ଘଙ୍ଗପାଟଣା ଜମି ଦୁର୍ନୀତିର ତଦନ୍ତ ରିପୋର୍ଟ ମାଗିଲେ ଲୋକାୟୁକ୍ତ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ମାତ୍ର ଦୁଇଦିନ ତଳେ ସଂଜୀବ ମାରିକ୍‌ଙ୍କ ଲୋକାୟୁକ୍ତ ରିପୋର୍ଟ ମିଳୁନାହିଁ ବୋଲି ନିର୍ଭୟରେ ଏକ ତଥ୍ୟଭିତ୍ତିକ ରିପୋର୍ଟ ପ୍ରକାଶ ପାଇଥିଲା । ସମସ୍ତେ ପ୍ରାୟତଃ ୨୦୦୮ରେ ତକ୍ରାଳୀନ ଲୋକାୟୁକ୍ତ ଜଷ୍ଟିସ୍‌ ଶରତଚନ୍ଦ୍ର ମହାପାତ୍ର ଦେଇଥିବା ରିପୋର୍ଟକୁ ଭୁଲି ସାରିଥିଲେ । ମାରିକ୍‌ ଆଇଜି ଥିବା ବେଳେ ତାଙ୍କ ବିରୋଧରେ ଭଦ୍ରକ ଜେଲ୍‌ରେ ଥିବା ବିହାରୀ ଅପରାଧୀଙ୍କ ସହ ତାଙ୍କର କଥିତ ସାଣ୍ଠଗାଣ୍ଠକୁ ନେଇ ଉଠିଥିଲା ପ୍ରଶ୍ନ । ତାଙ୍କୁ ନିଲମ୍ବିତ କରାଯାଇଥିଲା । ମାମଲା ଲୋକାୟୁକ୍ତଙ୍କ କୋର୍ଟକୁ ଆସିଥିଲା । ଲୋକାୟୁକ୍ତ ଏକ ରିପୋର୍ଟ ସରକାରଙ୍କୁ ଦେଇଥିଲେ । କାରଣ ମାମଲା ସରକାରଙ୍କ ସୌଜନ୍ୟରୁ ହିଁ ଆସିଥିଲା । ପରେ ୨୦୧୪ରେ ମାରିକ୍‌ଙ୍କୁ ନବୀନ ସରକାର ପୁଲିସ୍‌ ଡିଜି ବନେଇଦେଲେ । ଲୋକାୟୁକ୍ତଙ୍କ ରିପୋର୍ଟକୁ ତା ପୂର୍ବରୁ ଗାଏବ କରିଦିଆଗଲା । ଏବେ ମିଳୁନି ରିପୋର୍ଟ । ରିପୋର୍ଟ ନ ମିଳିବା ଏବଂ ପ୍ରକାଶ ମିଶ୍ରଙ୍କୁ ହଟାଇ ସଂଜୀବ ମାରିକ୍‌ଙ୍କୁ ଡିଜିପି କରିବା ଯେ ଏକ ବୃହତ୍ତର ଚକ୍ରାନ୍ତ ଥିଲା, ଏହି ସନେ୍ଦହ ଘନୀଭୂତ ହୋଇଯାଇଛି । ଏହି ରିପୋର୍ଟ ଗାଏବ ଘଟଣା ଖୁବ ଶୀଘ୍ର ଯିବ ହାଇକୋର୍ଟ, ଏହି ସୂଚନା ମଳିଛି ।
ଏଣିକି ଗୋଟିଏ ଗୋଟିଏ ସରକାରୀ କେଳେଙ୍କାରୀର ଗୁମର ଖୋଲିବାକୁ ଯାଉଛି । ଲୋକାୟୁକ୍ତ କାର୍ଯ୍ୟଭାର ଗ୍ରହଣ କରିବା ପରେ ଅନେକ ମାମଲା ତାଙ୍କ ଇଜାଲାସ୍‌କୁ ଆସିବାରେ ଲାଗିଛି । ସେଥିଭିତରୁ ଅନ୍ୟତମ ହେଲା ଖୋର୍ଦ୍ଧା ଜିଲାର ଘଙ୍ଗାପାଟଣା ଜମି ଦୁର୍ନୀତି । ଲୋକାୟୁକ୍ତ ଏହି ମାମଲାରେ କ୍ରାଇମବ୍ରାଞ୍ଚଠାରୁ ତଦନ୍ତ ରିପୋର୍ଟ ମାଗିଛନ୍ତି । ଏହି ମର୍ମରେ ନୋଟିସ୍‌ ଜାରୀ ହୋଇଛି । ଥରେ ରିପୋର୍ଟ ପ୍ରଘଟ ହେଲେ ଭାନୁମତୀର କୁହୁକ ପେଡ଼ି ଖୋଲିଯିବ ।
୨୦୧୪ ନିର୍ବାଚନ ପରେପରେ ମିଡିଆ ସୌଜନ୍ୟରୁ ପ୍ରଘଟ ହୋଇଗଲା ଘଙ୍ଗପାଟଣା ଜମି କେଳେଙ୍କାରୀ କଥା । ବିବାଦର ବିନ୍ଦୁ ହୋଇଥିଲେ ସେତେବେଳକାର ପ୍ରଭାବଶାଳୀ ବିଜଦ ନେତା କଳ୍ପତରୁ ଦାସ ଓ ତାଙ୍କ ପୁଅ ପ୍ରଣବ ବଳବନ୍ତରାୟ । ଆଦିବାସୀଙ୍କୁ ଦିଆଯାଇଥିବା ଲିଜ୍‌ ଜମିକୁ ସେମାନେ ବେଆଇନ୍‌ ଭାବେ ଦଖଲ କରିଥିବା ଅଭିଯୋଗ ଉଠିଥିଲା । ଏପରିକି ଭାଜପା ନେତା କନକବର୍ଦ୍ଧନ ସିଂହଦେଓଙ୍କ ନାମ ମଧ୍ୟ ଉଠିଥିଲା । ଆଦିବାସୀଙ୍କ ଲିଜ୍‌ ଜମିର କିସମ ବଦଳାଇଦେବା, ଜମି ବିକ୍ରିରେ ସହଯୋଗ କରିବା ଘଟଣାରେ ତହସିଲଦାର ଓ ଅନ୍ୟ ସରକାରୀ କର୍ମଚାରୀମାନେ ମଧ୍ୟ ଜଡ଼ିତ ଥିଲେ । ବେଆଇନ୍‌ ଦଖଲରେ ଥିବା ଜମିକୁ ରାସ୍ତା ଫିଟାଇବା ଲାଗି ସରକାରୀ ଅଧିକାରୀମାନେ ଜଙ୍ଗଲ ଆଇନ୍‌ର ମଧ୍ୟ ଉଲଂଘନ କରିଥିଲେ । ଆଳୁ ଖୋଳୁଖୋଳୁ ମହାଦେବ ବାହାରିବା ପରେ ଦେଖାଗଲା ଯେ ବହୁ ସରକାରୀ ଜମି ଏପରିକି ଜଙ୍ଗଲ ଜମିକୁ ମଧ୍ୟ ପ୍ରଭାବଶାଳୀ ନେତାମାନେ ଜବରଦଖଲ କରିନେଇଛନ୍ତି ।
ଏହି ଘଟଣା ସେତେବେଳେ ରାଜ୍ୟ ରାଜନୀତିକୁ ଦୋହଲାଇ ଦେଇଥିଲା । ଏହା ପରେ ଉଠିଥିଲା ପ୍ଳଟ ଓ ଫ୍ଲାଟ୍‌ କେଳେଙ୍କାରୀ । ଶେଷରେ ସରକାର ତାରାଦତ୍ତ କମିଟି ଗଠନ କରିଥିଲେ । ତେବେ ଘଙ୍ଗପାଟଣା ଜମି ଦୁର୍ନୀତିରେ ଶାସକ ଦଳର ବଡ଼ବାବୁମାନେ ସମ୍ପୃକ୍ତ ଥିବାରୁ ରାଜନୀତି ଅଧିକ ଗରମ ହୋଇଯାଇଥିଲା । ଏହାର ସିବିଆଇ ତଦନ୍ତ ଦାବି ଉଠିଥିଲା । ଏପରି ଦାବି ଉଠିଲେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ତୁରନ୍ତ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଆଦେଶ ଦେବାର