ଐତିହାସିକ କଟକ ବାଲିଯାତ୍ରାର ତୃତୀୟ ସନ୍ଧ୍ୟାରେ ଏକ ଅତ୍ୟନ୍ତ ଦୁଃଖଦ ଓ ମର୍ମନ୍ତୁଦ ଘଟଣା ଘଟିଛି। ଗୁରୁବାର ରାତିରେ ତଳ ପଡ଼ିଆରେ ଲାଗିଥିବା ଏକ ବଡ଼ ଦୋଳିରୁ ଖସି ପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। କଟକ ଇନ୍ କଟକ ନିକଟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ମୁତାବକ, ଗତକାଲି ରାତିରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ଏହାରି ମଧ୍ୟରେ ଜଣେ ଯୁବକ ବଡ଼ ଦୋଳିରୁ ଖସିପଡ଼ିଥିଲେ। ଘଟଣାସ୍ଥଳରେ ଉପସ୍ଥିତ ଲୋକ ଓ ଉଦ୍ଧାରକାରୀ ଦଳ ତାଙ୍କୁ ତୁରନ୍ତ ଉଦ୍ଧାର କରି ମେଳା ପଡ଼ିଆ ଭିତରେ ପ୍ରାଥମିକ ଚିକିତ୍ସା ଯୋଗାଇ ଦେଇଥିଲେ। ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଶୀଘ୍ର ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲକୁ ନିଆଯାଇଥିଲା, କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ଯୁବକଙ୍କ ପରିଚୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ। ଏହି ଘଟଣାକୁ ଗମ୍ଭୀରତାର ସହ ନେଇ କମିଶନରେଟ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି। ଦୋଳିଟିର ଫିଟନେସ୍ ସାର୍ଟିଫିକେଟ୍ ଓ ଅନ୍ୟାନ୍ୟ ସୁରକ୍ଷା ସମ୍ବନ୍ଧୀୟ କାଗଜପତ୍ର ଯାଞ୍ଚ କରିବା ପାଇଁ ପୋଲିସ ଦାବି କରିଛି। ଏହାସହ ଦୋଳି ପରିଚାଳନାରେ କୌଣସି ତ୍ରୁଟି ଥିଲା କି ନାହିଁ ଏବଂ ଯୁବକଜଣକ କିପରି ଖସି ପଡ଼ିଲେ, ସେ ଦିଗରେ ପୋଲିସ ଛାନଭିନ୍ ଚଳାଇଛି। ଉଲ୍ଲେଖଯୋଗ୍ୟ ଯେ, ଅଳ୍ପ ଦିନ ମଧ୍ୟରେ ବାଲିଯାତ୍ରା ତଳ ପଡ଼ିଆ ଅଞ୍ଚଳରେ ଏହା ଦ୍ୱିତୀୟ ମୃତ୍ୟୁଜନିତ ଘଟଣା। ପୂର୍ବରୁ ନଭେମ୍ବର ୨୫ ତାରିଖରେ ମେଳା ପଡ଼ିଆ ନିକଟ ମହାନଦୀରେ ବୁଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା। ଲଗାତାର ଏଭଳି ଅଘଟଣ ଘଟୁଥିବାରୁ ବାଲିଯାତ୍ରାରେ ଦର୍ଶନାର୍ଥୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଓ ଚିନ୍ତା ପ୍ରକାଶ ପାଇଛି। Post navigation Samvidhan Gaurav Diwas: ସମ୍ବିଧାନ ଗୌରବ ଦିବସ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ; ସମ୍ବିଧାନର ମୂଲ୍ୟବୋଧ ଓ ଗଣତାନ୍ତ୍ରିକ ଅନୁଷ୍ଠାନର ସୁରକ୍ଷା ସର୍ବୋଚ୍ଚ କର୍ତ୍ତବ୍ୟ