ରବିବାର ଦିନ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାଧାରଣ ଲୋକଙ୍କ ସହିତ ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୪୦ତମ ସଂସ୍କରଣ ଶୁଣିବା ପରେ ଯୁବପିଢ଼ିଙ୍କୁ ନିଶାସକ୍ତ ଦ୍ରବ୍ୟଠାରୁ ଦୂରେଇ ରଖିବା, ଡିଜିଟାଲ୍ ସୁରକ୍ଷାକୁ ସୁଦୃଢ଼ କରିବା ଏବଂ ନୂତନ ପ୍ରଯୁକ୍ତିବିଦ୍ୟାକୁ ଆପଣେଇବା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାର୍ତ୍ତାକୁ ଗୁରୁତ୍ୱାରୋପ କରିଛନ୍ତି।

ଚନ୍ଦ୍ରଶେଖରପୁରସ୍ଥିତ କ୍ଲବ୍ ଟାଉନ୍ ଗ୍ରାଉଣ୍ଡ୍‌ରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା, ଯେଉଁଠାରେ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ମାସିକ ରେଡିଓ ପ୍ରସାରଣ ଶୁଣିବା ପାଇଁ ସ୍ଥାନୀୟ ବାସିନ୍ଦାଙ୍କ ସହିତ ସାମିଲ ହୋଇଥିଲେ।

କାର୍ଯ୍ୟକ୍ରମ ଶେଷ ହେବା ପରେ ମୁଖ୍ୟମନ୍ତ୍ରୀ ନିଜର ‘X’ ମାଧ୍ୟମରେ ବର୍ତ୍ତମାନର ଯୁବପିଢ଼ିଙ୍କ ଭବିଷ୍ୟତକୁ ନେଇ ଗଭୀର ଚିନ୍ତା ଓ ଆଶା ପ୍ରକାଶ କରିଥିଲେ । ନିଶାସକ୍ତ ଦ୍ରବ୍ୟର ଅନ୍ଧକାର ଗଳିରୁ ଯୁବ ସମାଜକୁ ଦୂରେଇ ରଖିବାର ଆବଶ୍ୟକତା ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ଆଜିର ଯୁବକମାନେ କେବଳ ନିଜ କ୍ୟାରିୟର ନୁହେଁ, ବରଂ ସମାଜର ସୁରକ୍ଷା କବଚ ପାଲଟିବା ଉଚିତ ବୋଲି ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାକୁ ସେ ଆଗକୁ ବଢ଼ାଇଛନ୍ତି।

ଅନ୍ୟପକ୍ଷରେ, ବଦଳୁଥିବା ସମୟ ସହିତ ତାଳ ମିଳାଇ ଡିଜିଟାଲ୍ ସୁରକ୍ଷାକୁ ମଜଭୁତ କରିବା ଉପରେ ବିଶେଷ ଜୋର ଦିଆଯାଇଛି। ସାଇବର ଯୁଗରେ ‘ସଞ୍ଚାର ସାଥୀ’ ଭଳି ପଦକ୍ଷେପ ଜରିଆରେ ସଚେତନତା ସୃଷ୍ଟି କରିବା କେବଳ ଏକ ସରକାରୀ ଯୋଜନା ନୁହେଁ, ବରଂ ପ୍ରତ୍ୟେକ ନାଗରିକଙ୍କ ସୁରକ୍ଷିତ ଡିଜିଟାଲ୍ ଯାତ୍ରାର ମାଧ୍ୟମ। ଏହା ସହିତ ଶିକ୍ଷା ଓ ଦକ୍ଷତା ବିକାଶ ଜରିଆରେ କୃତ୍ରିମ ବୁଦ୍ଧିମତ୍ତା ବା AI ଭଳି ଆଧୁନିକ ପ୍ରଯୁକ୍ତିବିଦ୍ୟାକୁ ଆପଣେଇବା ପାଇଁ ଯୁବପିଢ଼ିଙ୍କୁ ପ୍ରସ୍ତୁତ ହେବାକୁ ପଡ଼ିବ ବୋଲି ମୁଖ୍ୟମନ୍ତ୍ରୀ ମତ ଦେଇଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ଏହି ମାର୍ଗଦର୍ଶନ କେବଳ ଶବ୍ଦରେ ସୀମିତ ନରହି, କାର୍ଯ୍ୟରେ ରୂପାନ୍ତରିତ ହେବ ବୋଲି ମାଝୀ ଦୃଢ଼ ବିଶ୍ୱାସ ପୋଷଣ କରିଛନ୍ତି। ତାଙ୍କ ମତରେ, ଦେଶ ଗଠନର ବଡ଼ ସ୍ୱପ୍ନ ସେତେବେଳେ ସାକାର ହେବ, ଯେତେବେଳେ ପ୍ରତ୍ୟେକ ନାଗରିକ ନିଜ ନିଜ ସ୍ଥାନରୁ ଆଗେଇ ଆସିବେ। ବିଶେଷ କରି ‘ସମୃଦ୍ଧ ଓଡ଼ିଶା’ ଗଠନର ଲକ୍ଷ୍ୟ ହାସଲ ପାଇଁ ଯୁବଶକ୍ତିର ସକାରାତ୍ମକ ପଦକ୍ଷେପ ସବୁଠାରୁ ବଡ଼ ସମ୍ବଳ। ସାମାଜିକ, ବିକାଶମୂଳକ ଏବଂ ଜାତୀୟ ପ୍ରସଙ୍ଗକୁ ନେଇ ‘ମନ୍ କି ବାତ୍’ ଯେଉଁ ସଂଳାପ ସୃଷ୍ଟି କରୁଛି, ତାହା ଓଡ଼ିଶାର ବିକାଶ ଯାତ୍ରାକୁ ଆହୁରି ଗତିଶୀଳ କରିବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *