ସମ୍ବଲପୁର, ଅନୁଗୋଳ ଏବଂ କଟକକୁ ଯୋଡ଼ୁଥିବା ୫୫ ନମ୍ବର ଜାତୀୟ ରାଜପଥର ଶୋଚନୀୟ ଅବସ୍ଥାକୁ ନେଇ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଚିନ୍ତା ପ୍ରକଟ କରିଛନ୍ତି। ଏହି ରାଜପଥର ତୁରନ୍ତ ମରାମତି ଓ ପୁନରୁଦ୍ଧାର ପାଇଁ ସେ କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ୍ ଗଡ଼କରୀଙ୍କୁ ଏକ ପତ୍ର ଲେଖି ତୁରନ୍ତ ମରାମତି ପାଇଁ କଲେ ଅନୁରୋଧ କରିଛନ୍ତି ।

ଧର୍ମେନ୍ଦ୍ର ପ୍ରଧାନ ଚିଠି ମାଧ୍ୟମରେ ଉଲ୍ଲେଖ କରିଛନ୍ତି ଯେ, କ୍ରମାଗତ ପ୍ରବଳ ବର୍ଷା ଏବଂ ଅତ୍ୟଧିକ ଯାନବାହନ ଚଳାଚଳ ହେତୁ ରାଜପଥର ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଖାଲଢିପ ସୃଷ୍ଟି ହେବା ସହ ଜଳବନ୍ଦୀ ସମସ୍ୟା ଦେଖାଦେଇଛି। ଏହାଫଳରେ ରାସ୍ତାର ଅବସ୍ଥା ଦିନକୁ ଦିନ ଅତି ବିପଜ୍ଜନକ ହେବାରେ ଲାଗିଛି। ସାଧାରଣ ଯାତ୍ରୀ ଏବଂ ସୁରକ୍ଷିତ ଗମନାଗମନ ପାଇଁ ସେ ନିତିନ୍ ଗଡ଼କରୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡ଼ିଛନ୍ତି।

ପଶ୍ଚିମ ଓଡ଼ିଶାକୁ ଉପକୂଳ ଓଡ଼ିଶା ସହିତ ଯୋଡ଼ୁଥିବା ଏହି ଜାତୀୟ ରାଜପଥ ଏକ ପ୍ରମୁଖ ପରିବହନ ଓ ଲଜିଷ୍ଟିକ୍ସ କରିଡର। ହେଲେ ରାସ୍ତା ଖରାପ ଥିବାରୁ ଏବଂ ବର୍ଷା ଦିନେ ଖାଲଗୁଡ଼ିକ ସ୍ପଷ୍ଟ ଦୃଶ୍ୟମାନ ହେଉ ନଥିବାରୁ ପ୍ରତିଦିନ ଦୁର୍ଘଟଣା ଘଟୁଛି ଓ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେଉଛି।

ରାସ୍ତାର ସମୟୋପଯୋଗୀ ମରାମତି ହେଲେ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ପରିବହନ ସହଜ ହେବ ଏବଂ ଯାତ୍ରୀଙ୍କ ସୁରକ୍ଷା ନିଶ୍ଚିତ ହୋଇପାରିବ ବୋଲି ଶ୍ରୀ ପ୍ରଧାନ ଦର୍ଶାଇଛନ୍ତି। ସମ୍ବଲପୁର-କଟକ ସେକ୍ସନରେ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ତୁରନ୍ତ ମରାମତି କାର୍ଯ୍ୟ ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଦେବାକୁ ସେ ମନ୍ତ୍ରଣାଳୟକୁ ଅନୁରୋଧ କରିଛନ୍ତି।

Leave a Reply

Your email address will not be published. Required fields are marked *