ଭାରତୀୟ ଅଲିମ୍ପିକ୍‌ ସଂଘ ଭିତର ବିବାଦ ଥମିବାର ଆଶା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୂଆଦିଲ୍ଲୀ

ଭାରତୀୟ ଅଲିମ୍ପିକ୍‌ ସଂଘ ବା ଆଇଓଏର ସିନିୟର ପଦାଧିକାରୀ ମଧ୍ୟର ବିବାଦ ଦାନ୍ଦରେ ପଡି ହାଟରେ ଗଡିବା ଭଳି ଅବସ୍ଥା ସୃଷ୍ଟି କରିସାରିଛି । ନିଜ ଘର ବିବାଦକୁ ବହୁ ଅଧିକାରୀ ବିଶ୍ୱସଂଘ ଗୁଡିକ ପାଖକୁ ନେଇ ସାରିଛନ୍ତି । ଭାରତୀୟ ଅଲିମ୍ପିକ୍‌ ସଂଘର ସଭାପତି ନରେନ୍ଦ୍ର ବାତ୍ରା ଏବଂ ସେକ୍ରେଟାରୀ ଜେନେରାଲ ରାଜୀବ ମେହେଟ୍ଟାଙ୍କ ଭିତରର ଝଗଡା ସାଙ୍ଗକୁ ଆଇଓଏର ଉପସଭାପତି ସୁଧାଂଶୁ ମିତ୍ତଲ ବାତ୍ରା ଅନିୟମିତତା କରିଥିବାର ଅଭିଯୋଗ ବିଶ୍ୱ ଅଲିମ୍ପିକ୍‌ ମହାସଂଘ ଏବଂ ବିଶ୍ୱ ହକି ମହାସଂଘ ନିକଟରେ କରିସାରିଛନ୍ତି । ଏବେ କିନ୍ତୁ ମନେହେଉଛି ଭାରତୀୟ ଅଲିମ୍ପିକ୍‌ ସଂଘ ମଧ୍ୟର ବିବାଦ ଥମିଯିବ ବୋଲି । କାରଣ ଉଭୟ ବାତ୍ରା ଓ ମେହେଟ୍ଟା ନିଜ ବିରୋଧୀ ସ୍ୱର ଶାନ୍ତ କରି ସବୁକିଛି ସମାଧାନର ବାଟ ବାହାରର କଥା କହିଛନ୍ତି । ବାତ୍ରାଙ୍କ ଶାନ୍ତିର ଅପିଲ ପରେ ମେହେଟ୍ଟା ବି ନିଜ କଡ଼ା ମନୋଭାବ ଛାଡିଛନ୍ତି ।
ସୋମବାର ଦିନ ରାଜୀବ ମେହେଟ୍ଟା ନରେନ୍ଦ୍ର ବାତ୍ରାଙ୍କ ଅପିଲର ଜବାବ ଦେଲାବେଳେ ଶାନ୍ତିପୂର୍ଣ୍ଣ କାର୍ଯ୍ୟଧାରାର କଥା କହିଛନ୍ତି । ଆମେ ପ୍ରଥମରୁ ଖୁବ୍‌ ପଜିଟିଭ ଥିଲୁ । କେହି ଅନ୍ୟର ପରିସୀମା ଭିତରେ ପ୍ରବେଶ ପାଇଁ ଚାହିଁନାହୁଁ । ଏହା ଖୁସିର ବିଷୟ ଯେ, ସମସ୍ତେ ଏବେ ଶାନ୍ତିପୂର୍ଣ୍ଣ ଭାବରେ ସବୁକିଛି ତୁଟାଇବାକୁ ଚାହାଁନ୍ତି । ଆମେ ବି ଚାହୁଁଛୁ ଠିକଣା ଭାବରେ ସବୁକିଛି କରାଯାଉ ବୋଲି କହିଛନ୍ତି ମେହେଟ୍ଟା । ରବିବାର ଦିନ ନରେନ୍ଦ୍ର ବାତ୍ରା ଏକ ଅପିଲ୍‌ କରି କହିଥିଲେ ଯେ- ଆମ ଭିତରର ବିବାଦକୁ ଦୂର କରି ସମସ୍ତେ ମିଳିତ ହୋଇ ଖେଳ ଓ ଖେଳାଳିଙ୍କ ବିକାଶ ପାଇଁ କାମ କରିବା ଦରକାର ।
