ଭିଜିଲାନ୍ସ ଜାଲରେ ବଲାଙ୍ଗୀର ଜିଲ୍ଲା ସଇଁତଳା ଆରଆଇ। ଜମିର କିସମ ପରିବର୍ତ୍ତନ କରାଇଦେବା ନାଁରେ ଲାଞ୍ଚ ମାଗି ଶେଷରେ ଆଇନ ଜାଲରେ ପଡ଼ିଛନ୍ତି ସଇଁତଳା ରାଜସ୍ୱ ନିରୀକ୍ଷକ ଆଲନ ବେହେରା। ଜଣେ ଆବେଦନକାରୀଙ୍କଠାରୁ ୩,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ବଲାଙ୍ଗୀର ଭିଜିଲାନ୍ସ ଟିମ୍‌ ତାଙ୍କୁ କାବୁ କରିଛି।

ଗତ ସେପ୍ଟେମ୍ବର ୭ ତାରିଖରେ ଜଣେ ଆବେଦନକାରୀ ନିଜ ଜମିର କିସମ ପରିବର୍ତ୍ତନ ପାଇଁ ସରକାରୀ ନିୟମାନୁସାରେ ଅନଲାଇନ୍ ମାଧ୍ୟମରେ ଆବେଦନ କରିଥିଲେ। ହେଲେ ନିୟମ ଅନୁଯାୟୀ କାମ କରିବା ପରିବର୍ତ୍ତେ ଆର.ଆଇ. ମହାଶୟ କାମଟିକୁ ଆଗକୁ ନବଢ଼ାଇ ଅଟକାଇ ରଖିଥିଲେ। ଫିଲ୍ଡ ଆସି ତଦନ୍ତ ରିପୋର୍ଟ ଦେବା ଏବଂ ପଟ୍ଟା ପ୍ରଦାନ ପ୍ରକ୍ରିୟାକୁ ସହଜ କରିବା ପାଇଁ ସେ ପ୍ରଥମେ ୬,୦୦୦ ଟଙ୍କା ଲାଞ୍ଚ ମାଗିଥିଲେ।

​ଆବେଦନକାରୀ ନିଜର ଗରିବୀ ଓ ଆର୍ଥିକ ଅସମର୍ଥତା ଜଣାଇବାରୁ, ଆର.ଆଇ. ଜଣକ ଦୟା ଦେଖାଇ ଲାଞ୍ଚ ପରିମାଣକୁ ୩,୦୦୦ ଟଙ୍କାକୁ କମାଇ ଦେଇଥିଲେ। ମାତ୍ର ବାରମ୍ବାର ଏହି ଶୋଷଣରେ ଅତିଷ୍ଠ ହୋଇ ଶେଷରେ ଭିଜିଲାନ୍ସର ଆଶ୍ରୟ ନେଇଥିଲେ ଆବେଦନକାରୀ।

​ଯୋଜନା ମୁତାବକ, ଓଡ଼ିଶା ଭିଜିଲାନ୍ସର ଏକ ସ୍ୱତନ୍ତ୍ର ଟିମ୍ ଜାଲ ବିଛାଇ ରଖିଥିଲେ। ମଙ୍ଗଳବାର ଦିନ ଆର.ଆଇ. ଆଲାନ୍ ବେହେରା ଉକ୍ତ ୩,୦୦୦ ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ସମୟରେ ଭିଜିଲାନ୍ସ ଅଫିସରମାନେ ତାଙ୍କୁ କାବୁ କରିଥିଲେ ଏବଂ ତାଙ୍କ ପାଖରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରିଥିଲେ

Leave a Reply

Your email address will not be published. Required fields are marked *