ଦକ୍ଷିଣ-ପୂର୍ବ ରେଳବାଇର ଚକ୍ରଧରପୁର ଡିଭିଜନ ଅନ୍ତର୍ଗତ ଝାରସୁଗୁଡ଼ା ରେଳ ଷ୍ଟେସନରେ ଚାଲିଥିବା ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ପାଇଁ ୧୮ଟି ଟ୍ରେନ୍‌କୁ ବାତିଲ୍ କରାଯାଇଛି। ଏଥିସହ ବହୁ ଏକ୍ସପ୍ରେସ୍, ଇଣ୍ଟରସିଟି, ମେମୁ ଏବଂ ବନ୍ଦେ ଭାରତ ସେବା ସମେତ ଅନେକ ଟ୍ରେନ୍‌ର ଗତିପଥ ପରିବର୍ତ୍ତନ କରାଯିବା ସହିତ ଆଂଶିକ ବାତିଲ୍ କରାଯିବ ବୋଲି ପୂର୍ବତଟ ରେଳବାଇ ପକ୍ଷରୁ ରବିବାର ସୂଚନା ଦିଆଯାଇଛି।

ଆସନ୍ତା ନଭେମ୍ବର ୨୯ ରୁ ଡିସେମ୍ବର ୨୧, ୨୦୨୬ ମଧ୍ୟରେ ବିଭିନ୍ନ ପର୍ଯ୍ୟାୟରେ ଏହି ପରିବର୍ତ୍ତନଗୁଡ଼ିକ କାର୍ଯ୍ୟକାରୀ ହେବ, ଯାହା ଓଡ଼ିଶାକୁ ଦେଶର ଅନ୍ୟାନ୍ୟ ଭାଗ ସହ ଯୋଡ଼ୁଥିବା ଦୀର୍ଘଦୂର ଓ ଯାତ୍ରୀବାହୀ ଟ୍ରେନ୍‌ଗୁଡ଼ିକୁ ପ୍ରଭାବିତ କରିବ। ଯାତ୍ରୀମାନଙ୍କୁ ଯାତ୍ରା ଆରମ୍ଭ କରିବା ପୂର୍ବରୁ ସଂଶୋଧିତ ଟ୍ରେନ୍ ସମୟସୂଚୀ ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଇଛି।

ବାତିଲ୍ ହୋଇଥିବା ଟ୍ରେନ୍‌ଗୁଡ଼ିକର ତାଲିକାଗୁଡ଼ିକ ହେଲା:

