ଦୁର୍ନୀତିଗ୍ରସ୍ତଙ୍କ ସୁରକ୍ଷା ଲାଗି ବଦଳିଲା ଲୋକାୟୁକ୍ତ ଆଇନ୍‌

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଭୁବନେଶ୍ୱର

ରାଜ୍ୟ ସରକାର ଦୁର୍ନୀତିରେ ଯୋଡ଼ିତ ରହୁଥିବା ସରକାରୀ ଓ ଦଳୀୟ ରାଜନେତାଙ୍କୁ ସୁରକ୍ଷା ଦେବା ପାଇଁ ଲୋକାୟୁକ୍ତ ଆଇନ୍‌ରେ ସଂଶୋଧନ କରିଛନ୍ତି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରେ ପ୍ରଚଳିତ ଲୋକାୟୁକ୍ତ ଆଇନ୍‌ରେ ସଂଶୋଧନ କରାଯାଇ ଅଭିଯୁକ୍ତମାନଙ୍କୁ ଘଣ୍ଟ ଘୋଡାଇବା ପାଇଁ ପ୍ରୟାସ କରାଯାଇଥିବାର ବିରୋଧୀ ଭାଜପା ଓ କଂଗ୍ରେସ ଶୁକ୍ରବାର ଦିନ ଗୁରୁତର ଅଭିଯୋଗ ଆଣିଛନ୍ତି । ସାଧାରଣ ପ୍ରଶାସନ ବିଭାଗର ପ୍ରକାଶିତ ବିଜ୍ଞପ୍ତିରେ ହୋଇଥିବା ସଂଶୋଧନ ଅନୁଯାୟୀ ଏଣିକି କୌଣସି ସରକାରୀ ଅଧିକାରୀଙ୍କ ନାମରେ ଅଭିଯୋଗ ଆଣିବାକୁ ହେଲେ ଏଥିପାଇଁ ନୂଆ ନିୟମ ମଧ୍ୟରେ ଅଭିଯୋଗ କରିବାକୁ ପଡ଼ିବ ବୋଲି ଏଥିରେ ଦର୍ଶାଯାଇଛି । ଏଭଳି ପଦକ୍ଷେପକୁ ବିରୋଧୀ ଦଳ ନିନ୍ଦା କରିବା ସହ ଲୋକାୟୁକ୍ତଙ୍କ କ୍ଷମତା ସଙ୍କୁଚିତ କରିବାକୁ ଅପଚେଷ୍ଟା କରାଯାଇଛି ବୋଲି ଅଭିଯୋଗ କରାଯାଇଛି ।
ସୂଚନା ଅନୁଯାୟୀ ଲୋକାୟୁକ୍ତଙ୍କ ନିକଟରେ ଏଣିକି ଅଭିଯୋଗ ହେଲା ବେଳେ ନିର୍ଦ୍ଦିଷ୍ଟ ନିୟମ ମଧ୍ୟରେ ଅଭିଯୋଗକାରୀମାନେ ସେମାନଙ୍କର ଆପତ୍ତି ଉଠାଇ ପାରିବେ । ନିକଟରେ ମାସ୍କ ଓ ଭେଣ୍ଟିଲେଟର କିଣା କାରବାରରେ ଦୁର୍ନୀତି ହୋଇଥିବାର ବିରୋଧୀ ଦଳଗୁଡ଼ିକ ଅଭିଯୋଗ ଆଣି ଲୋକାୟୁକ୍ତଙ୍କ ଦ୍ୱାରସ୍ତ ହୋଇଥିଲେ । କୋଭିଡ୍‌ ସାମଗ୍ରୀ କିଣା କମିଟିର ଅଧ୍ୟକ୍ଷ ହେମନ୍ତ ଶର୍ମା ଓ ଯାମିନୀ ଷଡଙ୍ଗୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣି ଏହାର ତଦନ୍ତ ପାଇଁ କଂଗ୍ରେସ ସହିତ ସାମାଜିକ ସଂଗଠନଗୁଡ଼ିକ ପିଟିସନ୍‌ ଦାଖଲ କରିଥିଲେ । ଏହି ପିଟିସନ୍‌ ଆଧାରରେ ଲୋକାୟୁକ୍ତଙ୍କ ନିକଟରେ ହେମନ୍ତ ଶର୍ମା ଓ ଯାମିନୀ ଷଡଙ୍ଗୀ ହାଜର ହୋଇ ନିଜର ପକ୍ଷ ରଖିଥିଲେ । ଯାହାକୁ ନେଇ ସରକାରଙ୍କ ଭାବମୂର୍ତ୍ତୀ ମଳିନ ହେବା ସହ ଦୁର୍ନୀତିର ଗନ୍ଧ ପଦାରେ ପଡ଼ିଥିଲା ।

