ଶୀତର ଆଗମନ ସହ ରାଜଧାନୀ ଭୁବନେଶ୍ୱରରେ ହଠାତ୍ ଥଣ୍ଡା ବଢ଼ିଯାଇଛି। ଭାରତୀୟ ପାଣିପାଗ ବିଭାଗ (IMD) ତଥ୍ୟ ଅନୁସାରେ, ମାତ୍ର ତିନି ଦିନ ଭିତରେ ସହରର ତାପମାତ୍ରା ୭.୬°C ତଳକୁ ଖସିଆସିଛି।

ପାଣିପାଗ ବିଭାଗର ସୂଚନା ମୁତାବକ, ଆଜି ସକାଳ ୫ଟା ୩୦ ସୁଦ୍ଧା ଭୁବନେଶ୍ୱରରେ ସର୍ବନିମ୍ନ ତାପମାତ୍ରା ୧୭.୪°C ରେକର୍ଡ କରାଯାଇଛି। ଗତ କିଛି ଦିନ ଧରି ତାପମାତ୍ରା କ୍ରମାଗତ ଭାବେ କମୁଥିବା ଦେଖିବାକୁ ମିଳିଛି; ନଭେମ୍ବର ୨୪ରେ ଏହା ୨୫°C ଥିବା ବେଳେ, ୨୫ ତାରିଖରେ ୨୨.୨°C ଏବଂ ୨୬ ତାରିଖରେ ୨୧.୨°c ଥିଲା।

ଆଗାମୀ ତିନି ଦିନ ପାଇଁ ରାଜ୍ୟବାସୀଙ୍କୁ ଆହୁରି ଶୀତର ସାମ୍ନା କରିବାକୁ ପଡ଼ିପାରେ। ସମଗ୍ର ଓଡ଼ିଶାରେ ରାତିର ତାପମାତ୍ରାରେ ଆଉ ୨ ରୁ ୫°c ପର୍ଯ୍ୟନ୍ତ ହ୍ରାସ ପାଇବାର ସମ୍ଭାବନା ରହିଛି, ତେବେ ଏହାପରେ ପାଗରେ ବିଶେଷ ବଦଳ ହେବାର ନାହିଁ ବୋଲି IMD ଆକଳନ କରିଛି। ଏଥିସହ ଭୁବନେଶ୍ୱର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ମଧ୍ୟମ ଧରଣର କୁହୁଡ଼ି ଦେଖାଦେଇପାରେ।

ଅଚାନକ ପାରଦ ଖସିଯିବା ଫଳରେ ଭୋର୍ ଓ ସକାଳ ସମୟରେ ରାଜଧାନୀବାସୀ ଥଣ୍ଡା ଅନୁଭବ କରୁଛନ୍ତି। ଘରୁ ବାହାରିବା ବେଳେ ଲୋକେ ଗରମ ପୋଷାକ ଓ ହାଲୁକା କମ୍ବଳର ସାହାରା ନେଉଛନ୍ତି। ଶୀତୁଆ ପବନ ବହୁଥିବାରୁ ସକାଳୁ ମର୍ଣ୍ଣିଂ ୱାକରେ ଯାଉଥିବା ଲୋକ ଏବଂ ବାଇକ୍ ଚାଳକମାନେ ଥଣ୍ଡାର ପ୍ରଭାବକୁ ସବୁଠାରୁ ଅଧିକ ଟେର୍ ପାଉଛନ୍ତି।

Leave a Reply

Your email address will not be published. Required fields are marked *