ଐତିହାସିକ କଟକ ବାଲିଯାତ୍ରାର ଉଦ୍ଘାଟନ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ସାଢ଼େ ଚାରି କୋଟି ଓଡ଼ିଶାବାସୀ ତଥା କଟକବାସୀଙ୍କୁ ହୃଦୟପୂର୍ଣ୍ଣ ସ୍ୱାଗତ ଓ କୃତଜ୍ଞତା ଜଣାଇଛନ୍ତି। ବାଲିଯାତ୍ରା ଇତିହାସରେ ପ୍ରଥମ ଥର ପାଇଁ ଭାରତର ପ୍ରଥମ ନାଗରିକ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପସ୍ଥିତି ଏହି ଉତ୍ସବକୁ ଅଧିକ ଦିବ୍ୟ ଓ ଭବ୍ୟ କରିଛି। ମାନ୍ୟବର ରାଜ୍ୟପାଳ ବ୍ରଜ ମୋହନ ରାମ ମଧ୍ୟ ପ୍ରଥମ ଥର ପାଇଁ ଏହି ଐତିହାସିକ କାର୍ଯ୍ୟକ୍ରମରେ ସାମିଲ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ତାଙ୍କୁ ସ୍ୱାଗତ କରିଛନ୍ତି। ଆଜିର ଏହି ସ୍ୱର୍ଣ୍ଣିମ ସନ୍ଧ୍ୟାରେ, ଐତିହାସିକ କଟକ ବାଲିଯାତ୍ରା ଆଉ ଏକ ନୂଆ ଇତିହାସ ସୃଷ୍ଟି କରିଛି। ବାଲିଯାତ୍ରାର ଇତିହାସରେ ଆଜି ପ୍ରଥମ ଥର ପାଇଁ ଭାରତର ପ୍ରଥମ ନାଗରିକ ମହାମହିମ ରାଷ୍ଟ୍ରପତି ଏହାକୁ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ମାନନୀୟା ରାଷ୍ଟ୍ରପତି ମହୋଦୟା ଦ୍ରୌପଦୀ ମୁର୍ମୁଙ୍କ ଗରିମାମୟ ଉପସ୍ଥିତି ଆଜିର ଏହି ଉଦ୍ଘାଟନୀ ଉତ୍ସବକୁ ଅଧିକ ଦିବ୍ୟତା ଓ ଭବ୍ୟତା ପ୍ରଦାନ କରୁଛି । ଏହି ଅବସରରେ ମୁଁ ସାଢେ ଚାରି କୋଟି ଓଡିଶାବାସୀ, ବିଶେଷ କରି କଟକବାସୀଙ୍କ ପକ୍ଷରୁ ଆପଣଙ୍କୁ ହୃଦୟପୂର୍ଣ୍ଣ ସ୍ୱାଗତ କରୁଛି ଏବଂ କୃତଜ୍ଞତା ପ୍ରକାଶ କରୁଛି। ମାନନୀୟା ରାଷ୍ଟ୍ରପତି ମହୋଦୟା, ଆପଣଙ୍କ କରକମଳରେ ଉଦ୍ଘାଟିତ ହୋଇଥିବା ୨୦୨୬ ମସିହାର ବାଲିଯାତ୍ରାର ସ୍ମୃତି କେବଳ କଟକବାସୀ ନୁହନ୍ତି, ସାରା ଓଡିଶାବାସୀଙ୍କ ମନରେ ସବୁଦିନ ପାଇଁ ସାଇତି ହୋଇରହିବ। ଏଥି ସହିତ ଇଣ୍ଡୋନେସିଆ ଦୂତାବାସର ଚାର୍ଜ-ଡି-ଆଫେୟାର୍ସ ୟୁଧୋ ସାସୋଙ୍ଗକୋଙ୍କ ଉପସ୍ଥିତିକୁ ମୁଖ୍ୟମନ୍ତ୍ରୀ ସ୍ୱାଗତ କରି କହିଛନ୍ତି ଯେ ଓଡ଼ିଶାର ପ୍ରାଚୀନ ଇତିହାସ କଥା ମନେ ପଡ଼ିଲେ ପ୍ରଥମେ ଇଣ୍ଡୋନେସିଆ କଥା ମନକୁ ଆସେ ଏବଂ ଦୁଇ ଦେଶ ମଧ୍ୟରେ ଥିବା ପୁରାତନ ସମ୍ପର୍କର କାହାଣୀ ଓଡ଼ିଶାବାସୀଙ୍କ ହୃଦୟରେ ରହିଛି। ମାନ୍ୟବର ରାଜ୍ୟପାଳ ବ୍ରଜ ମୋହନ ରାମ, ଆଜି ପ୍ରଥମ ଥର ପାଇଁ ଏହି ଐତିହାସିକ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି। ମୁଁ ତାଙ୍କୁ ଏହି ଅବସରରେ ସ୍ୱାଗତ କରୁଛି। ଏହି ଅବସରରେ ଏଠାରେ ଉପସ୍ଥିତ କଟକ ସହରର ଭାଇଭଉଣୀମାନଙ୍କୁ ମୋର ଆନ୍ତରିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। ଏହା ସହ ମୁଖ୍ୟମନ୍ତ୍ରୀ କହିଛନ୍ତି ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ମହାପ୍ରଭୁ ଶ୍ରୀଜଗନ୍ନାଥ ରାଜ ରାଜେଶ୍ଵର ବେଶରେ ମଧ୍ୟ ଦର୍ଶନ ଦେଉଛନ୍ତି। କଟକ ଜିଲ୍ଲାର ଆରାଧ୍ୟ ବାବା ଧବଳେଶ୍ଵର ମଧ୍ୟ ଏହି ପବିତ୍ର ଅବସରରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ଏହି ଅବସରରେ କଟକ ସହରବାସୀଙ୍କ ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥ, ବାବା ଧବଳେଶ୍ୱର ଓ ମା’ କଟକ ଚଣ୍ଡୀଙ୍କ ଆଶୀର୍ବାଦ କାମନା କରୁଛି। କାର୍ତ୍ତିକ ପୂର୍ଣ୍ଣମୀ ଓ ବୋଇତ ବନ୍ଦାଣ ସହ ସାଧବପୁଅମାନଙ୍କ ଦୁଃସାହସିକ ଜଳଯାତ୍ରାର ସ୍ମୃତିଚାରଣ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶାର ନୌବାଣିଜ୍ୟରେ କଟକ ସହରର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା। କଟକର ବିଭିନ୍ନ ସାହି, ଗଳି ଓ ବସ୍ତିରେ ବୋଇତ ନିର୍ମାଣ, ମରାମତି ଓ ନୌକା ତିଆରି ହେଉଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ବିକାଶ ଭି, ବିରାସତ ଭି’ ମନ୍ତ୍ର ଏବଂ କଟକର ତାରକସି କାମକୁ ବିଶ୍ୱ ଦରବାରରେ ପହଞ୍ଚାଇବାର ପ୍ରୟାସକୁ ସେ ପ୍ରଶଂସା କରିଛନ୍ତି। ବିକଶିତ ଭାରତ ଯାତ୍ରାରେ ଓଡ଼ିଶା ସାମିଲ ହୋଇ ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ଆଗେଇ ଚାଲିଛି ବୋଲି ସେ କହିଛନ୍ତି। ସେ କହିଛନ୍ତି ମୋଦୀଜୀ ବୈଦେଶିକ ନେତୃବୃନ୍ଦ ମାନଙ୍କୁ ଭାରତର ପାରମ୍ପରିକ ଉତ୍ପାଦକୁ ଉପହାର ଦିଅନ୍ତି। ସେ ଚାହାନ୍ତି ଯେ, ଭାରତର ଐତିହ୍ୟକୁ ସାରା ବିଶ୍ୱ ଜାଣୁ। କଟକର ଐତିହାସିକ ତାରକସି କାମକୁ ବି ସେ ବିଶ୍ୱ ଦରବାରରେ ପହଞ୍ଚାଇବାକୁ ଉଦ୍ୟମ କରିଛନ୍ତି। ୨୦୨୫ ଜି-୭ ସମିତରେ ସେ କାନାଡାର ଗଭର୍ଣ୍ଣର ଜେନେରାଲ୍ ମାରୀ ସାଇମନ୍ଙ୍କୁ କଟକ ରୁପା ତାରକସିର ଏକ ବୋଇତ ଉପହାର ଦେଇଥିଲେ। ଏ ବର୍ଷ ମେ ମାସରେ ମଧ୍ୟ ସେ ନରୱେ‘ର ରାଜାଙ୍କୁ ରୁପା ତାରକସିର ବୋଇତ ଉପହାର ଦେଇଥିଲେ। ଆମେ ଯେତେବେଳେ ବିଭିନ୍ନ କାର୍ଯ୍ୟ ବ୍ୟସ୍ତତା ଭିତରେ ଆମର ଐତିହ୍ୟକୁ ଭୁଲି ଯାଉଛୁ, ମୋଦୀଜୀ ତାଙ୍କର କର୍ମବହୁଳ ଜୀବନ ମଧ୍ୟରେ ବି, ଭାରତର ଐତିହ୍ୟକୁ ନିରବରେ ବିଶ୍ୱର ପ୍ରତି ଦେଶରେ ପହଞ୍ଚାଇବାରେ ଲାଗି ରହିଛନ୍ତି। ଏଥିରେ ଓଡ଼ିଶାର ଐତିହ୍ୟ ଉପରେ ମଧ୍ୟ ସେ ଧ୍ୟାନ ରଖିଛନ୍ତି। କଟକ ବାଲିଯାତ୍ରାକୁ ‘UNESCO Intangible Cultural Heritage of Humanity’ ମାନ୍ୟତା ଦେବା ପାଇଁ ଉଦ୍ୟମ ଜାରି ରହିଛି ଏବଂ ଏହା ନିଶ୍ଚିତ ହାସଲ ହେବ ବୋଲି ମୁଖ୍ୟମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଗତ ବର୍ଷ ନୂଆଦିଲ୍ଲୀସ୍ଥିତ ଇଣ୍ଡୋନେସିଆ ସମେତ ୧୪ଟି ଦେଶର ମିଶନ ମୁଖ୍ୟ ଓ ପ୍ରତିନିଧି ଆସିଥିବା ବେଳେ ଚଳିତ ବର୍ଷ ମଧ୍ୟ ବିଭିନ୍ନ ଦେଶର ପ୍ରତିନିଧି ଓ କଳାକାରମାନେ ଯୋଗ ଦେଇଛନ୍ତି। ସେ ଆଉ ମଧ୍ୟ କହିଛନ୍ତି କଟକ ବାଲିଯାତ୍ରା ବର୍ତ୍ତମାନ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ସାଂସ୍କୃତିକ ଉତ୍ସବରେ ପରିଣତ ହୋଇଛି । ସରକାର ରାଜ୍ୟର ପ୍ରତ୍ଯେକ ବର୍ଗର ଲୋକଙ୍କ ବିକାଶ ପାଇଁ କାର୍ଯ୍ୟରତ। ମୁଁ ସବୁ ଯୋଜନା ଓ କାର୍ଯ୍ୟକ୍ରମ ବିଷୟରେ ଉଲ୍ଲେଖ କରୁନାହିଁ। ସେ କହିଛନ୍ତି ହଜାର ବର୍ଷର ସହର କଟକର ସର୍ବାଙ୍ଗୀନ ବିକାଶ ପାଇଁ ଆମ ସରକାର ପ୍ରତିଶୃତିବଦ୍ଧ। ୨୧୦ କୋଟି ଟଙ୍କା ବିନିଯୋଗରେ ମହାନଦୀ ରିଭର ଫ୍ରଣ୍ଟର ବିକାଶ କଟକକୁ ସାରା ଦେଶର ଏକ ଆକର୍ଷଣୀୟ ସହର ଭାବେ ବିକଶିତ କରିବ। DPR ସରିଛି ଖୁବ ଶୀଘ୍ର ଭିତ୍ତିପ୍ରସ୍ତର ଦିଆଯିବ । ଏହା ସହିତ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜର ପୁନର୍ବିକାଶ ଜାରି ରହିଛି। ଏହାର କେତକ ବ୍ଲକ ନିର୍ମାଣ ସମ୍ପୂର୍ଣ୍ଣ ହୋଇ ଆସିଲାଣି। ଖୁବ୍ ଶୀଘ୍ର ଏହା ଆପଣମାନଙ୍କ ସେବା ପାଇଁ ଲୋକାର୍ପିତ ହେବ। ବାରବାଟୀ ଷ୍ଟାଡିୟମକୁ ମଧ୍ୟ ୬୦ ହଜାର ଦର୍ଶକ ବସିବା ଭଳି ଏକ ଆଧୁନିକ ଷ୍ଟାଡିୟମ ଭାବେ ବିକଶିତ କରାଯିବ। ଚଣ୍ଡୀ ମନ୍ଦିର’ର କୟାକଳ୍ପ ପ୍ରାୟ ସମାପ୍ତ ହୋଇଛି। ଆମେ ସମଗ୍ର ଉପକୂଳ ଅଞ୍ଚଳକୁ ଏକ ଅର୍ଥନୈତିକ କେନ୍ଦ୍ର ଭାବେ ବିକଶିତ କରିବା ପାଇଁ ଯୋଜନା କରିଛୁ। ସେଥିପାଇଁ ପ୍ରସ୍ତୁତ ହୋଇଛି- ଭୁବନେଶ୍ୱର-କଟକ-ପୁରୀ- ପାରାଦୀପ ଅର୍ଥନୈତିକ ଅଞ୍ଚଳ ବା BKPPER । ଏଥିପାଇଁ କେନ୍ଦ୍ର ସରକାର ୫ ହଜାର କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଖୁବ ଶୀଘ୍ର କାମ ଆରମ୍ଭ ହେବ । କଟକ ଜିଲ୍ଲାରେ ୩୨,୨୫୨ କୋଟି ଟଙ୍କା ବିନିଯୋଗରେ ୪୭ଟି ଶିଳ୍ପ ପ୍ରକଳ୍ପ ପାଇଁ ପଦକ୍ଷେପ ନିଆଯାଇଛି । ଏହି ୪୭ ଟି ପ୍ରକଳ୍ପ ମଧ୍ୟରୁ, ୪ଟି ପ୍ରକଳ୍ପ ଉତ୍ପାଦନ ଆରମ୍ଭ କରିଥିବା ବେଳେ, ୧୬ଟି ପ୍ରକଳ୍ପ ନିର୍ମାଣାଧୀନ ଅଛି । ବାକି ୨୭ ଟି ପ୍ରକଳ୍ପକୁ ମଞ୍ଜୁରି ଦିଆଯାଇଛି। ଖୁବ ଶୀଘ୍ର କାମ ଆରମ୍ଭ ହେବ । ୮,୩୦୦ କୋଟି ଟଙ୍କାରେ କଟକ୍ ଟାଙ୍ଗିରୁ ଖୋର୍ଦ୍ଧା ରାମେଶ୍ୱର ପର୍ଯ୍ୟନ୍ତ ୧୧୧ କିଲୋମିଟର କ୍ୟାପିଟଲ ରିଜନ୍ ରିଙ୍ଗ ରୋଡ (CRRR) ର ନିର୍ମାଣ ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି । ସେହିପରି କଟକର ନରାଜ ପାଖରେ ୮୭୦ ଏକର ବିଶିଷ୍ଟ ଅଞ୍ଚଳରେ ଆମେ ଇଣ୍ଟେଲ ସହଯୋଗରେ ଓଡ଼ିଶା ସିଲିକନ୍ ଭ୍ୟାଲି ନିର୍ମାଣ କରିବୁ । ଏଥିରେ ୨୪ ହଜାର କୋଟି ଟଙ୍କା ବିନିଯୋଗରେ ସେମିକଣ୍ଡକ୍ଟର ଶିଳ୍ପର ବିକାଶ ହେବ । ଓଡ଼ଶା ନିଶ୍ଚିତ ଭାବରେ ଦେଶର ଏକ ସେମି କଣ୍ଡକ୍ଟର ହବ୍ ରେ ପରିଣତ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।p Post navigation Odisha Parab 2026 In Bali: ବାଲିରେ ଆୟୋଜିତ ‘ଓଡ଼ିଶା ପରବ’ରେ ଶତାବ୍ଦୀ ପୁରୁଣା ନୌବାଣିଜ୍ୟ ଓ ସାଂସ୍କୃତିକ ସମ୍ପର୍କର ମହୋତ୍ସବ ପାଳିତ