ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଯାଜପୁର ଜିଲ୍ଲା ଧର୍ମଶାଳାର ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ (ABEO) ଜୟଦେବ ଜେନାଙ୍କ ଉପରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ସୋମବାର ସକାଳୁ ଏକାସାଙ୍ଗରେ ୭ଟି ଭିନ୍ନ ଭିନ୍ନ ସ୍ଥାନରେ ଏହି ଚଢ଼ାଉ ପ୍ରକ୍ରିୟା ଜାରି ରହିଛି।

ଭୁବନେଶ୍ୱର, ଗଞ୍ଜାମ ଏବଂ ଯାଜପୁର ଜିଲ୍ଲାରେ ବ୍ୟାପିଥିବା ଏହି ୭ଟି ସ୍ଥାନ ମଧ୍ୟରେ ଭୁବନେଶ୍ୱର ପାତ୍ରପଡ଼ାସ୍ଥିତ ତିନି ମହଲା କୋଠା, ଗଞ୍ଜାମ ପି. ନୂଆଗାଁର ଦୁଇଟି ଅଲଗା ଅଲଗା କୋଠା, ଗଞ୍ଜାମ ବୁରୁଝରି ଓ ଭୁବନେଶ୍ୱର ଖଣ୍ଡଗିରିସ୍ଥିତ ଜନନୀ ବିହାରରେ ଥିବା ସମ୍ପର୍କୀୟଙ୍କ ଘର, ଯାଜପୁର ଜାରକାରେ ଥିବା ତାଙ୍କ ଭଡ଼ା ଘର ଏବଂ ନିଜ କାର୍ଯ୍ୟାଳୟ ଚାମ୍ବର ପ୍ରମୁଖ ସାମିଲ ରହିଛି। ସମସ୍ତ ସ୍ଥାନରେ ଯାଞ୍ଚ ପ୍ରକ୍ରିୟା ବର୍ତ୍ତମାନ ସୁଦ୍ଧା ଜାରି ରହିଥିବା ବେଳେ ବ୍ୟାପକ ସମ୍ପତ୍ତିର ଆକଳନ ସମ୍ପର୍କିତ ଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି।

ବ୍ରହ୍ମପୁର ବିଶେଷ ଭିଜିଲାନ୍ସ ବିଚାରପତିଙ୍କ ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ଆଧାରରେ ଏହି ଯାଞ୍ଚ କରାଯାଉଛି। ଏହି ଅପରେସନରେ ୩ ଜଣ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ୪ ଜଣ ଡେପୁଟି ଆରକ୍ଷୀ ଅଧୀକ୍ଷକ, ୯ ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ କର୍ମଚାରୀ ସାମିଲ ଅଛନ୍ତି।

Leave a Reply

Your email address will not be published. Required fields are marked *