ରାଜଧାନୀର ରାଜରାସ୍ତାରେ କଂଗ୍ରେସର ବିଶାଳ ଶକ୍ତି ପ୍ରଦର୍ଶନ ଦେଖିବାକୁ ମିଳିଛି। କେନ୍ଦ୍ର ଓ ରାଜ୍ୟର ‘ଡବଲ-ଇଞ୍ଜିନ’ ସରକାର ବିରୋଧରେ କଂଗ୍ରେସ କର୍ମୀ ଓ ନେତାମାନେ ଏକଜୁଟ ହୋଇ ତୀବ୍ର ପ୍ରତିବାଦ ଜଣାଇଛନ୍ତି। ଏହି ଅବସରରେ ପିସିସି ସଭାପତି ଭକ୍ତ ଚରଣ ଦାସ ସରକାରଙ୍କୁ କଡ଼ା ଚେତାବନୀ ଦେଇ କହିଛନ୍ତି ଯେ ଗଣତନ୍ତ୍ର ବିରୋଧୀ ଶାସନକୁ ବଦଳାଇବାର ସମୟ ଆସିଯାଇଛି ଏବଂ ରାଜସ୍ଥାନ ପଞ୍ଚାୟତ ନିର୍ବାଚନର ଫଳାଫଳ ମୋଦି ସରକାରର ଚିନ୍ତା ବଢ଼ାଇ ଦେଇଛି। ଗତ ତିନି ଦିନ ଧରି ରାଜ୍ୟର ବିଭିନ୍ନ ପ୍ରାନ୍ତରେ ହୋଇଥିବା କଂଗ୍ରେସର ରାଲି ଓ ଆନ୍ଦୋଳନ ଏକ ନୂଆ ରାଜନୈତିକ ମାହୋଲ ସୃଷ୍ଟି କରିଛି, ଯାହା ଆଗାମୀ ଦିନରେ ନିଶ୍ଚିତ ପ୍ରଭାବ ପକାଇବ ବୋଲି ସେ ମତ ଦେଇଛନ୍ତି। ସେ ସୂଚନା ଦେଇ କହିଥିଲେ, ଗୁରୁବାର ପୂର୍ବାହ୍ନରେ ଓଡ଼ିଶାର ସମସ୍ତ ଜିଲ୍ଲାର ଦୂରଦୂରାନ୍ତରୁ ହଜାରହଜାର ସଂଖ୍ୟାରେ ନେତା ଓ କର୍ମୀମାନେ ଗାଡ଼ି ଓ ଟ୍ରେନ୍ଯୋଗେ ଭୁବନେଶ୍ବରରେ ପହଞ୍ଚିଥିଲେ। ୧୫୦ କିମି ପରିମିତ ଅଞ୍ଚଳର ନେତା ଓ କର୍ମୀ ବଡ଼ବଡ଼ ବାଇକ୍ ରାଲିରେ ଆସି ପହଞ୍ଚିଥିଲେ। ତେବେ ଦୂରଦୂରାନ୍ତର ଜିଲ୍ଲାଗୁଡ଼ିକରେ ୨୪ ତାରିଖରେ ଓ ସମୀପବର୍ତ୍ତୀ ଜିଲ୍ଲାଗୁଡ଼ିକରେ ୨୫ ତାରିଖରେ ବ୍ଲକ୍ ଓ ଜିଲ୍ଲାସ୍ତରୀୟ ବାଇକ୍ ରାଲି ଆୟୋଜିତ ହୋଇଥିଲା। ସାରା ରାଜ୍ୟରେ ପଂଚାୟତ ସ୍ତର ଯାଏ ଭୋଟ ଚୋରି ବିରୋଧରେ ଗାଁ ଦାଣ୍ଡ ସଭା (ଚୌପାଲ) ଚାଲିଛି। ଆସନ୍ତା ୧୫ ଡିସେମ୍ବର ଯାଏ ଏହା ଚାଲିବ ବୋଲି ସେ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମର ମୁଖ୍ୟଅତିଥି ଭାବେ ଯୋଗଦେଇ ଏଆଇସିସିର ଓଡ଼ିଶା ପ୍ରଭାରୀ ଲାଲଜୀ ଦେଶାଇ କହିଥିଲେ, ଅନ୍ୟମାନଙ୍କୁ କଥା କଥାକେ ଦେଶଦ୍ରୋହୀ କହୁଥିବା ବିଜେପି ପ୍ରକୃତରେ ଦେଶଦ୍ରୋହୀମାନଙ୍କର ଏକ ଦଳ। ଯୋଉମାନେ ନିଜ ଦେଶର ପତାକା, ଜାତୀୟ ସଂଗୀତ ଓ ମାମାଟିକୁ ସମ୍ମାନ ଦିଅନ୍ତିନି ସେମାନେ ହିଁ ପ୍ରକୃତ ଦେଶଦ୍ରୋହୀ ପଦବାଚ୍ୟ ବୋଲି ସେ କହିଥିଲେ। ମାତୃଭୂମିର ସ୍ବାଧୀନତା ଆନ୍ଦୋଳନରେ ସାମାନ୍ୟତମ ଭୂମିକା ନ ଥିବା, ଦେଶର ତ୍ରିରଙ୍ଗା ପତାକା ବଦଳରେ ନାଗପୁର ଆରଏସଏସ ମୁଖ୍ୟାଳୟରେ ଅନ୍ୟ ପତାକା ଲଗାଇବା, ‘ଜନଗଣମନ..’ ବଦଳରେ ‘ନମସ୍ତେ ସଦାବତ୍ସଳେ..’