ଭାରତୀୟ ପାଇଲଟଙ୍କୁ ମୁକ୍ତ କରିବା ପାଇଁ ପାକିସ୍ତାନକୁ କଡ଼ା ଚେତାବନୀ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ନୂଆଦିଲ୍ଲୀ
ପୁଲୱାମା ଆତଙ୍କୀ ହମଲାକୁ ନେଇ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସୃଷ୍ଟି ଉତ୍ତେଜନା ସ୍ଥିତି ଚରମସୀମାରେ ପହଞ୍ଚôଛି । ମଙ୍ଗଳବାର ଭୋରରେ ପାକିସ୍ତାନର ବାଲାକୋଟଠାରେ ଭାରତୀୟ ବାୟୁସେନାର ଲଢୁଆ ବିମାନ ବଡ ଅମଲା କରି ଜୈଶ ଆତଙ୍କୀ ସଂଗଠନର ଆ‡ା, ଅସ୍ତ୍ରଶସ୍ତ୍ରାଗାର ଏବଂ ଆତଙ୍କୀଙ୍କୁ ନପାତ କରିବା ପରେ ଉତ୍ତେଜିତ ହୋଇପଡିଥିବା ପାକିସ୍ତାନ ବୁଧବାର ସକାଳେ ଭାରତର ବାୟୁ ସୀମା ଉଲଂଘନ ପୂର୍ବକ ଜାମ୍ମୁ-କାଶ୍ମୀରର ପୁଞ୍ଚ ଏବଂ ରାଜୌରୀ ସେକ୍ଟରକୁ ପଶିଆସିଥିଲା । ଫେରିବା ସମୟରେ କିଛି ବୋମା ବି ପକାଇଥିବା ଜଣାପଡିଛି । ହେଲେ ହାଇ ଆଲର୍ଟରେ ଥିବା ବାୟୁସେନା ସେମାନଙ୍କୁ ଆମ ବାୟୁ ସୀମାରୁ ବିତାଡିତ କରିବାବେଳେ ପାକିସ୍ତାନ ଏଫ-୧୬ ଲଢୁଆ ବିମାନକୁ ଖସାଇ ଦେଇଥିବା ଜଣାପଡିଛି । ସେହିପରି ଏହି ଜବାବୀ କାର୍ଯ୍ୟାନୁଷ୍ଠାନବେଳେ ଦେଶର ମିଗ୍‌-୨୧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସଂପର୍କରେ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ପୂର୍ବରୁ ପାକିସ୍ତାନ ୨ ଟି ଆଇଏଏଫ୍‌ ବିମାନକୁ ମାରି ଖସାଯାଇଥିବା ଏବଂ ୨ ପାଇଲଟଙ୍କୁ ଅଟକ ରଖିଥିବା ଦାବି କରିଥିଲେ ହେଁ ପରେ ଭାରତ ଏହାକୁ ଖନ୍ଦନ କରି ଗୋଟିଏ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି ବୋଲି କହିିଥିଲା । ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରବୀଶ କୁମାର ପରେ ଏକ ସାମ୍ବାଦିକ ସମ୍ମିଳନୀରେ ୱିଙ୍ଗ୍‌ କମାନ୍ଦର ଅଭିନନ୍ଦନ ନିଖୋଜ ଥିବା ସଂପର୍କରେ ସ୍ପଷ୍ଟ କରିବା ସହ ତାଙ୍କୁ ମୁକ୍ତ କର ନଚେତ୍‌ ପରିଣାମ ଭୋଗିବ ବୋଲି କଡା ଚେତାବନୀ ଦେଇଛନ୍ତି ।
ଆଲୋଚନା ପାଇଁ ଇମ୍ରାନଙ୍କ ପ୍ରସ୍ତାବ
