ଅଭୂତପୂର୍ବ ଜନତା କର୍ଫ୍ୟୁ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନତା କର୍ଫୁ୍ୟ ଡାକରାକୁ ଓଡ଼ିଶା ସମେତ ସାରା ଦେଶ ବିପୁଳ ସମର୍ଥନ ଜଣାଇ ଏହାକୁ ଅଭୂତପୂର୍ବ ସଫଳ କରାଇଛନ୍ତି । କୋଲକାତା, ମୁମ୍ବାଇ, ବେଙ୍ଗାଲୁରୁ, ଅହମ୍ମଦାବାଦ ଏବଂ ଚେନ୍ନାଇ ପରି ମହାନଗରୀରେ ଲକ୍‌ ଡାଉନ୍‌ ପରିସ୍ଥିତି ଦେଖିବାକୁ ମିଳିଛି । ଓଡ଼ିଶାରେ ନବୀନ ସରକାରଙ୍କ ଲକ୍‌ ଡାଉନ୍‌ ଘୋଷଣା ଜନତା କର୍ଫୁ୍ୟକୁ ଆହୁରି ଅଧିକ ସଫଳ କରି ଦେଇଥିଲା ଦେଖିବାକୁ ମିଳିଛି । କେବଳ ସେତିକି ନୁହେଁ ମୋଦୀଙ୍କ ଡାକରାରେ ସାମିଲ ହୋଇ ଅପରାହ୍ନ ୫ଟାରେ ୫ ମିନିଟ୍‌ ଧରି ବିଭିନ୍ନ ଅଞ୍ଚଳରେ ଘରେ ରହିଥିବା ଲୋକେ ଘଣ୍ଟ ଘଣ୍ଟା ବାଡ଼େଇ ଏବଂ ତାଳି ବଜାଇ କରୋନା ଅଭିଯାନରେ ସାମିଲ କର୍ମଚାରୀଙ୍କୁ ଅନ୍ତରର ଶୁଭେଚ୍ଛା ଜଣାଇଛନ୍ତି । କରୋନା ବିରୋଧୀ ଅଭିଯାନରେ ଲୋକଙ୍କର ଏଭଳି ସମ୍ପୃକ୍ତି ନୂଆ ଆଶା ଓ ଉତ୍ସାହ ସୃଷ୍ଟି କରିଛି ।
ଓଡ଼ିଶା ଅନେକ ବନ୍ଦ ଦେଖିଛି ଗତ ୨୦ ବର୍ଷ ଭିତରେ । ଅଧିକାଂଶ ରାଜନୈତିକ ଦଳ ଏବଂ ସଙ୍ଗଠନ ଡାକରାରେ । ସବୁଠୁ ବଡ଼ ଏବଂ ସଫଳ ବନ୍ଦ ଓଡ଼ିଶା ଦେଖିଥିଲା ୨୦୦୮ ମସିହାରେ । ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କୁ ହତ୍ୟା କରାଯିବା ପ୍ରତିବାଦରେ ଅଗଷ୍ଟ ମାସରେ ବିରାଟ ଏବଂ ସଫଳ ଓଡ଼ିଶା ବନ୍ଦ ପାଳିତ ହୋଇଥିଲା । କିନ୍ତୁ ଏହା ପଛରେ ବିଶ୍ୱ ହିନ୍ଦୁ ପରିଷଦ ଏବଂ ଭାରତୀୟ ଜନତା ପାର୍ଟିର ସମର୍ଥନ ଥିଲା । ମାତ୍ର ସବୁ ରେକର୍ଡକୁ ଭାଙ୍ଗି ଦେଇଛି ମୋଦୀଙ୍କ ଜନତା କର୍ଫୁ୍ୟ । ନିଜେ ଜନତା ସ୍ୱତଃସ୍ଫୂର୍ତ୍ତ ଭାବେ ଏଥିରେ ସାମିଲ ହେବା ଫଳରେ ସଦା ଚଳଚଞ୍ଚଳ ରାଜଧାନୀର ସଡ଼କ ପରିତ୍ୟକ୍ତ ଅନୁଭୂତ ହେଉଥିଲା । କେଉଁଠି ଟାୟାର ଜାଳିବା, ଲୋକେ ଅଟକଉଥିବା ବା ଧମକ ଦେବା ଦେଖା ଯାଇ ନଥିଲା । ତେବେ ଛକମାନଙ୍କରେ ପୁଲିସ ମୁତୟନ ଥିଲେ । ଯେହେତୁ ୭ ଦିନ ଲକ୍‌ ଡାଉନ ଘୋଷଣା କରିଥିଲେ ସରକାର, ସେହେତୁ ପୁଲିସ କାଁ ଭାଁ ବାଇକ୍‌ ସ୍କୁଟର କିମ୍ବା କାର ଚାଳକଙ୍କୁ ଅଟକାଇ କାରଣ ପଚାରୁଥିଲେ ।