କୋଭିଡ୍‌ ସାମଗ୍ରୀ କିଣାରେ କୋଟି କୋଟି ଟଙ୍କା ଆତ୍ମସାତ କରାଯାଇଥିବାର ବିଭିନ୍ନ ତଥ୍ୟ ଓ ପ୍ରମାଣକୁ ନେଇ ବିରୋଧୀ ଦଳ ଲୋକାୟୁକ୍ତଙ୍କ ପାଖରେ ଫେରାଦ ହେବା ପରେ ସରକାର ସାଧାରଣରେ ସମାଲୋଚିତ ହୋଇଥିଲେ । ସରକାରଙ୍କ ଉପରେ ଏଭଳି ଅଭିଯୋଗ ଆସିବା ପରେ ଏଥିରୁ ବଞ୍ଚିବା ପାଇଁ ନୂଆ ଗଳାବାଟ ବାହାର କରି ସରକାର ବିଜ୍ଞପ୍ତି ଜାରି କରିଛନ୍ତି । ବିଜ୍ଞପ୍ତି ଅନୁଯାୟୀ ଲୋକାୟୁକ୍ତରେ କୌଣସି ଦୁର୍ନୀତି ଅଭିଯୋଗ ଆଣୁଥିବା ବ୍ୟକ୍ତି କିମ୍ବା ସଂଗଠନ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟରେ ଅଭିଯୋଗ କରିବାକୁ ପଡ଼ିବ । ଅଭିଯୋଗ ଦାଖଲକାରୀ ସତ୍ୟପାଠ ଓ ପରିଚୟ ପତ୍ର ସହିତ ନିଜର ଅଭିଯୋଗ ଦାଖଲ କରିପାରିବେ । ରାଜନୈତିକ ଦଳ କିମ୍ବା ସଂଗଠନ ହୋଇଥିଲେ ଅନୁଷ୍ଠାନର ପଞ୍ଜିକରଣ ପ୍ରମାଣପତ୍ର ସହ ଅଭିଯୋଗ ଦାଖଲ କରିବାକୁ ପଡ଼ିବ ବୋଲି ଏହି ବିଜ୍ଞପ୍ତିରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି ।
ସାଧାରଣ ପ୍ରଶାସନ ବିଭାଗର ବିଜ୍ଞପ୍ତି ଅନୁସାରେ ଦାଖଲ ହେଉଥିବା ଅଭିଯୋଗରେ ସତ୍ୟତା ରହିଛି କି ନା ତାହାକୁ ଲୋକାୟୁକ୍ତଙ୍କ ଏକ ବେଞ୍ଚ ପରୀକ୍ଷାନିରୀକ୍ଷା କରିବା ପରେ ଆବେଦନକୁ ଗ୍ରହଣ କରିବାକୁ ବ୍ୟବସ୍ଥା ରଖାଯାଇଛି । ଅଭିଯୋଗ ଦାଖଲ ହେବାର ୪୫ ଦିନ ମଧ୍ୟରେ ଏସମ୍ପର୍କରେ ଲୋକାୟୁକ୍ତଙ୍କ ପକ୍ଷରୁ ଅଭିଯୋଗକାରୀଙ୍କୁ ନୋଟିସ୍‌ ପଠାଇବାର ବ୍ୟବସ୍ଥା ରହିଛି । ସଂଶୋଧିତ ବ୍ୟବସ୍ଥା ଅନୁସାରେ ଅଭିଯୋଗ ଅସ୍ପଷ୍ଟ କିମ୍ବା ନିର୍ଭରଯୋଗ୍ୟ ତଥ୍ୟ ପ୍ରମାଣ ନଥିଲେ ଏହାକୁ ଲୋକାୟୁକ୍ତ ଡିସମିସ୍‌ କରିବାର କ୍ଷମତା ଦିଆଯାଇଥିବା ଏହି ବିଜ୍ଞପ୍ତିରେ ଦର୍ଶାଯାଇଛି । ମାସ୍କ ଦୁର୍ନୀତି ଅଭିଯୋଗରେ ସରକାରୀ ଅଧିକାରୀମାନେ ନିଜ ମୁହଁରେ ଦୁର୍ନୀତିରେ ସୂଚନା ଦେବାରୁ ଏହାକୁ ନେଇ ବିରୋଧୀ ଦଳଗୁଡ଼ିକ ବିଭିନ୍ନ ଫୋରମ୍‌ରେ ଏହାର ଅନୁସନ୍ଧାନ ସହ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ହଠାତ୍‌ ସରକାର ଏହି ଅଭିଯୋଗ ପରେ ଲୋକାୟୁକ୍ତ ଆଇନ୍‌ରେ ସଂଶୋଧନ କରିଥିବାରୁ ବିରୋଧୀ ଭାଜପା ଓ କଂଗ୍ରେସ ଏହାକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ।