  •  ୧୮୧୨୫/୧୮୧୨୬ ରାଉରକେଲା–ପୁରୀ–ରାଉରକେଲା ଏକ୍ସପ୍ରେସ୍: ନଭେମ୍ବର ୨୯ ରୁ ଡିସେମ୍ବର ୧୭, ୨୦୨୬ ପର୍ଯ୍ୟନ୍ତ
  • ୨୨୮୬୧ ହାୱଡ଼ା–କଣ୍ଟାବାଞ୍ଜି ଇସ୍ପାତ ଏକ୍ସପ୍ରେସ୍: ଡିସେମ୍ବର ୧୧, ୧୩, ୧୫ ଓ ୧୭, ୨୦୨୬
  • ୨୨୮୬୨ କଣ୍ଟାବାଞ୍ଜି–ହାୱଡ଼ା ଇସ୍ପାତ ଏକ୍ସପ୍ରେସ୍: ଡିସେମ୍ବର ୧୨, ୧୪, ୧୬ ଓ ୧୮, ୨୦୨୬
  • ୧୨୮୭୧ ହାୱଡ଼ା–ଜୁନାଗଡ଼ ଇସ୍ପାତ ଏକ୍ସପ୍ରେସ୍: ଡିସେମ୍ବର ୧୨, ୧୪ ଓ ୧୬, ୨୦୨୬
  • ୧୨୮୭୨ ଜୁନାଗଡ଼–ହାୱଡ଼ା ଇସ୍ପାତ ଏକ୍ସପ୍ରେସ୍: ଡିସେମ୍ବର ୧୩, ୧୫ ଓ ୧୭, ୨୦୨୬
  • ୧୮୩୦୯ ସମ୍ବଲପୁର–ଜମ୍ମୁ ତାୱି ଏକ୍ସପ୍ରେସ୍: ଡିସେମ୍ବର ୭, ୮, ୧୦, ୧୪ ଓ ୧୫, ୨୦୨୬
  • ୧୮୩୧୦ ଜମ୍ମୁ ତାୱି–ସମ୍ବଲପୁର ଏକ୍ସପ୍ରେସ୍: ନଭେମ୍ବର ୨୯ ଏବଂ ଡିସେମ୍ବର ୧୦, ୧୧, ୧୩, ୧୭ ଓ ୧୮, ୨୦୨୬
  • ୧୮୧୦୭ ରାଉରକେଲା–ଜଗଦଲପୁର ଏକ୍ସପ୍ରେସ୍: ଡିସେମ୍ବର ୧ ଏବଂ ଡିସେମ୍ବର ୭ ରୁ ୧୫, ୨୦୨୬
  • ୧୮୧୦୮ ଜଗଦଲପୁର–ରାଉରକେଲା ଏକ୍ସପ୍ରେସ୍: ଡିସେମ୍ବର ୨ ଏବଂ ଡିସେମ୍ବର ୮ ରୁ ୧୬, ୨୦୨୬
  • ୧୮୦୦୫ ହାୱଡ଼ା–ଜଗଦଲପୁର ସମଲେଶ୍ୱରୀ ଏକ୍ସପ୍ରେସ୍: ଡିସେମ୍ବର ୧୨ ରୁ ୧୪, ୨୦୨୬
  • ୧୮୦୦୬ ଜଗଦଲପୁର–ହାୱଡ଼ା ସମଲେଶ୍ୱରୀ ଏକ୍ସପ୍ରେସ୍: ଡିସେମ୍ବର ୧୪ ରୁ ୧୬, ୨୦୨୬
  • ୧୮୪୦୩ ଭୁବନେଶ୍ୱର–ଧନବାଦ ଏକ୍ସପ୍ରେସ୍: ଡିସେମ୍ବର ୧୧ ଓ ୧୩, ୨୦୨୬
  • ୧୮୪୦୪ ଧନବାଦ–ଭୁବନେଶ୍ୱର ଏକ୍ସପ୍ରେସ୍: ଡିସେମ୍ବର ୧୨ ଓ ୧୪, ୨୦୨୬
  • ୧୮୧୧୭ ରାଉରକେଲା–ଗୁଣପୁର ରାଜ୍ୟରାଣୀ ଏକ୍ସପ୍ରେସ୍: ଡିସେମ୍ବର ୧୧ ରୁ ୧୫, ୨୦୨୬
  • ୧୮୧୧୮ ଗୁଣପୁର–ରାଉରକେଲା ରାଜ୍ୟରାଣୀ ଏକ୍ସପ୍ରେସ୍: ଡିସେମ୍ବର ୧୨ ରୁ ୧୬, ୨୦୨୬
  • ୬୮୦୩୧/୬୮୦୩୨ ଝାରସୁଗୁଡ଼ା–ସମ୍ବଲପୁର–ଝାରସୁଗୁଡ଼ା ମେମୁ: ଡିସେମ୍ବର ୧୭, ୨୦୨୬ ପର୍ଯ୍ୟନ୍ତ
  • ୬୮୦୩୩/୬୮୦୩୪ ଝାରସୁଗୁଡ଼ା–ସମ୍ବଲପୁର–ଝାରସୁଗୁଡ଼ା ମେମୁ: ଡିସେମ୍ବର ୧୭, ୨୦୨୬ ପର୍ଯ୍ୟନ୍ତ
  • ୨୨୮୩୯/୨୨୮୪୦ ରାଉରକେଲା–ଭୁବନେଶ୍ୱର–ରାଉରକେଲା ଇଣ୍ଟରସିଟି ଏକ୍ସପ୍ରେସ୍: ଡିସେମ୍ବର ୧୧ ରୁ ୧୫, ୨୦୨୬

