ପୁରୀ ଚନ୍ଦନ ପୁଷ୍କରିଣୀରେ ଚାପ ଖେଳ ବେଳେ ବାଣ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରେ ଜଣେ ନାବାଳକ ଥିବା ସୂଚନା ମିଳିଛି। କଟକ ଏସସିବି ମେଡିକାଲରେ ଜଣେ ଏବଂ ଭୁବନେଶ୍ବରର ଦୁଇ ଘରୋଇ ମେଡିକାଲରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି।

୩୦ରୁ ଅଧିକ ଶ୍ରଦ୍ଧାଳୁ ଆହତ ହୋଇଥିବା ବେଳେ ଅନେକଙ୍କ ଅବସ୍ଥା ଗୁରୁତର ହୋଇଥିବା ସୁଚନା । କଟକ ଏସସିବିରେ ୬ ଜଣ ଚିକିତ୍ସାଧିନ ଅଛନ୍ତି। ସେହିପରି ଭୁବନେଶ୍ବରରେ ଘରୋଇ ହସ୍ପିଟାଲରେ ଚାଲିଛି ଅନେକ ଆହତଙ୍କ ଚିକିତ୍ସା।ଆହତଙ୍କୁ ପ୍ରଥମେ ପୁରୀ ମେଡିକାଲ ନିଆଯାଇଥିଲା। ମାତ୍ର ସେଠାରେ ବର୍ଣ୍ଣ ୟୁନିଟ୍ ନଥିବାରୁ ଆହତଙ୍କୁ କଟକ ଏବଂ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଥିଲା। ଗତକାଲି ରାତିରେ ମହାପ୍ରଭୁଙ୍କର ଚାପ ଖେଳ ଚାଲିଥିଲା। ହଠାତ୍ ନରେନ୍ଦ୍ର ପୁଷ୍କରିଣୀର ଦେବୀଘାଟ ପଟେ ବାଣ ବିସ୍ଫୋରଣ ହୋଇଥିଲା। ଆହତଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଆହତଙ୍କ ସର୍ମ୍ପକୀୟଙ୍କ କାନ୍ଦ ବୋବାଳିରେ ଫାଟି ପଡ଼ୁଥିଲା ମେଡିକାଲ ପରିସର ।

ସୂଚନା ଅନୁଯାୟୀ,ମହାପ୍ରଭୁଙ୍କ ୨୧ ଦିନିଆ ବାହାର ଚନ୍ଦନ ଯାତ୍ରା ଚାଲିଛି। ରାତିରେ ମହାପ୍ରଭୁ ନରେନ୍ଦ୍ରରେ ୨୧ ଘେରା ଚାପ ଖେଳିଥା’ନ୍ତି। ଏହି ଚାପ ବେଳେ ଆଗରୁ କାଁଭାଁ ବାଣ ଫୁଟିଥାଏ। ଗତକାଲି ଚନ୍ଦନଯାତ୍ରାର ୨୦ତମ ଦିବସରେ ଥିଲା ଭଉଁରୀ ଯାତ। ରାତି ପ୍ରାୟ ସାଢ଼େ ୧୦ଟା ୪୫ରୁ ୧୧ଟା ମଧ୍ୟରେ ପୁଷ୍କରିଣୀର ଚତୁଃପାର୍ଶ୍ବରେ ହଜାର ହଜାର ଶ୍ରଦ୍ଧାଳୁ ବସି ଠାକୁରଙ୍କ ଚାପଖେଳ ଦେଖୁଥିଲେ।

Leave a Reply

Your email address will not be published. Required fields are marked *