‘ସମୃଦ୍ଧ ଓଡ଼ିଶା ୨୦୩୬’ର ସ୍ୱପ୍ନକୁ ସାକାର କରିବା ଦିଗରେ ରାଜ୍ୟ ସରକାର ଆଉ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ରାଜ୍ୟରେ ଶିଳ୍ପ ଅଭିବୃଦ୍ଧି ଓ ନିଯୁକ୍ତି ସୃଷ୍ଟିକୁ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ ଗୁରୁବାର ଅନୁଷ୍ଠିତ ୧୫୨ତମ ରାଜ୍ୟସ୍ତରୀୟ ଏକକ ବାତାୟନ ଅନୁମୋଦନ କର୍ତ୍ତୃପକ୍ଷ (SLSWCA) ବୈଠକରେ ମୋଟ ୧୯ଟି ଗୁରୁତ୍ୱପୂର୍ଣ୍ଣ ନିବେଶ ପ୍ରସ୍ତାବ ଉପରେ ମୋହର ବାଜିଛି।

ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମଞ୍ଜୁରୀ ପାଇଥିବା ପ୍ରକଳ୍ପଗୁଡ଼ିକ ମାଧ୍ୟମରେ ରାଜ୍ୟକୁ ୩,୮୧୦.୨୫ କୋଟି ଟଙ୍କାର ପୁଞ୍ଜି ନିବେଶ ଆସିବା ସହ ୧୦ଟି ଜିଲ୍ଲାରେ ପ୍ରାୟ ୧୧,୨୫୧ ଜଣଙ୍କ ପାଇଁ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

ଅନୁମୋଦିତ ପ୍ରକଳ୍ପଗୁଡ଼ିକ ପର୍ଯ୍ୟଟନ, ବୟନ ଓ ପୋଷାକ, ଶକ୍ତି ଓ ଅକ୍ଷୟ ଶକ୍ତି, ଇସ୍ପାତ, ଧାତବ ଅନୁଷଙ୍ଗିକ ଶିଳ୍ପ, ସ୍ୱାସ୍ଥ୍ୟସେବା, ଔଷଧ, ପ୍ଲାଷ୍ଟିକ, ରାସାୟନିକ ଏବଂ ସବୁଜ ଶକ୍ତି ଉପକରଣ ଆଦି କ୍ଷେତ୍ରକୁ ବ୍ୟାପିଛି।

ବିଶେଷ କରି ବୟନ ଓ ପୋଷାକ ଶିଳ୍ପ ରାଜ୍ୟରେ ସର୍ବାଧିକ ରୋଜଗାର ଯୋଗାଇବାର ମାଧ୍ୟମ ସାଜିବାକୁ ଯାଉଛି। ଖୋର୍ଦ୍ଧା ଜିଲ୍ଲାରେ ‘ବଡିକେୟାର କ୍ରିଏସନ୍ସ ଲିମିଟେଡ୍’ ପକ୍ଷରୁ ୨୨୫ କୋଟି ଟଙ୍କା ବ୍ୟୟରେ ଏକ ବିଶାଳ ପୋଷାକ ନିର୍ମାଣ ୟୁନିଟ୍ ସ୍ଥାପନ କରାଯିବ, ଯେଉଁଠାରେ ବାର୍ଷିକ ୬୬ ନିୟୁତ ଖଣ୍ଡ ପୋଷାକ ଉତ୍ପାଦନ ହେବା ସହ ଏକାକୀ ୫,୫୦୦ ଲୋକଙ୍କୁ ନିଯୁକ୍ତି ମିଳିବ।