କେବଳ ବାତିଲ୍ ନୁହେଁ, ବରଂ ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି କେତେକ ଗୁରୁତ୍ୱପୂର୍ଣ୍ଣ ଟ୍ରେନ୍‌କୁ ବିକଳ୍ପ ମାର୍ଗ ଦେଇ ଚଳାଇବାକୁ ରେଳବାଇ ଯୋଜନା କରିଛି। ଯୋଗନଗରୀ ଋଷିକେଶ ଓ ପୁରୀ ମଧ୍ୟରେ ଚାଲୁଥିବା କଳିଙ୍ଗ ଉତ୍କଳ ଏକ୍ସପ୍ରେସ୍ (୧୮୪୭୮/୧୮୪୭୭) ଡିସେମ୍ବର ୫ରୁ ୧୫ ତାରିଖ ମଧ୍ୟରେ ନିଜର ନିୟମିତ ରାଉରକେଲା-ଟାଟାନଗର-ଭଦ୍ରକ ମାର୍ଗ ବଦଳରେ ସମ୍ବଲପୁର ସିଟି ଓ ଅନୁଗୋଳ ଦେଇ କଟକ ପର୍ଯ୍ୟନ୍ତ ଚଳାଚଳ କରିବ। ସେହିପରି ଭୁବନେଶ୍ୱର-ଆନନ୍ଦ ବିହାର ସୁପରଫାଷ୍ଟ ଏକ୍ସପ୍ରେସ୍ (୨୨୮୦୫) ଡିସେମ୍ବର ୧୨ ତାରିଖରେ ଏବଂ ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ୍ (୨୦୮୧୮) ଡିସେମ୍ବର ୬ ଓ ୧୩ ତାରିଖରେ ଝାରସୁଗୁଡ଼ା ଓ ରାଉରକେଲା ପରିବର୍ତ୍ତେ ଭଦ୍ରକ, ହିଜଲି, ମିଦନାପୁର, ଆଦ୍ରା ଓ ଗୋମୋ ମାର୍ଗ ଦେଇ ଯାତାୟାତ କରିବ। ଆନନ୍ଦ ବିହାର-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ୍ (୨୨୮୦୬) ମଧ୍ୟ ଡିସେମ୍ବର ୧୪ ଓ ୨୧ ତାରିଖରେ ଏହି ସମାନ ପରିବର୍ତ୍ତିତ ମାର୍ଗରେ ଚାଲିବ।

​ଅନ୍ୟପକ୍ଷରେ, କେତେକ ଟ୍ରେନ୍‌ର ଯାତ୍ରାପଥକୁ ଆଂଶିକ ଭାବେ ସୀମିତ କରାଯାଇଛି। ପୁରୀ-ରାଉରକେଲା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ୍ (୨୦୮୩୬/୨୦୮୩୫) ଡିସେମ୍ବର ୭, ୯, ୧୧, ୧୨, ୧୩, ୧୪ ଏବଂ ୧୬ ତାରିଖରେ ରାଉରକେଲା ପର୍ଯ୍ୟନ୍ତ ନଯାଇ ସମ୍ବଲପୁର ସିଟି ଷ୍ଟେସନରେ ହିଁ ଶେଷ ହେବ ଏବଂ ସେଠାରୁ ହିଁ ପୁରୀ ଅଭିମୁଖେ ଫେରିବ, ଅର୍ଥାତ୍ ଏହି ଦିନଗୁଡ଼ିକରେ ସମ୍ବଲପୁର ସିଟିରୁ ରାଉରକେଲା ମଧ୍ୟରେ ବନ୍ଦେ ଭାରତ ସେବା ବନ୍ଦ ରହିବ। ସେହିଭଳି ଗୋରଖପୁର-ସମ୍ବଲପୁର ମୌର୍ଯ୍ୟ ଏକ୍ସପ୍ରେସ୍ (୧୫୦୨୮/୧୫୦୨୭) ନଭେମ୍ବର ୩୦ରୁ ଡିସେମ୍ବର ୧୬ ମଧ୍ୟରେ ବିଭିନ୍ନ ତାରିଖରେ ସମ୍ବଲପୁର ପରିବର୍ତ୍ତେ ହାଟିଆ ପର୍ଯ୍ୟନ୍ତ ଯାତାୟାତ କରିବ ଏବଂ ହାଟିଆରୁ ସମ୍ବଲପୁର ମଧ୍ୟରେ ଏହାର ସେବା ବାତିଲ୍ ରହିବ।

​ରେଳପଥର ଏହି ଆଧୁନିକୀକରଣ କାର୍ଯ୍ୟ ଭବିଷ୍ୟତରେ ଟ୍ରେନ୍ ଚଳାଚଳକୁ ଅଧିକ ସୁରକ୍ଷିତ ଓ ତ୍ୱରାନ୍ୱିତ କରିବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି। ତେବେ ସାମୟିକ ଅସୁବିଧାକୁ ଏଡ଼ାଇବା ପାଇଁ ଯାତ୍ରୀମାନେ ଯାତ୍ରା କରିବା ପୂର୍ବରୁ ନ୍ୟାସନାଲ୍ ଟ୍ରେନ୍ ଏନକ୍ୱାରୀ ସିଷ୍ଟମ୍ (NTES) କିମ୍ବା ରେଳବାଇର ଅଫିସିଆଲ୍ ହେଲ୍ପଲାଇନ୍ ମାଧ୍ୟମରେ ଟ୍ରେନ୍‌ର ସଠିକ୍ ସମୟ ଓ ମାର୍ଗ ଯାଞ୍ଚ କରିନେବାକୁ କର୍ତ୍ତୃପକ୍ଷ ଅନୁରୋଧ କରିଛନ୍ତି।

Leave a Reply

Your email address will not be published. Required fields are marked *