ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟରେ ପ୍ରାକ୍ ନିର୍ବାଚନ ହିଂସାରେ ଦିଲ୍ଲୀପ ପାହାନଙ୍କ ମୃତ୍ୟୁ ହେବା ଘଟଣାରେ ଦୁଃଖ ପ୍ରକାଶ କଲେ ଧର୍ମେନ୍ଦ୍ର ପ୍ରଧାନ । ଏହି ଘଟଣାରେ ଦୁଃଖପ୍ରକାଶ କରିବା ସହ ଟ୍ୱଇଟ କରି କହିଛନ୍ତି ପ୍ରାକ୍ ନିର୍ବାଚନୀ ହିଂସାରେ ଆମର ଦଳର କାର୍ଯ୍ୟକର୍ତ୍ତା ଦିଲ୍ଲୀପ ପାହାନଙ୍କ ମୃତ୍ୟୁ ହେବା ଘଟଣାରେ ମୁଁ ଦୁଃଖିତ ଓ ମର୍ମାହତ । ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି । ଏହି ଦୁଃଖଦ ସମୟରେ ମହାପ୍ରଭୁ ପରିବାରବର୍ଗଙ୍କୁ ଅସୀମ ଧୈର୍ଯ୍ୟ ଓ ସାହସ ପ୍ରଦାନ କରନ୍ତୁ । ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି ।

ଗଣତନ୍ତ୍ରରେ ହିଂସା ଓ ଅନ୍ୟାୟର କୌଣସି ସ୍ଥାନ ନାହିଁ । ବିଜେପି କାର୍ଯ୍ୟକର୍ତ୍ତାଙ୍କ ଉପରେ ବିଜେଡି କର୍ମୀଙ୍କ ଦ୍ୱାରା ହୋଇଥିବା ଆକ୍ରମଣକୁ ମୁଁ କଠୋରରୁ କଠୋର ଶବ୍ଦରେ ନିନ୍ଦା କରୁଛି । ଶାସକ ଦଳ ହାରିବା ଭୟରେ ହିଂସାକୁ ଅବଲମ୍ବନ କରିଛନ୍ତି । କାର୍ଯ୍ୟକର୍ତ୍ତାଙ୍କ ବଳିଦାନ ବ୍ୟର୍ଥ ଯିବନାହି । ଏହାର ଉଚିତ ଜବାବ ଲୋକମାନେ ବାଲଟ୍ ମାଧ୍ୟମରେ ଦେବେ । ନିର୍ବାଚନ ଅଧିକାରୀ ଓ ପୋଲିସ ପ୍ରଶାସନ ତୁରନ୍ତ ଏହି ଘଟଣାରେ ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ।

ଅନ୍ୟପଟେ ଏହି ଘଟଣାରେ ପୋଲିସ ୮ ଜଣଙ୍କୁ ଗିରଫ କରିଛି । ତେବେ ମୁଖ୍ୟ ଅଭିଯୁକ୍ତ ଫେରାର ଥିବା ସୂଚନା ମିଳିଛି । ଗତକାଲି ରାତିରେ ପୋଷ୍ଟର ମାରିବାକୁ କେନ୍ଦ୍ର କରି ଶ୍ରୀକୃଷ୍ଣଶରଣପୁର ଗାଁରେ ବିଜେପି ଓ ବିଜେଡି କର୍ମୀଙ୍କ ମଧ୍ୟରେ ହିଂସାକାଣ୍ଡ ହୋଇଥିଲା । ଉଭୟ ଗୋଷ୍ଠୀ ମଧ୍ୟରେ ହଣାକଟା ହେବାରୁ ବିଜେପି କର୍ମୀ ଦିଲୀପ ପାହାନଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୭ ଜଣ ଗୁରୁତର ହୋଇ ଏମକେସିଜି ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଅନ୍ୟପଟେ ଖଲ୍ଲିକୋଟ ପ୍ରାକ୍ ହିଂସାକାଣ୍ଡ ଘଟଣାକୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଉଦବେଗ ପ୍ରକାଶ କରିବା ସହ ହିଂସା ରୋକିବା ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଜିଲ୍ଲାପାଳ ଓ ଏସପିଙ୍କୁ ନିର୍ଦ୍ଦେଶ ଦେଇଥିଲେ । କାର୍ଯ୍ୟରେ ଅବହେଳା ପାଇଁ ୪ ପୋଲିସ କର୍ମଚାରୀଙ୍କୁ ବଦଳି କରିଛନ୍ତି ଏସପି ।

Leave a Reply

Your email address will not be published. Required fields are marked *