କୁ ଗାନ କରିବା ଏହାର ଜ୍ବଳନ୍ତ ଉଦାହରଣ ବୋଲି ସେ କହିଥିଲେ। ଏଭଳି ଦେଶଦ୍ରୋହୀମାନଙ୍କୁ ଅଧିକ କାଳ ଶାସନଗାଦିରେ ବରଦାସ୍ତ କରିବା ଉଚିତ ନୁହେଁ, ଏହି କଥାକୁ ଲୋକେ ବୁଝିଲେଣି ବୋଲି ଲାଲଜୀ ଦେଶାଇ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏଆଇସିସିର ଦୁଇ ଓଡ଼ିଶା ସହ-ପ୍ରଭାରୀ ଜେଟି କୁସୁମ କୁମାର ଓ ପୂର୍ଣ୍ଣଚନ୍ଦ୍ର ପାଢ଼ୀ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ, ଦୁଇ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଓ ପ୍ରସାଦ ହରିଚନ୍ଦନ, ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ଜେନା, ପଂଚାନନ କାନୁନଗୋ, ଜଗନ୍ନାଥ ପଟ୍ଟନାୟକ, ସୁରେଶ ରାଉତରାୟ, ଶରତ ରାଉତ, ପୂର୍ବତନ ସାଂସଦ ଅନନ୍ତ ସେଠୀ, ଏଆଇସିସିର ନୂଆ ସଂପାଦକ ଡ.ଦେବାଶିଷ ପଟ୍ଟନାୟକ, ପିସିସିର ଉପସଭାପତି ଡ.ବିଶ୍ବରଂଜନ ମହାନ୍ତି, କୃଷ୍ଣଚନ୍ଦ୍ର ସଗରିଆ, ସସ୍ମିତା ବେହରା, ପିସିସି ପ୍ରଶାସନିକ ଅଧିକାରୀ ସମୀର ରାଉତରାୟ, ଏନଏସୟୁଆଇ ରାଜ୍ୟ ସଭାପତି ବିଭୂତି ଭୂଷଣ ମହାପାତ୍ର, ଭୁବନେଶ୍ବର ଜିଲ୍ଲା କଂଗ୍ରେସ କମିଟି ସଭାପତି ପ୍ରକାଶ ଜେନା ପ୍ରମୁଖ ଯୋଗଦେଇ ଭାରତୀୟ ସମ୍ବିଧାନର ଐତିହ୍ୟ ଓ ମହତ୍ତ୍ବ ଉପରେ ଆଲୋଚନା କରିଥିଲେ। ପିସିସି ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ଅରବିନ୍ଦ ଦାସଙ୍କ ସଂଯୋଜନାରେ ଓ ପିସିସି କୋଷାଧ୍ୟକ୍ଷ ସିଦ୍ଧାର୍ଥ ସ୍ବରୂପ ଦାଶଙ୍କ ପରିଚାଳନାରେ ଆୟୋଜିତ ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ଭାରତର ସମ୍ବିଧାନ ପ୍ରଣୟନ ସଭାର ଓଡ଼ିଆ ସଦସ୍ୟମାନଙ୍କ ସ୍ମୃତିରେ ପିସିସି ପକ୍ଷରୁ ଅଭିବାଦନ ଜ୍ଞାପନ କରାଯାଇଥିଲା। ଏଆଇସିସି ପକ୍ଷରୁ ପ୍ରସ୍ତୁତ ଏକ ସଂକଳ୍ପ ପତ୍ରକୁ ସମବେତ କଂଗ୍ରେସ ନେତା ଓ କର୍ମୀଙ୍କ ମଧ୍ୟରେ ନିଜ ଅଭିଭାଷଣ ଅବସରରେ ପିସିସି ସଭାପତି ପାଠ କରାଇଥିଲେ। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଦେଶ ପ୍ରତି ସମର୍ପିତ ହୋଇ ଦଳ ପାଇଁ ଏକମନ ହୋଇ କାର୍ଯ୍ୟ କରିବାକୁ ସମସ୍ତେ ଶପଥ ନେଇଥିଲେ। ଶେଷରେ ସଂଗଠନ ଉପସଭାପତି ସନ୍ତୋଷ ସିଂହ ସାଲୁଜା ଧନ୍ୟବାଦ ଅର୍ପଣ କରିଥିଲେ। Post navigation BJP-BJD Alliance Buzz in Odisha: ହାଇକମାଣ୍ଡ ଚାହିଁଲେ ଓଡ଼ିଶାରେ ବିଜେପି-ବିଜେଡି ମେଣ୍ଟ ହୋଇପାରିବ: ବିଜେପି ବିଧାୟକ ସରୋଜ ପାଢ଼ୀ