ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ଆଞ୍ଚଳିକ ରାଜନୈତିକ ଦଳମାନଙ୍କ ଆୟ ଓ ବ୍ୟୟ ଉପରେ ଏଡିଆର (Association for Democratic Reforms) ପକ୍ଷରୁ ପ୍ରକାଶିତ ରିପୋର୍ଟରେ ବିଜୁ ଜନତା ଦଳ (ବିଜେଡି)ର ଆର୍ଥିକ ଚିତ୍ରକୁ ନେଇ ଚର୍ଚ୍ଚା ବଢ଼ିଛି। ରିପୋର୍ଟ ଅନୁସାରେ, ଦଳ ନିଜ ଆୟ ତୁଳନାରେ ବହୁଗୁଣା ଅଧିକ ବ୍ୟୟ କରିଥିବା ତଥ୍ୟ ପ୍ରକାଶ ପାଇଛି। ଏଡିଆର ତଥ୍ୟ ଅନୁଯାୟୀ, ୨୦୨୪-୨୫ ଆର୍ଥିକ ବର୍ଷରେ ବିଜେଡିର ମୋଟ ଆୟ ୧୧୦.୧୩୭ କୋଟି ଟଙ୍କା ଥିବା ବେଳେ ଦଳର ମୋଟ ବ୍ୟୟ ୨୮୮.୪୪ କୋଟି ଟଙ୍କାରେ ପହଞ୍ଚିଛି। ଅର୍ଥାତ୍ ଦଳ ଆୟ ତୁଳନାରେ ୧୭୮.୩୦୩ କୋଟି ଟଙ୍କା ଅଧିକ ଖର୍ଚ୍ଚ କରିଛି। ଏହା ଦଳର ମୋଟ ଆୟର ୧୬୧.୮୯ ପ୍ରତିଶତ ଅଧିକ ବ୍ୟୟ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି। ରିପୋର୍ଟ ଅନୁଯାୟୀ, ଆଞ୍ଚଳିକ ଦଳମାନଙ୍କ ମଧ୍ୟରେ ବିଜେଡି ପଞ୍ଚମ ସର୍ବାଧିକ ଆୟ କରୁଥିବା ଦଳ ହୋଇଥିବା ବେଳେ ବ୍ୟୟ ମାମଲାରେ ଦ୍ୱିତୀୟ ସ୍ଥାନରେ ରହିଛି। ୱାଇଏସଆର କଂଗ୍ରେସ ପରେ ବିଜେଡି ସର୍ବାଧିକ ବ୍ୟୟ କରିଥିବା ଦଳ ଭାବେ ଉଭୟଙ୍କ ମଧ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁକୁ ଆସିଛି। ବିଜେଡିର ଆୟର ପ୍ରମୁଖ ଉତ୍ସ ଭାବେ ଦାନ ଓ ଅନୁଦାନ ରହିଛି। ଦଳ ୬୦ କୋଟି ଟଙ୍କା ଦାନ ଓ ଅନୁଦାନ ମାଧ୍ୟମରେ ପାଇଥିବା ବେଳେ ବ୍ୟାଙ୍କ ସୁଦରୁ ୫୦.୧୩୬ କୋଟି ଟଙ୍କା ଆୟ କରିଛି। ଏହା ଦଳର ମୋଟ ଆୟର ପ୍ରାୟ ୪୫.୫୨ ପ୍ରତିଶତ ବୋଲି ରିପୋର୍ଟରେ ଦର୍ଶାଯାଇଛି। ଅନ୍ୟପଟେ, ବିଜେଡିର ସର୍ବାଧିକ ବ୍ୟୟ ନିର୍ବାଚନୀ ଖର୍ଚ୍ଚ ଉପରେ ହୋଇଛି। ରିପୋର୍ଟ ଅନୁସାରେ, ଦଳ ୨୭୦.୬୬୩ କୋଟି ଟଙ୍କା ନିର୍ବାଚନୀ ବ୍ୟୟ ଖାତାରେ ଖର୍ଚ୍ଚ କରିଛି, ଯାହା ଦଳର ମୋଟ ବ୍ୟୟର ୯୩.୮୪ ପ୍ରତିଶତ। ଏହାଛଡ଼ା ପ୍ରଶାସନିକ ଓ ସାଧାରଣ ଖର୍ଚ୍ଚ ଖାତାରେ ୦.୮୧୧ କୋଟି ଟଙ୍କା ବ୍ୟୟ ହୋଇଥିବା ଉଲ୍ଲେଖ ରହିଛି। ସେପଟେ, ୨୦୨୩-୨୪ ତୁଳନାରେ ବିଜେଡିର ଆୟରେ ବଡ଼ ପତନ ମଧ୍ୟ ଦେଖାଯାଇଛି। ପୂର୍ବବର୍ଷରେ ଦଳର ଆୟ ୨୯୭.୮୦୬ କୋଟି ଟଙ୍କା ଥିବା ବେଳେ ୨୦୨୪-୨୫ରେ ଏହା କମି ୧୧୦.୧୩୭ କୋଟି ଟଙ୍କାକୁ ଆସିଛି। ଅର୍ଥାତ୍ ଦଳର ଆୟରେ ୧୮୭.୬୬୯ କୋଟି ଟଙ୍କା କିମ୍ବା ୬୩.୦୨ ପ୍ରତିଶତ ହ୍ରାସ ଘଟିଥିବା ରିପୋର୍ଟରେ ଉଲ୍ଲେଖ ରହିଛି। Post navigation Postmaster suspended over Rs 50 Crore Fraud in Odisha Global Temperatures: ଆସନ୍ତା ୫ ବର୍ଷରେ ରେକର୍ଡ ଅତିକ୍ରମ କରିବ ବିଶ୍ୱର ତାପମାତ୍ରା: WMO