ବିକାଶ ପାଇଁ ସହମତି ନିର୍ମାଣରେ ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହୁ : ଧର୍ମେନ୍ଦ୍ର

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ବିକାଶ ପାଇଁ ସହମତି ନିର୍ମାଣରେ ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହୁ ବୋଲି କନକ୍ ନୁ୍ୟଜ୍ର ୧୦ ବର୍ଷ ପୂର୍ତ୍ତି ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସାଢେ ୪ ବର୍ଷ ବିକାଶ ଓ ଶେଷ ୬ ମାସ ଖୋଲା ରାଜନୈତିକ ଓ ବୈଚାରିକ ଲଢେଇ ପାଇଁ ମତ ରଖିବା ସହ ଗଣମାଧ୍ୟମ ବିକାଶକୁ ମୂଳ ଏଜେନ୍ଦା କରୁ ବୋଲି ଶ୍ରୀ ପ୍ରଧାନ ଏହି ଅବସରରେ କହିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ସମାଜରେ ସମସ୍ତଙ୍କୁ ବିଶୁଦ୍ଧ ପାଣି ମିଳୁ, ସମସ୍ତେ ଆର୍ଥିକ ସମ୍ପନ୍ନତା ହୁଅନ୍ତୁ, ସମସ୍ତଙ୍କୁ ଶିକ୍ଷା, ପୁଷ୍ଟିକର ଖାଦ୍ୟ, ସ୍ୱାସ୍ଥ୍ୟ ଓ ରୋଜଗାର ମିଳୁ ଏ ଦିଗରେ କାହାର ଭିନ୍ନ ମତ ନଥାଏ । ମାତ୍ର ଏସବୁ କେଉଁ ବ୍ୟବସ୍ଥାରେ ଦିଆଯିବ, କିଭଳି ଦିଆଯିବ ସେ ବିଷୟରେ ସମସ୍ତଙ୍କ ଚିନ୍ତାଧାରା ଭିନ୍ନ ଆସିବା ସ୍ୱଭାବିକ । ତେଣୁ ଏହି ସବୁ ପ୍ରସଙ୍ଗକୁ ନିରପେକ୍ଷ ଭାବରେ ଉଚିତ୍ ବିତର୍କ କରି ଲୋକମାନଙ୍କ ଆଗରେ ଉପସ୍ଥାପନ କରିବା ଗଣମାଧ୍ୟମର ଦାୟିତ୍ୱ ।
ସେହିପରି ଓଡିଶାର ୨୫ଟି ଜିଲ୍ଲାରେ ନବଜାତ ଶିଶକୁ ୧୫ ବର୍ଷ ହେବା ପର୍ଯ୍ୟନ୍ତ ଯେତେ ପରିମାଣର ପୃଷ୍ଟିକର ଖାଦ୍ୟ ଖାଇବା କଥା ତାହାର ଅଭାବ କାରଣରୁ ରାଜ୍ୟରେ କୁପୋଷଣ ଦେଖାଯାଇଛି । ଆଉ ୧୭ ବର୍ଷ ପରେ ଓଡିଶା ଭାଷାଭିତିକ ରାଜ୍ୟ ଭାବେ ୧୦୦ ବର୍ଷ ପୂରଣ ହେବ । ତେବେ ପୃଷ୍ଟିକର ଖାଦ୍ୟ ଉପଲବ୍ଧ କରିବା କେବଳ ସରକାରଙ୍କର ଦୟିତ୍ୱ ନା ସମାଜର ଭୂମିକା ରହିଛି ସେ ଦିଗରେ ଚିନ୍ତା କରିବା ଦରକାର । ଏହାକୁ ପ୍ରସଙ୍ଗ କରି ଗଣମାଧ୍ୟମ ବିତର୍କ କରିବାର ଆବଶ୍ୟକତା ରହିଛି । ଜର୍ମାନ୍ ଓ ଇସ୍ରାଏଲ ଭଳି ରାଷ୍ଟ୍ର ପୃଥିବୀ ପାଇଁ ମଡେଲ୍ ସୃଷ୍ଟି କରିଛନ୍ତି । ଦୁଇଟି ବିଶ୍ୱଯୁଦ୍ଧର କେନ୍ଦ୍ର ବିନ୍ଦୁ ଜର୍ମାନ ବିକଟାଳ ସ୍ଥିତିରୁ ବାହାରି ନୂଆ ଅର୍ଥନୀତିର କେନ୍ଦ୍ରବିନ୍ଦୁ ହୋଇଛି । ସାମାଜିକ ଦୃଷ୍ଟିରୁ ଦେଖିବାକୁ ଗଲେ ଇସ୍ରାଏଲରେ ପାଣିର ଅଭାବ ଥିବା ପରେ ମଧ୍ୟ ସେମାନେ ଉନ୍ନତମାନର ଚାଷ କରି ଦୁନିଆ ପାଇଁ ଗୋଟେ ମଡେଲ୍ ତିଆରି କରିପାରିଛି । ଓଡିଶାରେ ନଅଙ୍କ ଦୁର୍ଭିକ୍ଷ ହେବା ପରେ ମଧ୍ୟ ରାଜ୍ୟରେ ଅଧିକ ଯେତେ ପ୍ରଗତି କରିବା କଥା କାହିଁକି ହୋଇନାହିଁ । ଏ ପ୍ରସଙ୍ଗରେ ମଧ୍ୟ ବିତର୍କ କରାଯିବା ଦରକାର । ଆଗାମୀ ଦିନରେ ବିଶ୍ୱ କେଉଁ ମୂଲ୍ୟବୋଧକୁ ନେଇ ଆଗକୁ ଯିବାପାଇଁ ଯାଉଛି । ଆଗାମୀ ଦିନରେ ଭାରତ କ’ଣ ହେବ, ଭାରତରେ ଓଡ଼ିଶା କେଉଁଠି ରହିବ, ଲୋକମାନେ ରହିବେ ତାହାକୁ ଭାବିବାର ଆବଶ୍ୟକତା ରହିଛି ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ସାଂପ୍ରତିକ ସମୟରେ ଖବରକାଗଜ ଓ ବୈଦ୍ୟୁତିକ ଗଣମାଧ୍ୟମ ପ୍ରତି ଓଡିଶାର ସାମାନ୍ୟ ଲୋକଙ୍କ ଆସ୍ଥା ଓ ଭରସା ରହିଛି । ସାଢେ ୪ କୋଟି ଓଡିଆ ଭାଷାଭାଷୀ ଲୋକଙ୍କର ଗଣମାଧ୍ୟମ ସମୂହ ପ୍ରତି ଆସ୍ଥାଭାଜନ ହୋଇପାରିଛି, ଯାହା ସମସ୍ତଙ୍କ ପାଇଁ ଉପଲବ୍ଧିର ବିଷୟ । ଓଡିଆ ଗଣମାଧ୍ୟମ ଓଡିଆ ଜାତିର ବୁଦ୍ଧିମତା ଓ ଆଗକୁ ଦେଖିବାର ଦୃଷ୍ଟିଭଙ୍ଗୀ ପରିପ୍ରକାଶର ଏକ ଅଙ୍ଗ ହେବ ଏହା ରାଜ୍ୟର ଗଣମାଧ୍ୟମ ଠାରୁ ଆଶା ଓ ଅପେକ୍ଷା କରିବା ସ୍ୱଭାବିକ । ନୂଆ ଓଡିଶା ନିର୍ମାଣରେ ଗଣମାଧ୍ୟମର ବଡ ଭୂମିକା ରହିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

Be the first to comment

Leave a Reply

Your email address will not be published.


*