ଭାରତୀୟ ଅଲିମ୍ପିକ୍‌ ସଂଘରେ ବିବାଦ ମାର୍ଚ୍ଚ ମାସରୁ ଆରମ୍ଭ ହୋଇଥିଲା । ଯେତେବେଳେ ସଭାପତି ବାତ୍ରା ସେକ୍ରେଟାରୀ ଜେନେରାଲ ମେହେଟ୍ଟାଙ୍କ କିଛି କ୍ଷମତା ଓ କାର୍ଯ୍ୟ ନିଜେ କରିବା ପାଇଁ ଘୋଷଣା କରିଥିଲେ । ଏହାକୁ ନେଇ ମେହେଟ୍ଟାଙ୍କ ଗୋଷ୍ଠୀ ଏହା ପଛର କାରଣ ବାବଦରେ ପ୍ରଶ୍ନ ଉଠାଇବା ସହ ବାତ୍ରା ଆଇଓଏ ଏବଂ ଏଫ୍‌ଆଇଏଚ୍‌ର ସଭାପତି ଭାବେ ନିର୍ବାଚିତ ହେବାକୁ ମଧ୍ୟ ପ୍ରଶ୍ନ କରିଥିଲେ । ଉପସଭାପତି ସୁଧାଂଶୁ ମିତ୍ତଲ ଆଇଓସି ଅଧ୍ୟକ୍ଷ ଥୋମାସ୍‌ ବାକ୍‌ଙ୍କୁ ପତ୍ର ଲେଖି ଦୁଇଟି ଯାକ ପୋଷ୍ଟ ପାଇଁ ବାତ୍ରାଙ୍କ ନିର୍ବାଚନର ତଦନ୍ତ କରିବାକୁ ଅନୁରୋଧ କରିଥିଲେ । ସେହିପରି ବାତ୍ରା ଓ ମେହେଟ୍ଟାଙ୍କ ମଧ୍ୟରେ କୋଭିଡ୍‌-୧୯ ମହାମାରୀ ପରେ ଖେଳ ଆରମ୍ଭ କରାଯିବାକୁ ନେଇ ମତଭେଦ ରହିଆସିଛି । ସୋମବାର ଦିନ ନିଜ ବୟାନରେ ରାଜୀବ ମେହେଟ୍ଟା ମଧ୍ୟ କହିଛନ୍ତି ଯେ, ନିଜ ଦାୟିତ୍ୱ ବାବଦରେ ଜାଣନ୍ତି । କେବେ ସେ କାହାର ଅଧିକାର ଛଡାଇ ନେବାର ଚେଷ୍ଟା କରିନାହାଁନ୍ତି । ବର୍ତ୍ତମାନ ସମୟ ଆସିଛି ଭାରତୀୟ କ୍ରୀଡ଼ାର ବିକାଶ ପାଇଁ ମିଳିତ ପ୍ରୟାସ କରିବାର ବୋଲି ମେହେଟ୍ଟା ଉଲ୍ଲେଖ କରିଛନ୍ତି । ଭାରତୀୟ ଅଲିମ୍ପିକ୍‌ ସଂଘ କୋଷାଧ୍ୟକ୍ଷ ଆନନେ୍ଦଶ୍ୱର ପାନେ୍ଦ କହିଛନ୍ତି ଆମ ଭିତରର ବିବାଦ ଯୋଗୁ ଆଇଓଏର ଛବି ବିଶ୍ୱରେ କଳାପଡିଯାଇଛି । ଆମ ପ୍ରୟୋଜକମାନେ ବି ଚିନ୍ତାରେ ଅଛନ୍ତି । ଏହା ପ୍ରଥମ ଥର ନୁହେଁ ଯେ, ଆଇଓଏ ଭିତରେ ବିବାଦ ଦେଖାଦେଇଛି । ହେଲେ କେବେ ବି ଏଭଳି କଥା ପଦାକୁ ଯାଇନଥିଲା ବୋଲି କହିଛନ୍ତି ପାନେ୍ଦ । କୁହାଯାଉଛି ବର୍ତ୍ତମାନ ପାଇଁ ସବୁକିଛି ଶାନ୍ତ ପଡିଥିଲେ ବି ପରବର୍ତ୍ତୀ ନିର୍ବାଚନ ଅର୍ଥାତ୍‌ ୨୦୨୧ ଡିସେମ୍ବର ବେଳକୁ ଏହି ବିବାଦ ପୁଣି ତେଜିଯିବ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*