ବିଧାୟକଙ୍କ ମର୍ଜିରେ ଥାନାବାବୁ ନିଯୁକ୍ତି, ବଦଳି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର

ପୁଲିସ୍ ବିଭାଗର ଜବରଦସ୍ତ ରାଜନୀତିକରଣ ହୋଇସାରିଛି । ଡିଜିପିମାନେ ଯେତେ ମଧୁର କଥା କୁହନ୍ତୁ ନା କାହିଁକି, ଥାନା ଅଧିକାରୀଙ୍କ ନିଯୁକ୍ତି/ବଦଳି ବିଜୁ ଜନତା ଦଳର ବିଧାୟକଙ୍କ ସୁପାରିସ୍ରେ ହିଁ କରାଯାଉଛି । ଏହାର ଉଲଗ୍ନ ପ୍ରମାଣ ମିଳିଛି ସୂଚନା ଅଧିକାର ଆଇନ ଯୋଗୁ । ପୁଲିସ ବ୍ୟବସ୍ଥାର ଏଭଳି ରାଜନୀତିକରଣ ଯୋଗୁ ଆଜି ଅଧିକାଂଶ ଅଂଚଳରେ ଆଇନ ଶୃଙ୍ଖଳା ବିଗିଡିଛି । ଧର୍ଷଣ ମାମଲା ବଢ଼ିଛି, ମାମଲାରେ ଅଭିଯୁକ୍ତମାନେ ଦୋଷୀ ସାବ୍ୟସ୍ତ ହେଉନାହାନ୍ତି । ଖାକି ବାବୁଙ୍କୁ ନିଜର କରିବାରେ ଓ ବୋଲହାକ କରୁଥିବା ବାବୁଙ୍କୁ ନିଜ ଅଂଚଳକୁ ଆଣିବାକୁ ଜୋରଦାର ପ୍ରୟାସ କରୁଛନ୍ତି । ରାଜ୍ୟରେ ପୁଲିସ୍ ଅଫିସରଙ୍କର ବଦଳି ଓ ନିଯୁକ୍ତିରେ ଶାସକ ଦଳର ନେତା କିପରି ମାହିର୍ ଅଛନ୍ତି ତାହା ଏବେ ପଦାକୁ ଆସିଛି । ଶୁକ୍ରବାର ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀ କରି ଓଡ଼ିଶା ସୂଚନା ଅଧିକାର ଅଭିଯାନ ଏହି ସୂଚନା ଦେଇଛି । ଓସା ସଦସ୍ୟ ସୂଚନା ଅଧିକାର କର୍ମୀ ବିଶ୍ୱଜିତ୍ ମହାନ୍ତି ରାଜ୍ୟରେ ପୁଲିସ୍ ବିଭାଗର ବଦଳିରେ ରାଜନେତାଙ୍କ ହସ୍ତକ୍ଷେପ ବିଷୟରେ ଜାଣିବା ଲାଗି ସୂଚନା ଅଧିକାର ଆଇନରେ ତଥ୍ୟ ମାଗିଥିଲେ ।
ସୂଚନା ଅଧିକାର ଆଇନ ବଳରେ ହସ୍ତଗତ ହୋଇଥିବା ତଥ୍ୟ ସୂଚାଉଛି ଯେ, ରାଜ୍ୟରେ ବ୍ୟାପକ ଭାବେ ରାଜନେତା ପୁଲିସ୍ କର୍ମଚାରୀଙ୍କ ବଦଳିରେ ହସ୍ତକ୍ଷେପ କରିଛନ୍ତି । ଶାସକ ଦଳର ନେତା ମନ୍ତ୍ରୀ ପୁଲିସ ମହାନିଦେ୍ର୍ଦଶକଙ୍କୁ ସଂପୃକ୍ତ ଅଂଚଳର ଥାନାଧିକାରୀ, ଡିଏସପି, ଅତିରିକ୍ତ ଏସପି ଏବଂ ଓଏସଏପି ବାଟାଲିଅନର ଆସିଷ୍ଟାଣ୍ଟ କମାନ୍ଦଣ୍ଟଙ୍କ ବଦଳି ଲାଗି ଚିଠି ଲେଖିଛନ୍ତି । କେବଳ ବଦଳି ପାଇଁ ନୁହେଁ, ଏପରିକି ନିର୍ଦ୍ଧିଷ୍ଟ ଅଧିକାରୀଙ୍କ ନାମ ମଧ୍ୟ ସୁପାରିସ କରିଛନ୍ତି । ଜଣେ ନିର୍ବାଚିତ ପ୍ରତିନିଧି ଭାବେ ସଂପୃକ୍ତ ଅଂଚଳର ଥାନାଧିକାରୀ ବା ଅନ୍ୟ ସୁରକ୍ଷା ଅଧିକାରୀଙ୍କୁ ବଦଳି ପାଇଁ ପୁଲିସ ମୁଖ୍ୟଙ୍କୁ ପରାମର୍ଶ ଦେବା ଗ୍ରହଣୀୟ । ଯଦି ସେ ଅଧିକାରୀ ଜଣକ ଦୁର୍ନୀତିରେ ଲିପ୍ତ, ଅସମର୍ଥ ତେବେ ନିର୍ବାଚିତ ପ୍ରତିନିଧି ପୁଲିସ ମୁଖ୍ୟଙ୍କୁ ଚିଠି ଲେଖି ବଦଳି ପାଇଁ ପରାମର୍ଶ ଦେବା ତାଙ୍କର ଦାୟିତ୍ୱ । କିନ୍ତୁ ତାଙ୍କ ବଦଳରେ ଜଣେ ନିର୍ଦ୍ଧିଷ୍ଟ ଅଧିକାରୀଙ୍କୁ ସେହି ଅଚଂଳକୁ ବଦଳିକରି ଆଣିବା କେତେଦୂର ଗ୍ରହଣୀୟ । କେବଳ ଜଣେ ଦୁଇଜଣ ନୁହେଁ ଶାସକ ଦଳର ଅଧିକାଂଶ ବିଧାୟକ, ମନ୍ତ୍ରୀ ନିର୍ଦ୍ଧିଷ୍ଟ ଅଫିସରଙ୍କୁ ନିଜ ଅଂଚଳରେ ନିଯୁକ୍ତି ଦେବା ଲାଗି ଚିଠି ଲେଖିଛନ୍ତି । ଏହି ନିର୍ଦ୍ଧିଷ୍ଟ ଅଫିସରଙ୍କୁ ଆଣି ନିଜ କଳା ସାମ୍ରାଜ୍ୟକୁ ଲୁଚେଇ ରଖିବାକୁ ଚେଷ୍ଟା କରୁନାହାନ୍ତି ତ ଶାସକ ଦଳର ନେତା । ଏପରିକି ତିର୍ତ୍ତେର୍ାଲ ବିଧାୟିକା ରାଜଶ୍ରୀ ମଲ୍ଲିକ ଜଣେ ଦୁର୍ନୀତିଗସ୍ତ ଅଫିସରଙ୍କୁ ନିଜ ଅଂଚଳରେ ନିଯୁକ୍ତି ପାଇଁ ପୁଲିସ ମୁଖ୍ୟାଳୟକୁ ଦୁଇ ଦୁଇ ଥର ଚିଠି ଲେଖିବାକୁ ପଛାଇ ନାହାନ୍ତି । ୨୦୧୫ ମସିହାରେ ଯାଜପୁର ଏସଡିପିଓ ଥିବା ନଗେନ୍ଦ୍ର ପ୍ରସାଦ ନାୟକଙ୍କୁ ପାରାଦୀପ ଏସଡ଼ିପିଓ କରେଇବାକୁ ପୁଲିସ ମୁଖ୍ୟଙ୍କୁ ଚିଠି ଲେଖିଥିଲେ । ସଂପୃକ୍ତ ଅଧିକାରୀଙ୍କ ଉପରେ ଭିଜିଲାନ୍ସ କେସ୍ ରହିଛି ବୋଲି ମୁଖ୍ୟାଳୟରୁ ଉତର ଆସିଥିଲା । ହେଲେ ଦ୍ୱିତୀୟବାର ରାଜଶ୍ରୀ ଚିଠି ଲେଖିଥିଲେ, ଭିଜିଲାନ୍ସ କେସ୍ ଥାଉ ପଛେ ସେ ଅଧିକାରୀ ଜଣକର ଟ୍ରାକ୍ ରେକର୍ଡ ଭଲ ରହିଛି ପାରାଦୀପରେ ନିଯୁକ୍ତ କଲେ କିଛି ଅସୁବିଧା ନାହିଁ । ରାଜଶ୍ରୀଙ୍କ ଏଭଳି ଉତ୍ତର ହେଉଛି ଏକ ବିରାଟ ପ୍ରଶ୍ନ । ଭିଜିଲାନ୍ସ ଜାଲରେ ଫସିଥିବା ଅଫିସର ଏତେ ପ୍ୟାରା କେମିତି ହେଲେ, ଦୁର୍ନୀତି ଛିଟା ବାଜି ବି ରାଜଶ୍ରୀ କହୁଛନ୍ତି ଟ୍ରାକ୍ ରେକର୍ଡର୍ ବଢ଼ିଆ ଅଛି ।
