ଦୁଇ ମହିଳାଙ୍କ ପାଇଁ ଅପଦସ୍ତ ପର୍ଯ୍ୟଟନ ମନ୍ତ୍ରୀ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ଜଣେ ମନ୍ତ୍ରୀଙ୍କର ବାନ୍ଧବୀ ପ୍ରୀତି ପାଇଁ ବଡ ଅପଦସ୍ତ ହୋଇଛନ୍ତି ନବୀନ ସରକାର । ଖୋଦ୍‌ ମନ୍ତ୍ରୀ ତ ଅପଦସ୍ତ ହୋଇଛନ୍ତି । ତାଙ୍କୁ ମନ୍ତ୍ରିମନ୍ଦଳରୁ ବିଦା କରିବା ପାଇଁ ଦାବି ଉଠିଛି ବିଧାନସଭାରେ । ମନ୍ତ୍ରୀ ଜଣଙ୍କ ସାମ୍ନାକୁ ନଆସି ପଛରୁ ଯେଉଁ ସ୍ପଷ୍ଟୀକରଣ ଦେଇଛନ୍ତି, ତାହା ମଧ୍ୟ ସନ୍ତୋଷଜନକ ନୁହେଁ । ଆହୁରି ଆଶ୍ଚର୍ଯ୍ୟର କଥା, ଏହି ପ୍ରେମୀ ମନ୍ତ୍ରୀଙ୍କୁ ସୁରକ୍ଷା ଦେବା ଲାଗି ଜଣିଏ ବି ହେଲେ ଶାସକ ଦଳର ବିଧାୟକ ବାହାରିପାରି ନାହାନ୍ତି ସାମ୍ନାକୁ ।
ମନ୍ତ୍ରୀ ଜଣଙ୍କ ହେଲେ ଜ୍ୟୋତିପ୍ରକାଶ ପାଣିଗ୍ରାହୀ । ବାଲେଶ୍ୱରର ସିମୁଳିଆ ଆସନରୁ ଜିଣିଥିବା ଜ୍ୟୋତି ପ୍ରଥମ ଥର ପାଇଁ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗର ମନ୍ତ୍ରୀ ହୋଇଛନ୍ତି । କିନ୍ତୁ ସେ ଜଣେ ଅତ୍ୟନ୍ତ ସଂସ୍କୃତି ସମ୍ପନ୍ନ, ତାହା ତାଙ୍କ ବାନ୍ଧବୀ ପ୍ରୀତିରୁ ସ୍ପଷ୍ଟ ହୋଇଯାଇଛି । ସେଥିଲାଗି ବଡ଼ ହଟହଟାରେ ପଡ଼ିଛନ୍ତି ଏହି ପ୍ରେମୀ ମନ୍ତ୍ରୀ ଜଣଙ୍କ ।
କେଉଁ ଗାଈ-ବାଛୁରୀଙ୍କୁ ନେଇ ହାଇଦ୍ରାବାଦ ଯାଇଥିଲେ ମନ୍ତ୍ରୀ ବୋଲି ବିରୋଧୀ ଦଳ ନେତାଙ୍କ ଟିପ୍ପଣୀ ତାଙ୍କ ଦେହକୁ ଲାଗିଥିବ କି ନାହିଁ ଜଣାନାହିଁ । ମାତ୍ର ଏହା ମୁଖ୍ୟମନ୍ତ୍ରୀଙ୍କୁ ବିବ୍ରତ କରିଛି ବୋଲି ମିଳିଥିବା ସୂତ୍ରରୁ ଜଣାପଡ଼ିଛି । ଅନେକ ମନ୍ତ୍ରୀ ଜ୍ୟୋତିଙ୍କୁ ବିଜୁ ଜନତା ଦଳର ସାରଥୀ ବାବା ବୋଲି ଆକ୍ଷେପ କରୁଛନ୍ତି ।
ବାବା ସାରଥୀ ହାଇଦ୍ରାବାଦ ହୋଟେଲ୍‌ରେ ଜଣେ ଯୁବତୀଙ୍କ ସହ ରାତି ବିତାଇବା ଘଟଣାକୁ ନେଇ ସାରା ଓଡ଼ିଶାରେ ପ୍ରବଳ ହଟଗୋଳ ହୋଇଥିଲା । ପରିଣତି ସ୍ୱରୂପ ବନ୍ଧା ବି ହେଲେ ଏବଂ ତାଙ୍କ ଆଶ୍ରମରେ ତାଲା ପଡ଼ିଲା । ଏହା ମନ୍ତ୍ରୀ ଜ୍ୟୋତିଙ୍କ କ୍ଷେତ୍ରରେ ଲାଗୁ ହେବ ନାହିଁ କାହିଁକି?
