ବସ୍‌ରେ ବୁଲିଲେ କେଜ୍ରି: ଲୋକଙ୍କଠୁ ନେଲେ ମତ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ନୂଆଦିଲ୍ଲୀ

ଦିଲ୍ଲୀ ବିଧାନସଭା ନିର୍ବାଚନ ଆଉ ବେଶି ଦୂର ନାହିଁ । ତେଣୁ ରାଜନୈତିକ ଦଳ ଏବେ ଯାହାସବୁ କରୁଛନ୍ତି ସେସବୁ ସେହି ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି କରାଯାଉଛି । ଦିଲ୍ଲୀ ସରକାର ମଧ୍ୟ ଲୋକଙ୍କୁ ଆକର୍ଷିତ କଲାଭଳି ଏକାଧିକ ଯୋଜନା ଲାଗୁ କରିବା ଆରମ୍ଭ କରିଛନ୍ତି । ମହିଳାମାନଙ୍କ ପାଇଁ ଦିଲ୍ଲୀରେ ବସ୍‌ ଯାତ୍ରା ମାଗଣା କରିଛନ୍ତି କେଜ୍ରି ସରକାର । ମହିଳା ଭୋଟରଙ୍କୁ ଆକୃଷ୍ଠ କରିବା ଲାଗି ଏହା ଏକ ନିର୍ବାଚନୀ ଚାଲ୍‌ ବୋଲି ବିରୋଧୀମାନେ କହୁଥିଲେ ମଧ୍ୟ ସାଧାରଣ ଲୋକେ କିନ୍ତୁ ଖୁବ୍‌ ପସନ୍ଦ କରୁଛନ୍ତି ଦିଲ୍ଲୀ ସରକାରଙ୍କ ଏହି ଯୋଜନାକୁ । ବୁଧବାର ଦିନ ବସ୍‌ଯାତ୍ରୀ ଚକିତ ହୋଇଥିଲେ କାରଣ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବସ୍‌ଯାତ୍ରା କରି ଏହି ଯୋଜନା ବାବଦରେ ଲୋକଙ୍କ ଠାରୁ ଗ୍ରହଣ କରିଥିଲେ ମତାମତ । ସରକାରଙ୍କ ମାଗଣା ମହିଳା ଯାତ୍ରୀ ଯାତାୟତ ବ୍ୟବସ୍ଥା କିପରି କାର୍ଯ୍ୟକାରୀ ହେଉଛି ତାହାର ପ୍ରତ୍ୟେକ୍ଷ ଅନୁଭୂତି ପାଇଁ କେଜି୍ର ବସ୍‌ରେ ସାଧାରଣ ଲୋକଙ୍କ ଭଳି ଯାତ୍ରା କରିଥିଲେ । କୌଣସି ସିଟ୍‌ ନବସି ଅନ୍ୟ ସାଧାରଣ ଲୋକଙ୍କ ଭଳି ମଝିରେ ଛିଡା ହୋଇ ଯାତ୍ରା କରିଥିଲେ ମୁଖ୍ୟମନ୍ତ୍ରୀ । ମଙ୍ଗଳବାର ଠାରୁ ଏହି ବ୍ୟବସ୍ଥା ଆରମ୍ଭ ହୋଇଛି । ପ୍ରଥମ ଦିନ ୪.୭୭ଲକ୍ଷ ମହିଳା ଏହି ମାଗଣା ଯାତ୍ରା ବ୍ୟବସ୍ଥାର ଫାଇଦା ଉଠାଇଥିବା ସରକାରୀ ଭାବେ କୁହାଯାଇଛି । କାରଣ ସେମାନେ ଗୋଲାପୀ ଟିକେଟ ଗ୍ରହଣ କରିଛନ୍ତି । ଯୋଜନା ପ୍ରଚଳନର ଦ୍ୱିତୀୟ ଦିନରେ ବ୍ୟବସ୍ଥା ଅନୁଧ୍ୟାନ କରିବା ଲାଗି କେଜ୍ରି ଏକାଧିକ ବସ୍‌ରେ ସହର ବୁଲିବା ସାଙ୍ଗକୁ ଲୋକମାନଙ୍କ ସହ କଥା ହୋଇଥିଲେ । ସିଧାସଳଖ ମହିଳା ମାନଙ୍କ ପାଖରୁ ଫିଡ୍‌ ବ୍ୟାକ୍‌ ନେବାପାଇଁ ମୁଁ ଏକାଧିକ ବସ୍‌ରେ ଯାତ୍ରା କରିଛି ।
