Tamil Nadu Gas Leak Tragedy-Congress Team Meets Family of Deceased Juang Girl
ତାମିଲନାଡୁରେ ଘଟିଥିବା ଆମୋନିଆ ଗ୍ୟାସ୍‌ ଲିକ୍‌ ଘଟଣାରେ ମୃତ୍ୟୁ ବରଣ କରିଥିବା କେନ୍ଦୁଝର ଜିଲ୍ଲା ତେଲକୋଇର ଜୁଆଙ୍ଗ ଯୁବତୀ ଅଞ୍ଜନା ଜୁଆଙ୍ଗଙ୍କ ପରିବାରକୁ ଶୁକ୍ରବାର ଦିନ କଂଗ୍ରେସର ଏକ ଉଚ୍ଚସ୍ତରୀୟ ଟିମ୍‌ ଭେଟି ସମବେଦନା ଜଣାଇଛି । ଏହି ଟିମ୍‌ରେ ପିସିସି ସଭାପତି ଭକ୍ତ ଦାସ ଏବଂ ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ ସାମିଲ ଥିଲେ ।
 
ଏହା ସହିତ ବରିଷ୍ଠ ନେତା ଜୟଦେବ ଜେନା ଏବଂ କଂଗ୍ରେସ ବିଧାୟକ ଦଳ ନେତା କାଡାମ ମଧ୍ୟ ପରିବାରକୁ ଭେଟିଥିଲେ । ନେତାମାନେ ପରିବାରକୁ ସମ୍ପୂର୍ଣ୍ଣ ସହଯୋଗର ଆଶ୍ୱାସନା ଦେଇଥିଲେ ।
 
ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ସହାୟତା ଯୋଗାଇଦେବା ପାଇଁ ଦଳ ପକ୍ଷରୁ ଦାବି କରାଯାଇଛି । କଂଗ୍ରେସ ନେତାମାନେ କହିଛନ୍ତି ଯେ ଉଭୟ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ହେବା ଆବଶ୍ୟକ ଏବଂ ଦୋଷୀଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍ ।
 

ବର୍ତ୍ତମାନ ସୁଦ୍ଧା ତାମିଲନାଡୁ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରି ଗ୍ୟାସ ଦୁର୍ଘଟଣାରେ କେନ୍ଦୁଝରରୁ ୧୩ ଏବଂ ଅନୁଗୁଳରୁ ଜଣେ ଓଡ଼ିଆଙ୍କ ମୃତ୍ୟୁ ଘଟିସାରିଲାଣି ।

ଏହା ସହ ଏକ ମିଳିତ ବିବୃତ୍ତିରେ ଟିମ୍‌ କହିଛନ୍ତି ଯେ, କେନ୍ଦୁଝର ଜିଲ୍ଲା ଖୋଦ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ଜିଲ୍ଲା ଏବଂ ସିଏ ନିଜେ ଜଣେ ଆଦିବାସୀ, ତଥାପି କେନ୍ଦୁଝର ଜିଲ୍ଲାରେ ବାରମ୍ବାର ଏଭଳି ଅମାନୁଷିକ ଘଟଣା ଘଟିବା ଆମ ରାଜ୍ୟ ପାଇଁ ଏକ ନିନ୍ଦନୀୟ ବିଷୟ । ଯେତେ ଲଜ୍ୟାଜନକ ଘଟଣା ଘଟିଲେ ମଧ୍ୟ ସରକାର ଉତ୍ତରଦାୟିତ୍ୱ ନ ନେବା ଗଣତନ୍ତ୍ର ପ୍ରତି ଉପହାସ ବ୍ୟତୀତ ଅନ୍ୟ କିଛି ନୁହେଁ ।
 
ସରକାର ଆଦିବାସୀ ମାନଙ୍କ ଜଳ ଜଙ୍ଗଲ ଜମି ଅଧିକାରରୁ ବଞ୍ଚିତ କରି ତାଙ୍କ ସମ୍ପତ୍ତି ଶାଗ ମାଛ ମୂଲ୍ୟରେ କମ୍ପାନୀ ମାନଙ୍କ ହାତରେ ଟେକିଦେବା ଫଳରେ ଆଦିବାସୀ ସମୁଦାୟ ଉପାର୍ଜନହୀନ ହୋଇ ବଞ୍ଚିବା ପାଇଁ ବାହାର ରାଜ୍ୟକୁ ଦାଦନ ଖଟି ଯିବାକୁ ବାଧ୍ୟ ହେଉଛନ୍ତି । ପ୍ରଥମେ ରାଜ୍ୟ ସରକାର ଆଦିବାସୀଙ୍କ ଜମି ପଟ୍ଟା ନିର୍ଦ୍ଧାରଣ କରି ସେମାନଙ୍କୁ ଜମି ପଟ୍ଟା ପ୍ରଦାନ କରୁ । ଖଣି ଅଞ୍ଚଳରେ କାମ କରୁଥିବା କମ୍ପାନୀ ଗୁଡିକ ନିଯୁକ୍ତିର ସୁବିଧା କରିବା ସହ କ୍ଷତିପୂରଣ ଆଦି ତୁରନ୍ତ ପ୍ରଦାନ କରନ୍ତୁ । କେନ୍ଦୁଝର ଜିଲ୍ଲା ମିନେରାଲ ଫଣ୍ଡରେ ଥିବା ହଜାର କୋଟିର ଟଙ୍କା ଆଦିବାସୀଙ୍କ ଉନ୍ନୟନ ପାଇଁ ଖର୍ଚ୍ଚ କରାଯାଉ ବୋଲି ଦାବି କରିଥିଲେ ।
 
ପୁଣି ମୃତ୍ୟୁବରଣ କରିଥିବା ଝିଅ ମାନଙ୍କ ପରିବାରବର୍ଗଙ୍କୁ ଆର୍ଥିକ କ୍ଷତିପୂରଣ ସହିତ ସମସ୍ତ ଆନୁସଙ୍ଗିକ ସୁବିଧା ସୁଯୋଗ ଓ ସେଠାରେ ଆହତ ହୋଇଥିବା ଓ କାର୍ଯ୍ୟ କରୁଥିବା ସମସ୍ତ ଆଦିବାସୀଙ୍କୁ ରାଜ୍ୟକୁ ଫେରାଇ ଆଣି ଉପଯୁକ୍ତ ଥଇଥାନ କରିବା ପାଇଁ ସରକାରଙ୍କୁ ଦାବି କରିଥିଲେ ।
 
ଏହି ଗସ୍ତ ପରିପେକ୍ଷୀରେ କେନ୍ଦୁଝର ଜିଲ୍ଲା କଂଗ୍ରେସ ସଭାପତି ମନୋଜ ଜେନା ଏବଂ ବହୁ କଂଗ୍ରେସ ନେତା ଉପସ୍ଥିତ ଥିଲେ ।
tamil-nadu-gas-leak-tragedy-congress-team-meets-family-of-deceased-juang-girl

By Nirvay

Leave a Reply

Your email address will not be published. Required fields are marked *