ଶୂନ୍ୟକାଳରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ମନ୍ତ୍ରୀଙ୍କ ହାଇଦ୍ରାବାଦ ଗସ୍ତରେ ଏହି ଦୁଇ ନାରୀ କିଏ ବୋଲି ପ୍ରଶ୍ନ କରିଥିଲେ ଏବଂ ତାଙ୍କର ଇସ୍ତଫା ଦାବି ମଧ୍ୟ ଉଠାଇଥିଲେ । କଂଗ୍ରେସ ତୁରନ୍ତ ଏହାକୁ ସମର୍ଥନ ଜଣାଇଥିଲା । ବୁଧବାର ଦିନ କଂଗ୍ରେସ ନେତା ସତ୍ୟନାୟକ ହିଁ ସାମ୍ବାଦିକ ସମ୍ମିଳନୀରେ ତଥ୍ୟ ପ୍ରମାଣ ଦେଇ ଦୁଇଜଣ ମହିଳାଙ୍କୁ ନେଇ ମନ୍ତ୍ରୀ ହାଇଦ୍ରାବାଦରେ ଆୟୋଜିତ ହୋଇଥିବା ଟୁରିଜିମ୍‌ ରୋଡ୍‌ ଶୋ’କୁ ଯାଇଥିଲେ ବୋଲି ଅଭିଯୋଗ କରିଥିଲେ । ମନ୍ତ୍ରୀଙ୍କ ଇସ୍ତଫା ଦାବି ଓ ତାଙ୍କ ନାରୀ ସଉକକୁ ନେଇ ପ୍ରବଳ ହଟଗୋଳ ଆରମ୍ଭ ହୋଇଥିଲା ବିଧାନସଭାରେ । ବାରମ୍ବାର ଗୃହ ରହିଥିଲା ମୁଲତବୀ । ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଚିଠି ଲେଖି କିଭଳି ଆର୍‌. ମହାପାତ୍ର ଓ ଏସ୍‌ଏସ୍‌ ମହାପାତ୍ର ନାମକ ଦୁଇଜଣ ମହିଳାଙ୍କୁ ସରକାରୀ ଆତିଥ୍ୟ ଦେବା ପାଇଁ ନିଦେ୍ର୍ଦଶ ଦେଲେ, ସେ ପ୍ରଶ୍ନ ପଚାରିଥିଲେ ବିରୋଧୀ ଦଳ ନେତା । ମନ୍ତ୍ରୀ କିଭଳି ସରକାରୀ ଖର୍ଚ୍ଚରେ ଦୁଇ ମହିଳାଙ୍କୁ ହାଇଦ୍ରାବାଦ ନେଲେ, ସେ ବାବଦରେ ମୁଖ୍ୟମନ୍ତ୍ରୀ ଅନୁଧ୍ୟାନ କରି କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ଦାବି କରିଥିଲେ ପ୍ରଦୀପ୍ତ ନାୟକ ।
କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ବିରୋଧୀ ଦଳ ନେତାଙ୍କ ଦାବି ସହ ସ୍ୱର ମିଳାଇଥିଲେ । ଗୃହରେ ଅଭିଯୋଗ ରଖି ସାଲୁଜା କହିଥିଲେ, ଜଣେ ସାରଥୀ ବାବା ଜଣେ ଡାକ୍ତରୀ ଛାତ୍ରୀଙ୍କୁ ହାଇଦ୍ରାବାଦ ନେଇ ଗିରଫ ହୋଇଥିଲେ । ମାନ୍ୟବର ମନ୍ତ୍ରୀ ଦୁଇ ଜଣ ମହିଳା ଯାହାକୁ ଲୋକେ ଗାଈ-ବାଛୁରୀ ବୋଲି କହୁଛନ୍ତି, ସେମାନେ କିଏ ତାହା ଗୃହ ଜାଣିବା ଉଚିତ । ସମ୍ପର୍କରେ ମା-ଝିଅ ଥିବା ଏହି ଦୁଇଜଣଙ୍କ ସହ ମନ୍ତ୍ରୀଙ୍କର କ’ଣ ସମ୍ପର୍କ ରହିଛି, ପର୍ଯ୍ୟଟନ ବିଭାଗ ରୋଡ ଶୋ’ରେ ଏମାନେ କାହିଁକି ଯାଇଥିଲେ, ମନ୍ତ୍ରୀ ଗୃହରେ ସ୍ପଷ୍ଟୀକରଣ ରଖନ୍ତୁ ବୋଲି ସେ ଦାବି କରିଥିଲେ । ମୁଖ୍ୟମନ୍ତ୍ରୀ ଏବେ ରାଜ୍ୟରେ ଫାଇଭ୍‌-ଟି ବ୍ୟବସ୍ଥା ଲାଗୁ କରିଛନ୍ତି । ଏହି ଘଟଣା ଫାଇଭ୍‌-ଟି ଅଧୀନକୁ ଆସୁଥିବାରୁ ଏହା ଉପରେ ଗୃହରେ ବିବୃତ୍ତି ରଖିବା ପାଇଁ ବାଚସ୍ପତିଙ୍କ ଠାରୁ ରୁଲିଂ ଦାବି କରିଥିଲେ । ବାଚସ୍ପତି ଏହି ପ୍ରସଙ୍ଗରେ କୌଣସି ରୁଲିଂ ନଦେବାରୁ କଂଗ୍ରେସ ବିଧାୟକମାନେ ଗୃହରେ ହଟଗୋଳ କରିଥିଲେ ।
ବିଧାୟକ ସୁର ରାଉତରାଏ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରି ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ । ବାଚସ୍ପତି ଏହି ପ୍ରସଙ୍ଗରେ କୌଣସି ନିଦେ୍ର୍ଦଶ ନଦେବାରୁ କଂଗ୍ରେସ ବିଧାୟକମାନେ ଗୃହର ମଧ୍ୟଭାଗକୁ ଚାଲି ଆସିଥିଲେ । ମନ୍ତ୍ରୀଙ୍କ ଇସ୍ତଫା ଦାବି ସହ ହାଇଦ୍ରାବାଦ ଯାଇଥିବା ଗାଈ-ବାଛୁରୀ କିଏ ବୋଲି ନାରା ଦେଇ ପ୍ରବଳ ହଟଗୋଳ କରିଥିଲେ । ଗୃହର ଅଚଳାବସ୍ଥାକୁ ଦେଖି ବାଚସ୍ପତି ପ୍ରଥମେ ଅଧଘଣ୍ଟା ଓ ପରେପରେ ଦୁଇଥରରେ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଗୃହ ମୁଲତବୀ କରିଥିଲେ । ପୁନର୍ବାର ଗୃହ ଆରମ୍ଭ ହେବା ମାତ୍ରେ କଂଗ୍ରେସ ବିଧାୟକମାନେ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଜିଦ୍‌ ଧରି ଗୃହ ମଧ୍ୟରେ ହଟଗୋଳ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*