ପୁରୀରେ ଆଜିଠାରୁ ଆରମ୍ଭ ହୋଇଛି ପ୍ରସିଦ୍ଧ ରଥଭଙ୍ଗା କାର୍ଯ୍ୟ। ଶ୍ରୀମନ୍ଦିର ପ୍ରଶାସନର ନିର୍ଦ୍ଦେଶ ଅନୁସାରେ ଆଜି ଭୋଇ ସେବକମାନେ ଏହି ରଥ ଭଙ୍ଗା କାର୍ଯ୍ୟ ଆରମ୍ଭ କରିଛନ୍ତି। ଭୋଇ ସର୍ଦ୍ଦାର ଅନୁକୂଳ କରିବା ପରେ ପ୍ରଥମେ ରଥର କଳସରୁ ଭଙ୍ଗା କାର୍ଯ୍ୟ ଆରମ୍ଭ ହୋଇଥିଲା। ତା’ପରେ ପାରାଭାଡ଼ି ଓ ପରେ ପରେ ଦ୍ୱାରବେଢା ଭଙ୍ଗା ଯାଇଛି। ଏହା ପରେ ରଥର ଅନ୍ୟ ସମସ୍ତ ଅଂଶକୁ ପର୍ଯ୍ୟାୟକ୍ରମେ ଭଙ୍ଗାଯିବ।

ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଭଙ୍ଗାଯାଉଛି । ଏହାପରେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଭଙ୍ଗାଯିବ। ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଭଙ୍ଗାଯିବ। ତିନି ରଥକୁ ସମ୍ପୂର୍ଣ୍ଣ ଭାବେ ଭାଙ୍ଗିବା ପାଇଁ ୧୦ ରୁ ୧୨ ଦିନ ସମୟ ଲାଗିଥାଏ।

ରଥ ସମ୍ପୂର୍ଣ୍ଣ ଭଙ୍ଗାଯିବା ପରେ ସମସ୍ତ କାଠକୁ ଶ୍ରୀମନ୍ଦିର ପ୍ରଶାସନର ଜିମା ଦିଆଯିବ। ଏହି କାଠଗୁଡ଼ିକୁ ଶ୍ରୀମନ୍ଦିର ରୋଷଶାଳାରେ ମହାପ୍ରଭୁଙ୍କ ‘କୋଠଭୋଗ’ ପ୍ରସ୍ତୁତିରେ ଇନ୍ଧନ ଭାବେ ବ୍ୟବହାର କରାଯିବ। ଅନ୍ୟପଟେ ରଥଭଙ୍ଗା ସମୟରେ ରଥ ନିକଟରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

 

 

Leave a Reply

Your email address will not be published. Required fields are marked *