ରାଜଧାନୀସ୍ଥିତ ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ରବିବାର ବିଳମ୍ବିତ ରାତିରେ ବୋମା ମାଡ଼କୁ ନେଇ କ୍ୟାମ୍ପସରେ ଭୟ ଓ ଉତ୍ତେଜନାପୂର୍ଣ୍ଣ ବାତାବରଣ ସୃଷ୍ଟି ହୋଇଛି। ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ୧ ନମ୍ବର ବାଳକ ହଷ୍ଟେଲ ନିକଟକୁ ଲକ୍ଷ୍ୟ କରି ତିନୋଟି ବୋମା ପିଙ୍ଗିଥିବା ଅଭିଯୋଗ ହୋଇଛି। ଏହି ହଠାତ୍ ବିସ୍ଫୋରଣ ଯୋଗୁଁ ହଷ୍ଟେଲରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ କୋକୁଆ ଭୟ ଖେଳିଯାଇଛି।

ଏହି ଘଟଣାର ଖବର ପାଇବା କ୍ଷଣି ଭୁବନେଶ୍ୱର ଡିସିପି ସରବଣା ବିବେକ ଏମ୍ ନିଜେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିର ସମୀକ୍ଷା କରିଥିଲେ ଏବଂ ଭୟଭୀତ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରି ସେମାନଙ୍କୁ ଆଶ୍ୱାସନା ଦେଇଥିଲେ। ଏହି ଘଟଣାର ପଛରେ ଥିବା ଅସଲ କାରଣ ଓ ଦୁର୍ବୃତ୍ତମାନଙ୍କୁ ଖୋଜିବା ପାଇଁ କଡ଼ା ତଦନ୍ତ କରାଯିବ ଏବଂ ଆବଶ୍ୟକ ପଡ଼ିଲେ କ୍ୟାମ୍ପସରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।

ଆଗାମୀ ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସରେ ପୂର୍ବରୁ ହିଁ ଉତ୍ତେଜନା ଲାଗି ରହିଥିବା ବେଳେ, କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ବିଶ୍ୱବିଦ୍ୟାଳୟ ପରିସରରେ ୨ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି।

Leave a Reply

Your email address will not be published. Required fields are marked *