‘ଓଡିଶାରେ ସର୍ବାଧିକ ବେରୋଜଗାରୀ ବା ବେକାର ଯୁବକ । ନା ନିଯୁକ୍ତି ଅଛି ନା ନିଯୁକ୍ତି ପାଇଁ ତାଲିମ ବ୍ୟବସ୍ଥା ଅଛି । ମୁଖ୍ୟମନ୍ତ୍ରୀ ଭାବେ ଦାୟୀତ୍ୱ ନେବା ସମୟରେ ଓଡିଶାର ସ୍ଥିତି ଯାହା ଥିଲା, ୨୪ ବର୍ଷର ଶାସନ ପରେ ମଧ୍ୟ ସମାନ ସ୍ଥିତି । ପ୍ରାୟ ୪୧.୬ ପ୍ରତିଶତ ଯୁବକ / ଯୁବତୀ ନିଯୁକ୍ତି ପାଇପାରୁନାହାନ୍ତି ।’ ସଦ୍ୟ ପ୍ରକାଶିତ ଆଇଏଲଓ ରିପୋର୍ଟରେ ୨୪ବର୍ଷ ଧରି ବିଜୁ ଜନତା ଦଳର ଶାସନର ଅସଲ ମୁଖା ଖୋଲିଯାଇଛି ବୋଲି ପୂର୍ବତନ ମନ୍ତ୍ରୀ ଶ୍ରୀ ଦେବାଶିଷ ନାୟକ କହିଛନ୍ତି ।

ଓଡିଶାକୁ ଶିଳ୍ପପତିମାନେ ଆସୁଛନ୍ତି, ବଡ ବଡ ଶିଳ୍ପ ପ୍ରତିଷ୍ଠା ହେବ । ଏଥି ପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟ ତଥା ଦେଶ ବାହାରକୁ ଯାଇ ଶହ ଶହ କୋଟି ଟଙ୍କା ଖର୍ଚ୍ଚ କରିଲେ । ବ୍ୟାପକ ମାତ୍ରାରେ ପ୍ରଚାର ଓ ପ୍ରସାର କରାଗଲା । ରାଜ୍ୟରେ ହାତଗଣତି ଶିଳ୍ପ ପ୍ରତିଷ୍ଠା ହୋଇଛି, କିନ୍ତୁ ସ୍ଥାନୀୟ ଯୁବକ / ଯୁବତୀଙ୍କୁ ନିଯୁକ୍ତି ମିଳିଲା ନାହିଁ । ଯାଜପୁର ଜିଲ୍ଲାରେ ଘରୋଇ ଶିଳ୍ପ ପ୍ରତିଷ୍ଠାନରେ ଜିଲ୍ଲାର ଶିକ୍ଷିତ ଓ କୁଶଳ ଯୁବକ / ଯୁବତୀଙ୍କୁ କାହିଁକି ନିଯୁକ୍ତି ମିଳିଲା ନାହିଁ । ବିକାଶର ବହୁ ଦୂରରେ ଓଡିଶା ରାଜ୍ୟ । ରାଜନୀତି ନାମରେ ଓଡିଆ ଯୁବକ ଯୁବତୀଙ୍କ ସହ ଧୋକାବାଜି କରିଛନ୍ତି ରାଜ୍ୟ ସରକାର । ଅଣଓଡିଆଙ୍କୁ ପ୍ରାଧାନ୍ୟ ଦେବା ଓ ଓଡ଼ିଶାର ସମ୍ପତିକୁ ଶାଗମାଛ ଦରରେ ବାହାରକୁ ବିକ୍ରୀ କରିଦେବା କଣ ମୁଖ୍ୟମନ୍ତ୍ରୀଙ୍କ ଶିଳ୍ପନୀତି ବୋଲି ଶ୍ରୀ ନାୟକ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ।

ଅତୀତରେ ଅନେକ ଥର ପ୍ରତିଶୃତି ଦେଇ ପ୍ରତାରଣା କରିଛନ୍ତି ମୁଖ୍ୟମନ୍ତ୍ରୀ । “ୟୁଜ୍ ଆଣ୍ଡ ଥ୍ରୋ” ହେଉଛି ନବୀନ ପଟ୍ଟନାୟକଙ୍କ “ପଲିସି, ଚରିତ୍ର ଏବଂ ଆଭିମୁଖ୍ୟ” । ନିଜ ସ୍ୱାର୍ଥ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ଏହାକୁ ଗୁରୁତ୍ୱ ଦିଅନ୍ତି । ଯାହାଙ୍କ ପରିଶ୍ରମକୁ ୟୁଜ୍ କରି କ୍ଷମତା ଭୋଗ କଲେ, ପରବର୍ତୀ ସମୟରେ ଥ୍ରୋ କରିଦେଲେ । ବିଜେଡି ଗଠନ ସମୟରେ ବିଜେପିକୁ ୟୁଜ୍ କରିଥିଲେ, ୨୦୦୯ ରେ ଥ୍ରୋ କରିଦେଲେ । ୨୦୨୪ ନିର୍ବାଚନ ପାଇଁ ମଧ୍ୟ ସମାନ ନୀତି ଆପଣାଇ ୟୁଜ୍ କରିବାର ଚକ୍ରାନ୍ତ କରାଯାଇଥିଲା ।

ଓଡିଶାବାସୀଙ୍କ ଦ୍ୱାରା ବିମୁଖ ହେବା ସ୍ଥିତି ଦେଖି ଦ୍ୱନ୍ଦ ସୃଷ୍ଟି କରି ମେଂଟ ମେଂଟ ଚିତ୍କାର କରାଯାଇଥିଲା । ମିଛ ଆଉ ଗୁଜବକୁ ଘୃଣା କରୁଥିବା ମୁଖ୍ୟମନ୍ତ୍ରୀ ନିଜେ ବଡ ମିଛୁଆ ଓ ଗୁଜବ ସୃଷ୍ଟିକାରୀ ବୋଲି ଶ୍ରୀ ନାୟକ କହିଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *