ରାଜ୍ୟସଭାରେ ବିଜଦକୁ ପ୍ରଶଂସା କଲେ ମୋଦୀ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ନୂଆଦିଲ୍ଲୀ

ରାଜନେତାଙ୍କ କଥା ଓ କଥା ଭିତରର ଖିଅକୁ ନେଇ ବାହାରୁଥିବା ସଂକେତ ଉପରେ ମଧ୍ୟ ଦିଆଯାଇଥାଏ ନଜର । ରାଜନେତାଙ୍କ ବୟାନ ତଥା କଥାର ପ୍ରତ୍ୟେକ ଶବ୍ଦ କେବଳ ବର୍ତ୍ତମାନ ନୁହେଁ ବହୁବାର ଭବିଷ୍ୟତର ରୂପରେଖ ବାବଦରେ ବି ଆଲୋକପାତ କରାଇଥାଏ । ଆଉ ଯେତେବେଳେ କୌଣସି ବକ୍ତବ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ପ୍ରଦାନ ହୁଏ ସେତେବେଳେ ତାହାର ରାଜନୈତିକ ଗୁରୁତ୍ୱ କେତେ ଯେ ରହିଛି ସେ କଥା ସହଜରେ ବୁଝାପଡ଼ିଯାଏ । ସୋମବାର ସେହିପରି ଏକ ବୟାନକୁ ନେଇ ରାଜ୍ୟ ରାଜନୀତିରେ କେବଳ ନୁହେଁ ଜାତୀୟ ରାଜନୀତିରେ ବି ଚର୍ଚ୍ଚା ଅସୁମାରି । ସୋମବାର ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେଉଁ ବୟାନ ଦେଇଥିଲେ ତାହାକୁ ନେଇ ଅନେକ ଖିଅ ବାହାରୁଥିବାରୁ ରାଜନୈତିକ ବିଶ୍ଳେଷଣଙ୍କ ଲାଗି ତାହା ବଡ଼ ମହତ୍ତ୍ୱପୂର୍ଣ୍ଣ ହୋଇପଡ଼ିଛି । ରାଜ୍ୟସଭାର ୨୫୦ତମ ଅଧିବେଶନ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ମୋଦୀ ସୋମବାର ଦିନ ରାଜ୍ୟସଭାରେ ଭାଷଣ ପ୍ରଦାନ କରିଥିଲେ । ରାଜ୍ୟସଭାର ୨୫୦ତମ ଅଧିବେଶନ ଅବସରରେ ଆରମ୍ଭ ହୋଇଥିବା ବିଶେଷ ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଚିରାଚରିତ ଷ୍ଟାଇଲ୍‌ରେ ବେଶ୍‌ ବିମୋହିତ କଲାଭଳି ଦେଇଥିଲେ ଭାଷଣ । ଗୃହର ମଧ୍ୟଭାଗକୁ ନ ଯାଇ ମଧ୍ୟ ସଦସ୍ୟମାନେ ନିଜ ବିରୋଧ ଗୃହରେ ଦର୍ଜ କରାଇ ପାରିବେ । ରାଜନୈତିକ ଦଳର ସଦସ୍ୟମାନେ ଗୃହର ମଧ୍ୟଭାଗକୁ ନ ଯାଇ ମଧ୍ୟ ଲୋକଙ୍କ ହୃଦୟ ଜିଣିପାରିବେ ବୋଲି କହିଥିଲେ ମୋଦୀ । ରାଜ୍ୟସଭାରେ ସୃଷ୍ଟି ହୋଇଥିବା ଝଡ଼ କାରଣରୁ ଏକାଧିକ ଗୁରୁତ୍ୱପୂର୍ଣ୍ଣ ବିଧେୟକ ପାରିତ ହୋଇପାରିନଥିବା ତାଙ୍କ ସରକାର ଦେଖିସାରିଛି । ତେଣୁ ସୋମବାର ଦିନ ନିଜ ଭାଷଣ ବେଳେ ପ୍ରଧାନମନ୍ତ୍ରୀ କହିଥିଲେ ରାଜ୍ୟସଭା ଚେକ୍‌ ଓ ବାଲାନ୍ସ ରଖିବା ଦରକାର । ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୨୦୦୩ ମସିହାର ଏକ ବକ୍ତବ୍ୟକୁ ସେ ମନେ ପକାଇଥିଲେ । ସେ କହିଥିଲେ ୨୦୦୩ରେ ଅଟଳ ଜୀ ରାଜ୍ୟସଭା ବାବଦରେ ମତ ଦେଇଥିଲେ ଯେ ଏହା ଦ୍ୱିତୀୟ ସଦନ । ହେଲେ ଏହା ଗୌଣ ସଦନ ନୁହେଁ । ଜାତୀୟ ବିକାଶ କ୍ଷେତ୍ରରେ ରାଜ୍ୟସଭା ପୂର୍ଣ୍ଣ ସହଯୋଗ କରିବା ଉଚିତ୍‌ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ । ନିଜର ୨୫ ମିନିଟ୍‌ର ଭାଷଣ ବେଳେ ସେ କହିଥିଲେ ଧାରା ୩୭୦ ଏବଂ ୩୫(ଏ)କୁ ନେଇ ଥିବା ବିଧେୟକ ଯେପରି ଭାବରେ ରାଜ୍ୟସଭାରେ ପାରିତ ହୋଇଥିଲା ତାହାକୁ କେହି ଭୁଲିପାରିବେ ନାହିଁ । ଯେତେବେଳେ ବି ଜାତୀୟ ସ୍ୱାର୍ଥର କଥା ଆସିଛି ସେତେବେଳେ ରାଜ୍ୟସଭା ବଳିଷ୍ଠ ଯୋଗଦାନ ଦେଇଛି । ତ୍ରିପୁଲ୍‌ ତଲାକ ଏଠାରେ ପାରିତ ହୋଇପାରିବ ନାହିଁ ବୋଲି ବିଶ୍ୱାସ କରାଯାଉଥିଲା । ହେଲେ ତାହା ଏଠାରେ ପାରିତ ହେଲା । ସେହିପରି ଜିଏସ୍‌ଟି ଆଜି ଆଇନ୍‌ର ସ୍ୱରୂପ ପକାଇଛି କେବଳ ରାଜ୍ୟସଭା ପାରିତ କରିଥିବା କାରଣରୁ । ମହାନ ବ୍ୟକ୍ତିମାନଙ୍କ ମଧ୍ୟରୁ ଡ. ବାବାସାହେବ ଆମ୍ବେଦକର ଜାତୀୟ ପ୍ରଗତିରେ ବଡ଼ ଯୋଗଦାନ ଦେଇଥିଲେ ରାଜ୍ୟସଭା ସଦସ୍ୟ ରହି । ସେ କେବେବି ଲୋକସଭା ସଦସ୍ୟ ଭାବେ ନିର୍ବାଚିତ ହୋଇ ଆସିବାକୁ ଚାହିଁନଥିଲେ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ।
ତେବେ ଏସବୁ କଥା ଭିତରେ ରାଜନୈତିକ ବିଶ୍ଳେଷକଙ୍କ ଲାଗି ସବୁଠାରୁ ମଞ୍ଜି କଥାଟି ମଧ୍ୟ କହିଦେଇଥିଲେ । ଗୃହର ମଧ୍ୟଭାଗକୁ ନ ଆସି ମଧ୍ୟ କିପରି ନିଜ ଦାବି ପୂରଣ କରାଯାଇପାରେ ସେ ବିଷୟ କହିଲା ବେଳେ ପ୍ରଧାନମନ୍ତ୍ରୀ, ବିଜୁ ଜନତା ଦଳ ଏବଂ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିର ବଡ଼ ତାରିଫ କରିଥିଲେ । ସେ କହିଥିଲେ ମୁଁ ଆଜି ଦୁଇଟି ଦଳ ରାଷ୍ଟ୍ରବାଦୀ କଂଗ୍ରେସ ଏବଂ ବିଜୁ ଜନତା ଦଳର ପ୍ରଶଂସା କରିବାକୁ ଚାହୁଁଛି । ଏହି ଦୁଇଟି ଯାକ ପାର୍ଟି ବଡ଼ କଡ଼ା ନିୟମ ଭିତରେ ରହି ସଂସଦୀୟ ମର୍ଯ୍ୟାଦାର ପାଳନ କରିଛନ୍ତି । ଏହି ଦୁଇଟି ଯାକ ଦଳର କୌଣସି ସଦସ୍ୟ ଗୃହର ମଧ୍ୟଭାଗକୁ ଯାଇନାହାନ୍ତି । ହେଲେ ସେମାନେ ନିଜର ସମସ୍ତ କଥା ଚମକ୍ରାର ଭାବରେ ଓ ପ୍ରଭାବି ଢଙ୍ଗରେ ଗୃହରେ ଉଠାଇଛନ୍ତି । ଅନ୍ୟ ସବୁ ଦଳ ଯାହା ଭିତରେ ମୋ’ ଦଳ ମଧ୍ୟ ରହିଛି, ସେମାନେ ସମସ୍ତେ ଏହି ଦୁଇ ଦଳ ପାଖରୁ ଶିଖିବା କଥା । ଗୃହର ମଧ୍ୟଭାଗକୁ ନ ଆସି ମଧ୍ୟ ଲୋକଙ୍କ ହୃଦୟ ଜିଣାଯାଇପାରେ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ । ଭାଷଣ ବେଳେ କେବଳ ଦୁଇଟି ଦଳକୁ ପ୍ରଶଂସା କରିବା ପାଇଁ ପ୍ରଧାନମନ୍ତ୍ରୀ ଚାହିଁବା କେବଳ ସଂଯୋଗ ବୋଲି ଧରିବାକୁ କେହି ତୟାର ନୁହଁନ୍ତି । ଆହୁରି ଅନେକ ଦଳର ସଦସ୍ୟ ମଧ୍ୟ ଗୃହର ମଧ୍ୟଭାଗକୁ ଝପଟି ଯାଇନଥାନ୍ତି । ହେଲେ ସେମାନଙ୍କ ନାଁ ପ୍ରଧାନମନ୍ତ୍ରୀ ମୋଦୀ ନେଇନଥିଲେ । ଯେଉଁ ଦୁଇଟି ଦଳର ନାଁ ନେଇଥିଲେ ସେ ଦୁଇଟି ଯାକ ଦଳ ଅଣ-ଏନ୍‌ଡିଏ ଦଳ । ବିଜୁ ଜନତା ଦଳ ସହ ଭାଜପାର ମେଣ୍ଟ ୨୦୦୯ ଯାଏଁ ଥିଲା । ଶିବସେନା ଏନ୍‌ଡିଏରୁ ଯାଇଥିବା ଅବସ୍ଥାରେ ରାଷ୍ଟ୍ରୀୟ ଗଣତାନ୍ତ୍ରିକ ମେଣ୍ଟକୁ ବଢ଼ାଇବାର ଲକ୍ଷ୍ୟ ଏହି ଭାଷଣ ଭିତରେ ରହିଥିବାର ଅନୁମାନ କରୁଛନ୍ତି ଅନେକ । ଆଗକୁ ଏକାଧିକ ଗୁରୁତ୍ୱପୂର୍ଣ୍ଣ ବିଲ୍‌ ପାରିତ ହେବାକୁ ଥିଲାବେଳେ ବିଜୁ ଜନତା ଦଳର ସମର୍ଥନ ରାଜ୍ୟସଭାରେ ସରକାରଙ୍କୁ ଲୋଡ଼ାପଡ଼ିବ । ଭାଜପାକୁ ଆଉଟ୍‌ କରି ମହାରାଷ୍ଟ୍ରରେ ସରକାର ଗଠନ ପ୍ରକ୍ରିୟାରେ ରାକପା ସାମିଲ ଥିଲେ ମଧ୍ୟ ସୋମବାର ଏହାକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ଏହାର ସୁପ୍ରିମୋ ଶରଦ ପାୱାରଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବ୍ୟକ୍ତିଗତ ସମ୍ପର୍କ ଖୁବ୍‌ ନିବିଡ ବୋଲି କୁହାଯାଏ । ରାଜ୍ୟସଭାରେ ପ୍ରଧାନମନ୍ତ୍ରୀଙ୍କ ସୋମବାରର ବୟାନ ଓଡ଼ିଶା ଓ ମହାରାଷ୍ଟ୍ରରେ ଆଞ୍ଚଳିକ ରାଜନୀତି ସହ ଜାତୀୟ ରାଜନୀତିରେ ମଧ୍ୟ କିଛି ଏକ ଭିନ୍ନ ସମୀକରଣ ଆଗାମୀ ଦିନରେ ଦେଖିବାକୁ ମିଳିବ ବୋଲି ଅନେକ ରାଜନୈତିକ ପନ୍ଦିତ ବିଶ୍ୱାସ କରୁଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*