ସେହିପରି ଶକ୍ତି ଓ ଅକ୍ଷୟ ଶକ୍ତି କ୍ଷେତ୍ରରେ ସର୍ବାଧିକ ୧,୩୯୫.୭୦ କୋଟି ଟଙ୍କାର ନିବେଶ ଆସିଛି। ଏଥିରେ ସୁନ୍ଦରଗଡ଼ଠାରେ ‘ଶ୍ରୀ ମହାବୀର ଫେରୋ ଆଲଏଜ୍’ ପକ୍ଷରୁ ୯୧୨.୮୦ କୋଟି ଟଙ୍କାରେ ୧୩୫ ମେଗାୱାଟ୍ ବିଶିଷ୍ଟ ତାପଜ ବିଦ୍ୟୁତ୍ ପ୍ରକଳ୍ପ ଏବଂ କଟକରେ ‘ମାଦୁର୍ଗା ଥର୍ମାଲ୍ ପାୱାର’ ପକ୍ଷରୁ ୪୮୨.୯୦ କୋଟି ଟଙ୍କା ବ୍ୟୟରେ ନିଜ ପ୍ରକଳ୍ପର କ୍ଷମତା ୬୦ ମେଗାୱାଟରୁ ୧୨୦ ମେଗାୱାଟକୁ ବୃଦ୍ଧି କରିବାର ପ୍ରସ୍ତାବ ରହିଛି, ଯାହାଦ୍ୱାରା ୧,୨୨୫ ଜଣ ରୋଜଗାର ପାଇବେ।

ରାଜ୍ୟର ପର୍ଯ୍ୟଟନ ମାନଚିତ୍ରକୁ ନୂଆ ରୂପ ଦେବା ପାଇଁ ସରକାର ୬୦୭ କୋଟି ଟଙ୍କାର ୭ଟି ଆତିଥ୍ୟ ପ୍ରକଳ୍ପକୁ ସ୍ୱୀକୃତି ଦେଇଛନ୍ତି, ଯାହା ୧,୫୦୦ ନିଯୁକ୍ତି ସୃଷ୍ଟି କରିବ। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର କୋରାପୁଟ ଜିଲ୍ଲାକୁ ସର୍ବାଧିକ ୩ଟି ବିଳାସପୂର୍ଣ୍ଣ ରିସୋର୍ଟ ପ୍ରକଳ୍ପ ମିଳିଛି। ସଚେତି ହସ୍ପିଟାଲିଟି ପକ୍ଷରୁ ୧୨୧ କୋଟି ଟଙ୍କାରେ ଏକ ଫାଇଭ୍-ଷ୍ଟାର ରିସୋର୍ଟ, ଟିଭିଆର୍ ଇଷ୍ଟେଟ୍ସ ପକ୍ଷରୁ ୧୦୪ କୋଟି ଟଙ୍କାରେ ଫୋର୍-ଷ୍ଟାର ଇକୋ-ରିସୋର୍ଟ ଓ ୱେଲନେସ୍ ସେଣ୍ଟର ଏବଂ ନୀଳାଦ୍ରି ହୋଟେଲ୍ସ ପକ୍ଷରୁ ୭୨ କୋଟି ଟଙ୍କାରେ ଆଉ ଏକ ଫୋର୍-ଷ୍ଟାର ୱେଲନେସ୍ ରିସୋର୍ଟ ନିର୍ମାଣ କରାଯିବ। ଏହାବ୍ୟତୀତ କଟକରେ ନିଖିଲ ଆସୋସିଏଟ୍ସ ୮୨ କୋଟି ଓ ଝାରସୁଗୁଡ଼ାରେ ଆଲଟୋନ୍ ରିସୋର୍ସେସ୍ ୮୦ କୋଟି ପକ୍ଷରୁ ଫୋର୍-ଷ୍ଟାର ହୋଟେଲ ଓ ରିସୋର୍ଟ ନିର୍ମାଣ ହେବାକୁ ଥିବାବେଳେ ବାଲେଶ୍ୱରରେ ପଦ୍ମାବତୀ ଆମ୍ୟୁଜମେଣ୍ଟ ପାର୍କର ସମ୍ପ୍ରସାରଣ ୭୮ କୋଟି ଏବଂ ହାଇଲ୍ୟାଣ୍ଡ ହୋଟେଲ୍ସ ପକ୍ଷରୁ ୭୦ କୋଟି ଟଙ୍କାରେ ଏକ ଫୋର୍-ଷ୍ଟାର ହୋଟେଲ ପ୍ରତିଷ୍ଠା ହେବ।

