ଭାରତୀୟ ଜନତା ପାର୍ଟି ର ରାଷ୍ଟ୍ରୀୟ ସହ ସାଧାରଣ ସମ୍ପାଦକ ସୌଦାନ ସିଂହଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ ଆଲୋଚନା କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ବୈଠକ ଅବସରରେ ରାଜ୍ୟରେ ବିଜେପି ସଂଗଠନକୁ ତୃଣମୂଳ ସ୍ତରରେ ଆହୁରି ସୁଦୃଢ଼ କରିବା, ସରକାରଙ୍କ ଲୋକାଭିମୁଖୀ ଯୋଜନାଗୁଡ଼ିକୁ ସମାଜର ଶେଷ ଧାଡ଼ିରେ ଥିବା ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ପହଞ୍ଚାଇବା ଏବଂ ରାଜ୍ୟର ସାମଗ୍ରିକ ବିକାଶ ସମ୍ପର୍କରେ ଫଳପ୍ରଦ ବିଚାରବିମର୍ଶ ହୋଇଛି। ସାକ୍ଷାତ ଆଲୋଚନା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆଜି ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ସହ ସାଧାରଣ ସମ୍ପାଦକ (ସଂଗଠନ) ଆଦରଣୀୟ ସୌଦାନ ସିଂହଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ ଆଲୋଚନା ହେଲା। ତାଙ୍କର ଦୀର୍ଘ ସାଙ୍ଗଠନିକ ଅଭିଜ୍ଞତା ଓ ମାର୍ଗଦର୍ଶନ ଆମ ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ନୂତନ ଶକ୍ତି ଓ ଉତ୍ସାହ ପ୍ରଦାନ କରିବ । ସୂଚନାଯୋଗ୍ୟ ଯେ, ସୌଦାନ ସିଂହଙ୍କୁ ଓଡ଼ିଶା, ବିହାର, ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗ ପାଇଁ ସାଂଗଠନିକ ଦାୟିତ୍ୱ ଦିଆଯିବା ପରେ ଏବଂ ଭୁବନେଶ୍ୱରକୁ ତାଙ୍କର କାର୍ଯ୍ୟାଳୟ ଭାବେ ଘୋଷଣା କରାଯିବା ପରେ, ସେ ଓଡ଼ିଶା ଗସ୍ତରେ ଆସିଥିବା ବେଳେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଆଗାମୀ ପୌର ଓ ସ୍ଥାନୀୟ ନିର୍ବାଚନକୁ ଦୃଷ୍ଟିରେ ରଖି ନିଜ ଗସ୍ତ କାଳରେ ସେ ରାଜ୍ୟର ନେତୃବୃନ୍ଦ, ବିଧାୟକ ଏବଂ ମନ୍ତ୍ରୀମାନଙ୍କ ସହ ସାଂଗଠନିକ ସମୀକ୍ଷା ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। Post navigation Bomb Scare Triggers At Utkal University: ଉତ୍କଳ ବିଶ୍ୱବିଦ୍ୟାଳୟରେ ବିଳମ୍ବିତ ରାତିରେ ବୋମା ମାଡ଼; ୨ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