କେରଳ ପାଇଁ ଦୁଃଖ, ଆହତ ଡାକ୍ତରଙ୍କ ପାଇଁ ଚୁପ୍‌

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ପର ଦୁଃଖରେ ଦୁଃଖୀ ହେବା ମହାନ ଲୋକଙ୍କ ଲକ୍ଷଣ । ମହାନ୍‌ ମାନବବାଦୀ କବି ଭୀମ ଭୋଇ ଲେଖିଥିଲେ ‘ମୋ ଜୀବନ ପଛେ ନର୍କେ ପଡିଥାଉ ଜଗତ ଉଦ୍ଧାର ହେଉ’ । ଏହି ଭାବ ଧାରାରେ ବହୁ ନେତା, ପନ୍ଦିତ, ଜ୍ଞାନୀ, ମୁନୀ ପ୍ରଭାବିତ ହେଇଚନ୍ତି । ଆମ ନବ ବାବୁ ବି ଏହି ଧାରାରେ ଅଛନ୍ତି ।
ଶୁକ୍ରବାର କେରଳର କୋଝିକୋଡ୍‌ରେ ଏୟାର ଇନ୍ଦିଆ ଏକ୍ସପ୍ରେସ୍‌ ବିମାନ ଦୁର୍ଘଟଣା ଗ୍ରସ୍ତ ହେଇଗଲା । ଶୋକର ସୁଅ ଛୁଟିଲା । ଦୁଇ ପାଇଲଟଙ୍କ ସମେତ ୧୮ଜଣ ପ୍ରାଣ ହରାଇଚନ୍ତି । କିଛି ଛୋଟିଆ କଥା ନୁହଁ । ରାଷ୍ଟ୍ରପତି,ପ୍ରଧାନମନ୍ତ୍ରୀ, ପ୍ରତିରକ୍ଷାମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ପର୍ଯ୍ୟନ୍ତ କିଏ ଶୋକ ପ୍ରକାଶ ନକରିଚି? କିଏ ମୃତକଙ୍କ ପରିବାରକୁ ନ ଜଣେଇଚି ସମବେଦନା?
କିନ୍ତୁ ହଠାତ୍‌ ଦିନକ ପରେ ନବ ବାବୁଙ୍କର ମନେପଡିଲା ଯେ, କେରଳରେ ବିମାନ ଦୁର୍ଘଟଣା ହେଇଚି । ସେ ତୁରନ୍ତ ଟୁଇଟ୍‌ କରି କୋଝିକୋଡ୍‌ ବମାନ ଦୁର୍ଘଟଣା ଲାଗି ଗଭୀର ଦୁଃଖ ପ୍ରକାଶ କରିଚନ୍ତି । ମୃତକଙ୍କ ପରିବାରକୁ ସମବେଦନ ଜଣାଇବା ସଙ୍ଗେ ସଙ୍ଗେ ଦୁଃଖ ସହିବାକୁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଚନ୍ତି । ଭଲ କଥା । ପରଦୁଃଖରେ ଦୁଃଖୀ ହବା ଭଲ ଲକ୍ଷଣ । ସେଥିପାଇଁ ଆମ ଭଳି ନିନ୍ଦୁକମାନେ ନବ ବାବୁଙ୍କୁ ପ୍ରଶଂସା କରୁଚୁ ।
ହେଲେ ନିଜ ଘର ଆଡ଼କୁ ଅନେଇବା କଥା କି ନୁହଁ । ବରଗଡ ଏମ୍‌ପି ସୁରେଶ ପୂଜାରୀ କରୋନା ପଜିଟିଭ ଚିହ୍ନଟ ହେଇଚନ୍ତି । ନବ ବାବୁଙ୍କ ଝାରସୁଗୁଡା ନିର୍ବାଚନ ମନ୍ଦଳୀ ଆସୁଚି ବରଗଡ଼ ସଂସଦୀୟ କ୍ଷେତ୍ର ଭିତରେ । ଅର୍ଥାତ୍‌ ସୁରେଶ ବି ହଉଚନ୍ତି ନବଙ୍କ ଏମ୍ପି । ତାଙ୍କ ଆରୋଗ୍ୟ କାମନା କରି ଦି’ପଦ ଟୁଇଟ୍‌ କରିଥିଲେ ମୁଖିଆ ନବଙ୍କୁ ଦଳରୁ ନିକାଲି ଦେଇଥାନ୍ତେ କି? ମୁଖିଆ ତ ପୁଣି ଧର୍ମେନ୍ଦ୍ର ବାବୁଙ୍କ ସୁସ୍ଥ କାମନା କରି ଟୁଇଟ୍‌ କରିଚନ୍ତି?
ଠିକ୍‌ ଅଛି । ଆଚାର୍ଯ୍ୟଙ୍କୁ ଜିତେଇ ପାରିଲେନି ବୋଲି ପୂଜାରୀଙ୍କ ଉପରେ ନବଙ୍କ ରାଗ ଅଛି । ବୁଝି ହଉଚି । କିନ୍ତୁ ବଲାଙ୍ଗିରରେ ଏକ ଆଇସୋଲେସନ୍‌ ସେଣ୍ଟରରେ ଲୋକେ ଜଣେ ଡାକ୍ତରଙ୍କୁ ବାଡେଇ ପିଟି ଆହତ କରି ପକେଇଲେ । ବିଚାରା ଡାକ୍ତର କରୋନା ଯୋଦ୍ଧା ହେଇ ସମର୍ପିତ ସେବା ଯୋଗାଉଥିବା ବେଳେ ଏବେ ନିଜେ ଡାକ୍ତରଖାନାରେ । ବାବୁ ନବ ଦାସ ହଉଚନ୍ତି ଡାକ୍ତର ବିଭାଗର ମନ୍ତ୍ରୀ । ଟୁଇଟ୍‌ କରି କରୋନା ଯୋଦ୍ଧାଙ୍କ ମନୋବଳ ବଢାଇବା କାମ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କର ନୁହେଁ କି?
ଅବଶ୍ୟ ଆରଥରକୁ କେରଳରୁ ଲୋକେ ଆସି ନବଙ୍କ ପାଇଁ ପ୍ରଚାର କରିବେ ଓ ଭୋଟ୍‌ ଦେବେ । ଏ ଡାକ୍ତରଙ୍କୁ ପଚାରେ କିଏ? ନବଙ୍କ ଟୁଇଟ୍‌ ଉପରେ ଲୋକଙ୍କ ପ୍ରତିକି୍ରୟା ତାଙ୍କ ନଜରକୁ ନିହାତି ଆସିଥିବ ବୋଲି ଭାବୁଚୁ । କେରଳ ଆଡ଼କୁ ଅନାନ୍ତୁ । କିଏ ମନା କରୁନି । କିନ୍ତୁ ନିଜ ରାଜ୍ୟ ଆଡ଼କୁ ଅନାଇବା ବନ୍ଦ କଲେ ନେଣକୁ ଦେଣ ବଳିଯିବ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*