ଇସ୍ପାତ ଓ ଧାତବ ଅନୁଷଙ୍ଗିକ ଶିଳ୍ପ କ୍ଷେତ୍ରରେ ମଧ୍ୟ ରାଜ୍ୟକୁ ବଡ଼ ସଫଳତା ମିଳିଛି। ୫୨୫.୧୧ କୋଟି ଟଙ୍କାର ୩ଟି ପ୍ରକଳ୍ପ ମାଧ୍ୟମରେ ୯୩୯ ଜଣଙ୍କୁ ନିଯୁକ୍ତି ମିଳିବ। ସୁନ୍ଦରଗଡ଼ରେ ରତ୍ନମଣି ମେଟାଲ୍ସ ଆଣ୍ଡ ଟ୍ୟୁବ୍ସ ୨୫୦ କୋଟି ଟଙ୍କାରେ କାର୍ବନ ଷ୍ଟିଲ୍ ପାଇପ୍ ଓ ବୈଦ ଇଞ୍ଜିନିୟର୍ସ ୫୭.୪୪ କୋଟି ଟଙ୍କାରେ ହେଭି ଷ୍ଟିଲ୍ ଫାବ୍ରିକେସନ୍ ୟୁନିଟ୍ ସ୍ଥାପନ କରିବେ। ସେହିପରି ଗଞ୍ଜାମରେ କ୍ୱାଲଭିଅନ୍ ସିଷ୍ଟମ୍ସ ୨୧୭.୬୭ କୋଟି ଟଙ୍କାରେ ଷ୍ଟ୍ରକଚରାଲ୍ ଷ୍ଟିଲ୍ ଫାବ୍ରିକେସନ୍ କାରଖାନା ବସାଇବ। ଅନ୍ୟପଟେ କେନ୍ଦୁଝର ଜିଲ୍ଲାରେ କ୍ରାକର୍ସ ଇଣ୍ଡିଆ (ଆଲଏଜ୍) ଲିମିଟେଡ୍ ପକ୍ଷରୁ ୪୫୦ କୋଟି ଟଙ୍କା ବ୍ୟୟରେ ଏକ ସମନ୍ୱିତ ଇସ୍ପାତ ପ୍ଲାଣ୍ଟ ପ୍ରତିଷ୍ଠା ହେବାକୁ ଯାଉଛି, ଯେଉଁଥିରେ ୨୭୫ ଜଣଙ୍କୁ କର୍ମସଂସ୍ଥାନ ମିଳିବ।