ପରମ୍ପରା ଅଛି । ସୁତରାଂ ଘଙ୍ଗପାଟଣା ଜମି ଦୁର୍ନୀତିକୁ ନେଇ ବିରୋଧୀ ଦଳ ଓ ଅନ୍ୟ ସଂଗଠନ ସରକାରଙ୍କୁ ଜବରଦସ୍ତ ଘେରୁଥିବା ଦେଖି ପରମ୍ପରା ବଜାୟ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ପଟନାୟକ ୨୦୧୪ ଅଗଷ୍ଟ ୨୮ ତାରିଖରେ ଏହାର କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଲାଗି ନିଦେ୍ର୍ଦଶ ଦେଇଥିଲେ । ଖାଲି ସେତିକି ନୁହେଁ, ଦୁଇମାସ ଭିତରେ ରିପୋର୍ଟ ଦେବାକୁ କ୍ରାଇମ୍‌ବ୍ରାଞ୍ଚକୁ ଆଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ।
ଇତିମଧ୍ୟରେ ରାଜସ୍ୱମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ମଧ୍ୟ ବିଭାଗୀୟ ତଦନ୍ତ ଆଦେଶ ଦେଇଥିଲେ । ଆଦିବାସୀଙ୍କ କିଣାବିକାରେ ବଡ଼ ଧରଣର ଜାଲିଆତି ହୋଇଥିବା ରାଜସ୍ୱ ବିଭାଗର ତଦନ୍ତରୁ ଜଣାପଡ଼ିଲା । ଏହି ସବୁ ଜମି ରାଜସ୍ୱ ବିଭାଗ ଖାତାକୁ ଫେରାଇ ଅଣାଯିବ ବୋଲି ମନ୍ତ୍ରୀ ସେତେବେଳେ ଘୋଷଣା ମଧ୍ୟ କରିଥିଲେ ।
କିନ୍ତୁ ମଜାଦାର ଥିଲା କ୍ରାଇମ୍‌ବ୍ରାଞ୍ଚ ତଦନ୍ତ । କେତେଜଣ ଆଦିବାସୀଙ୍କୁ ଲିଜ୍‌ ଜମି ବିକିଥିବା ଅଭିଯୋଗରେ ଗିରଫ କଲା କ୍ରାଇମ୍‌ବ୍ରାଞ୍ଚ । କେତେଜଣ ସରକାରୀ କର୍ମଚାରୀ ମଧ୍ୟ ଗିରଫ ହେଲେ । ମାତ୍ର ଆଶ୍ଚର୍ଯ୍ୟର କଥା ଚଞ୍ଚକତା କରି ଆଦିବାସୀଙ୍କଠାରୁ ଲିଜ୍‌ ଜମି କିଣିଥିବା କୌଣସି ନେତାଙ୍କୁ ଗିରଫ କରାଗଲା ନାହିଁ । ତେବେ ୭୬ ଏକର ଜବରଦଖଲ ଜମି ସରକାରୀ ଖାତାକୁ ଫେରାଇ ଅଣାଯାଇଛି ବୋଲି ରାଜସ୍ୱ ବିଭାଗ ପକ୍ଷରୁ କୁହାଗଲା । ଯେଉଁ ନେତାମାନେ ବେଆଇନ୍‌ ଜବରଦଖଲ କରିଥିଲେ, ସେମାନଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ, ଏ ବାବଦରେ ସରକାର କିଛି କହିଲେ ନାହିଁ । ଜମି ଫେରସ୍ତ ବାବଦରେ କୌଣସି ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଲା ନାହିଁ କି କ୍ରାଇମ୍‌ବ୍ରାଞ୍ଚ ରିପୋର୍ଟକୁ ସାର୍ବଜନୀନ କରାଗଲା ନାହିଁ ।