ଦୁଇ ଦେଶ ମଧ୍ୟରେ ଏପ୍ରକାର ଉତ୍ତେଜନା ପରିସ୍ଥିତି ମଧ୍ୟରେ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଭାରତକୁ ଆଲୋଚନା କରି ବିବାଦର ସମାଧାନ ପାଇଁ ଆହ୍ୱାନ୍‌ ଦେଇଛନ୍ତି । ରାଷ୍ଟ୍ର ଉଦେ୍ଦଶ୍ୟରେ ବାର୍ତ୍ତା ଦେଇ ଇମ୍ରାନ୍‌ କହିଥିଲେ ଯେ, ଆଜି ଆମ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛେ । ଏପରି କରି ଆମେ ଏତିକି ବତାଇବାକୁ ଚାହିଁଥିଲୁ ଯେ, ଯଦି ତୁମେ ନିୟନ୍ତ୍ରଣ ରେଖା ପାର୍‌ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ, ତେବେ ଆମେ ବି କରିପାରିବୁ । ଯଦି ଦୁଇ ଦେଶ ମଧ୍ୟରେ ଏଭଳି ଉତ୍ତେଜନା ପରିସ୍ଥିତି ଲାଗି ରହେ, ତେବେ ମୋ ନିୟନ୍ତ୍ରଣରେ କି ନରେନ୍ଦ୍ର ମୋଦୀଙ୍କ ହାତରେ ଆଉ କିଛି ନଥିବ । କେବଳ ଭୁଲ ବୁଝାମଣା ଯୋଗୁ ବଡ ବଡ ଯୁଦ୍ଧ ଅତୀତରେ ହୋଇଛି । ତେଣୁ ଭାରତ ଏବଂ ପାକିସ୍ତାନ ଏକାଠି ବସି ଆଲୋଚନା କରିବା ଆବଶ୍ୟକ ବୋଲି ସେ କହିଥିଲେ । ଯଦି ପୁଲୱାମା ଆକ୍ରମଣର ଷଡଯନ୍ତ୍ର ପାକିସ୍ତାନ ମାଟିରୁ ହୋଇଥିବା ଭାରତ ପ୍ରମାଣ ଦିଏ, ତେବେ ଆମେ ଏହାର ଉପଯୁକ୍ତ ତଦନ୍ତ କରିବୁ ବୋଲି ଇମ୍ରାନ୍‌ ପ୍ରତିଶ୍ରୁତି ହୋଇଥିଲେ । ହେଲେ ସେ ପାକିସ୍ତାନରେ ଆତଙ୍କବାଦୀ ସଂଗଠନ ଥିବା ଏବଂ ଆଇଏସଆଇ ଏହାକୁ ପ୍ରୋତ୍ସାହନ ଦେଉଥିବା ବିଷୟରେ କିଛି ବି କହିନଥିଲେ ।
ପାକିସ୍ତାନୀ ଉପ-ରାଷ୍ଟ୍ରଦୂତଙ୍କୁ ସମନ୍‌
ଭାରତର ଜୈଶ ଆତଙ୍କୀ ହମଲାର ପ୍ରତିବାଦରେ ପାକିସ୍ତାନ ବାୟୁସେନା ବୁଧବାର ସକାଳେ ଭାରତୀୟ ସେନା ବେସ୍‌କୁ ଟାର୍ଗେଟ କରିବା ଘଟଣାରେ ବୁଧବାର ବୈଦେଶିକ ମନ୍ତ୍ରଣାଳୟ ପାକିସ୍ତାନର ଉପ-ରାଷ୍ଟ୍ରଦୂତ ସୟଦ ହାଇଦର ଶାହାଙ୍କୁ ସମନ୍‌ କରିଥିଲା । ସାଉଥ୍‌ ବ୍ଲକ୍‌ଠାରେ ସୟଦ ପହଞ୍ଚô ଭାରତୀୟ ପାଇଲଟଙ୍କୁ ପାକିସ୍ତାନରେ ଅଟକ ରଖାଯାଇଥିବା ସଂପର୍କରେ ସୂଚନା ଦେଇଥିଲେ । ଅପରପକ୍ଷରେ ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ମଧ୍ୟ ଇସଲାମାବାଦସ୍ଥିତ ଭାରତୀୟ ରାଷ୍ଟ୍ରଦୂତ ଗୌରବ ଆଲୁୱାଲିହାଙ୍କୁ ସମନ୍‌ କରି ଭାରତ ଯୁଦ୍ଧବିରତି ଉଲଂଘନ କରିଥିବା ସଂପର୍କରେ ଆରୋପ ଲଗାଇବା ସହ ଏହି କାରଣରୁ ୪ ଜଣ ପାକିସ୍ତାନୀ ପ୍ରାଣ ହରାଇଥିବା ସଂପର୍କରେ ଅଭିଯୋଗ କରିଥିଲା ।
ଅପରପକ୍ଷରେ ଭାରତୀୟ ବାୟୁସେନାର ୱିଙ୍ଗ୍‌ କମାନ୍ଦର ଅଭିନନ୍ଦନ ରକ୍ତାକ୍ତ ଅବସ୍ଥାରେ ପାକ୍‌ ସେନା ନିକଟରେ ରହିଥିବାର ଏକ ଫଟୋ ସୋସିଆଲ ମିଡିଆରେ ଆସିବା ପରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ଭାରତ । ଅଭିନନ୍ଦନଙ୍କୁ ତୁରନ୍ତ ମୁକ୍ତ କରିବାକୁ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଦାବି କରାଯିବା ସହ ୱିଙ୍ଗ୍‌ କମାନ୍ଦରଙ୍କ ଯେପରି କିଛି କ୍ଷତି ନଘଟିବ, ତାହା ଦେଖିବା ପାଇଁ ଚେତାଇ ଦେଇଛି । ପାକିସ୍ତାନ ଯେଉଁଭଳିଭାବେ ରକ୍ତାକ୍ତ ଅବସ୍ଥାରେ ୱିଙ୍ଗ୍‌ କମାନ୍ଦରଙ୍କ ଫଟୋ ଛାଡିଛି, ତାହା ଅନ୍ତର୍ଜାତୀୟ ମାନବବାଦ ଆଇନ ଏବଂ ଜେନେଭା କନଭେନସନର ସମସ୍ତ ନୀତିନିୟମକୁ ଉଲଂଘନ କରୁଛି ବୋଲି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ବିବୃତି ଜାରି କରି କୁହାଯାଇଛି ।
୩ ସେନାମୁଖ୍ୟଙ୍କ ସହ ମୋଦୀଙ୍କ ଆଲୋଚନା
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ତାଙ୍କ ବାସଭବନରେ ୩ ସେନା ମୁଖ୍ୟଙ୍କୁ ଭେଟିଛନ୍ତି । ବାୟୁସେନା ବିମାନକୁ ମାରି ଖସାଇବା ଏବଂ ପାଇଲଟଙ୍କୁ ପାକ୍‌ ସେନା ଅଟକ ରଖିବା ପ୍ରସଙ୍ଗରେ ସେ ଆଲୋଚନା କରିଥିଲେ । ଏହି ବୈଠକରେ ଏନଏସଏ ମୁଖ୍ୟ ଅଜିତ୍‌ ଡୋଭାଲ ମଧ୍ୟ ଥିଲେ । ଆଲୋଚନା ୨୦ ମିନିଟ୍‌ ଧରି ଚାଲିଥିଲା । ଗତ ୨୪ ଘଣ୍ଟା ମଧ୍ୟରେ ଏହା ହେଉଛି ୩ ସେନା ମୁଖ୍ୟଙ୍କ ସହ ମୋଦୀଙ୍କର ଦ୍ୱିତୀୟ ଆଲୋଚନା ।
ପାକିସ୍ତାନର ଆଉ ୫ କ୍ୟାମ୍ପ ଧ୍ୱଂସ