ସ୍ୱାସ୍ଥ୍ୟସେବା ଓ ପରିବେଶ ଅନୁକୂଳ ପ୍ରକଳ୍ପଗୁଡ଼ିକୁ ମଧ୍ୟ ବୈଠକରେ ବିଶେଷ ପ୍ରାଧାନ୍ୟ ଦିଆଯାଇଛି। ଶିଳ୍ପ ନଗରୀ ଝାରସୁଗୁଡ଼ାରେ ଲୋକଙ୍କୁ ଉନ୍ନତ ଚିକିତ୍ସା ଯୋଗାଇବା ପାଇଁ ବେଦାନ୍ତ ଆଲୁମିନିୟମ୍ ମେଟାଲ୍ ଲିମିଟେଡ୍ ୩୧୧.୫୨ କୋଟି ଟଙ୍କା ବ୍ୟୟରେ ଏକ ୨୦୦ ଶଯ୍ୟା ବିଶିଷ୍ଟ ମଲ୍ଟିସ୍ପେଶିଆଲିଟି ହସ୍ପିଟାଲ ନିର୍ମାଣ କରିବ, ଯାହା ୭୧୦ ଜଣଙ୍କୁ ନିଯୁକ୍ତି ଦେବ। ଖୋର୍ଦ୍ଧାରେ ପେଣ୍ଟାୱାନ୍ ଲାଇଫ୍‌କେୟାର ୬୨.୪୧ କୋଟି ଟଙ୍କାରେ ସ୍ୱାସ୍ଥ୍ୟ ସାମଗ୍ରୀ ଉତ୍ପାଦନ କେନ୍ଦ୍ର ଖୋଲିବ। ସବୁଜ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ କେନ୍ଦ୍ରାପଡ଼ା ଜିଲ୍ଲାରେ ଇଭି ଇନୋଭେଜିକ୍ ଇଣ୍ଡିଆ ୫୨ କୋଟି ଟଙ୍କାରେ ସୌରଶକ୍ତି ଚାଳିତ ଇଲେକ୍ଟ୍ରିକ୍ ବୋଟ୍ ନିର୍ମାଣ କାରଖାନା (୧୦୦ ନିଯୁକ୍ତି) ଏବଂ ସୁନ୍ଦରଗଡ଼ରେ ନେଟ୍ ଜିରୋ ରିନ୍ୟୁଏବଲ୍ସ ୧୧୬.୪୯ କୋଟି ଟଙ୍କାରେ ରିସାଇକ୍ଲିଂ ୟୁନିଟ୍ (୩୮୦ ନିଯୁକ୍ତି) ସ୍ଥାପନ କରିବେ। ଏହାସହ ଜଗତସିଂହପୁରରେ ଏନର୍ଗନ୍ ପଲିମାଟିକ୍ ପକ୍ଷରୁ ୬୫.୦୨ କୋଟି ଟଙ୍କାରେ ପଲିପ୍ରୋପିଲିନ୍ ବ୍ୟାଗ୍ ନିର୍ମାଣ ୟୁନିଟ୍ ପ୍ରତିଷ୍ଠା ହେବ, ଯାହା ୧୭୦ ଜଣଙ୍କୁ ରୋଜଗାର ଦେବ।

ବାଲେଶ୍ୱର, କଟକ, ଗଞ୍ଜାମ, ଜଗତସିଂହପୁର, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, କୋରାପୁଟ ଏବଂ ସୁନ୍ଦରଗଡ଼ ଭଳି ୧୦ଟି ଜିଲ୍ଲାରେ ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେବା ଦ୍ୱାରା ରାଜ୍ୟରେ ସନ୍ତୁଳିତ ଆଞ୍ଚଳିକ ବିକାଶ ସମ୍ଭବ ହୋଇପାରିବ। କେବଳ ଅନୁମୋଦନରେ ସୀମିତ ନରହି ପ୍ରକଳ୍ପଗୁଡ଼ିକୁ ତୁରନ୍ତ ବାସ୍ତବ ରୂପ ଦେବା ସହ ସ୍ଥାନୀୟ ଶିଳ୍ପ ପରିବେଶକୁ ସୁଦୃଢ଼ କରିବାକୁ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପର୍ଯ୍ୟଟନ କ୍ଷେତ୍ରରେ ଅଧିକରୁ ଅଧିକ ପରୋକ୍ଷ ନିଯୁକ୍ତି ସୃଷ୍ଟି କରିବା ଏବଂ ୨୦୩୬ ସୁଦ୍ଧା ଓଡ଼ିଶାକୁ ଏକ ଅଗ୍ରଣୀ ଶିଳ୍ପ ସମୃଦ୍ଧ ରାଜ୍ୟରେ ପରିଣତ କରିବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସେ ପ୍ରକାଶ କରିଛନ୍ତି।

 

 

 

 

Leave a Reply

Your email address will not be published. Required fields are marked *