ରାଜ୍ୟର ଉତ୍ତରରୁ ପଶ୍ଚିମ, ପୂର୍ବରୁ ଦକ୍ଷିଣ ଏପରିକି ଗାଁଗନ୍ଦାରେ ବି ଜନତା କର୍ଫୁ୍ୟରେ ସାମିଲ ହୋଇଯାଇଥିଲେ ଲୋକେ । ଘରେ ରହି ବାହାରକୁ ନ ବାହାରିବା ଯୋଗୁଁ ନିରବି ଯାଇଥିଲା ରାସ୍ତାଘାଟ । ଦୋକାନ ବଜାର ସମ୍ପୂର୍ଣ୍ଣ ବନ୍ଦ । ଗାଡ଼ି ଘୋଡ଼ା ପ୍ରାୟତଃ ନାହିଁ । ଲୋକେ ବି ନଥିଲେ ରାସ୍ତାରେ । ଏମିତି ଦୃଶ୍ୟ ନା ଅତୀତ କେବେ ଦେଖିଥିଲା, ନା ଆଗକୁ ଦେଖିବ । ପ୍ରଧାନମନ୍ତ୍ରୀଙ୍କ ଡାକରାକୁ ବିପୁଳ ସମର୍ଥନ ଦେଇ ଲୋକେ ପ୍ରମାଣିତ କରିଦେଲେ ଯେ, କରୋନା ମୁକାବିଲା ପାଇଁ ସେମାନଙ୍କ ପାଖରେ ଶକ୍ତି ଓ ଉତ୍ସାହର ଅଭାବ ନାହିଁ ।
ପୂର୍ବରୁ ପାସେଞ୍ଜର ଟ୍ରେନ୍‌ ଚଳାଚଳ ବନ୍ଦ ରହିଥିଲା । ବସ୍‌, ଅଟୋ ଏବଂ ଓଲା ଓ ଉବେର ଚଳାଚଳ କରୁନଥିଲା । ପ୍ରଧାନମନ୍ତ୍ରୀଙ୍କ ଡାକରାକୁ ବ୍ୟବସାୟୀ ସଂଘ ସମର୍ଥନ ଜଣାଇଥିଲା । ମୋଟାମୋଟି ଭାବେ କୁହାଯାଇପାରିବ ଯେ, ସାରା ଦେଶ ସହ ଓଡ଼ିଶା ବି ନିଜକୁ ଲକ୍‌ ଡାଉନ୍‌ ଘୋଷଣା କରିଥିଲା ।
କେବଳ ରାଜଧାନୀ କିମ୍ବା କଟକ ନୁହେଁ, ପୁରୀ, ବ୍ରହ୍ମପୁର, କେନ୍ଦ୍ରାପଡ଼ା, ପାରାଦୀପ, ଯାଜପୁର, ଭଦ୍ରକ, ବାଲେଶ୍ୱର, ରାଉରକେଲା, ସମ୍ବଲପୁର, ଅନୁଗୁଳ-ଢେଙ୍କାନାଳ, ବଲାଙ୍ଗୀର-ଭବାନୀପାଟଣା ସବୁଆଡ଼େ ଜନତା କର୍ଫୁ୍ୟ ସଫଳ ନିଦର୍ଶନ ଦେଖିବାକୁ ମିଳିଥିଲା ।
ରାଜଧାନୀର ମୁଖ୍ୟ ରାସ୍ତାଗୁଡ଼ିକରେ କାଁ ଭାଁ ଦୁଇଚକିଆ ଯାନ ଚଳାଚଳ କରୁଥିବା ବେଳେ ପୁଲିସ ସେମାନଙ୍କୁ ଅଟକାଇ ଯାତ୍ରାର ଉଦେ୍ଦଶ୍ୟ ସମ୍ପର୍କରେ ସୂଚନା ନେଇଛି ।ଆବଶ୍ୟକତା ନଥିଲେ ପିଲାମାନଙ୍କୁ ଘରୁ ନ ଛାଡ଼ିବାକୁ ପିତାମାତାଙ୍କୁ ପୁଲିସ ନିବେଦନ କରିଛି । ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ରାସନ, ମାଛ, ମାଂସ, କ୍ଷୀର, ଔଷଧ ଦୋକାନ, ଏଟିଏମ୍‌, ଆମ୍ବୁଲାନ୍ସ ସର୍ଭିସ, ଜଳ ଯୋଗାଣ, ବିଦୁ୍ୟତ୍‌ ବ୍ୟବସ୍ଥା ଖୋଲା ରଖାଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଖୋର୍ଦ୍ଧା, କଟକ, ଗଞ୍ଜାମ, ବାଲେଶ୍ୱର ଓ ଅନୁଗୁଳ ଜିଲାରେ ତାଲାବନ୍ଦ ଘୋଷଣା କରିଛନ୍ତି । ଏଥିସହିତ ପୁରୀ, କେନ୍ଦ୍ରାପଡ଼ା, ଯାଜପୁର, ଯାଜପୁର ରୋଡ, ଭଦ୍ରକ, ବାଲେଶ୍ୱର, ସମ୍ବଲପୁର, ଝାରସୁଗୁଡ଼ା, ବ୍ରଜରାଜନଗର ଓ ରାଉରକେଲାକୁ ତାଲା ବନ୍ଦ ରଖାଯାଇଛି । ରବିବାରଠାରୁ ୨୯ ତାରିଖ ରାତି ୯ଟା ପର୍ଯ୍ୟନ୍ତ ଏହି ସବୁ ଜିଲାରେ ତାଲା ବନ୍ଦ ଜାରି ରହିବ । ଅତ୍ୟାବଶ୍ୟକ ସେବା ସୁବିଧା ପାଇଁ ରାସନ ଦୋକାନ ଖୋଲା ରହିବ । ଏହି ସମୟରେ ବ୍ୟାଙ୍କ ସେବା, ଆନ୍ତଃ ରାଜ୍ୟ ପରିବହନ ବ୍ୟବସ୍ଥା ଚାଲୁ ରହିବ । ଏଟିଏମ୍‌ଗୁଡ଼ିକ ସାନିଟାଇଜ୍‌ ବ୍ୟବସ୍ଥାରେ ଗ୍ରାହକଙ୍କୁ ଉପଲବ୍ଧ କରାଯିବ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*