ରାଜ୍ୟରେ ବିଭିନ୍ନ ସାମଗ୍ରୀର ଅସମ୍ଭବ ଦରବୃଦ୍ଧି ଏବଂ ସାଧାରଣ ଲୋକଙ୍କ ସମସ୍ୟାକୁ ନେଇ ବିଜେପି ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଭୁବନେଶ୍ୱରରେ ଆୟୋଜିତ ବିଜେଡିର ଜନସମ୍ପର୍କ ପଦଯାତ୍ରାରେ ଏକ ବିଶାଳ ଜନସମାବେଶକୁ ସମ୍ବୋଧିତ କରି ନବୀନ କହିଛନ୍ତି ଯେ, ବର୍ତ୍ତମାନର ସରକାରରେ ସାଧାରଣ ଲୋକେ ହନ୍ତସନ୍ତ ହେଉଛନ୍ତି ଏବଂ ଏଥିସହିତ ‘ଜେନ୍ ଜି’ ବା ଯୁବପିଢ଼ିଙ୍କ ଭବିଷ୍ୟତ ଅନ୍ଧାର ଭିତରକୁ ଠେଲି ହୋଇଯାଉଛି। ନବୀନ ପଟ୍ଟନାୟକ କହିଛନ୍ତି ବିଜୁ ଜନତା ଦଳର ଶାସନ କାଳରେ କେବଳ ଓଡ଼ିଶାର ସର୍ବାଙ୍ଗୀନ ବିକାଶ ହିଁ ଆମର ପ୍ରଥମ ଓ ଶେଷ ଏଜେଣ୍ଡା ଥିଲା, କିନ୍ତୁ ବର୍ତ୍ତମାନର ‘ଡବଲ୍-ଇଞ୍ଜିନ୍’ ସରକାର କେବଳ ନିଜ ଦଳର ସ୍ୱାର୍ଥ ଓ ବିକାଶକୁ ଅଗ୍ରାଧିକାର ଦେଉଛନ୍ତି ବୋଲି ନବୀନ ଅଭିଯୋଗ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱାଧୀନ ସରକାରରେ ରାଜ୍ୟର ଚାଷୀ, ମାଆ, ବୃଦ୍ଧବୃଦ୍ଧା, ଗରିବ ଏବଂ ମଧ୍ୟବିତ୍ତ ଶ୍ରେଣୀର ଲୋକମାନେ କ୍ରମାଗତ ଦୁର୍ଦ୍ଦଶା ଭୋଗୁଛନ୍ତି। ଦରଦାମ୍ ନିୟନ୍ତ୍ରଣ କରିବାରେ ବର୍ତ୍ତମାନର ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଥିବା ବେଳେ ଅକର୍ମଣ୍ୟତା କ୍ଷେତ୍ରରେ ଏହି ସରକାର ସାରା ଦେଶରେ ପ୍ରଥମ ସ୍ଥାନରେ ରହିଛି। ସେ ଆଉ ମଧ୍ୟ କହିଛନ୍ତି ଏହାସହ କେନ୍ଦ୍ରର ନୂଆ ଖଣି ଆଇନ ସଂଶୋଧନ ଯୋଗୁଁ ଓଡ଼ିଶା ପ୍ରାୟ ୧ ଲକ୍ଷ କୋଟି ଟଙ୍କାର ରାଜସ୍ୱ ହରାଉଥିବା ଦର୍ଶାଇ ଏହାକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ବିଜେଡି ଦାବି କରିଛି। ବିଜେଡି ଶାସନର ୨୪ ବର୍ଷରେ ଅର୍ଜନ କରିଥିବା ସୁନାମକୁ ବର୍ତ୍ତମାନର ସରକାର ଅଳ୍ପ ଦିନ ମଧ୍ୟରେ ନଷ୍ଟ କରିଦେଇଥିବା ନବୀନ ପ୍ରକାଶ କରିଛନ୍ତି। ସରକାରଙ୍କ ଏହି ଅସଲ ଚେହେରାକୁ ଜନସାଧାରଣଙ୍କ ସାମ୍ନାରେ ପରଦାଫାଶ କରିବା ପାଇଁ ସେ ଦଳୀୟ କର୍ମୀମାନଙ୍କୁ ଆହ୍ୱାନ ଦେଇଛନ୍ତି। ସୂଚନାଯୋଗ୍ୟ ଯେ ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହୋଇଥିବା ଏହି ଜନସମ୍ପର୍କ ପଦଯାତ୍ରା ଆସନ୍ତା ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଜାରି ରହିବ। Post navigation Orangutan Smuggling Probe: ଓରାଙ୍ଗଉଟାନ ଚାଲାଣ ମାମଲା: ଇଣ୍ଡୋନେସିଆ ଯିବ କ୍ରାଇମବ୍ରାଞ୍ଚ STF ଟିମ୍