ବେଳେବେଳେ ଅନ୍ୟ କାହା ପାଇଁ ବିବାଦ ଭିତରକୁ ଲମ୍ଫ ମାରିବା ନେତାଙ୍କ ପାଇଁ ମହଙ୍ଗା ପଡ଼େ । ନିଜ କଡ଼ା ଜବାବରେ ଫଶିହୋଇଯାଆନ୍ତି ନେତା । ଏମିତି ଆଉ ଏକ ଉଦାହରଣ ରଖିବାକୁ ଯାଉଛନ୍ତି ସୁନ୍ଦରଗଡ଼ ସାଂସଦ ତଥା କେନ୍ଦ୍ର ଆଦିବାସୀ କଲ୍ୟାଣ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ। ସାମାଜିକ ଗଣମାଧ୍ୟମରେ ଆରଟିଆଇ ସୂତ୍ର ଆଧାରରେ ଏକ ଖବର ମାତ୍ର ଦିନକ ତଳେ ଘୁରିବୁଲିଲେ ଖୁସ୍ବୁ ଯାଦବଙ୍କୁ ନେଇ। ଖୁସବୁ ଯାଦବ ଆଦିବାସୀ ମନ୍ତ୍ରାଳୟରେ ମନ୍ତ୍ରୀଙ୍କ ଅତିରିକ୍ତ ବ୍ୟକ୍ତିଗତ ସଚିବ ନାହାନ୍ତି ବୋଲି ଆରଟିଆଇ ସୂତ୍ରରୁ ଖବର ମିଳିଥିଲା। ଏହାକୁ ସାମାଜିକ ଗଣମାଧ୍ୟମରେ ଭାଇରାଲ କରାଯାଇଥିଲା। ଅର୍ଥାତ ବିବାଦର କେନ୍ଦ୍ରରେ ଥିଲେ ଖୁସବୁ। କିନ୍ତୁ ଶୁକ୍ରବାର ବିଳମ୍ବିତ ରାତିରେ କେଉଁ ଅବସ୍ଥାରେ ଜୁଏଲ ମନ୍ତ୍ରୀ ଖୁସବୁଙ୍କ ପାଇଁ ବିବାଦକୁ ଡେଇଁ ପଡ଼ିଲେ। ଜୁଏଲ ଆସିଲେ ସାମାଜିକ ଗଣମାଧ୍ୟମକୁ ରାତିଅଧିଆ। ଶୀର୍ଷକ ଥିଲା ସ୍ପଷ୍ଟ ଓ କଡ଼ା ସୂଚନା । ସମସ୍ତଙ୍କ ପାଇଁ ସେ ତଥ୍ୟ ସ୍ପଷ୍ଟ କରିଦେବାକୁ ଚାହିଁଲେ। ମୋଟାମୋଟି ଭାବେ ଏକ ବିରାଟ କଡ଼ା ସୂଚନା ଭିତରେ ଉଲ୍ଲେଖ ଥିଲା ଯେ ଖୁସ୍ବୁ ତାଙ୍କର ଜିଲ୍ଲା ପ୍ରତିନିଧି । ଏପିଏସ୍ କିମ୍ବା ଷ୍ଟାଫ୍ ନୁହଁନ୍ତି । ତାଙ୍କୁ ଏପିଏସ୍ କରିବା ପାଇଁ ତାଙ୍କର ଇଚ୍ଛା ଥିଲା । କିନ୍ତୁ କିଛି କାରଣ ବଶତଃ ସେହି ନିଯୁକ୍ତ କାର୍ଯ୍ୟକାରୀ ହୋଇପାରିଲା ନାହିଁ । ବର୍ତ୍ତମାନର ଜିଲ୍ଲା ପ୍ରତିନିଧି ଭୂମିକାକୁ ଏହା ପ୍ରଭାବିତ କରେ ନାହିଁ। ଖୁସ୍ବୁ ଜଣେ ସାର୍ବଜନୀନ ବ୍ୟକ୍ତିତ୍ୱ। ଜୁଏଲ୍ ଲେଖୁଛନ୍ତି, ଏପରି ମାନହାନୀକର ଓ ଉଦ୍ଦେଶ୍ୟମୂଳକ ପ୍ରଚାରକୁ କୌଣସି ପରିସ୍ଥିତିରେ ବରଦାସ୍ତ କରାଯିବ ନାହିଁ । ଖୁସ୍ବୁଙ୍କୁ ମାନହାନୀ କରୁଥିବା ବ୍ୟକ୍ତିଙ୍କୁ ଆଇନଗତ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବାକୁ ପଡ଼ିବ। ଧରି ନିଆଯାଉ ମାନହାନୀ ହୋଇଛି ଖୁସ୍ବୁଙ୍କର। କିନ୍ତୁ ଧମକ ଓ ସଫେଇ ଦେଉଛନ୍ତି କେନ୍ଦ୍ରମନ୍ତ୍ରୀ । ଠାକୁର ଘରେ କିଏ ନା ମୁଁ କଦଳୀ ଖାଇନି। ପ୍ରଥମତଃ ମନ୍ତ୍ରୀ ଭାବେ ନିଜ ଅଜ୍ଞତା ଜୁଏଲ୍ ଦେଖାଇ ନଥିଲେ ଭଲ ହୋଇଥାନ୍ତା। ଜଣେ ମନ୍ତ୍ରୀଙ୍କର ବ୍ୟକ୍ତିଗତ ଓ ଅତିରିକ୍ତ ବ୍ୟକ୍ତିଗତ ସଚିବ କେବଳ କ୍ୟାଡର୍ ରୁ ବଛାଯାଏ। ଜୁଏଲ୍ କେମିତି ଚାହୁଁଥିଲେ ଯେ ଜଣେ ବେସରକାରୀ ବ୍ୟକ୍ତିଙ୍କୁ ନିଜ ମନ୍ତ୍ରଣାଳୟର ଅତିରିକ୍ତ ବ୍ୟକ୍ତିଗତ ସଚିବ କରିବା ପାଇଁ? ଅତିବେଶିରେ ସେ ଖୁସବୁଙ୍କୁ ନିଜ ଓଏସଡି କରିପାରିଥାନ୍ତେ। କିନ୍ତୁ ବଡ଼ କଥା ହେଉଛି, ଆରଟିଆଇରେ ଯେଉଁ ତଥ୍ୟ ସାମାଜିକ ଗଣମାଧ୍ୟମରେ ପ୍ରକାଶିତ ହେଲା, ସେ ବାବଦରେ ସ୍ପଷ୍ଟୀକରଣ ଓ କଡ଼ା ସୂଚନା ମନ୍ତ୍ରୀ ଦେଲେ କାହିଁକି ? ଖୁସ୍ବୁ ବିବାଦରେ ନିଜକୁ ଛନ୍ଦି ପକାଇଲେ କେମିତି? ମାନ୍ୟବର ଆଦିବାସୀ ବ୍ୟାପାର ମନ୍ତ୍ରୀଙ୍କ ଅଫିସ୍ରୁ ୨୦୧୫ ଫେବ୍ରୁଆରୀ ୨୨ ତାରିଖରେ ମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ବାବଦରେ ଯେଉଁ ସୂଚନା ନୂଆଦିଲ୍ଲୀ, ଝାରସୁଗୁଡ଼ା ବିମାନବନ୍ଦରକୁ ଯାଇଛି ଏବଂ ଜିଲ୍ଲା ପ୍ରଶାସନକୁ ଦିଆଯାଇଛି, ସେଥିରେ ସ୍ପଷ୍ଟ ଉଲ୍ଲେଖ ଅଛି ଯେ ଶ୍ରୀମତୀ ଖୁସ୍ବୁ ଯାଦବ ଅତିରିକ୍ତ ପିଏସ୍ (ମୋବାଇଲ ନଂ. ୭୭୫୧୦୫୨୨୫୧) ଏବଂ ସିଦ୍ଧାର୍ଥ ମହାପାତ୍ର ଅତିରିକ୍ତ ପିଏସ୍ (ମୋବାଇଲ ନଂ. ୯୯୩୭୮୮୭୪୩୧) ମନ୍ତ୍ରୀଙ୍କ ସହ ଗସ୍ତ କରିବେ। ଏହି ସୂଚନାଟି ତାଙ୍କ ପିଏ ନିରଞ୍ଜନ ବେହେରାଙ୍କ ପକ୍ଷରୁ ଦିଆଯାଇଥିଲା। ଅବଶ୍ୟ ପରେ ଗତ ଏପ୍ରିଲରେ ଖୁସ୍ବୁଙ୍କ ନାମ ଥିଲେ ମଧ୍ୟ ଏଥିରେ ଜିଲ୍ଲା ପ୍ରତିନିଧି କିମ୍ବା ଏପିଏସ୍ କିଛି ଉଲ୍ଲେଖ ନାହିଁ। ୨୦୧୫ ଅକ୍ଟୋବର ୩୧ ତାରିଖ ଖୁସ୍ବୁଙ୍କ ବୋଧହୁଏ ଜନ୍ମଦିବସ ଥିଲା। ଫେସ୍ବୁକ୍ରେ ସେ ନିଜେ ଫଟୋ ସହ ଧନ୍ୟବାଦ ଦେଇଛନ୍ତି। ଏଥିରେ ନିଜକୁ ଅତିରିକ୍ତ ପିଏସ୍ ବୋଲି ଉଲ୍ଲେଖ କରିଛନ୍ତି। ଏଣୁ ଯଦି ସୂଚନା ଅଧିକାର ଆଇନ ବଳରେ କେହି ତଥ୍ୟ ମାଗି ଖୁସ୍ବୁ ମନ୍ତ୍ରୀଙ୍କ ଏପିଏସ୍ ନୁହଁନ୍ତି ବୋଲି କହିଲେ, ତେବେ ଭୁଲ୍ କେଉଁଠି ରହିଲା? କାହାକୁ ଆଇନର ଧମକ ଦେଉଛନ୍ତି ଜୁଏଲ? ପୁଣି କାହା ପାଇଁ? ଖୁସ୍ବୁ ଲାଗି? ଫେରାର ଅପରାଧୀ ପ୍ରକାଶ ପାଶୱାନ ସହ ଖୁସ୍ବୁ ଓ ଜୁଏଲଙ୍କ ସମ୍ପର୍କ କ’ଣ? ଜୁଏଲଙ୍କ ରାଉରକେଲା ମହାନଗର ନିଗମ ପ୍ରତିନିଧି ବୋଲି ପ୍ରକାଶଙ୍କ ଚିଠି ସାମାଜିକ ଗଣମାଧ୍ୟମରେ ଘୁରୁଥିବା ଜୁଏଲ ଦେଖିନଥିଲେ କି? କିନ୍ତୁ ଆରଟିଆଇ ସୂତ୍ର ଅନୁସାରେ ରାଉରକେଲା ମହାନଗର ନିଗମରେ ଜୁଏଲଙ୍କ ଏମିତି କେହି ପ୍ରତିନିଧି ନାହାନ୍ତି ବୋଲି ଜଣାପଡ଼ିଛି। ଏ ବାବଦରେ ତାଙ୍କୁ କାହିଁକି ୧୦ଦିନ ଲାଗିଲା ସ୍ପଷ୍ଟୀକରଣ ଦେବାକୁ। ଶନିବାର ଜୁଏଲ ପ୍ରକାଶ ପାଶୱାନଙ୍କୁ ନେଇ କଡ଼ା ସୂଚନା ଦେଇଛନ୍ତି। ଧମକ ବି ଦେଇଛନ୍ତି ଯେ ଯଦି କୌଣସି ବ୍ୟକ୍ତି କିମ୍ବା ସଂସ୍ଥା ଜାଣିଶୁଣି ମୋ’ ବିରୋଧରେ ଅପପ୍ରଚାର କରୁଥାଏ ତେବେ ମୁଁ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବି। ସାର୍କିଟ୍ ହାଉସ୍ କାଣ୍ଡ ସାମ୍ନାକୁ ଆସିବା ପରେ ସର୍ବ ପ୍ରଥମ ଦିନରୁ ଜୁଏଲ ସ୍ପଷ୍ଟୀକରଣ ଦେଇଥାନ୍ତେ ତେବେ କିଛି ବୁଝି ହୋଇଥାନ୍ତା। ଏବେ ୧୦ଦିନ ପରେ ମୁହଁ ଖୋଲିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି। ଜୁଏଲ କହିଛନ୍ତି ସାର୍କିଟ୍ ହାଉସ୍ ଘଟଣା ସମ୍ପର୍କରେ ଯଦି ତାଙ୍କ ବିରୋଧରେ କୌଣସି ଅଭିଯୋଗ ରହିଛି ତେବେ ତାହାର ନିରପେକ୍ଷ ଓ ସ୍ଵଚ୍ଛ ତଦନ୍ତ କରାଯାଉ। ଜିଲ୍ଲାପାଳ ଶୁଭଙ୍କର ମହାପାତ୍ର ଯେକୌଣସି କାମ ପାଇଁ ମ୍ୟାଡ଼ାମଙ୍କ ଅନୁମତି ଆବଶ୍ୟକ ବୋଲି ତାଙ୍କୁ ଭେଟୁଥିବା ଲୋକଙ୍କୁ କହନ୍ତି କି ନାହିଁ? ଏହା ହନିଟ୍ରାପ୍ କି କ’ଣ ତାହା ତଦନ୍ତ ସାପେକ୍ଷ। କିନ୍ତୁ ସୁନ୍ଦରଗଡ଼ ବାସୀ ଜିଲ୍ଲାପାଳଙ୍କ ଭୂମିକା ବାବଦରେ ବେଶୀ ଅବଗତ ଅଛନ୍ତି। ଜଣେ ମନ୍ତ୍ରୀଙ୍କ ଜିଲ୍ଲା ପ୍ରତିନିଧି ସଂସଦ ଭବନ ଆଗରେ ଗାଡ଼ିରେ ବସିବାକୁ ଆସୁଥିବେ, ପୁଲିସ ଦାମିକା ଗାଡ଼ିର କରଜା ଖୋଲି ଦେଉଥିବ, ଏହି ଚିତ୍ର ଦେଖିବା ପରେ ଜିଲ୍ଲାବାସୀ ବୁଝିଯାଇଥିବେ ଯେ କାହିଁକି ଏତେ ଦରଦ ଝୁଲସି ଉଠୁଛି ଜୁଏଲଙ୍କ ସ୍ପଷ୍ଟୀକରଣରେ। ସୁନ୍ଦରଗଡ଼ବାସୀ ସବୁକିଛି ଜାଣନ୍ତି। ପ୍ରଶାସନକୁ କିଏ ନଚାଏ ଏବଂ ବଡ଼ ପ୍ରଶାସନିକ ଅଧିକାରୀମାନେ ନୃତ୍ୟ କରନ୍ତି, ତାହା ମଧ୍ୟ ସମସ୍ତେ ଦେଖୁଛନ୍ତି ଓ ଜାଣିଛନ୍ତି। ବୋଧହୁଏ ଜିଲ୍ଲାପାଳ ଏଥିପାଇଁ ସାର୍କିଟ୍ ହାଉସର କୌଣସି କର୍ମଚାରୀ ଏବଂ ଉପଜିଲ୍ଲାପାଳଙ୍କୁ ନିଲମ୍ବିତ କରିନାହାନ୍ତି। କାରଣ କଡ଼ା ଓ ସ୍ପଷ୍ଟ। ଭାଣ୍ଡା ଫୁଟିଯିବ। ସାର୍କିଟ୍ ହାଉସରେ ପ୍ରକାଶଙ୍କ ରୁମ୍ ପାଇଁ ଉପଜିଲ୍ଲାପାଳଙ୍କୁ କିଏ ନିର୍ଦ୍ଦେଶ ଦେଇଥିଲେ ଜଣାପଡ଼ିବ। ସାର୍କିଟ୍ ହାଉସକୁ ଖୁସ୍ବୁ ଯାଇଥିଲେ କି ନାହିଁ ତାହା ମଧ୍ୟ ସମସ୍ତେ ଜାଣିଯିବେ। ସୂଚନାଯୋଗ୍ୟ, ସାର୍କିଟ୍ ହାଉସର ୧୦୭ ନମ୍ବର ରୁମ୍ରେ ୪ଟି ପିସ୍ତୋଲ ସହ ୨ ଜଣ ଦୁର୍ଦ୍ଦାନ୍ତ ଅପରାଧୀ ଧରାପଡ଼ିଥିଲେ। ଜିଲ୍ଲା ମନ୍ତ୍ରୀ ଭାବେ ଜୁଏଲ ଏବାବଦରେ କଡ଼ା ଓ ସ୍ପଷ୍ଟ ସୂଚନା ଦେଲେ ମଧ୍ୟ ହୁଅନ୍ତା। Post navigation Sambalpur MP Writes to Nitin Gadkari: NH-55 ରାସ୍ତାର ତୁରନ୍ତ ମରାମତି ପାଇଁ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର ପ୍ରଧାନ