ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ଆସନ୍ତା ସେପ୍ଟେମ୍ବର ୨୨ ରୁ ଆରମ୍ଭ ହୋଇ ଅକ୍ଟୋବର ୩ ପର୍ଯ୍ୟନ୍ତ ଚାଲିବ। ଏହି ଅଧିବେଶନରେ ମୋଟ ୯ଟି କାର୍ଯ୍ୟଦିବସ ରହିବ। ଏହା ମଧ୍ୟରେ ଗୋଟିଏ ସରକାରୀ ଛୁଟିଦିନ ଏବଂ ୨ଟି ବୈଠକବିହୀନ ଦିବସ ରହିଛି।

ସପ୍ତଦଶ ଓଡ଼ିଶା ବିଧାନସଭାର ଏହି ପ୍ରସ୍ତାବିତ ସପ୍ତମ ଅଧିବେଶନ ପାଇଁ ବିଧାନସଭା ସଚିବାଳୟ ପକ୍ଷରୁ ସମ୍ଭାବ୍ୟ କାର୍ଯ୍ୟସୂଚୀ ରାଜ୍ୟ ସରକାରଙ୍କ ନିକଟକୁ ପଠାଯାଇଛି। ଅଗଷ୍ଟ ୨୪ ତାରିଖରେ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁଯାୟୀ, ବିଧାନସଭା ସଚିବ ସତ୍ୟବ୍ରତ ରାଉତ, ସଂସଦୀୟ ବ୍ୟାପାର ବିଭାଗର ପ୍ରମୁଖ ଶାସନ ସଚିବଙ୍କୁ ଏହି ସମ୍ଭାବ୍ୟ କ୍ୟାଲେଣ୍ଡର ପ୍ରେରଣ କରିଛନ୍ତି। ଯଦି ସରକାର ଏହି ପ୍ରସ୍ତାବିତ ତାରିଖରେ ସହମତି ପ୍ରକାଶ କରନ୍ତି, ତେବେ ଅଧିବେଶନ ଡକାଇବା ପାଇଁ ମାନ୍ୟବର ରାଜ୍ୟପାଳଙ୍କ ଅନୁମୋଦନ ନେବାକୁ ପଦକ୍ଷେପ ଗ୍ରହଣ କରିବା ପାଇଁ ସଚିବ ରାଉତ ଅନୁରୋଧ କରିଛନ୍ତି।

କ୍ୟାଲେଣ୍ଡର ଅନୁଯାୟୀ; ପ୍ରଥମ ପର୍ଯ୍ୟାୟ ୨୨-୨୫ ସେପ୍ଟେମ୍ବର ମଙ୍ଗଳବାରରୁ ଗୁରୁବାର ଯାଏଁ ସରକାରୀ କାର୍ଯ୍ୟ ହେବାକୁ ଥିବା ବେଳେ ଶୁକ୍ରବାର ଦିନ ବେସରକାରୀ ସଭ୍ୟଙ୍କ ବିଲ୍ ଓ ସଂକଳ୍ପ ଉପରେ ଆଲୋଚନା ହେବ। ସେହିପରି ଦ୍ୱିତୀୟ ପର୍ଯ୍ୟାୟ ୨୮ ସେପ୍ଟେମ୍ବର – ୩ ଅକ୍ଟୋବର ଶନିବାର, ରବିବାର ଏବଂ ଗାନ୍ଧୀ ଜୟନ୍ତୀ (୨ ଅକ୍ଟୋବର) ଛୁଟିକୁ ଛାଡ଼ି ବାକି ସମସ୍ତ ଦିନରେ ସରକାରୀ କାର୍ଯ୍ୟ ନିର୍ଦ୍ଧାରିତ ହୋଇଛି ।

ସାଧାରଣ ଜନତାଙ୍କ ସମସ୍ୟା, ନୂତନ ବିଲ୍ ଏବଂ ରାଜ୍ୟର ବିକାଶମୂଳକ ଯୋଜନାକୁ ନେଇ ଏହି ଅଧିବେଶନ ବେଶ୍ ଗୁରୁତ୍ୱପୂର୍ଣ୍ଣ ରହିବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *