ନିର୍ଭୟ ମିଡିଆ, ଭୁବନେଶ୍ୱର: ଗୁରୁବାର ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ପ୍ରଦେଶ ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତ ଚରଣ ଦାସ ଘୋଷଣା କରିଥିଲେ ଯେ, ଏପ୍ରିଲ ପ୍ରଥମ ସପ୍ତାହରେ ଅତି କମରେ ୧୦୦ ଜଣିଆ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରାଯିବ । କିନ୍ତୁ ଏଣେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ଏକରକମ୍‌ର ଟିକେଟ୍‌ ବିକି ଦେଇସାରିଲେଣି । ଯେଉଁ ଚିଠିଟି ଏବେ ବଜାରରେ ବୁଲୁଛି ତାହା ଯଦି ସତ ହୋଇଥାଏ ତାହା ଅତ୍ୟନ୍ତ ସାଙ୍ଘାତିକ । ଏହା କଂଗ୍ରେସର ସେହି ପୁରୁଣା ଟିକେଟ୍‌ ବିକା ରୋଗକୁ ସ୍ପଷ୍ଟ କରୁଛି ।

କଂଗ୍ରେସରେ ପ୍ରାର୍ଥୀ ଚୟନ ବିଭିନ୍ନ ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥାଏ । ଚୂଡାନ୍ତ ନିଷ୍ପତ୍ତି କେନ୍ଦ୍ରୀୟ କଂଗ୍ରେସ ନିର୍ବାଚନ କମିଟି ନେଇଥାଏ । ଏଥିରେ ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ପୂର୍ବତନ ସଭାପତି ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ପ୍ରମୁଖ ରହିଛନ୍ତି । ଅଦ୍ୟାବଧି କେନ୍ଦ୍ରୀୟ କଂଗ୍ରେସ ନିର୍ବାଚନ କମିଟିର ବୈଠକ ବସିନାହିଁ । ଏପରିକି ସ୍କ୍ରିନିଂ କମିଟି ବୈଠକ ମଧ୍ୟ ବସିନାହିଁ । ନିୟମ ଅନୁସାରେ ୧୯ ସଦସ୍ୟ ବିଶିଷ୍ଟ ପ୍ରଦେଶ ନିର୍ବାଚନ କମିଟି ପ୍ରଥମେ ପିସିସି ସଭାପତିଙ୍କ ଦ୍ୱାରା ଧାର୍ଯ୍ୟ ୧୪୭ ବିଧାନସଭା ଏବଂ ୨୧ ଲୋକସଭା ଆସନ ଉପରେ ଚର୍ଚ୍ଚା କରିଥାନ୍ତି । ଏହାପରେ ତାଲିକା ସ୍କ୍ରିନିଂ କମିଟିକୁ ଯାଇଥାଏ ।ସ୍କ୍ରିନିଂ କମିଟିର ପ୍ରଥମ ବୈଠକରେ କୌଣସି ନିଷ୍ପତ୍ତି ନହେବାରୁ ଏହାର ଦ୍ୱିତୀୟ ବୈଠକ ୩୦ରେ ଅଛି । ଏହାପରେ ହିଁ ରିପୋର୍ଟ କେନ୍ଦ୍ରୀୟ ନିର୍ବାଚନ କମିଟି ନିକଟକୁ ଯାଇଥାଏ ଏବଂ ଚୂଡାନ୍ତ ହୋଇଥାଏ । ହେଲେ କେନ୍ଦ୍ରୀୟ କମିଟିର ବୈଠକ ବସିନଥିଲାବେଳେ ସଭାପତି ଶରତ ପଟ୍ଟନାୟକ ୫୨ଜଣଙ୍କୁ ଏକପ୍ରକାର ଟିକେଟ୍‌ ବିକି୍ର କରିଦେଇଥିବାର ଅଭିଯୋଗ ଏବେ କଂଗ୍ରେସରେ ଚହଳ ପକାଇ ଦେଇଛି ।

ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ପକ୍ଷରୁ ଯେଉଁ ଚିଠିଟି ବୁଲୁଛି ତାହା ଟିକେଟ୍‌ ବିକି୍ର କଥାକୁ ସ୍ପଷ୍ଟ କରୁଛି । ଭାଇରାଲ୍‌ ହେଉଥିବା ଚିଠିଟି ରାଜୀବ ପଟ୍ଟନାୟକଙ୍କ ନିକଟକୁ ଯାଇଛି । ତାଙ୍କୁ କଂଗ୍ରେସ ବେଗୁନିଆରୁ ପ୍ରାର୍ଥୀ କରିବାକୁ ସ୍ଥିର କରିଥିବା ଉଲ୍ଲେଖ ରହିଛି । ଶରତ ପଟ୍ଟନାୟକ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ଦୀର୍ଘଦିନ ଧରି କଂଗ୍ରେସ ପାଇଁ ଯେଉଁ ଲଢେଇ ତୁମେ ଲଢିଛ, ଓଡ଼ିଶାର ବିକାଶ ପାଇଁ ତୁମର ଯେଉଁ ବିଚାରଧାରା ରହିଛି ତାକୁ ଆମେ ସ୍ୱାଗତ କରୁଛୁ ଏବଂ ପୁରୀର ବ୍ଲୁ ଲିଲି ବିଚ୍‌ ରିସୋର୍ଟରେ ଆୟୋଜିତ ବୈଠକରେ ଯୋଗ ଦେବାକୁ ଅନୁରୋଧ କରୁଛୁ । ସେଥିରେ ସ୍ପଷ୍ଟ ଲେଖା ହୋଇଛି ଯେ, ମନୋନୀତ ପ୍ରାର୍ଥୀଙ୍କୁ ୫୦ ହଜାରର ଚେକ୍‌ ଓଡ଼ିଶା ପ୍ରଦେଶ କମିଟି ନାଁରେ ଆଣିବ । ଏଥିସହ ଦେଢ ଲକ୍ଷ ଟଙ୍କା ନଗଦ ଦେବାକୁ ପଡ଼ିବ । ଦେଢ ଲକ୍ଷ ଟଙ୍କା ଯଦିଓ ଚିଠିରେ ଲେଖାଯାଇନାହିଁ ତେବେ ମୌଖିକ ରୂପେ ଏହାକୁ କୁହାଯାଇଥିବା ବିଶେଷ ସୂତ୍ରରୁ ଜଣାପଡିଛି ।

ଆଶ୍ଚର୍ଯ୍ୟର କଥା ବେଗୁନିଆ ନିର୍ବାଚନମଣ୍ଡଳୀଟି ହେଉଛି ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଗଡ଼ । ତାଙ୍କ ପୁଅ ପୃଥ୍ୱୀବଲ୍ଲଭ ପଟ୍ଟନାୟକ ଦୀର୍ଘ ବର୍ଷ ଧରି ଏହି ଅଞ୍ଚଳରେ ଦଳ ପାଇଁ ସକ୍ରିୟତା ସହ କାମ କରୁଛନ୍ତି । ହେଲେ ସଭାପତି ପ୍ରାର୍ଥୀ କରିଛନ୍ତି ରାଜୀବ ପଟ୍ଟନାୟକଙ୍କୁ । ସୂଚନାଯୋଗ୍ୟ ଯେ, ରାଜୀବ ପଟ୍ଟନାୟକ ଭୁବନେଶ୍ୱର (ମଧ୍ୟ)ରୁ ପ୍ରାର୍ଥୀ ହୋଇଥିଲାବେଳେ ଅମାନତ ହରାଇଥିଲେ । ତାଙ୍କୁ ମାତ୍ର ୨୨୦୦ ଭୋଟ ମିଳିଥିଲା । ହେଲେ ଏବେ କାହିଁକି ରାଜୀବଙ୍କୁ ବାଛିଲେ ଶରତ?

ରାଜ୍ୟରେ ଲଢେଇ ବିଜଦ ଏବଂ ଭାଜପା ମଧ୍ୟରେ ହେଉଥିଲାବେଳେ ପୂର୍ବରୁ କଂଗ୍ରେସ ନେତୃତ୍ୱ ବଡ଼ ଜୋରରେ ଡିଣ୍ଡିମ ପିଟୁଥିଲେ ଯେ, କଂଗ୍ରେସ ଆସୁଛି । ମାତ୍ର ଭାଇରାଲ୍‌ ହେଉଥିବା ଚିଠି ସ୍ପଷ୍ଟ କରୁଛି ଯେ, ଦଳର ରାଜ୍ୟ ନେତୃତ୍ୱ ବିଜଦ ଏବଂ ଭାଜପା ସହ ସଲାସୁତୁରା କରି ପ୍ରାର୍ଥୀ ଚୟନ କରୁଛନ୍ତି ।

ଏହି କାରଣରୁ ଶରତ ପଟ୍ଟନାୟକଙ୍କ ବେଶ୍‌ ଘନିଷ୍ଠ ଥିବା ପୂର୍ବତନ ମନ୍ତ୍ରୀ ତଥା ବଲାଙ୍ଗୀର ଜିଲ୍ଲା କଂଗ୍ରେସ ସଭାପତି ସୁରେନ୍ଦ୍ର ସିଂହ ଭୋଇ ଗୁରୁବାର ଦଳ ଛାଡିଥିବା କୁହାଯାଉଛି । ତେବେ ଏହି ଟିକେଟ୍‌ ବିକ୍ରି  ବିଷୟ କେନ୍ଦ୍ରୀୟ ନେତୃତ୍ୱଙ୍କୁ ଅଛପା ଥିବା କଥା ମନେ ହେଉନାହିଁ । କାରଣ ଓଡ଼ିଶା ଦାୟିତ୍ୱରେ ଅଛନ୍ତି ଅଜୟ କୁମାର, ଖ୍ରୀଷ୍ଟୋଫର୍‌ ତିଲକ, ସେହନୱାଜ୍‌ ଚୌଧୁରୀ ଏବଂ ମିନାକ୍ଷୀ ନଟରାଜନ୍‌ । ମିନାକ୍ଷୀ ହେଉଛନ୍ତି ରାହୁଳଙ୍କ ବେଶ ଘନିଷ୍ଠ ।

ଚିଠି ଭାଇରାଲ୍‌ ପରେ କଂଗ୍ରେସ ମହଲରେ ଚହଳ ସୃଷ୍ଟି ହୋଇଛି । ଓଡ଼ିଶାର ସ୍ୱାର୍ଥ ପାଇଁ ଆମେ ଲଢେଇ କରୁଛୁ ବୋଲି ବାରମ୍ବାର ଗଣମାଧ୍ୟମ ଆଗରେ କହୁଥିବା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ଏହା ଉପରେ କି ମତ ରଖୁଛନ୍ତି ତାକୁ ସମସ୍ତେ ଅପେକ୍ଷା କରିଛନ୍ତି । ମାତ୍ର ସେ ଯାହା ବି ଉତ୍ତର ଦିଅନ୍ତୁନା କାହିଁକି ଚିଠିଟି ଏକପ୍ରକାରର ସ୍ପଷ୍ଟ କରୁଛି ଯେ, ସଭାପତି ଟିକେଟ୍‌ ବିକି ଦେଇସାରିଲେଣି ।

By Nirvay

Leave a Reply

Your email address will not be published. Required fields are marked *