ସରୁନି ଜଗନ୍ନାଥପୁର ପୋଲ ନିର୍ମାଣ କାର୍ଯ୍ୟ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଗୁଣପୁର

ଲଗାଣ ବର୍ଷା ହେତୁ ଜଗନ୍ନାଥପୁର ନାଳରେ ବନ୍ୟାଜଳ ଆସି ଅସ୍ଥାୟୀ ପୋଲ ଧୋଇଯିବା ପରେ ପୁଣି ଆନ୍ଧ୍ର-ଓଡିଶା ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ତେବେ ପୁରୁଣା ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିଲେ ମଧ୍ୟ ବିପଦସଙ୍କୁଳ ଅବସ୍ଥାରେ ତା’ ଉପର ଦେଇ ଯାନବାହାନ ଚଳାଚଳ କରୁଥିବା ଦେଖିବାକୁ ମିଳିଛି । ଜଗନ୍ନାଥପୁର ନାଳ ଉପରେ ହେଉଥିବା ନୂତନ ପୋଲ ନିର୍ମାଣ କାର୍ଯ୍ୟରେ ବିଳମ୍ବ ହେଉଥିବା ବେଳେ ଚଳିତ ବର୍ଷ ଗତ ତିନି ମାସ ମଧ୍ୟରେ ପ୍ରାୟ ପାଞ୍ଚ ଥର ଏହି ରାସ୍ତାରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ନୂତନ ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହବାର ୪ବର୍ଷ ପରେ ବି ପଚାଶ ଭାଗ କାର୍ଯ୍ୟ ସରିନି । ଫଳରେ ଚଳିତ ଥରର ବର୍ଷା ଦିନରେ ମଧ୍ୟ ଅସ୍ଥାୟୀ ପୋଲ ହିଁ ପାଲଟିଛି ଅଞ୍ଚଳବାସୀଙ୍କ ପାଇଁ ଯାତାୟତ ପାଇଁ ଏକ ମାତ୍ର ଭରସା । ଏଭଳି ସ୍ଥିତି ହେଉଛି ଆନ୍ଧ୍ର-ଓଡିଶା ମଧ୍ୟରେ ସଂଯୋଗ କରୁଥିବା ସୀମାନ୍ତ ସଡ଼କର । ୧୬.୦୮.୨୦୧୬ରେ ନୂଆ ପୋଲ ନିର୍ମାଣ ପାଇଁ ଟେନ୍ଦର କରାଯାଇଥିଲା । ୬.୫୨ କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା ଏହି ପୋଲ ନିର୍ମାଣ କାର୍ଯ୍ୟ ଆନ୍ଧ୍ରର ଜିଏସଏ ମୁକାମ୍ବିକା ନାମକ ଏକ କମ୍ପାନୀ ପାଇଥିଲା । ୨୦୧୭ ନଭେମ୍ବର ମାସ ସୁଦ୍ଧା ଏହି କାର୍ଯ୍ୟ ସାରିବା ପାଇଁ ବିଭାଗ ପକ୍ଷରୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା । ଏବେ ଆସି ୨୦୧୯ ବର୍ଷ ସରି ଯାଉଥିବା ବେଳେ ପୋଲ ନିର୍ମାଣ କାର୍ଯ୍ୟର ଅଧା ବି ସରି ନାହିଁ । ହଠାତ୍‌ ୨୦୧୭ ମସିହାରେ ପୁରୁଣା ପୋଲଟି ମଝିରେ ଦବିଯିବା ପରେ ଉକ୍ତ ରାସ୍ତା ଦେଇ ଯାତାୟତ ବନ୍ଦ ହୋଇଥିଲା । ଏହା ପରେ ପ୍ରତ୍ୟେକ ବର୍ଷ ହୋମ୍‌ ପାଇପଗୁଡିକ ଉପରେ ମାଟି ପକାଇ ଅସ୍ଥାୟୀ ଭାବେ ନାଳ ଉପରେ ପୋଲ ନିର୍ମାଣ କରାଯାଉଥିଲେ ମଧ୍ୟ ନାଳରେ ବନ୍ୟାଜଳ ଆସିବା ମାତ୍ରେ ଉକ୍ତ ପୋଲଟି ଭାସି ଯାଉଛି । ଗୁଣପୁର ବ୍ଳକର ଗୋଠଲପଦର ଓ ମରମା ଭଳି ଦୁଇଟି ପଞ୍ଚାୟତ ସମେତ ଜଗନ୍ନାଥପୁର ପଞ୍ଚାୟତର ଅଧା ଗାଁ ଏହି ନାଳର ଆରପଟେ ରହିଛି । ପ୍ରତ୍ୟେକ ବର୍ଷ ଏହି ଅସ୍ଥାୟୀ ପୋଲ ନିର୍ମାଣ ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ ଲୋକଙ୍କ ପାଇଁ କାମରେ ଲାଗୁନି । ଯୁଦ୍ଧକାଳିନ ଭିତ୍ତିରେ ଏହି ପୋଲ କାମ ସାରିବା ପାଇଁ ଜଗନ୍ନାଥପୁର ସରପଞ୍ଚ ଗୌରୀ ଗମାଙ୍ଗ ଦାବି କରିଛନ୍ତି । ଏ ସମ୍ପର୍କରେ ପୂର୍ତ୍ତ ବିଭାଗର ସହକାରୀ କାର୍ଯ୍ୟନିର୍ବାହୀ ଇଞ୍ଜିନିୟର ଉଦ୍ଧବ ଚରଣ ପାଢିଙ୍କୁ ପଚାରିବାରୁ ସେ କହିଥିଲେ କେତେକ ବୈଷୟିକ ସମସ୍ୟା ହେତୁରୁ ବିଳମ୍ବ ହେଉଥିଲେ ମଧ୍ୟ ଆସନ୍ତା ଡିସେମ୍ବର ମାସ ମଧ୍ୟରେ କାର୍ଯ୍ୟ ସାରିବା ପାଇଁ ନୂଆ ଚୁକ୍ତି କରାଯାଇଥିବା ସେ କହିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*