ଟୋକିଓରେ ଗୋଲଡେନ୍‌ ଡବଲ ହାସଲ କରି ଶେଷ କରିବି ଅଲିମ୍ପିକ୍‌ ଜୀବନ: ବ୍ଲେକ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ମୁମ୍ବାଇର ଟ୍ରାଇଡେଣ୍ଟ ହୋଟେଲରୁ
ସମ୍ବିତ ମହାପାତ୍ର

ଦୁଇ ଥରର ଅଲିମ୍ପିକ୍‌ ସ୍ୱର୍ଣ୍ଣ ପଦକ ବିଜେତା ଜାମାଇକାର ବିଖ୍ୟାତ ଧାବକ ୟହୋନ୍‌ ବ୍ଲେକ୍‌ ଏବେ ସମ୍ପୂର୍ଣ୍ଣ ଭାବରେ ଅଲିମ୍ପିକ୍‌ ମୁଡ୍‌ରେ ଅଛନ୍ତି । ପରବର୍ତ୍ତି ଅଲିମ୍ପିକ୍‌ ଆରମ୍ଭ ହେବାକୁ ଆହୁରି ୮ ମାସ ସମୟ ଥିଲେ ମଧ୍ୟ ବ୍ଲେକ୍‌ଙ୍କ ପ୍ରସ୍ତୁତି କିନ୍ତୁ ଫାଇନାଲ ପର୍ଯ୍ୟାୟରେ ରହିଛି । ୪ଟି ଅଲିମ୍ପିକ୍‌ ମେଡାଲ ହାସଲ କରିବା ସାଙ୍ଗକୁ ସବୁଠାରୁ ଯୁବା ୧୦୦ ମିଟର ବିଶ୍ୱ ଚମ୍ପିଆନ୍‌ ହେବାର ଗୌରବ ଅର୍ଜନ କରିଥିବା ଜାମାଇକାର ଏହି ମହାନ୍‌ ଧାବକ ସୋମବାର ଏକ ଇଭେଣ୍ଟ ଅବସରରେ ଏହି ପ୍ରତିନିଧି ସହ କଥା ହେଲା ବେଳେ ତାଙ୍କ ଅଲିମ୍ପିକ୍‌ ପ୍ରସ୍ତୁତି, ଭାରତୀୟ ଆଥଲେଟିକ୍ସ ଏବଂ ଜାମାଇକର କ୍ରୀଡ଼ା ବ୍ୟବସ୍ଥା ଉପରେ ମତ ରଖିଥିଲେ । ଓଡ଼ିଶାର ଗୌରବ ଦୂତୀ ଚାନ୍ଦଙ୍କ ବାବଦରେ ସେ ପ୍ରତିକ୍ରିୟା ଦେଇ କହିଛନ୍ତି ଦୂତୀ ଜଣେ ଭଲ କ୍ରୀଡ଼ା ବ୍ୟକ୍ତିତ୍ୱ, ଯାହାଙ୍କ ଭବିଷ୍ୟତ ଖୁବ୍‌ ଉଜ୍ଜ୍ୱଳ । ସେହିପରି ଭାରତୀୟ ଧାବିକା ହିମା ଦାସଙ୍କୁ ମଧ୍ୟ ବଡ଼ ପ୍ରଶଂସା କରିଥିଲେ ।
ଟୋକିଓ ଅଲିମ୍ପିକ୍‌ ବାବଦରେ ଏହି ପ୍ରତିନିଧି ତାଙ୍କୁ ପ୍ରଶ୍ନ କରିବାରେ ବ୍ଲେକ କହିଥିଲେ ଟୋକିଓ ମୋର ଶେଷ ଅଲିମ୍ପିକ୍‌ ହେବାକୁ ଯାଉଛି । ସେଠାରେ ୧୦୦ ଓ ୨୦୦ ମିଟରର ସ୍ୱର୍ଣ୍ଣ ଜିତି ଗୋଲଡେନ୍‌ ଡବଲ ହାସଲ କରିବା ପାଇଁ ମୁଁ ସାଧନାରତ । ଅନେକ ଖେଳାଳି ଏହି ଇଭେଣ୍ଟରେ ଭଲ କରିବାକୁ ଚେଷ୍ଟା କରୁଛନ୍ତି ସତ ହେଲେ ମୁଁ ନିଶ୍ଚିତ ସ୍ୱର୍ଣ୍ଣ ଜିତିବି ବୋଲି ସେ ଦୃଢ଼ତାର ସହ କହିଥିଲେ । ବୋଲ୍ଟ ଆଉ ନଥିବାରୁ ମତେ ଲୋକେ ପେଭରେଟ୍‌ କହୁଛନ୍ତି । ମୁଁ ମଧ୍ୟ ତାହା ରହିବାକୁ ଚାହୁଁଛି । ମୋ ପ୍ରସ୍ତୁତି ବଢ଼ିଆ ଭାବରେ ଚାଲିଛି । ଯେତେବେଳେ ମୋ ପ୍ରତିଦ୍ୱନ୍ଦ୍ୱୀମାନେ ବିଶ୍ରାମ ନେଉଛନ୍ତି ସେତେବେଳେ ମୁଁ କଡ଼ା ସାଧନା କରୁଛି । କହିବାକୁ ଗଲେ ମୁଁ ଡବଲ ମେହନତ୍‌ କରୁଛି ବୋଲି ସେ ପ୍ରକାଶ କରିଥିଲେ । ଯଦି ଆଗକୁ ସୁବିଧା ହୁଏ ତାହେଲେ ସେ ୧୦୦କୁ ଛାଡ଼ି କେବଳ ୨୦୦ ଓ ୪୦୦ ମିଟରରେ ମନୋନିବେଶ କରିବାକୁ ଚାହିଁବେ ବୋଲି କହିଥିଲେ ।
