେ ରହୁଥିଲେ । ଏମିତି ବ୍ୟବହାର କରୁଥିଲେ ଯାହା ଦର୍ଶାଉଥିଲା ଯେ, ବନ୍ଧୁଙ୍କ ପରିବାରକୁ ସାହାଯ୍ୟ କରିବାକୁ ସେ ପୂରା ପ୍ରସ୍ତୁତ । ମାତ୍ର ସୁଶାନ୍ତଙ୍କ ବାପାଙ୍କ ପକ୍ଷରୁ ମାମଲା ପଞ୍ଜୀକରଣ ହେବା ପରେ ସେ ରିୟାଙ୍କୁ ନିୟମିତ ଯୋଗଯୋଗ କରୁଛନ୍ତି, ତାକୁ ଇମେଲ ଜରିଆରେ ମେସେଜ୍‌ ପଠାଉଛନ୍ତି । କଲ୍‌ ଡିଟେଲ୍‌ସରୁ ଏହା ଜଣାପଡୁଛି । ତେଣୁ ଉଭୟଙ୍କୁ ଭଲଭାବେ ଜେରାକଲେ ପ୍ରକୃତ ସତ୍ୟ ପଦାକୁ ଆସିବ ।
ସୂଚନାନୁଯାୟୀ ଗତମାସ ସୁଶାନ୍ତଙ୍କ ପିତା କେକେ ସିଂହ ପୁତ୍ରର ଆକାଉଣ୍ଟରୁ ଅର୍ଥ ହଡପ ଓ ତାକୁ ମାନସିକ ଯନ୍ତ୍ରଣା ଦେଉଥିବା ଅଭିଯୋଗରେ ପାଟଣା ପୁଲିସ୍‌ଷ୍ଟେସନ୍‌ରେ ମାମଲା ପଞ୍ଜୀକରଣ କରିଥିଲେ । ଗତସପ୍ତାହରେ ସୁଶାନ୍ତଙ୍କ ମୃତୁ୍ୟମାମଲାଟିକୁ ସିବିଆଇ ନିଜ ଅଧିନରେ ନେବା ପରେ ରିୟାଙ୍କ ସହ ଅନ୍ୟମାନଙ୍କ ନାଁରେ ମାମଲା ପଞ୍ଜୀକରଣ କରିଥିଲେ । ସୁଶାନ୍ତଙ୍କ ଗର୍ଲଫ୍ରେନ୍ଦ ରିୟା ଚକ୍ରବର୍ତ୍ତୀଙ୍କ ସମେତ ତାଙ୍କ ପରିବାରକୁ ମଧ୍ୟ ପ୍ରବର୍ତ୍ତନ ନିଦେ୍ର୍ଦଶାଳୟ ଜେରା ପରେ ଜେରା କରିଚାଲିଛନ୍ତି । ଅର୍ଥ ସମ୍ବନ୍ଧରେ ରିଆଙ୍କୁ ଦୀର୍ଘ ସମୟର ଧରି ପଚରାଉଚୁରା ହୋଇଥିଲେ ହେଁ ପ୍ରତିଥର ସେ ଭୁଲ୍‌ଭାଲ୍‌ ତଥ୍ୟ ପ୍ରଦାନ କରୁଥିବା ପ୍ରବର୍ତ୍ତନ ନିଦେ୍ର୍ଦଶାଳୟ ତରଫରୁ କୁହାଯାଇଛି । ଏହି ମାମଲାରେ ପାଟଣାରୁ ସୁଶାନ୍ତଙ୍କ କେଶ୍‌ଟିକୁ ମୁମ୍ବାଇ ଆଣିବାକୁ ରିୟା ସୁପ୍ରିମକୋର୍ଟରେ ଗୁହାରୀ ମଧ୍ୟ କରିଥିଲେ । ମାତ୍ର ସୁପ୍ରିମକୋର୍ଟ ଏହି ଶୁଣାଣୀକୁ ଗୁରୁବାର ଯାଏ ସ୍ଥଗିତ ରଖିଛନ୍ତି । ଅନ୍ୟପଟେ ମୁମ୍ବାଇ ପୁଲିସ୍‌ ରିୟାଙ୍କୁ କ୍ଳିନ୍‌ ଦେଇଥିବା ବିଷୟ ଚର୍ଚ୍ଚାକୁ ଆସିବା ପରେ ଏହାକୁ ମୁମ୍ବାଇ ପୁଲିସ୍‌ ଖନ୍ଦନ କରିଥିବା କୁହାଯାଉଛି । ଘଟଣାର ଯାଞ୍ଚ ଚାଲିଛି, ତଦନ୍ତ ପ୍ରକ୍ରିୟା ଅନୁସାରେ ମୁମ୍ବାଇ ପୁଲିସ୍‌ ତାର କାର୍ଯ୍ୟ କରୁଛି ବୋଲି କୁହାଯାଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*