ବିକାଶ ପରିଷଦର ଗ୍ରେଟ୍‌ ଯାଜପୁର କନେକସନ୍‌

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ସମସ୍ତେ ବାଉଳି ହଉଚନ୍ତି ଯେ, ଓଡ଼ିଶା ବିକାଶ ପରିଷଦ ଓଡ଼ିଶାର କି ବିକାଶ କରିଚି? ସବୁ ବିକାଶ ତ ମୁଖିଆ କରିଦେଇଚନ୍ତି । ଆଉ କ’ଣ କିଛି କରିବାକୁ ବାକି ଅଛି ଯେ ଏମିତି ପରିଷଦଟିଏ ଗଢିଚନ୍ତି ପାଢୀ ବାବୁ! ଇଏ ପାଢୀ ବାବୁ ବିକାଶ ଅପେକ୍ଷା ଧର୍ମ ଫର୍ମରେ ବେଶୀ ମନ ଦେଇଚନ୍ତି । ୟା’ଙ୍କୁ କରୋନା ଭୟ ବେଶୀ ଘାରିଚି ।
ଏହି ବାବୁ ଓ ତାଙ୍କ ସଂଗଠନ ଏବେ ଚର୍ଚ୍ଚାରେ । ଘର ଓ କାର୍‌ ଉପରକୁ ଟେକା ଓ ଅନ୍ଦାମାଡ଼ ପରେ ପାଢୀ ବାବୁଙ୍କ ସୁରକ୍ଷା ପାଇଁ ସରକାର ଅଣ୍ଟା ଭିଡିଚନ୍ତି । ତାଙ୍କ ଅବସ୍ଥା ଦେଖି ମୋ ସରକାର ବି ତାଙ୍କ ଘର ଚାରିପଟେ ବନ୍ଧବାଡ଼ ସବୁ ରାତାରାତି ତିଆରି କରିପକେଇଲେ । ଏତେ କ୍ଷମତା, ଅହଂକାର ଓ ଗର୍ବ ଥାଉଁଥାଉଁ ଏତେ ଭୟ କାହିିଁକି ଯେ?
ରଥଯାତ୍ରା ବନ୍ଦ କରିବାକୁ ବିକାଶ ପରିଷଦ ଏକାଥରକେ ଧାଇଁଗଲା ସୁପି୍ରମକୋର୍ଟ । ୟା’ଙ୍କୁ ହାଇକୋର୍ଟ ଦେଖାଗଲାନି । ସବୁଠୁ ବଡ଼ ଅଦାଲତ କହିଲେ ଯାଓ ହାଇକୋର୍ଟକୁ । ବାବୁ ଫେରିଲେ ହାଇକୋର୍ଟକୁ । ହାଇକୋର୍ଟ ରଥଯାତ୍ରା କରିବା ନିଷ୍ପତ୍ତି ନବୀନ ସରକାରଙ୍କ ଉପରେ ଛାଡିଦେଲେ । ଏଥିରେ ସରକାର ଗଲେ ଘାବରେଇ । ଆଗରୁ ଥରେ ରଥ ନିର୍ମାଣ ହବ କି ନାହିଁ, ସେ ନେଇ ବାବୁ ନବୀନ ବଲ୍‌ ଗଡେଇ ଦେଇଥିଲେ ମୋଦୀଙ୍କ କୋର୍ଟକୁ । ସେ ତହୁଁ ଚାଲାକ୍‌ । ସଙ୍ଗେ ସଙ୍ଗେ ବଲ୍‌ ଫେରସ୍ତ କରିଦେଲେ ମୁଖିଆଙ୍କ ପାଖକୁ । ଯିବେ କୁଆଡ଼େ ମୁଖିଆ? ରଥ ତିଆରି ଚାଲିଲା ।
ରଥଯାତ୍ରା ପାଇଁ ହାଇକୋର୍ଟ ମୁଖିଆଙ୍କ କୋର୍ଟକୁ ବଲ୍‌ ଗଡ଼େଇ ଦବା ପରେ ରାଜ୍ୟର ବିକାଶ ଠପ୍‌ ହେଇଯିବ ବୋଲି ଭାବି ଓଡ଼ିଶା ବିକାଶ ପରିଷଦ ପୁଣି ହାଇକୋର୍ଟଙ୍କ ରାୟଙ୍କୁ ଚ୍ୟାଲେଞ୍ଜ କଲା ସୁପି୍ରମକୋର୍ଟରେ । ମୁଖିଆ ଓ ତାଙ୍କ ଅଫିସର ଟିମ୍‌ ଚାହୁଁଥିଲେ ଯେମିତି ହଉ ଅଟକି ଯାଉ ରଥଯାତ୍ରା । ମଳୁ ଓ ବଇଦ ଏକ୍‌ ହେଲା ପରି ପରିଷଦ ସୁପି୍ରମକୋର୍ଟରେ ଯଉଁ ପିଟିସନ୍‌ ଦେଇଥିଲେ ତାକୁ ସପୋର୍ଟ କଲେ ମୁଖିଆ । ଜଣାପଡିଗଲା ଯେ ଓଡ଼ିଶା ବିକାଶ ପରିଷଦ ଚାହେଁ ଯାହା ମୋ ସରକାର ଚାହାଁନ୍ତି ତାହା । ନହେଲେ ବାଦୀ ଓ ପ୍ରତିବାଦୀ କଉଁଠି ଏକା ସ୍ୱରରେ କଥା ହବା କେହି ଦେଖିଚନ୍ତି କି?
ଓଡ଼ିଶା ବିକାଶ ପରିଷଦ ପ୍ରତି ଏତେ ଦରଦ କାହିଁକି ମୁଖିଆଙ୍କର? ବୁଝୁ ବୁଝୁ ଜଣାପଡିଲା ଯେ, କନେକସନ୍‌ ରହିଚି ଯାଜପୁରରେ । ପାଢୀ ବାବୁଙ୍କ ଘର ଦଶରଥପୁର ବ୍ଲକ୍‌ର ଚମେଇପାଳ ପଞ୍ଚାୟତର ବାଲିଗନ୍ଦାରେ । ଏଇ ଇଲାକାର ପି୍ରନ୍ସ ହଉଚନ୍ତି ବବି ବାବୁ । ଏବେ ତ ବବି ବାବୁ ଭାବନ୍ତି ଯାହା, ମୁଖିଆ କୁଆଡ଼େ କରନ୍ତି ତାହା! ଯାଜପୁର କନେକସନ୍‌ ପାଇଁ ବାବୁଙ୍କର ଓଡ଼ିଶା ବିକାଶ ପାଇଁ ଏତେ ଚିନ୍ତା? ନିହାତି ଭାବିବାର କଥା ।
ଓଡ଼ିଶା ବିକାଶ ପରିଷଦ ଚାହୁଁଥିଲା ଯାହା,ମୁଖିଆଙ୍କ ସରକାର ବି ଚାହୁଁଥିଲା ତାହା । ଏବେ କନେକସନ୍‌ ଆଉ ବୁଝେଇବାକୁ ପଡିବ କି? ମୁକୁଲ ରୋହତ୍‌ଗୀଙ୍କ ପରି ବଡ଼ ଓକିଲ ବିକାଶ ପରିଷଦ ପାଇଁ ଠିଆ ହବା ପଛରେ ଆଉ କାହା ହାତ, ସାରା ଓଡ଼ିଶାବାସୀ ବୁଝିସାରିଲେଣି । ଏଇ ଓକିଲ ବାବୁ ଖଣି ଦୁର୍ନୀତି ମାମଲାରେ ମୁଖିଆ ସରକାରଙ୍କ ପାଇଁ ହାଇକୋର୍ଟରେ ଠିଆ ହେଇଥିଲେ । ତାଙ୍କ ପାଉଣା ବାବଦକୁ ୨୫ ଲକ୍ଷ ଦେଇଥିଲା ଖଣି ନିଗମ । ଚର୍ଚ୍ଚା ହେଲାଣି ଯେ, ଏହି ସଂସ୍ଥାର ବାର୍ଷିକ ଆୟ ୫ଲକ୍ଷ । ଏଭଳି ସଂସ୍ଥା ୨୫ଲକ୍ଷିଆ ଓକିଲଙ୍କୁ କେମିତି ନିଯୁକ୍ତ କଲେ ? ଏବେ ବୁଝିପାରୁଚନ୍ତି ତ ଗ୍ରେଟ୍‌ ଯାଜପୁର କନେକସନ୍‌ର ଭୂମିକା କ’ଣ? ଏହି ପରିଷଦ ୨୦୧୬ରେ ମହାନଦୀ ଜଳ ବିବାଦରେ ହାଇକୋର୍ଟକୁ ବି ଯାଇଥିଲା । ସେତେବେଳେ ବି ସରକାରଙ୍କ ପାଇଁ କାମ କରିଥିଲା । ଅବଶ୍ୟ ଶୁଣାଣୀ ବେଳେ ଆଉ ପାଢୀ ଫାଢୀଙ୍କର ଦେଖା ଦର୍ଶନ ନଥିଲା । ଏବକୁ ରଥ ପାଇଁ ବାହାରିଥିଲେ । ଏବେ ଜଣାପଡୁଚି ଯେ, ଆମ ମୁଖିଆଙ୍କ ପରି ଯାଜପୁର ପି୍ରନ୍ସ ବି ଭାରି ରଥ ଓ ଜଗନ୍ନାଥ ବିରୋଧୀ । କାଳିଆ ମହାପ୍ରଭୁ ସେମାନଙ୍କୁ ସଦ୍‌ବୁଦ୍ଧି ଦିଅନ୍ତୁ!

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*