ମହାପ୍ରଭୁ ଜଗନ୍ନାଥ, ମହାପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଚକ୍ରରାଜ ସୁଦର୍ଶନଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ୨୦୨୬ ଆଜି ପୁରୀରେ ଅତ୍ୟନ୍ତ ଭକ୍ତି, ଭାବ, ଉତ୍ସାହ ଓ ପ୍ରଶାସନିକ ସମନ୍ୱୟ ସହିତ ଅନୁଷ୍ଠିତ ହୋଇଯାଇଛି । ଦିନସାରା ଲଗାଣ ବର୍ଷା ଏବଂ ପ୍ରତିକୂଳ ପାଗ ସତ୍ତ୍ୱେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାରେ ରାଜ୍ୟ, ଦେଶ ଏବଂ ବିଦେଶରୁ ପ୍ରାୟ ୮ ରୁ ୯ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥିଲା । ରଥ ଟଣା ସମେତ ରଥଯାତ୍ରା ସହ ଜଡିତ ସମସ୍ତ ନୀତିକାନ୍ତି ସୁରୁଖୁରୁରେ ଅନୁଷ୍ଠିତ ହୋଇଛି ଏବଂ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ସମ୍ପନ୍ନ ହୋଇଛି । ଗୋବର୍ଦ୍ଧନ ପୀଠାଧୀଶ୍ୱର ଜଗଦଗୁରୁ ଶଙ୍କରାଚାର୍ଯ୍ୟ ମଧ୍ୟ ରଥ ନିକଟକୁ ଆସି ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ରାଜ୍ୟ ସରକାର ରଥଯାତ୍ରାର ସଫଳ ପରିଚାଳନା ପାଇଁ ବ୍ୟାପକ ଏବଂ ବହୁସ୍ତରୀୟ ବ୍ୟବସ୍ଥା କରିଥିଲେ । ପୋଲିସ, ସ୍ୱାସ୍ଥ୍ୟ, ଅଗ୍ନିଶମ ସେବା, ଓଡ଼୍ରାଫ୍, NDRF, ପରିବହନ, ପୌର ପ୍ରଶାସନ, ଜନସ୍ୱାସ୍ଥ୍ୟ, ଶକ୍ତି ଏବଂ ଅନ୍ୟାନ୍ୟ ବିଭାଗକୁ ସାମିଲ କରି ବ୍ୟାପକ ଯୋଜନା ପୂର୍ବରୁ ପ୍ରସ୍ତୁତ କରାଯାଇଥିଲା । ୨୪ ଘଣ୍ଟିଆ ପର୍ଯ୍ୟବେକ୍ଷଣ, ପର୍ଯ୍ୟାପ୍ତ ସୁରକ୍ଷା କର୍ମୀ ନିୟୋଜନ, ସିସିଟିଭି କଭରେଜ୍, ଘୋଷଣା ବ୍ୟବସ୍ଥା, ଟ୍ରାଫିକ୍ ନିୟନ୍ତ୍ରଣ, ପରିମଳ ବ୍ୟବସ୍ଥା, ପାନୀୟ ଜଳ ସୁବିଧା, ଜରୁରୀକାଳୀନ ଚିକିତ୍ସା ସହାୟତା ମାଧ୍ୟମରେ ଭକ୍ତମାନଙ୍କ ସୁରକ୍ଷିତ ଏବଂ ସୁବିଧାଜନକ ଦର୍ଶନକୁ ସୁବ୍ୟବସ୍ଥିତ କରାଯାଇଥିଲା । ଭକ୍ତଙ୍କ ବିପୁଳ ସମାଗମ ଓ ଲଗାଣ ବର୍ଷା ଯୋଗୁ କିଛି ସ୍ୱାସ୍ଥ୍ୟ ସମସ୍ୟା ନଜରକୁ ଆସିଥିଲା । ଏହି ସମୟରେ ୭ ଜଣ ବ୍ୟକ୍ତି ଅସୁସ୍ଥ ଅନୁଭବ କରିଥିଲେ ଏବଂ ସେମାନଙ୍କୁ ତୁରନ୍ତ ଡାକ୍ତରଖାନାକୁ ନିଆଯାଇଥିଲା । ସେମାନଙ୍କ ମଧ୍ୟରୁ ଜଣେ ୬୦ ବର୍ଷରୁ ଉର୍ଦ୍ଧ୍ୱ ବୟସର ପୁରୁଷ ଭକ୍ତ ଦୁର୍ଭାଗ୍ୟବଶତଃ ମୃତ୍ୟୁବରଣ କରିଛନ୍ତି ତେବେ ମୃତ୍ୟୁର ସଠିକ୍ କାରଣ ଜଣାପଡିନାହିଁ । ପୃଥକ ଭାବରେ ଆଉ ଏକ ଘଟଣାରେ, ଅନ୍ୟ ଜଣେ ଭକ୍ତଙ୍କର ହୃଦଘାତରେ ମୃତ୍ୟୁ ହୋଇଛି । ଲଗାଣ ବର୍ଷା ଯୋଗୁଁ ଅନେକ ଭକ୍ତ ଅସୁସ୍ଥ ହୋଇପଡ଼ିଥିଲେ, ସେମାନଙ୍କୁ ଡାକ୍ତରଖାନାରେ ଚିକିତ୍ସା ଯୋଗାଇ ଦିଆଯାଇଥିଲା ଏବଂ ଉପଯୁକ୍ତ ଚିକିତ୍ସା ପରେ ସେମାନଙ୍କୁ ଡିସଚାର୍ଜ କରାଯାଇଥିଲା । ଗୁଣ୍ଡିଚା ଯାତ୍ରା ଶାନ୍ତିପୂର୍ଣ୍ଣ, ଶୃଙ୍ଖଳିତ ଏବଂ ସୁପରିଚାଳିତ ହୋଇପାରିଛି । କୌଣସି ଦଳାଚକଟା ଘଟଣା ହୋଇନାହିଁ କିମ୍ବା ଭିଡ଼ ପରିଚାଳନାରେ କୌଣସି ଅସୁବିଧା ହୋଇନାହିଁ । ପ୍ରଶାସନ, ସୁରକ୍ଷା ଏଜେନ୍ସି, ସେବାୟତ ଏବଂ ସ୍ୱେଚ୍ଛାସେବୀ ମାନଙ୍କ ସମନ୍ୱିତ ପ୍ରୟାସରେ ଆଜିର ଗୁଣ୍ଡିଚା ଯାତ୍ରା ସମ୍ପନ୍ନ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମସ୍ତ ସେବାୟତଙ୍କୁ ହୃଦୟର ସହିତ କୃତଜ୍ଞତା ଜଣାଇଛନ୍ତି ଏବଂ ଲକ୍ଷ ଲକ୍ଷ ଭକ୍ତଙ୍କୁ ସେମାନଙ୍କର ଧୈର୍ଯ୍ୟ, ଶୃଙ୍ଖଳା ଏବଂ ସହଯୋଗ ପାଇଁ ଧନ୍ୟବାଦ ଦେଇଛନ୍ତି । ଏଥିସହ ଏହି ପବିତ୍ର ରଥଯାତ୍ରାରେ ଭକ୍ତମାନଙ୍କ ନିରାପତ୍ତା ଓ ସୁବିଧା ନିମନ୍ତେ ଭିତ୍ତିଭୂମି, ଜନସେବା ତଥା ନିରନ୍ତର ପ୍ରଶାସନିକ ସେବା ଯୋଗାଣରେ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତାକୁ ସୁନିଶ୍ଚିତ କରାଯାଇପାରିଛି ବୋଲି ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି । Post navigation Adapa Bije Ritual: ଆସନ୍ତା କାଲି ହେବ ନାହିଁ ଶ୍ରୀଜୀଉମାନଙ୍କ ଆଡ଼ପ ବିଜେ ନୀତି: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