ମୋଦୀ-ଜିନ୍‌ପିଙ୍ଗ ବୈଠକ ଲାଗି ମାଲାପୁରମ୍‌ ପ୍ରସ୍ତୁତ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୂଆଦିଲ୍ଲୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଅନୌପଚାରିକ ଶିଖର ବୈଠକ ସକାଶେ ଚୀନ୍‌ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ ଶୁକ୍ରବାର ଦିନ ଚେନ୍ନାଇରେ ପହଞ୍ଚିବେ । ଗତବର୍ଷ ଏପ୍ରିଲ ମାସରେ ଚୀନ୍‌ର ଉହାନଠାରେ ପ୍ରଥମ ଅନୌପଚାରିକ ବୈଠକ ଦୁଇ ନେତାଙ୍କ ମଧ୍ୟରେ ହୋଇଥିଲା । ସେହି ଧାରାକୁ ବଢ଼ାଇବା ସକାଶେ ଦୁଇ ଦିନିଆ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଜିନ୍‌ପିଙ୍ଗ । ତାଙ୍କ ସହ ପଲିଟିବୁ୍ୟରୋ ସଦସ୍ୟ ତଥା ଚୀନ୍‌ର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ମଧ୍ୟ ଆସିବେ ଭାରତ । ବୁଧବାର ଦିନ ଏହି ବୈଠକର ଠିକ୍‌ ୫୦ ଘଣ୍ଟା ପୂର୍ବରୁ ଉଭୟ ଦେଶର ବୈଦେଶିକ ବିଭାଗ ପକ୍ଷରୁ ଠିକ୍‌ ଏକା ସମୟରେ ବୈଠକ ବାବଦ ତଥ୍ୟ ସାର୍ବଜନୀନ କରାଯାଇଛି । ଭାରତୀୟ ବୈଦେଶିକ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଏହି ଅନୌପଚାରିକ ବୈଠକ ମୋଦୀ ଓ ଜିନ୍‌ପିଙ୍ଗଙ୍କ ମଧ୍ୟରେ ଦ୍ୱିପାକ୍ଷିକ, ଆଞ୍ଚଳିକ ଏବଂ ବିଶ୍ୱର ପ୍ରମୁଖ ବିଷୟ ଉପରେ ମତ ବିନିମୟ କରିବାର ସୁଯୋଗ ପ୍ରଦାନ କରିବ । ଏଥିସହ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଅଧିକ ଦୃଢ଼ୀଭୂତ କରିବାର ସୁଯୋଗ ମଧ୍ୟ ଏହା ଆଣିଦେବ । ଚେନ୍ନାଇ ନିକଟସ୍ଥ ମହାବଳିପୁରମ୍‌ଠାରେ ଏହି ଅନୌପଚାରିକ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଏଥିପାଇଁ ସେଠାରେ ବ୍ୟାପକ ସୁରକ୍ଷା ବନେ୍ଦାବସ୍ତ କରାଯାଇଛି । ଏହି ଅନୌପଚାରିକ ବୈଠକ ପଛରେ ଉଦେ୍ଦଶ୍ୟ ରହିଛି ଯେ ଦୁଇ ଦେଶର ଉଚ୍ଚ ସ୍ତରୀୟ ସମ୍ପର୍କ ବୃଦ୍ଧି କରିବା ଏବଂ କିଛି ପ୍ରମୁଖ ବିଷୟ ଉପରେ ଦୁଇ ଦେଶର ମତ ପରସ୍ପରକୁ ବତାଇବା । ଏହା କରିବା ଦ୍ୱାରା ଦ୍ୱିପାକ୍ଷିକ ବନ୍ଧୁତାକୁ ବିକାଶର ପଥରେ ଆଗେଇ ନେବା ସହଜ ହେବ । ତେବେ ମୋଦୀ ଓ ଜିନ୍‌ପିଙ୍ଗଙ୍କ ମଧ୍ୟରେ ଏହି ଦ୍ୱିତୀୟ ଅନୌପଚାରିକ ବୈଠକ ବେଳେ କୌଣସି ଚୁକ୍ତିନାମାରେ ସ୍ୱାକ୍ଷର ହେବ ନାହିଁ ବୋଲି ସରକାରୀ ଭାବେ କୁହାଯାଇଛି । ଆସନ୍ତା ଡିସେମ୍ବର ମାସରେ ଉଭୟ ଭାରତ ଓ ଚୀନ୍‌ ମିଳିତ ଭାବରେ ଆତଙ୍କବାଦ ବିରୋଧ ପ୍ରଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ଦୁଇ ନେତା ସେ ବାବଦରେ ଆଲୋଚନା କରିପାରନ୍ତି ।

ପ୍ରସ୍ତୁତ ମାମଲାପୁରମ୍‌
ମହାବଳିପୁରମ୍‌ ବା ମାମଲାପୁରମ୍‌ ଏବେ ପୂର୍ଣ୍ଣ ଭାବରେ ପ୍ରସ୍ତୁତ ହୋଇଯାଇଛି ଦୁଇ ନେତାଙ୍କୁ ସ୍ୱାଗତ କରିବା ଲାଗି । ଏହା ହେଉଛି ଏକ ଐତିହାସିକ ତଟିୟ ସହର । ଏହି ବିଶ୍ୱ ଐତିହ୍ୟ କେନ୍ଦ୍ର ସହ ଚୀନ୍‌ର ରହିଛି ଖୁବ୍‌ ପୁରୁଣା ସମ୍ପର୍କ । ପଲ୍ଲବ ବଂଶର ଅଫିସିଆଲ୍‌ ବନ୍ଦର ଥିଲା ଏହି ମାମଲାପୁରମ୍‌ । ପଲ୍ଲବ ବଂଶର ଶାସନ ବେଳେ ଚୀନ୍‌ ସହ ବାଣିଜି୍ୟକ ସମ୍ପର୍କ ଥିଲା । ବୌଦ୍ଧ ସନ୍ନ୍ୟାସୀ ବୋଧିଧର୍ମ ଏହି ମାମଲାପୁରମ୍‌ ବନ୍ଦରରୁ ଚୀନ୍‌କୁ ଯାତ୍ରା କରିଥିଲେ । ସେଠାରେ ବୌଦ୍ଧ ଧର୍ମର ପ୍ରଚାର ପ୍ରସାରରେ ବଡ଼ ଭୂମିକା ନେଇଥିଲେ ବୋଧିଧର୍ମ । ସପ୍ତମ ଶତାବ୍ଦୀରେ ଚୀନ୍‌ ପରିବ୍ରାଜକ ହୁଏନ୍‌ସାଙ୍ଗ ଏହି ବନ୍ଦର ସହରରେ ଓହ୍ଲାଇ ଯାଇଥିଲେ କାଞ୍ଚିପୁରମ୍‌ । ତେଣୁ ଏପରି ଏକ ଚୀନ୍‌ ସହ ନିବିଡ଼ ସମ୍ପର୍କ ରଖୁଥିବା ପୂର୍ବ ବନ୍ଦର ସହର ତଥା ଐତିହ୍ୟ କେନ୍ଦ୍ରକୁ ଅନୌପଚାରିକ ବୈଠକର ସ୍ଥାନ ଭାବେ ବଛା ଯାଇଛି ।
କାର୍‌ରେ ଯିବେ
ଚେନ୍ନାଇରୁ ମାମଲାପୁରମ୍‌କୁ ଚୀନ୍‌ ରାଷ୍ଟ୍ରପତି ହେଲିକପ୍ଟରରେ ନଯିବା ଲାଗି ନିଷ୍ପତ୍ତି ନିଆଯାଇଛି । ଚୀନ୍‌ ସୁରକ୍ଷାବଳ ହେଲିକପ୍ଟର ଯାତ୍ରାକୁ ସମ୍ପୂର୍ଣ୍ଣ ମନା କରି ସଡ଼କପଥରେ ଯିବା ପାଇଁ ଗ୍ରୀନ୍‌ ସିଗ୍‌ନାଲ ଦେଇଛନ୍ତି । ଶୁକ୍ରବାର ମଧ୍ୟାହ୍ନବେଳକୁ ଏକ ବିଶେଷ ବିମାନରେ ପ୍ରଧାନମନ୍ତ୍ରୀ ମୋଦୀ ଦିଲ୍ଲୀରୁ ଯାଇ ଚେନ୍ନାଇରେ ପହଞ୍ଚିବେ । ଚୀନ୍‌ ରାଷ୍ଟ୍ରପତିଙ୍କୁ ନେଇ ଆସିବାକୁ ଥିବା ବିଶେଷ ବିମାନ ଶୁକ୍ରବାର ଦିନ ଗୋଟାଏ ବେଳେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ତାଙ୍କୁ ଭବ୍ୟ ସ୍ୱାଗତ ବିମାନ ବନ୍ଦରରେ ପ୍ରଦାନ କରାଯିବ । ଏହାପରେ ସେ ଆଟିସି ଗ୍ରାନ୍ଦ ଚୋଳା ହୋଟେଲକୁ ଯାଇ କିଛି ସମୟ ବିଶ୍ରାମ କରିବେ । ଅପରାହ୍ଣ ୪ଟା ବେଳେ କଡ଼ା ସୁରକ୍ଷାବଳୟ ଭିତରେ ସେ ୫୦ କିଲୋମିଟର ଦୂର ମାମଲାପୁରମ୍‌ ପାଇଁ ସଡ଼କପଥରେ ବାହାରିବେ ।
କାଶ୍ମୀର ପରିସ୍ଥିତି ଉପରେ ନଜର
ଭାରତ ଆସିବା ପୂର୍ବରୁ ଜାମ୍ମୁ ଓ କାଶ୍ମୀର ପ୍ରସଙ୍ଗକୁ ନେଇ ନିଜ ମନୋଭାବକୁ ସାମାନ୍ୟ କୋହଳ କରିଥିବା ଚୀନ୍‌ ବୁଧବାର ଦିନ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଜାରି କରିଛି । ଚୀନ୍‌ର ସରକାରୀ ମିଡିଆ ତରଫରୁ ବୁଧବାର ଦିନ କୁହାଯାଇଛି ଯେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ସହ ଆଲୋଚନା ବେଳେ ଚୀନ୍‌ ରାଷ୍ଟ୍ରପତି ଜିନ୍‌ପିଙ୍ଗ କହିଛନ୍ତି ଯେ ପାକିସ୍ତାନ ପରିସ୍ଥିତି ଉପରେ ଚୀନ୍‌ ନଜର ରଖିଛି । ଏହି ପ୍ରସଙ୍ଗ ଉପରେ ଜଡ଼ିତ ପକ୍ଷ ଶାନ୍ତିପୂର୍ଣ୍ଣ ଆଲୋଚନା ମାଧ୍ୟମରେ ଏହାର ସମାଧାନ କରିପାରିବେ ବୋଲି ଆଶାବ୍ୟକ୍ତ କରିଛନ୍ତି । ବେଜିଂଠାରେ ଇମ୍ରାନଙ୍କ ସହ ଆଲୋଚନା ବେଳେ ଜିନ୍‌ପିଙ୍ଗ ତାଙ୍କୁ ବିଶ୍ୱାସ ଦେଇଛନ୍ତି ଚୀନ୍‌ ଓ ପାକିସ୍ତାନର ସମ୍ପର୍କ ଅତୁଟ ଓ ସମ୍ପୂର୍ଣ୍ଣ ଦୃଢ଼ ରହିଛି । ଭାରତ ଓ ପାକିସ୍ତାନ ମଧ୍ୟରେ ଜାମ୍ମୁ ଓ କାଶ୍ମୀରକୁ ନେଇ ମୁହାଁମୁହିଁର ଅବସ୍ଥା ଚରମରେ ଥିଲାବେଳେ ଇମ୍ରାନ ଚୀନ୍‌ ଗସ୍ତରେ ଅଛନ୍ତି । ପାକିସ୍ତାନର ସ୍ୱାର୍ଥ ପ୍ରତି ଚୀନ୍‌ର ସମର୍ଥନ ଅଛି ବୋଲି ମଧ୍ୟ ଜିନ୍‌ପିଙ୍ଗ ଇମ୍ରାନଙ୍କୁ କହିଥିବା ସରକାରୀ ଭାବେ ବତାଯାଇଛି ।
ଭାରତର ଦୃଢ଼ ଜବାବ
ଚୀନ୍‌ ରାଷ୍ଟ୍ରପତି ଓ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ବୈଠକ ବେଳେ କାଶ୍ମୀର ବିଷୟ ଆଲୋଚନା ପାଇଁ ଆସିଥିବା ରିପୋର୍ଟ ଆସିବା ପରେ ତୀବ୍ର ପ୍ରତିକ୍ର୍ରିୟା ଦେଇଛି ଭାରତ । ଭାରତର ଦୃଷ୍ଟିକୋଣ ବାବଦରେ ବେଜିଂ ଭଲଭାବରେ ଅବଗତ ବୋଲି ଭାରତ ପକ୍ଷରୁ ବୁଧବାର କୁହାଯାଇଛି । ଜାମ୍ମୁ ଓ କାଶ୍ମୀର ଭାରତର ଆଭ୍ୟନ୍ତରୀଣ ବିଷୟ ହୋଇଥିବାରୁ ଏ ବାବଦରେ ଅନ୍ୟ କୌଣସି ଦେଶର ମନ୍ତବ୍ୟ ଦେବାର ଅଧିକାର ନାହିଁ ବୋଲି କୁହାଯାଇଛି । ବୈଦେଶିକ ବିଭାଗର ମୁଖପାତ୍ର ରବିଶ କୁମାର କହିଛନ୍ତି, ଆମେ ଜିନ୍‌ପିଙ୍ଗ ଓ ଇମ୍ରାନଙ୍କ ଆଲୋଚନା ବାବଦ ଖବର ଦେଖିଛୁ ହେଲେ ଜାମ୍ମୁ ଓ କାଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ବୋଲି ଚୀନ୍‌ ଭଲ ଭାବରେ ବୁଝିଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*