ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ସ୍ୱାସ୍ଥ୍ୟକର୍ମୀ । ମୃତ୍ୟୁ ପ୍ରମାଣପତ୍ର ପ୍ରସ୍ତୁତି ପାଇଁ ଫାଇଲ୍‌ ଆଗକୁ ବଢ଼ାଇବାକୁ ସେ ଜଣେ ଆବେଦନକାରୀଙ୍କଠାରୁ ୭ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଜାଲରେ ଧରା ପଡିଛନ୍ତି ସମ୍ବଲପୁର ଜିଲ୍ଲା ଠେମରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ସ୍ୱାସ୍ଥ୍ୟକର୍ମୀ ହରିହର ପ୍ରଧାନ ।

ଓଡ଼ିଶା ଭିଜିଲାନ୍ସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଅଭିଯୋଗକାରୀଙ୍କ ଅଜାଙ୍କ ମୃତ୍ୟୁ ଘଟିଥିଲା। ମୃତ୍ୟୁ ପ୍ରମାଣପତ୍ର ପାଇବା ପାଇଁ ସେ ଛଅ ମାସ ପୂର୍ବରୁ ଆବଶ୍ୟକୀୟ କାଗଜପତ୍ର ସହ ଆବେଦନ କରିଥିଲେ। ତେବେ ବାରମ୍ବାର ଅନୁରୋଧ କରିବା ସତ୍ତ୍ୱେ ହରିହର ପ୍ରଧାନ ଫାଇଲ୍ ଆଗକୁ ବଢ଼ାଇବାରେ ବିଳମ୍ବ କରିଥିଲେ ଏବଂ ଏଥିପାଇଁ ୭,୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ।

ଏହି ହଇରାଣରେ ଅତିଷ୍ଠ ହୋଇ ଆବେଦନକାରୀ ଓଡ଼ିଶା ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଅଭିଯୋଗକୁ ଭିତ୍ତି କରି ଭିଜିଲାନ୍ସ ଟିମ୍ ଜାଲ ବିଛାଇଥିଲା ଏବଂ ହରିହର ପ୍ରଧାନ ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ବେଳେ ତାଙ୍କୁ ରଙ୍ଗେହାତ ଧରିଥିଲା। ତାଙ୍କ ନିକଟରୁ ସମ୍ପୂର୍ଣ୍ଣ ୭,୦୦୦ ଟଙ୍କା ଜବତ କରାଯାଇଛି।

ଏହି ଘଟଣା ପରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗର ତଦନ୍ତ ପାଇଁ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ହରିହର ପ୍ରଧାନଙ୍କ ସହ ଜଡ଼ିତ ଦୁଇଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଛି।

Leave a Reply

Your email address will not be published. Required fields are marked *