ସୂଚନା ଅଧିକାରରେ ମିଳିଥିବା ତଥ୍ୟ ଅନୁଯାୟୀ, ୨୧.୦୫.୨୦୧୫ରୁ ୧୫.୧୨.୨୦୧୬ ଭିତରେ ବିଭିନ୍ନ ରାଜନେତାଙ୍କ ଠାରୁ ବଦଳି ଓ ନିଯୁକ୍ତି ପାଇଁ ୮୧ଟି ସୁପାରିସ ଚିଠି ଆସିଥିଲା । ଯେଉଁଥିରେ ବିରୋଧୀ ଦଳର ନେତାଙ୍କର ୫ଟି ଚିଠି ରହିଛି । ଆଉ ଏହି ଦେଢ଼ ବର୍ଷ ଭିତରେ ସବୁଠାରୁ ଅଧିକ ସୁପାରିସ କରିଛନ୍ତି ଉପ-ବାଚସ୍ପତି ସାନନ୍ଦ ମାରାନ୍ଦି । ସେହିପରି ୨୧.୦୬.୨୦୧୭ରୁ ୧୨.୧୨.୨୦୧୮ ଭିତରେ ବିଭିନ୍ନ ରାଜନେତାମାନେ ୯୨ଟି ଚିଠି ଲେଖି ସୁପାରିସ କରିଛନ୍ତି । ଆଉ ୦୮.୦୮.୨୦୧୫ରୁ ୨୦.୦୬.୨୦୧୭ ଭିତରେ ପୂର୍ବତନ ମନ୍ତ୍ରୀ ତଥା ଶାସକ ଦଳର ଟାଣୁଆ ବିଧାୟକ ଅରୁଣ ସାହୁ ୧୧ଟି ଚିଠି ଲେଖି ସୁପାରିସ କରିଛନ୍ତି । ମିଳିଥିବା ତଥ୍ୟରେ ଅରୁଣ ସାହୁଙ୍କର ଏକ ଚିଠି ଖୁବ୍ ଆଶ୍ଚର୍ଯ୍ୟକର ରହିଛି । ଅରୁଣ ଓଡ଼ିଶା ଆର୍ମଡ଼ ପୁଲିସର ୮ମ ବାଟାଲିଅନର ଆଶିଷ୍ଟାଂଟ କମାନ୍ଦାଂଟ ମାନସ ରଂଜନ ମହାନ୍ତିଙ୍କ ଛତ୍ରପୁରରୁ ପୁରୀକୁ ବଦଳି କରିବାକୁ ଚିଠି ଲେଖିଥିଲେ । ଏଥିରେ ଆଶ୍ଚର୍ଯ୍ୟ ହେଉଛି ଓଡ଼ିଶା ପୁଲିସର ଯେମିତି କ୍ଷମତା ରହିଛି, ଆର୍ମଡ଼ ପୁଲିସର ସେତେଟା ନାହିଁ ସେମାନେ କେବଳ ଆଇନ ଶୃଙ୍ଖଳା ପରିସ୍ଥିତିରେ ନିୟୋଜିତ ହୋଇଥାନ୍ତି । ହେଲେ ବିଧାୟକ ଅରୁଣ ତାଙ୍କୁ ବଦଳି କରି କି ପ୍ରକାର ସ୍ୱାର୍ଥ ସାଧନ କରିବାକୁ ଚାହୁଁଛନ୍ତି ଓ କେଉଁ ଉପାୟରେ ସ୍ୱାର୍ଥ ସାଧନ କରିବେ ତାହା ଆଶ୍ଚର୍ଯ୍ୟ ଲାଗୁଛି ।
ନେତା ମନ୍ତ୍ରୀଙ୍କର ପୁଲିସ ବିଭାଗରେ ପ୍ରତ୍ୟକ୍ଷ ହସ୍ତକ୍ଷେପ ଯୋଗୁଁ ଅପରାଧର ହାର ବଢ଼ିବାରେ ଲାଗିଛି । ଏପରିକି ତଦନ୍ତ ଧିମେଇ ଯାଉଛି ଏବଂ ଦୋଷୀ ସାବ୍ୟସ୍ତ ନହୋଇ ଖୋଲାରେ ବୁଲୁଛନ୍ତି । ତେବେ ଶାସକ ଦଳର ନେତାମାନେ ଦଳୀୟ ସ୍ୱାର୍ଥ ସାଧନ ପାଇଁ ପୂରା ବିଭାଗକୁ ହାତକୁ ନେଇଯାଉଛନ୍ତି । ଅପରାଧୀ ବି ତାଙ୍କର, ତଦନ୍ତକାରୀ ବି ତାଙ୍କର, ଆଉ ବିଚାର ପ୍ରକ୍ରିୟା ଯେଉଁ ବାଟେ ତାହା ଅନୁମେୟ । ସଦ୍ୟ କ୍ରାଇମ ରେକର୍ଡ ବୁ୍ୟରୋର ତଥ୍ୟ ବିଗତ ୨୦୧୫, ୨୦୧୬, ୨୦୧୭ର ଦର୍ଶାଉଛି ଜଘନ୍ୟ ଅପରାଧର ସଂଖ୍ୟା ବଢ଼ିବାରେ ଲାଗିଛି ତା ସହ ତଦନ୍ତ ପ୍ରକ୍ରିୟା ସଂପୂର୍ଣ୍ଣ ଧିମେଇ ଯାଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*