ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଅମୂଲ୍ୟ ସମ୍ପତ୍ତିର ସୁରକ୍ଷା ଦିଗରେ ଆଉ ଏକ ବଡ଼ ପଦକ୍ଷେପ ସ୍ୱରୂପ ପୁରୀ ଜିଲ୍ଲା ଦାମୋଦରପୁର ଶାସନ ମୌଜାର ୫୨.୨୨ ଏକର ଜମି ମହାପ୍ରଭୁଙ୍କ ନାମକୁ ଫେରିଛି, ଯାହାର ବଜାର ମୂଲ୍ୟ ପ୍ରାୟ ୨୫୦ କୋଟି ଟଙ୍କା ବୋଲି ଆକଳନ କରାଯାଇଛି। ଦୀର୍ଘ ଦଶନ୍ଧି ଧରି ରାଜସ୍ୱ ରେକର୍ଡରେ ରହିଥିବା ତ୍ରୁଟିକୁ ସଂଶୋଧନ କରାଯିବା ପରେ ଏହି ମୂଲ୍ୟବାନ ଭୂମି ପୁନର୍ବାର ଶ୍ରୀମନ୍ଦିର ଖାତାକୁ ପ୍ରତ୍ୟାବର୍ତ୍ତନ କରିଛି।

ମିଳିଥିବା ସୂଚନା ଅନୁଯାୟୀ, ୧୯୨୭ ମସିହାର ରାଜସ୍ୱ ରେକର୍ଡ ଆଧାରରେ ୫୨.୨୨୦ ଏକର ପରିମିତ ଏହି ଜମିର ମୋଟ ୪୭ଟି ପ୍ଲଟ୍ ମହନ୍ତଙ୍କ ନାମକୁ ସ୍ଥାନାନ୍ତର କରାଯାଇଥିଲା। ଏହି ଘଟଣାକୁ ନେଇ ଉଠିଥିବା ବିବାଦ ଓ ଆଇନଗତ ଦିଗର ସମୀକ୍ଷା ପରେ ଓଡ଼ିଶା ରାଜସ୍ୱ ପରିଷଦର ସଦସ୍ୟ ସତ୍ୟବ୍ରତ ସାହୁଙ୍କ ସକ୍ରିୟ ହସ୍ତକ୍ଷେପ ଓ ନିଷ୍ପତ୍ତି କ୍ରମେ ଉକ୍ତ ଜମିକୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ଫେରାଇ ଅଣାଯାଇଛି।

ଶ୍ରୀମନ୍ଦିରର ସ୍ଥାବର ସମ୍ପତ୍ତିକୁ ସୁରକ୍ଷିତ ରଖିବା ଏବଂ ଅନଧିକୃତ ବା ଭୁଲ ରେକର୍ଡ ବଳରେ ଅନ୍ୟ ନାମରେ ଥିବା ଜମିଗୁଡ଼ିକୁ ଠାବ କରି ଫେରାଇ ଆଣିବା ପ୍ରକ୍ରିୟାରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ଭାବେ ବିବେଚନା କରାଯାଉଛି। ସ୍ଥାନୀୟ ପ୍ରଶାସନ ଓ ରାଜସ୍ୱ ବିଭାଗର ଏହି ପଦକ୍ଷେପ ଦ୍ୱାରା ଭବିଷ୍ୟତରେ ଶ୍ରୀଜଗନ୍ନାଥଙ୍କ ସମ୍ପତ୍ତିର ପରିଚାଳନା ଓ ସଂରକ୍ଷଣ ଆହୁରି ସୁଦୃଢ଼ ହେବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *