ମାହାଙ୍ଗା ଡବଲ ମର୍ଡର ମାମଲାରେ ସୁପ୍ରିମକୋର୍ଟରୁ କ୍ଲିନ୍‌ଚିଟ୍ ପାଇବା ପରେ ବିଜୁ ଜନତା ଦଳର ଉପସଭାପତି ପ୍ରତାପ ଜେନା ପ୍ରଭୁ ଶ୍ରୀଜଗନ୍ନାଥ, ତାଙ୍କର ଶୁଭେଚ୍ଛୁ ଏବଂ ମାହାଙ୍ଗାବାସୀଙ୍କୁ ହୃଦୟରୁ ଗଭୀର କୃତଜ୍ଞତା ଜଣାଇଛନ୍ତି। ତାଙ୍କୁ ବଦନାମ କରିବା ପାଇଁ ରଚାଯାଇଥିବା ସମସ୍ତ ଷଡ଼ଯନ୍ତ୍ର ଶେଷରେ ବିଫଳ ହୋଇଛି ଏବଂ ସତ୍ୟର ଜୟ ହୋଇଛି ବୋଲି ସେ କହିଛନ୍ତି।

ପ୍ରତାପ ଜେନା କହିଛନ୍ତି ଯେ, ତାଙ୍କ ବିରୋଧରେ ଅଣାଯାଇଥିବା ଅଭିଯୋଗଗୁଡ଼ିକ ଭିତ୍ତିହୀନ ଏବଂ ରାଜନୈତିକ ଉଦେ୍ଦଶ୍ୟ ପ୍ରଣୋଦିତ । ଏହି ଘଟଣାରେ ତାଙ୍କର ଆଦୌ କୌଣସି ସମ୍ପୃକ୍ତି ନଥିଲା । ବିରୋଧୀ ବିଜେପି ଓ କଂଗ୍ରେସର ନେତାମାନେ ଭାବମୂର୍ତ୍ତିକୁ କ୍ଷୁଣ୍ଣ କରିବା ପାଇଁ ଷଡ଼ଯନ୍ତ୍ର କରିଥିଲେ । ଏହା ପୂର୍ବରୁ ମାନ୍ୟବର ହାଇକୋର୍ଟ ମଧ୍ୟ ଏହି ମାମଲାରେ ଆଶ୍ୱସ୍ତି ପ୍ରଦାନ କରିଥିଲେ । ଏହି ମାମଲାରେ ଜାଣିଶୁଣି ଫସାଇବା ଉଦେ୍ଦଶ୍ୟରେ ମୋ ନାମ ଯୋଡ଼ାଯାଇଥିଲା । ନ୍ୟାୟିକ ପ୍ରକ୍ରିୟା ଉପରେ ମୋର ପୂର୍ଣ୍ଣ ବିଶ୍ୱାସ ଥିଲା । ଶେଷରେ ସତ୍ୟ ସାମ୍ନାକୁ ଆସିଛି ଏବଂ ମୋ ବିରୋଧରେ ହୋଇଥିବା ଅଭିଯୋଗ ଗୁଡ଼ିକୁ ନ୍ୟାୟିକ ପ୍ରକ୍ରିୟା ଓ ଅଦାଲତଙ୍କ ଆଦେଶ ଆଧାରରେ ବିଚାର କରାଯାଇଛି । ରାଜନୈତିକ ଷଡ଼ଯନ୍ତ୍ର ଦ୍ୱାରା ସତ୍ୟକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଚାପି ରଖିହେବ ନାହିଁ ।

ସେ ଆଉ ମଧ୍ୟ କହିଛନ୍ତି ମାହାଙ୍ଗାବାସୀଙ୍କ ଆଶୀର୍ବାଦ, ଭଲପାଇବା ଓ ସମର୍ଥନ ଯୋଗୁଁ ସତ୍ୟର ଜୟ ହୋଇଛି । ଏହି କଠିନ ସମୟରେ ଯେଉଁମାନେ ମୋ ସହିତ ଦୃଢ଼ ଭାବେ ଠିଆ ହୋଇଥିଲେ, ସମସ୍ତଙ୍କୁ ମୁଁ ଆନ୍ତରିକ କୃତଜ୍ଞତା ଜଣାଉଛି । ମୋ ପ୍ରତି ଥିବା ବିଶ୍ୱାସ ଓ ସମର୍ଥନ ମୋତେ ଶକ୍ତି ଏବଂ ଆତ୍ମବିଶ୍ୱାସ ଦେଇଛି ।

Leave a Reply

Your email address will not be published. Required fields are marked *