ଏହି ରିପୋର୍ଟ ବାବଦରେ ଜାଣିବା ଲାଗି ୨୦୧୪ ଡିସେମ୍ବରରୁ ସୂଚନାଧିକାର କର୍ମୀଙ୍କ ପକ୍ଷରୁ ଆବେଦନ କରାଯାଇ ଆସୁଥିଲେ ହେଁ ସରକାର ଏହା ମନା କରିଆସୁଥିଲେ । ଶେଷରେ ସୂଚନାଧିକାର କର୍ମୀ ପ୍ରଦୀପ ପ୍ରଧାନ ସୂଚନା କମିଶନ୍‌ଙ୍କ ପାଖକୁ ଯାଇଥିଲେ ୨୦୧୫ ଜୁଲାଇରେ । କମିଶନ୍‌ ଦୁଇ ବର୍ଷ ପରେ ମାମଲାର ଶୁଣାଣୀ କରି ଯେତେବେଳେ ଖୋର୍ଦ୍ଧା ତହସିଲଦାରଙ୍କୁ ରିପୋର୍ଟ ଦାଖଲ ଲାଗି ନିଦେ୍ର୍ଦଶ ଦେଲେ, ଅଜବ ଉତ୍ତର ଆସିଲା । କ୍ରାଇମ୍‌ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ସବୁ କାଗଜପତ୍ର ନେଇ ଯାଇଥିବାରୁ ତହସିଲ ଅଫିସ୍‌ରେ ଆଉ କିଛି ନାହିଁ ବୋଲି ସୂଚନା କମିଶନ୍‌ଙ୍କୁ ଜଣାଇଦିଆଗଲା । ୨୦୧୪ରୁ କ୍ରାଇମ୍‌ବ୍ରାଞ୍ଚ ନଥିପତ୍ର ନେଲାଣି, ୫ ବର୍ଷ ବିତିଗଲାଣି, କିନ୍ତୁ କାହିଁକି ଫେରାଇ ନାହିଁ ଫାଇଲ୍‌? ବଡ଼ ଆଶ୍ଚର୍ଯ୍ୟର ବ୍ୟାପାର!
ସରକାର ଘଙ୍ଗପାଟଣା ଜମି ଦୁର୍ନୀତି ଉପରେ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ବାହାନାରେ ଘଣ୍ଟ ଘୋଡ଼ାଇବାକୁ ଚାହୁଁଥିବା ସ୍ପଷ୍ଟ ହୋଇଯିବା ପରେ ଆବେଦନକାରୀ ପ୍ରଦୀପ ପ୍ରଧାନ ଦ୍ୱାରସ୍ଥ ହୋଇଥିଲେ ଲୋକାୟୁକ୍ତଙ୍କ କୋର୍ଟରେ । ଗତ ୧୧ ତାରିଖରେ ମାମଲାର ଶୁଣାଣୀ କରି ଲୋକାୟୁକ୍ତ ତଦନ୍ତ ରିପୋର୍ଟ ଦାଖଲ କରିବାକୁ କ୍ରାଇମ୍‌ବ୍ରାଞ୍ଚର ଅତିରିକ୍ତ ଡିଜିଙ୍କୁ ନୋଟିସ୍‌ ଦେଇଛନ୍ତି । ଏହି ରିପୋର୍ଟ ଆସିବା ପରେ ଜମି ଜବରଦଖଲକାରୀ ନେତାଙ୍କ ଅସଲ ଚେହେରା ଓଡ଼ିଶାବାସୀଙ୍କ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*