ଅଲିମ୍ପିକ୍‌ ପରେ ଭାରତରେ ଟ୍ରେନିଂ ଦେବି
ଭାରତ ତାଙ୍କ ପାଇଁ ପସନ୍ଦର ଦେଶ ବୋଲି ବ୍ଲେକ କହିବା ସାଙ୍ଗକୁ ଟୋକିଓ ଅଲିମ୍ପିକ୍‌ ସରିଲେ ସେ ଭାରତ ଆସି ଯୁବ ଆଥଲେଟମାନଙ୍କୁ ତାଲିମ ଦେବାର କାର୍ଯ୍ୟକ୍ରମରେ ସାମିଲ ହେବେ ବୋଲି ପ୍ରକାଶ କରିଥିଲେ । ମୁଁ ଭାରତରେ କ୍ଳିନିକ୍‌ କରି ଯୁବ ପ୍ରତିଭା ମାନଙ୍କୁ ଖୋଜିବି ଓ ସେମାନଙ୍କୁ ତାଲିମ ଦେବି । ଭାରତରେ ପ୍ରଚୁର ଆଥଲେଟିକ୍ସ ଅଛନ୍ତିି ବୋଲି ମତ ଦେଇଥିଲେ ବ୍ଲେକ୍‌ । ଜାମାଇକାର ଖେଳାଳିମାନଙ୍କ ସଫଳତା ବାବଦରେ ବତାଇଲା ବେଳେ ବ୍ଲେକ କହିଥିଲେ ଆମେ ସବୁ ଅଭାବୀ ପରିବାରରୁ ଆସିଛୁ । ତେଣୁ ଜୀବନରେ ସଫଳତା ହାସଲ କରିବାକୁ ଖେଳକୁ ଆମେ ମାଧ୍ୟମ କରିଥିଲୁ । ସେପରି ଜିନିଷ ଭାରତରେ ମଧ୍ୟ ହୋଇପାରିବ । ଆମ ଦେଶର କ୍ରିକେଟର ଯଦି ବିରାଟ ଓ ରୋହିତଙ୍କ ଠାରୁ କୌଶଳ ଶିଖୁଛନ୍ତି ତାହେଲେ ଭାରତର ଆଥଲେଟ୍‌ ଆମମାନଙ୍କ ପାଖରୁ ସେହି କଳା ଶିଖିପାରିବେ ବୋଲି ବ୍ଲେକ୍‌ ପ୍ରକାଶ କରିଥିଲେ । ଏହି କ୍ରିକେଟ ଜର୍ସି ଉନ୍ମୋଚନ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଆସିଥିବାରେ ଖୁବ୍‌ ଆନନ୍ଦିତ ଥିବା ବ୍ଲେକ କହିଥିଲେ, ମୁଁ ମୋର ସ୍ୱଳ୍ପ ମୁମ୍ବାଇ ରହଣୀ ଭିତରେ ସଚିନ୍‌ ତେନ୍ଦୁଲକରଙ୍କ ସହ ଫଟୋ ଉଠାଇ ତାଙ୍କର ଅଟୋଗ୍ରାଫ୍‌ ନିଶ୍ଚିତ ନେବାକୁ ଚେଷ୍ଟା କରିବି । ଡୋପିଂ ମାମଲା ବିଷୟରେ ନିଜ ପ୍ରତିକ୍ରିୟା ଦେଇ ସେ କହିଥିଲେ ଯଦି ଜଣେ ଖେଳାଳି ଗୁରୁତର ଅପରାଧ କରୁଛନ୍ତି ତାହେଲେ ତାଙ୍କୁ ପୂରା ଜୀବନ ଲାଗି ବାସନ୍ଦ କରାଯାଉ । ଯଦି କିଛି ଛୋଟ ଘଟଣାରେ ଧରା ପଡ଼ୁଛନ୍ତି ତା ହେଲେ ସେମାନଙ୍କୁ ବର୍ଷେ କିମ୍ବା ୨ ବର୍ଷ ବାସନ୍ଦ କରାଯାଉ । ଶେଷରେ ସେ କହିଥିଲେ ଯେ, ମୋତେ ଏବେ ୨୯ ବର୍ଷ ହୋଇଥିଲେ ମଧ୍ୟ ମୋ ଭିତରେ ୨୧ ବର୍ଷ ବେଳର ଉତ୍ସାହ ଓ ଅଲିମ୍ପିକ୍‌ ପଦକ ଜିତିବାର କ୍ଷୁଧା ରହିଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*