ସରକାରଙ୍କ ଆଳୁ ଦୋଷ: ଆଳୁ ଫେଲ୍‌, କାଜୁ ଫେଲ୍‌, ମିଲେଟ୍‌ ବି ହେବ ଫେଲ୍‌

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ସରକାରଙ୍କ ବହୁ ପ୍ରଚାରିତ ଓ ବିଜ୍ଞପିତ ଆଳୁ ମିଶନ ଫେଲ୍‌ ମାରିବାର ଅସଲ ରହସ୍ୟ ଖୋଲି ଦେଇଛନ୍ତି ମହାଲେଖା ନିୟନ୍ତ୍ରକ ତଥା ମହାସମୀକ୍ଷକ (କାଗ୍‌) । ନବୀନ ସରକାରଙ୍କ ଋଣ ଓ ବିତ୍ତୀୟ ପରିଚାଳନାକୁ ନେଇ ସାଙ୍ଘାତିକ ପ୍ରଶ୍ନ ଉଠାଇଛନ୍ତି କାଗ୍‌ ।
ଅବଶ୍ୟ ସରକାରଙ୍କ ଯେଉଁ ତ୍ରୁଟି ବିଚୁ୍ୟତି ଓ ଦୁର୍ନୀତି ସମ୍ପର୍କରେ କାଗ୍‌ ରିପୋର୍ଟରେ କିଛି ଉଲ୍ଲେଖ ରହୁଛି, ତାହାକୁ ସରକାର ସଜାଡ଼ିବା ପରି ମନେହେଉ ନାହିଁ । ତେବେ ସଦ୍ୟ ଉପସ୍ଥାପିତ କାଗ୍‌ ରିପୋର୍ଟକୁ ନେଇ ସରକାରଙ୍କୁ ଘେରିଛି ଭାଜପା । ରାଜ୍ୟ ସମ୍ପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର ରାଜ୍ୟ ସରକାରଙ୍କୁ ଏକ ଜନବିରୋଧୀ ସରକାର ବୋଲି ଆକ୍ଷେପ କରିଛନ୍ତି ।
ରାଜ୍ୟରେ ପିଆଜର ଅସମ୍ଭବ ଦରବୃଦ୍ଧିକୁ ଏକ ଜାତୀୟ ସମସ୍ୟା ବୋଲି କହି ବିଧାନସଭା ଅଧିବେଶନ କାଳରେ ଏଡ଼ାଇ ଯାଇଥିଲେ ସରକାର । କିନ୍ତୁ ଆଳୁରେ ରାଜ୍ୟକୁ ସ୍ୱାବଲମ୍ବୀ କରିବା ପାଇଁ ଯେଉଁ ପ୍ରଚାର ସହ ଆଳୁ ମିଶନ ଆରମ୍ଭ କରିଥିଲେ ସରକାର, ସେଥିପ୍ରତି ଆନ୍ତରିକତା ନଥିଲା । କେବଳ ପ୍ରଚାର ସର୍ବସ୍ୱ ଯୋଜନା କାରଣରୁ ଏହି ମିଶନ ବିଫଳ ହୋଇଥିଲା ବୋଲି କାଗ୍‌ ରିପୋର୍ଟରେ ଧରାପଡ଼ି ଯାଇଛନ୍ତି ସରକାର ।
୨୦୧୫-୧୬ରେ ନବୀନ ସରକାର ଆରମ୍ଭ କରିଥିଲେ ଆଳୁ ମିଶନ । ୨ବର୍ଷରେ ଆଳୁ ଉତ୍ପାଦନରେ ରାଜ୍ୟକୁ ସ୍ୱାବଲମ୍ବୀ କରିବା ଥିଲା ଏହି ମିଶନର ମୂଳ ଉଦେ୍ଦଶ୍ୟ । ଉଦ୍ୟାନ କୃଷି ନିଦେ୍ର୍ଦଶାଳୟ ଏହି ମିଶନର ଦାୟିତ୍ୱରେ ଥିଲେ । ରାଜ୍ୟରେ ଚାରା ଦୁର୍ନୀତିର ସୂତ୍ରଧର ଥିବା ଏହି ବିଭାଗ ଆଳୁ ମିଶନକୁ ମଧ୍ୟ ଆଳୁରେ ପରିଣତ କରିଦେଲେ । ୨୦୧୫ରୁ ୨୦୧୮ ମଧ୍ୟରେ ଆଳୁ ମିଶନ ସକାଶେ ବଜେଟ୍‌ରେ ବ୍ୟୟ ବରାଦ ରହିଥିଲା ୧୩୦ କୋଟି ଟଙ୍କା । ପ୍ରଥମ ବର୍ଷ ୫୦, ଦ୍ୱିତୀୟ ବର୍ଷରେ ୬୦ ଏବଂ ତୃତୀୟ ବର୍ଷରେ ୨୦ । କିନ୍ତୁ ଗାଏମୋଟ୍‌ ଖର୍ଚ୍ଚ ହେଲା ୨୬କୋଟି ୬୫ ଲକ୍ଷ ଟଙ୍କା । ୨୦୧୭-୧୮ ଆର୍ଥିକ ବର୍ଷରେ ବଜେଟ୍‌ରେ ୨୦ କୋଟି ଟଙ୍କାର ବ୍ୟବସ୍ଥା ରହିଥିଲା । ମାତ୍ର ଆଳୁ ଦୋଷରେ ପୀଡ଼ିତ ନବୀନ ସରକାର ଏଥିରୁ ଟଙ୍କାଟିଏ ବି ଖର୍ଚ୍ଚ କରିନାହାନ୍ତି । ଏହାର ଅର୍ଥ ହେଲା, କୌଣସି ଖାଦ୍ୟ ଶସ୍ୟ ଉତ୍ପାଦନରେ ରାଜ୍ୟ ସ୍ୱୟଂ ସମ୍ପୂର୍ଣ୍ଣ ହେଉ, ଏହା ସରକାର ଚାହାନ୍ତି ନାହିଁ ।
ଆଳୁ ଚାଷ ପାଇଁ ଚାଷୀଙ୍କୁ ପ୍ରୋତ୍ସାହିତ କରିବା, ଶୀତଳ ଭନ୍ଦାର ସ୍ଥାପନ କରିବା, ଚାଷୀଙ୍କୁ ଆଳୁ ଋଣ ଦେବା ଇତ୍ୟାଦି ପାଇଁ ଯେଉଁ ମିଶନ ଆରମ୍ଭ ହୋଇଥିଲା, ତାକୁ ଏମିତି ସରକାର ଧର୍ଷଣ କରିବେ ବୋଲି କେହି ଚିନ୍ତା ବି କରିନଥିବେ । ବହୁ ପ୍ରଚାର ଭିତରେ ଆରମ୍ଭ ହୋଇଥିବା ଏହି ମିଶନ ତିନି ବର୍ଷରେ ଭୁଶୁଡ଼ି ପଡ଼ିଲା । ତିନି ବର୍ଷ ଭିତରେ ୫୫ଟି ଶୀତଳ ଭନ୍ଦାର ସ୍ଥାପନ ଓ ପୁନରୁଦ୍ଧାରର ଲକ୍ଷ୍ୟ ରହିଥିଲା । କିନ୍ତୁ ସରକାର କରିପାରିଥିଲେ ମାତ୍ର ୨୩ଟି । ତେଣୁ ସବୁଆଡ଼ୁ ସରକାର ଫେଲ୍‌ ମାରିଥିଲେ । କାଗ୍‌ ରିପୋର୍ଟରେ କାଜୁ ଚାଷର ବିକାଶ ଉପରେ ମଧ୍ୟ ବଡ଼ ପ୍ରତିକୂଳ ଟିପ୍ପଣୀ ମିଳିଛି ନବୀନ ସରକାରଙ୍କୁ । ଏହି ଚାଷ ପାଇଁ ୮୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିଲା । କିନ୍ତୁ ସରକାର ଟଙ୍କାଟିଏ ବି ଖର୍ଚ୍ଚ କରିପାରିଲେ ନାହିଁ । ଏହା ସରକାରଙ୍କ ଦକ୍ଷତା ବା ପାରିଲାପଣର ନମୁନା ।
ଯଦିଓ କାଗ୍‌ ରିପୋର୍ଟରେ ମିଲେଟ୍‌ ମିଶନ ବିଷୟରେ କିଛି ଉଲ୍ଲେଖ ନାହିଁ, ତଥାପି ଏହି ମିଶନର ଆଳୁ ଦୁର୍ଦ୍ଦଶା ମଧ୍ୟ ହୋଇସାରିଛି । ଆଦିବାସୀଙ୍କ ଭୋଟ ପାଇଁ ସେମାନଙ୍କ ଆଗରେ ମିଲେଟ୍‌ ମିଶନର ଥୋପ ଥୋଇଥିଲେ ସରକାର । ଯେଉଁ ସରକାର ଜାତୀୟ ଖାଦ୍ୟ ସୁରକ୍ଷା ମିଶନରେ କୃଷିସ୍ତରୀୟ ଅର୍ଥ ବ୍ୟବସ୍ଥାକୁ ମଜଭୁତ କରିବା ନିମନ୍ତେ ୨୦୧୭-୧୮ରେ ୧୪୫ କୋଟି ୫୨ ଲକ୍ଷ ଟଙ୍କା ବରାଦ କରି ପାଖାପାଖି ୯୨ କୋଟି ଟଙ୍କା ଖର୍ଚ୍ଚ କରିପାରିଲେ ନାହିଁ, ସେହି ସରକାରଙ୍କ ଠାରୁ କୃଷି ବିପ୍ଳବ ଆଶା କରିବା ଅର୍ଥ ପଥରରେ ମୁନ୍ଦ ପିଟିବା ।
ଆଳୁ ମିଶନ ସରକାରଙ୍କ କୃଷି ପ୍ରୀତି ସମ୍ପୂର୍ଣ୍ଣ ପଦାରେ ପକାଇ ଦେଇଛି । କାଗ୍‌ ରିପୋର୍ଟରେ ଅତ୍ୟନ୍ତ ପ୍ରାଞ୍ଜଳ ଭାବେ ଏହାକୁ ବୁଝାଇ ଦିଆଯାଇଛି । ଖରିଫ୍‌ ଓ ରବି ଋତୁରେ ଯୋଗ୍ୟ-ଅଯୋଗ୍ୟଙ୍କୁ ମିଶାଇ ଯେତେ ଜଣଙ୍କୁ ୫ହଜାର ଟଙ୍କା ଲେଖାଏଁ ଦେଲେ ବି ଓଡ଼ିଶା ସବୁବେଳେ ପନିପରିବା ଉପରେ ଅନ୍ୟ ରାଜ୍ୟକୁ ହାତ ପାତି ରହିଥିବ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*