ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାରେ ବିଶ୍ୱସ୍ତରରେ ପ୍ରଶଂସିତ ଓଡ଼ିଶା ଏବେ ଭୂସ୍ଖଳନ ମୁକାବିଲା ପାଇଁ ଅଣ୍ଟା ଭିଡ଼ିଛି । ରାଜ୍ୟର ପାହାଡ଼ିଆ ଓ ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଦେଖାଦେଉଥିବା ଭୂସ୍ଖଳନ ସମସ୍ୟାର ସ୍ଥାୟୀ ପ୍ରତିକାର, ଆଗୁଆ ସତର୍କ ସୂଚନା ଏବଂ ନିରୀକ୍ଷଣ ପାଇଁ ଓଡ଼ିଶା ଓ ଉତ୍ତରାଖଣ୍ଡ ମିଳିତ ଭାବେ କାର୍ଯ୍ୟ କରିବେ । ଏନେଇ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଓସଡମା) ଏବଂ ଉତ୍ତରାଖଣ୍ଡ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ୟୁଏସଡିଏମଏ) ମଧ୍ୟରେ ଖୁବ୍ଶୀଘ୍ର ଏକ ବୁଝାମଣାପତ୍ର (ଏମ୍ଓୟୁ) ସ୍ବାକ୍ଷରିତ ହେବ। ବାତ୍ୟା ‘ଅର୍ଣ୍ଣବ’ ପରେ ଦକ୍ଷିଣ ଓଡ଼ିଶାରେ ଭୂସ୍ଖଳନ ଏକ ବଡ଼ ଆହ୍ୱାନ ଭାବେ ସାମ୍ନାକୁ ଆସିଛି । ଏହି ପରିପ୍ରେକ୍ଷୀରେ ପାର୍ବତ୍ୟ ଅଞ୍ଚଳର ବିପଦ ମୁକାବିଲାରେ ପାରଙ୍ଗମ ଉତ୍ତରାଖଣ୍ଡର ଆଧୁନିକ ଜ୍ଞାନକୌଶଳ ଓ ସାଟେଲାଇଟ୍ ମ୍ୟାପିଂ ବ୍ୟବସ୍ଥାକୁ ଓଡ଼ିଶା ଆପଣାଇବ । ଉତ୍ତରାଖଣ୍ଡ ବିପର୍ଯ୍ୟୟ ପରିଚାଳନା ଓ ଥଇଥାନ ସଚିବ ବିନୋଦ କୁମାର ସୁମନ ଏବଂ ଓସଡମା ପରାମର୍ଶଦାତା ତଥା ବରିଷ୍ଠ ଆଇଏଏସ୍ ଅଧିକାରୀ ଡକ୍ଟର କମଳ ଲୋଚନ ମିଶ୍ରଙ୍କ ମଧ୍ୟରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ଆଲୋଚନାରେ ଏହି ସହଭାଗିତା ଉପରେ ମୋହର ବାଜିଛି । ଡକ୍ଟର କମଳ ଲୋଚନ ମିଶ୍ରଙ୍କ ନେତୃତ୍ବରେ ଓସଡମାର ଏକ ବିଶେଷଜ୍ଞ ଦଳ ଡେରାଡୁନ୍ସ୍ଥିତ ଉତ୍ତରାଖଣ୍ଡ ରାଜ୍ୟ ଜରୁରୀକାଳୀନ ପରିଚାଳନା କେନ୍ଦ୍ର (ୟୁଏସଡିଏମଏ) ପରିଦର୍ଶନ କରିଛନ୍ତି। ଏହି ଅବସରରେ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପରାମର୍ଶଦାତା କମିଟିର ଉପାଧ୍ୟକ୍ଷ ବିନୟ ରୁହେଲା ଏବଂ ଲେଫ୍ଟନାଣ୍ଟ କର୍ଣ୍ଣେଲ ରଘୁବୀର ସିଂହ ଭଣ୍ଡାରୀ (ଅବସରପ୍ରାପ୍ତ) ଉପସ୍ଥିତ ଥିଲେ। ବୈଠକରେ ଉତ୍ତରାଖଣ୍ଡରେ କାର୍ଯ୍ୟକାରୀ ହେଉଥିବା ଭୂସ୍ଖଳନ ପ୍ରଶମନ, ବିପଦ ଆକଳନ, ନିରୀକ୍ଷଣ, ଆଗୁଆ ସତର୍କତା ଏବଂ ଆଧୁନିକ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ସମ୍ପର୍କରେ ଓସଡମା ଦଳକୁ ବିସ୍ତୃତ ଭାବେ ଅବଗତ କରାଯାଇଥିଲା। ଡକ୍ଟର କମଳ ଲୋଚନ ମିଶ୍ର କହିଛନ୍ତି ଯେ, ନିକଟରେ ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ବନ୍ୟା ଗଞ୍ଜାମ, ଗଜପତି, କନ୍ଧମାଳ ଓ ରାୟଗଡ଼ା ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଘଟାଇଥିଲା। ଏହି ଅଞ୍ଚଳଗୁଡ଼ିକରେ ଭୂସ୍ଖଳନ ଏବେ ଏକ ନୂଆ ଆହ୍ବାନ ଭାବେ ଉଭା ହୋଇଛି। ଭୂସ୍ଖଳନ ପରିଚାଳନାରେ ଉତ୍ତରାଖଣ୍ଡ ଦେଶରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବାରୁ ସେଠାକାର ଅଭିଜ୍ଞତା, ବୈଷୟିକ ଦକ୍ଷତା ଓ ନୂତନ ଉଦ୍ଭାବନ ଓଡ଼ିଶା ପାଇଁ ଅତ୍ୟନ୍ତ ଉପଯୋଗୀ ହେବ। ଓସଡମା ଦଳ ଏହାକୁ ଅନୁଧ୍ୟାନ କରି ଓଡ଼ିଶାର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକାରୀ କରିବାକୁ ପଦକ୍ଷେପ ନେବ। ଅନ୍ୟପକ୍ଷରେ ଉତ୍ତରାଖଣ୍ଡ ବିପର୍ଯ୍ୟୟ ପରିଚାଳନା ସଚିବ ବିନୋଦ କୁମାର ସୁମନ କହିଛନ୍ତି ଯେ, ଉଭୟ ଓଡ଼ିଶା ଓ ଉତ୍ତରାଖଣ୍ଡ ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ରାଜ୍ୟ ହୋଇଥିବାରୁ ପରସ୍ପର ମଧ୍ୟରେ ଜ୍ଞାନ, ଅଭିଜ୍ଞତା ଓ ପ୍ରଯୁକ୍ତିବିଦ୍ୟାର ବିନିମୟ ଅତ୍ୟନ୍ତ ଜରୁରୀ। ଉତ୍ତରାଖଣ୍ଡରେ ‘ଉତ୍ତରାଖଣ୍ଡ ଭୂସ୍ଖଳନ ପ୍ରଶମନ ଓ ପରିଚାଳନା କେନ୍ଦ୍ର’କୁ ଏକ ଉତ୍କର୍ଷ କେନ୍ଦ୍ର ଭାବେ ପ୍ରତିଷ୍ଠା କରାଯାଇଛି। ଭୂଗର୍ଭସ୍ଥ ସ୍ଥିତି ଜାଣିବା ପାଇଁ ଆଧୁନିକ ବୈଜ୍ଞାନିକ କୌଶଳ ସହ ସମ୍ବେଦନଶୀଳ ଅଞ୍ଚଳ ଚିହ୍ନଟ ପାଇଁ ସାଟେଲାଇଟ୍ ଓ ଭୌଗୋଳିକ ସୂଚନା ପ୍ରଯୁକ୍ତିବିଦ୍ୟା (ଜିଆଇଏସ୍)ର ବ୍ୟାପକ ବ୍ୟବହାର କରାଯାଉଛି। ଭୂସ୍ଖଳନ ଆବର୍ଜନାରୁ ସୃଷ୍ଟି ହେଉଥିବା ବିପଦର ଆକଳନ ମଧ୍ୟ ଆରମ୍ଭ ହୋଇଛି। ଓଡ଼ିଶା ସହ ମିଳିତ ସହଯୋଗ ଦ୍ବାରା ଉଭୟ ରାଜ୍ୟର ବିପର୍ଯ୍ୟୟ ମୁକାବିଲା କ୍ଷମତା ଆହୁରି ସୁଦୃଢ଼ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ଏହି ପଦକ୍ଷେପକୁ ସ୍ବାଗତ କରି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ‘‘ବାତ୍ୟା ଓ ବନ୍ୟା ସମୟରେ ଭୂସ୍ଖଳନ ଏବେ ଓଡ଼ିଶା ପାଇଁ ଏକ ବଡ଼ ଆହ୍ବାନ। ବିପର୍ଯ୍ୟୟ ସମୟରେ ‘ଶୂନ୍ୟ ମୃତାହତ’ ହେଉଛି ଆମ ସରକାରଙ୍କର ମୂଳ ଲକ୍ଷ୍ୟ। ଉତ୍ତରାଖଣ୍ଡ ଭଳି ପାହାଡ଼ିଆ ରାଜ୍ୟର ଅଭିଜ୍ଞତା ଓ ଆଧୁନିକ ଜ୍ଞାନକୌଶଳକୁ ଆପଣାଇ ଓଡ଼ିଶାରେ ଏକ ସୁଦୃଢ଼ ଭୂସ୍ଖଳନ ପରିଚାଳନା ବ୍ୟବସ୍ଥା ଗଢ଼ି ତୋଳାଯିବ। ବିଶେଷ କରି ଦକ୍ଷିଣ ଓଡ଼ିଶାର ସମ୍ବେଦନଶୀଳ ଜିଲ୍ଲାଗୁଡ଼ିକରେ ଆଗୁଆ ସତର୍କତା ଓ ବୈଜ୍ଞାନିକ ପଦକ୍ଷେପ ଗ୍ରହଣ କରି ଜନସାଧାରଣଙ୍କୁ ସୁରକ୍ଷିତ ରଖିବା ଆମର ପ୍ରାଥମିକତା।’’ ଏହି ବୈଠକରେ ୟୁଏସଡିଏମଏର ଅତିରିକ୍ତ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ପ୍ରଶାସନ) ପ୍ରକାଶ ଚନ୍ଦ୍ର, ଅତିରିକ୍ତ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (କାର୍ଯ୍ୟାନ୍ବୟନ) ତଥା ଡିଆଇଜି ରାଜକୁମାର ନେଗୀ, ଯୁଗ୍ମ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଦିନେଶ କୁମାର ପୁନେଠା, ଓସଡମା ମହାପ୍ରବନ୍ଧକ ଅମ୍ବିକା ପ୍ରସାଦ ମିଶ୍ର, ଷ୍ଟ୍ରକ୍ଚରାଲ ମିଟିଗେସନ ବିଶେଷଜ୍ଞ ତଥା ଯନ୍ତ୍ରୀ ସରୋଜ କୁମାର ମହାପାତ୍ର, ରାଜ୍ୟ ପ୍ରକଳ୍ପ ପରିଚାଳକ ମେଘନାଦ ଏବଂ ୟୁଏସଡିଏମଏର ବରିଷ୍ଠ ବିଶେଷଜ୍ଞମାନେ ଉପସ୍ଥିତ ଥିଲେ। Post navigation Cyclone Akvan: ओडिशा के 6 जिलों में इंट्रा-सर्किल रोमिंग की सुविधा का केंद्र ने दिया निर्देश