ମଙ୍ଗଳବାର ହମଲା ପରେ କାଶ୍ମୀରର ନିୟନ୍ତ୍ରଣ ରେଖାର ୧୨ଟି ସ୍ଥାନରେ ପାକ୍‌ ପଟୁ ଫାୟାରିଂ କରାଯାଇଥିଲା । ଏହାର ଜବାବରେ ସେନା ମଙ୍ଗଳବାର ବିଳମ୍ବିତ ରାତିରେ ପାକିସ୍ତାନର ଆଉ ୫ଟି କ୍ୟାମ୍ପକୁ ଧ୍ୱଂସ କରିଦେଇଛି । ଏହି କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନର କିଛି ସୈନିକ ପ୍ରାଣ ହରାଇଥିବା ମଧ୍ୟ ଜଣାପଡିଛି । ଭାରତର ୫ ଜଣ ସୈନିକ ମଧ୍ୟ ଏଥିରେ ଆହତ ହୋଇଛନ୍ତି । ପରିସ୍ଥିତିକୁ ଦୃଷ୍ଟିରେ ରଖି ଆମେରିକା ପାକିସ୍ତାନକୁ ତାର ମାଟିରେ ଉପସ୍ଥିତ ଥିବା ଆତଙ୍କୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରାମର୍ଶ ଦେଇଛି ।
ଦିଲ୍ଲୀରେ ଆଜି ସଂସଦ ପରିସରରେ ବିରୋଧୀ ଦଳଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି । ସବୁ ବିରୋଧୀ ଦଳ ନେତା ପୁଲୱାମା ହମଲାକୁ ନିନ୍ଦା କରିବା ସହ ମଙ୍ଗଳବାର ଆତଙ୍କୀ ସଂଗଠନ ଉପରେ ବାୟୁସେନାର କାର୍ଯ୍ୟାନୁଷ୍ଠାନକୁ ପ୍ରଶଂସା କରିଥିଲେ । ହେଲେ ସରକାରଙ୍କୁ ଦେଶର ସୁରକ୍ଷା ପ୍ରସଙ୍ଗରେ ଏକ ସର୍ବଦଳୀୟ ବୈଠକ ଡାକିବା ଉଚିତ୍‌ ଥିଲା ବୋଲି ବିରୋଧୀ ଦଳ କହିଛନ୍ତି ।
କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ ମଧ୍ୟ ପାକିସ୍ତାନସ୍ଥିତ ଆତଙ୍କୀ ସଂଗଠନ ଉପରେ ଭାରତର କାର୍ଯ୍ୟାନୁଷ୍ଠାନକୁ ଯଥାର୍ଥ ବୋଲି କହିଛନ୍ତି । ଯେତେବେଳେ ଆମେରିକା ପାକିସ୍ତାନରେ ପଶି ଆବୋତ୍ତାବାଦସ୍ଥିତ ଓସାମା ବିନ୍‌ ଲାଡେନର ଘର ଉପରେ ହମଲା କରି ତାକୁ ନିପାତ କରିପାରୁଛି, ସେତେବେଳେ ଭାରତ କାହିିଁକି କରିପାରିବନି ବୋଲି ସେ ପ୍ରଶ୍ନ କରିଛନ୍ତି ।
ଦେଶରେ ଦେଖାଦେଇଥିବା ଉତ୍ତେଜନା ପରିସ୍ଥିତି ପରେ ପୁରା ଦେଶରେ ହାଇଆଲର୍ଟ ଜାରି କରାଯାଇଥିଲାବେଳେ ଚନ୍ଦିଗଡ,ଜାମ୍ମୁ-କାଶ୍ମୀର , ପଞ୍ଜାବ ଏବଂ ଉତ୍ତରାଖନ୍ଦର ସବୁ ବିମାନବ ନ୍ଦରରେ ଆଲର୍ଟ ଜାରି କରାଯାଇଥିଲା ଏବଂ ବିମାନ ଚଳାଚଳକୁ ବନ୍ଦ କରାଯାଇଥିଲା । ଅବଶ୍ୟ ଏହାର କିଛି ଘଣ୍ଟା ପରେ ବିମାନ ଚଳାଚଳକୁ ସ୍ୱାଭାବିକ୍‌ କରାଯାଇଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*