ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ପକ୍ଷରୁ ୨୦୨୭ ବାର୍ଷିକ ଉଚ୍ଚ ମାଧ୍ୟମିକ ପରୀକ୍ଷା (ଯୁକ୍ତ ୨) ପାଇଁ ଆନୁଷ୍ଠାନିକ ଭାବେ ପରୀକ୍ଷା କାର୍ଯ୍ୟସୂଚୀ ପ୍ରକାଶ ପାଇଛି. କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଶିକ୍ଷା ଏବଂ ପତ୍ରାଚାର ବିଭାଗର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ପ୍ରତୀକ୍ଷାର ଅନ୍ତ ଘଟାଇ ପରିଷଦ ପକ୍ଷରୁ ଏହି ବିଜ୍ଞପ୍ତି ଜାରି କରାଯାଇଛି । ବିଜ୍ଞପ୍ତି ମୁତାବକ, ଆସନ୍ତା ଫେବୃଆରୀ ୧୬, ୨୦୨୭ ରୁ ଯୁକ୍ତ ୨ ପରୀକ୍ଷା ଆରମ୍ଭ ହେବ। କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଏବଂ କରେସପଣ୍ଡେନ୍ସ ବିଭାଗର ଛାତ୍ରଛାତ୍ରୀମାନେ ଏହି ପରୀକ୍ଷାରେ ଅବତୀର୍ଣ୍ଣ ହେବେ। ଅଧିକାଂଶ ଥିଓରି ପରୀକ୍ଷା ସକାଳ ୧୦ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଗୋଟିଏ ସିଟିଂରେ ହେବ। ତେବେ କେତେକ ଧନ୍ଦାମୂଳକ ଓ ଇଣ୍ଟିଗ୍ରେଟେଡ୍ ବିଷୟର ପରୀକ୍ଷା କମ୍ ସମୟ ଅର୍ଥାତ୍ ସକାଳ ୧୦ଟାରୁ ୧୨ଟା କିମ୍ବା ୧୦ଟାରୁ ୧୨ଟା ୩୦ ମଧ୍ୟରେ ଅନୁଷ୍ଠିତ ହେବ। ପ୍ରାରମ୍ଭିକ ସୂଚୀ ଅନୁଯାୟୀ, ଫେବୃଆରୀ ୧୬ରେ ରେଗୁଲାର ଓ ଏକ୍ସ-ରେଗୁଲାର ଛାତ୍ରଛାତ୍ରୀଙ୍କ ବିଜ୍ଞାନ ପରୀକ୍ଷା ସହ ଅଭିଯାନ ଆରମ୍ଭ ହେବ। ପରବର୍ତ୍ତୀ ପର୍ଯ୍ୟାୟରେ ଫେବୃଆରୀ ୧୭ରେ ଇତିହାସ, ଆକାଉଣ୍ଟାନ୍ସି ଓ ପଦାର୍ଥ ବିଜ୍ଞାନ ସହ ଧନ୍ଦାମୂଳକ ବିଷୟ, ଫେବୃଆରୀ ୧୮ରେ କଳା ଓ ବାଣିଜ୍ୟ, ଏବଂ ଫେବୃଆରୀ ୨୦ରେ ବିଜ୍ଞାନ ଇଂରାଜୀ, ଭିଜୁଆଲ୍ ଆର୍ଟ ସହ ରାଜନୀତି ବିଜ୍ଞାନ, ବିଜିନେସ୍ ଷ୍ଟଡିଜ୍ ଆଣ୍ଡ ମ୍ୟାନେଜମେଣ୍ଟ ଓ ରସାୟନ ବିଜ୍ଞାନ ଭଳି ଧନ୍ଦାମୂଳକ ବିଷୟ ପରୀକ୍ଷା ରହିଛି। ସେହିପରି ଫେବୃଆରୀ ୨୩ରେ କଳା ଓ ବାଣିଜ୍ୟ ଇଂରାଜୀ, ଫେବୃଆରୀ ୨୬ରେ ବିଜ୍ଞାନ ପଦାର୍ଥ ବିଜ୍ଞାନ ଓ ଧନ୍ଦାମୂଳକ ଗଣିତ, ଏବଂ ଫେବୃଆରୀ ୨୭ରେ କଳା ଇତିହାସ ଓ ବାଣିଜ୍ୟ ବିଜିନେସ୍ ଷ୍ଟଡିଜ୍ ଆଣ୍ଡ ମ୍ୟାନେଜମେଣ୍ଟ ପରୀକ୍ଷା ହେବ । ମାର୍ଚ୍ଚ ମାସରେ ମଧ୍ୟ ପରୀକ୍ଷା ଧାରା ଜାରି ରହିବ; ଯେଉଁଥିରେ ମାର୍ଚ୍ଚ ୧ରେ ବିଭିନ୍ନ ବିଭାଗର ଇଣ୍ଟିଗ୍ରେଟେଡ୍ ଧନ୍ଦାମୂଳକ, ବିଜ୍ଞାନ ଧନ୍ଦାମୂଳକ ଓ ଧନ୍ଦାମୂଳକ, ମାର୍ଚ୍ଚ ୪ରେ କଳା ରାଜନୀତି ବିଜ୍ଞାନ ଓ ବାଣିଜ୍ୟ ବିଜିନେସ୍ ମାଥେମାଟିକ୍ସ ଆଣ୍ଡ ଷ୍ଟାଟିଷ୍ଟିକ୍ସ, ମାର୍ଚ୍ଚ ୫ରେ ବିଜ୍ଞାନ ରସାୟନ ବିଜ୍ଞାନ ଓ ଧନ୍ଦାମୂଳକ ଇଂରାଜୀ, ଏବଂ ମାର୍ଚ୍ଚ ୮ରେ କଳା, ବିଜ୍ଞାନ ଓ ବାଣିଜ୍ୟର ଅନ୍ୟାନ୍ୟ ବିଷୟ ତଥା ହିନ୍ଦୀ, ବଙ୍ଗଳା, ତେଲୁଗୁ, ଉର୍ଦ୍ଦୁ, ସଂସ୍କୃତ ଓ ବିକଳ୍ପ ଇଂରାଜୀ ପରୀକ୍ଷା ଅନୁଷ୍ଠିତ ହେବ। ଥିଓରୀ ପୂର୍ବରୁ ୨୦୨୭ ଜାନୁଆରୀ ୪ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ପ୍ରାକ୍ଟିକାଲ୍ ପରୀକ୍ଷା ଅନୁଷ୍ଠିତ ହେବ। ଇଣ୍ଟିଗ୍ରେଟେଡ୍ ଭୋକେସନାଲ୍ ପ୍ରାକ୍ଟିକାଲ୍ ଓ ଭୋକେସନାଲ୍ ଟ୍ରେଡ୍ ବିଷୟଗୁଡ଼ିକର ପ୍ରାକ୍ଟିକାଲ୍ ପରୀକ୍ଷା ୩ ଘଣ୍ଟା ଅବଧିର ହେବ। ଅନ୍ୟପଟେ ବାଣିଜ୍ୟ ଓ ନିର୍ଦ୍ଦିଷ୍ଟ ଧନ୍ଦାମୂଳକ ବିଷୟର ପ୍ରୋଜେକ୍ଟ ମୂଲ୍ୟାୟନ ଓ ଭାଇଭା ୨୦ ମାର୍କ ପାଇଁ ୨ ଘଣ୍ଟା ଧରି ହେବ ଏବଂ ଏହାକୁ ସମ୍ପୃକ୍ତ ବିଷୟର ଶିକ୍ଷକ ହିଁ ପରିଚାଳନା କରିବେ; ଏଥିପାଇଁ କୌଣସି ବାହ୍ୟ ପରୀକ୍ଷକ ରହିବେ ନାହିଁ। ଏହାସହ ବାଣିଜ୍ୟ ବିଭାଗର ପ୍ରୋଜେକ୍ଟ ଗ୍ରୁପ୍ରେ ଅତି କମ୍ରେ ୨୪ ଜଣ ଛାତ୍ରଛାତ୍ରୀ ରହିବା ଜରୁରୀ ବୋଲି ପରିଷଦ ସ୍ପଷ୍ଟ କରିଛି। ରେଗୁଲାର ଏବଂ ଏକ୍ସ-ରେଗୁଲାର ବର୍ଗର ଛାତ୍ରଛାତ୍ରୀମାନେ ସଠିକ୍ ବିଷୟ କୋଡ୍, ପଞ୍ଜୀକରଣ ବର୍ଷର ଯୋଗ୍ୟତା ଏବଂ ସମ୍ପୂର୍ଣ୍ଣ ୧୩ ପୃଷ୍ଠା ବିଶିଷ୍ଟ CHSE ବିଜ୍ଞପ୍ତି ଭଲଭାବେ ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଇଛି। ଏଥି ସହିତ ପରୀକ୍ଷାକୁ ସ୍ୱଚ୍ଛ ଓ ଶୃଙ୍ଖଳିତ କରିବା ପାଇଁ ସମସ୍ତ ପରୀକ୍ଷା ସିଟିଂ ସମୟରେ ନିରବଚ୍ଛିନ୍ନ ଭାବେ ସିସିଟିଭି (CCTV) ସର୍ଭେଲାନ୍ସ ସୁନିଶ୍ଚିତ କରିବାକୁ CHSE ପକ୍ଷରୁ ପରୀକ୍ଷା କେନ୍ଦ୍ରର ମୁଖ୍ୟମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। Post navigation Odisha & Uttarakhand to Sign MoU: ଭୂସ୍ଖଳନ ମୁକାବିଲା ପାଇଁ ଓଡ଼ିଶା-ଉତ୍ତରାଖଣ୍ଡ ମହାମେଣ୍ଟ; ଅତ୍ୟାଧୁନିକ ଜ୍ଞାନକୌଶଳ ଯୋଡ଼ିବ ନୂଆ ଅଧ୍ୟାୟ