ଛାତ୍ରୀ, କର୍ମଜୀବୀ ମହିଳା ତଥା କିଣାକିଣି କରିବାକୁ ଯାଉଥିବା ଗୃହିଣୀମାନଙ୍କ ବ୍ୟତିତ ଏପରି ବହୁ ମହିଳା ଦେଖିଲି ଯେଉଁମାନେ ଏହି ମାଗଣା ଯାତ୍ରା ବ୍ୟବସ୍ଥାର ଫାଇଦା ଉଠାଇ ଡାକ୍ତରଙ୍କ ପାଖକୁ ଦେହ ଦେଖାଇବାକୁ ଯାଉଥିଲେ । ଏଥିସହ ସେ ମଧ୍ୟ ଅନୁଧ୍ୟାନ କରିଥିଲେ ବସ୍‌ ମାର୍ଶାଲ ବ୍ୟବସ୍ଥା । ମହିଳା ଯାତ୍ରୀଙ୍କ ସୁରକ୍ଷା ସକାଶେ ଆପ୍‌ ସରକାର ରାଜଧାନୀ ଅଞ୍ଚଳରେ ଚଳାଚଳ କରୁଥିବା ବସ୍‌ଗୁଡିକରେ ମାର୍ଶାଲ ବ୍ୟବସ୍ଥା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଏହି ବ୍ୟବସ୍ଥା ଲାଗୁ କରାଯିବା ପରେ ମହିଳାମାନେ ସୁରକ୍ଷିତ ମଣୁଛନ୍ତି ତଥା କମେଣ୍ଟ ମାରୁଥିବା ଲୋକେ ଡରିଯାଇଛନ୍ତି । ଏହି ମାର୍ଶାଲ ବ୍ୟବସ୍ଥାକୁ ସାଧାରଣ ଲୋକେ ଖୁବ୍‌ ପସନ୍ଦ କରିଛନ୍ତି ବୋଲି ଆଜିର ମତାମତ ଗ୍ରହଣରୁ ଜାଣିପାରିଲି ବୋଲି କହିଥିଲେ କେଜ୍ରି । ବର୍ତ୍ତମାନ ୫,୬୦୦ଡିଟିସି ବସ୍‌ ତଥା ଅନ୍ୟ ଘରୋଇ କ୍ଳଷ୍ଟର ବସ୍‌ରେ ମହିଳାମାନେ ମାଗଣା ଯାତ୍ରା କରିପାରିବେ କେବଳ ଏକ ୧୦ଟଙ୍କିଆ ଗୋଲାପି ଟିକେଟ କିଣି । ବାକି ଅର୍ଥ ପ୍ରଦାନ କରିବେ ସରକାର । ଏଥିପାଇଁ ୧୪୦କୋଟି ଟଙ୍କା କେଜ୍ରି ସରକାର ବ୍ୟବସ୍ଥା କରିଛନ୍ତି । ଏହି ବ୍ୟବସ୍ଥା ପ୍ରଚଳନର ପ୍ରଥମ ଦିନ ୧୩.୬୫ଲକ୍ଷ ମହିଳା ଯାତ୍ରୀ ଅର୍ଥାତ୍‌ ଯାତ୍ରୀଙ୍କ ଭିତରେ ୩୪.୯୪ ପ୍ରତିଶତ ମହିଳା ଏହାର ଫାଇଦା ଉଠାଇଥିଲେ । ବୁଧବାର କେଜ୍ରିୱାଲ ବସ୍‌ରେ ଯାତ୍ରା କରୁଥିଲା ବେଳେ ବହୁ ଲୋକ ତାଙ୍କ ସହ କଥା ହେବା ସାଙ୍ଗକୁ ସେଲଫି ନେଉଥିବା ଦେଖିବାକୁ ମିଳିଥିଲା । ଭାଇଦୁଜ୍‌ ଅବସରରେ କେଜ୍ରି ସରକାର ଆରମ୍ଭ କରିଥିବା ମହିଳାଙ୍କ ଲାଗି ଏହି ମାଗଣା ବସ୍‌ ବ୍ୟବସ୍ଥା ସୁପରହିଟ୍‌ ରହିଥିବା ପ୍ରଥମ ଦୁଇଦିନରୁ ଜଣାପଡିସାରିଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*