ଐତିହାସିକ କଟକ ବାଲିଯାତ୍ରାରେ ଦୋଳି ଖେଳ ଉପରୁ କଟକଣା ହଟାଇଛି ପ୍ରଶାସନ। ତେବେ ପୂର୍ବରୁ ଅଘଟଣ ଘଟିଥିବା ନିର୍ଦ୍ଦିଷ୍ଟ ଦୋଳିର ଲାଇସେନ୍ସକୁ ବାତିଲ କରାଯାଇଥିବା ନେଇ ଡିସିପିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟ ଦୋଳିଗୁଡ଼ିକ କଡ଼ା ନିରାପତ୍ତା ଓ ଏସ୍‌ଓପି ଅନୁଯାୟୀ ଚାଲିବ ବୋଲି ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

ସୂଚନାଯୋଗ୍ୟ ଯେ, ବାଲିଯାତ୍ରାରେ ଦୋଳି ଅଘଟଣରେ ଜଣଙ୍କର ମୃତ୍ୟୁ ହେବା ପରେ ପୋଲିସ ପକ୍ଷରୁ ସୁରକ୍ଷା ଦୃଷ୍ଟିରୁ ଦୋଳି ଚଳାଚଳ ବନ୍ଦ କରାଯାଇଥିଲା।

ଏହି ପ୍ରସଙ୍ଗରେ ବ୍ୟବସାୟୀମାନେ କଟକ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ (ADM)ଙ୍କ ସହ ଆଲୋଚନା କରିଥିଲେ। ଦୀର୍ଘ ସମୟର ଆଲୋଚନା ପରେ ପ୍ରଶାସନ ପକ୍ଷରୁ ଦୋଳି ଚଳାଚଳ ପାଇଁ ଅନୁମତି ଦିଆଯାଇଛି। ତେବେ, କଡ଼ା ସୁରକ୍ଷା ଏବଂ ଫିଟନେସ୍ ଯାଞ୍ଚ ପରେ ହିଁ ଲୋକଙ୍କୁ ଦୋଳିରେ ଚଢ଼ିବାକୁ ଦିଆଯିବ ବୋଲି ପ୍ରଶାସନ ପକ୍ଷରୁ ସର୍ତ୍ତ ରଖାଯାଇଛି।

ନୂଆ ବ୍ୟବସ୍ଥା ଅନୁଯାୟୀ, ପ୍ରତ୍ୟେକ ଦୋଳିର ସୁରକ୍ଷା ତଦାରଖ ପାଇଁ ଦୁଇ ଜଣ ଲେଖାଏଁ ଅତିରିକ୍ତ କର୍ମଚାରୀ ନିୟୋଜିତ ରହିବେ। ଏହା ସହିତ ଦର୍ଶକଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେଇ ମଦ୍ୟପ ଓ ଛୋଟ ପିଲାମାନଙ୍କୁ ଦୋଳି ଉପରକୁ ନ ଛାଡ଼ିବାକୁ ସ୍ପଷ୍ଟ ନିର୍ଦ୍ଦେଶ ଜାରି ହୋଇଛି। ସମସ୍ତ ଦୋଳି ସଂଚାଳକଙ୍କୁ ନିର୍ଦ୍ଧାରିତ ଏସ୍‌ଓପି ଓ ଅତିରିକ୍ତ ସୁରକ୍ଷା ମାନଦଣ୍ଡ କଡ଼ାକଡ଼ି ପାଳନ କରିବାକୁ ପଡ଼ିବ, ଯାହା ଦ୍ୱାରା ଭବିଷ୍ୟତରେ ଏଭଳି ଅଘଟଣର ପୁନରାବୃତ୍ତି ରୋକାଯାଇ ପାରିବ।

 

Leave a Reply

Your email address will not be published. Required fields are marked *