ଭାଜପା ପକ୍ଷରୁ ଏଭଳି ସଂଶୋଧନକୁ ଦୃଢ ବିରୋଧ କରାଯାଇଛି । ଦଳର ସାଧାରଣ ସଂପାଦକ ପୃଥୀରାଜ ହରିଚନ୍ଦନ ପ୍ରତିକ୍ରିୟା ଦେଇ କହିଛନ୍ତି, ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଘଣ୍ଟ ଘୋଡାଇ ସରକାର ନିଜର ନିର୍ମଳ ଭାବମୂର୍ତ୍ତି ରକ୍ଷା କରିବା ପାଇଁ ଅପଚେଷ୍ଠା କରିଛନ୍ତି । ଏହାଦ୍ୱାରା ଦୁର୍ନୀତିଗ୍ରସ୍ତ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନର ରାସ୍ତାକୁ ବନ୍ଦ କରାଯାଇଛି ବୋଲି ହରିଚନ୍ଦନ ଅଭିଯୋଗ କରିଛନ୍ତି । ଏପଟେ ପିସିସି ଉପସଭାପତି ପଞ୍ଚାନନ କାନୁନଗୋ ଏଭଳି ସଂଶୋଧନକୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ଲୋକାୟୁକ୍ତଙ୍କ କ୍ଷମତା ସଙ୍କୁଚିତ ପାଇଁ ପ୍ରୟାସ କରାଯାଇଛି ବୋଲି ପାଲଟା ଅଭିଯୋଗ ଆଣିଛନ୍ତି । ନୂଆ ନିୟମରେ ଦାଖଲ ହେଉଥିବା ଅଭିଯୋଗରେ ଯୋଡ଼ିତ ଅଭିଯୁକ୍ତଙ୍କ ନାମ ଗୋପନ ରଖାଯିବା ପ୍ରସ୍ତାବକୁ ପଞ୍ଚାନନ ଦୃଢ ବିରୋଧ କରିଛନ୍ତି । ବିଭିନ୍ନ ଦୁର୍ନୀତି ଅଭିଯୋଗରେ ସଂପୂକ୍ତ ସରକାରୀ ବାବୁଙ୍କ ବିରୋଧରେ ବିଭିନ୍ନ ଫୋରମ୍‌ରେ ଅଭିଯୋଗ ହେଉଥିବା ବେଳେ ସେମାନଙ୍କର ନାମ ପ୍ରକାଶ ପାଉଛି । ଲୋକାୟୁକ୍ତଙ୍କ କ୍ଷେତ୍ରରେ ଏଭଳି ବ୍ୟବସ୍ଥାକୁ ଉଚ୍ଛେଦ କରାଯିବା ପଛରେ ସରକାରଙ୍କ ମନ୍ଦ ଉଦେ୍ଦଶ୍ୟ ରହିଛି ବୋଲି କାନୁନଗୋ ଅଭିଯୋଗ କରିଛନ୍ତି । ବିରୋଧୀଙ୍କ ଏହି ଅଭିଯୋଗକୁ ଖନ୍ଦନ କରି ବିଜଦ ବିଧାୟକ ଅମର ପ୍ରସାଦ ଶତପଥି ଏଭଳି ସଂଶୋଧନ ଦ୍ୱାରା କୌଣସି ତ୍ରୁଟି ହେଉନାହିଁ ବୋଲି ଯୁକ୍ତି ରଖିଛନ୍ତି । ଲୋକାୟୁକ୍ତରେ ହେଉଥିବା ଅଭିଯୋଗ ମଧ୍ୟରେ ସରକାରୀ ଅଧିକାରୀଙ୍କ ସହିତ ରାଜନେତାମାନଙ୍କ ସମ୍ପର୍କରେ ଅଭିଯୋଗ ଆସିପାରିବ । ଏଥିରେ ସରକାର ଆଇନ୍‌ର ଉଲ୍ଲଘଂନ କିମ୍ବା ଲୋକାୟୁକ୍ତଙ୍କ କ୍ଷମତାକୁ ସଙ୍କୁଚିତ କଲାଭଳି କୌଣସି ବ୍ୟବସ୍ଥା ନାହିଁ ବୋଲି ବିଜଦ ପକ୍ଷରୁ ଯୁକ୍ତି ଦର୍ଶାଯାଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*