ରାଜ୍ୟ ପୋଲିସ ପ୍ରଶାସନକୁ ଅଧିକ କ୍ରିୟାଶୀଳ, ସୁଦୃଢ଼ ଓ କାର୍ଯ୍ୟକ୍ଷମ କରିବା ପାଇଁ ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ବରିଷ୍ଠ ଆଇପିଏସ୍ ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ କରାଯାଇଛି। ୬ ଜଣ ଦକ୍ଷ ଓ ଅଭିଜ୍ଞ ଆଇପିଏସ୍ ଅଫିସରଙ୍କ ଦାୟିତ୍ୱରେ ପରିବର୍ତ୍ତନ କରାଯାଇ ନୂଆ ନିଯୁକ୍ତି ଦିଆଯାଇଛି। ସୂଚନା ଅନୁଯାୟୀ, ଗୁଇନ୍ଦା, ଆଞ୍ଚଳିକ ରେଞ୍ଜ, ପ୍ରୋଭିଜନିଂ ଏବଂ ପୋଲିସ ତାଲିମ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗଗୁଡ଼ିକରେ ଏହି ପଦୋନ୍ନତି ଓ ବଦଳି କରାଯାଇଛି। ପୂର୍ବରୁ ସମ୍ବଲପୁର ଉତ୍ତରାଞ୍ଚଳ ଆଇଜି (IGP) ଭାବେ କାର୍ଯ୍ୟରତ ଥିବା ହିମାଂଶୁ କୁମାର ଲାଲ୍ (୨୦୦୩ ବ୍ୟାଚ୍)ଙ୍କୁ ଅର୍ଥନୈତିକ ଅପରାଧ ଶାଖା (EOW) ଏବଂ ଏସଟିଏଫ (STF)ର ନୂଆ ଆଇଜି ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ପୂର୍ବରୁ ତାଳଚେର ଉତ୍ତର-କେନ୍ଦ୍ରାଞ୍ଚଳ ଆଇଜି ତଥା ଅନୁଗୋଳ ଆରଆରସି/ପିଟିସି ପ୍ରିନ୍ସିପାଲ୍ ଦାୟିତ୍ୱରେ ଥିବା ସତ୍ୟବ୍ରତ ଭୋଇ (୨୦୦୪ ବ୍ୟାଚ୍)ଙ୍କୁ ରାଜ୍ୟ ଗୁଇନ୍ଦା ବିଭାଗର ନୂଆ ଆଇଜି ଭାବେ ନିଯୁକ୍ତ କରାଯାଇଛି। ଏଥି ସହିତ ପୂର୍ବରୁ ଗୁଇନ୍ଦା ବିଭାଗର ଆଇଜି ଥିବା ଜୟ ନାରାୟଣ ପଙ୍କଜ(୨୦୦୫ ବ୍ୟାଚ୍)ଙ୍କୁ ବ୍ରହ୍ମପୁର ଦକ୍ଷିଣାଞ୍ଚଳ ପୋଲିସ ଆଇଜି ଭାବେ ନୂଆ ଜୋନ୍ ଦାୟିତ୍ୱ ମିଳିଥିବା ବେଳେ ପୂର୍ବରୁ ଦକ୍ଷିଣାଞ୍ଚଳ ଆଇଜି ଭାବେ କାର୍ଯ୍ୟରତ ନୀତି ଶେଖରଙ୍କୁ ରାଜ୍ୟ ପୋଲିସ ମୁଖ୍ୟାଳୟର ଆଇଜି, ପ୍ରୋଭିଜନିଂ ଭାବେ ଅବସ୍ଥାପିତ କରାଯାଇଛି। ସେହିପରି ପୂର୍ବରୁ ପ୍ରୋଭିଜନିଂ ଡିଆଇଜି (DIG) ଥିବା ଚରଣସିଂହ ମୀନା (୨୦୦୯ ବ୍ୟାଚ୍)ଙ୍କୁ ସମ୍ବଲପୁର ଉତ୍ତରାଞ୍ଚଳ ଡିଆଇଜି ଭାବେ ଦାୟିତ୍ୱ ଦିଆଯାଇଛି। କେନ୍ଦ୍ରୀୟ ଡେପୁଟେସନ୍ରୁ ଫେରି ଗୃହ ବିଭାଗରେ ଯୋଗଦେଇଥିବା ଆଶିଷ କୁମାର ସିଂହ(୨୦୧୦ ବ୍ୟାଚ୍)ଙ୍କୁ ତାଳଚେର ଉତ୍ତର-କେନ୍ଦ୍ରାଞ୍ଚଳ ଡିଆଇଜି ସହ ଅନୁଗୋଳ ପୋଲିସ ଟ୍ରେନିଂ କଲେଜର ପ୍ରିନ୍ସିପାଲ୍ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। Post navigation Subhadra Yojana 5th Instalment: ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ‘ସୁଭଦ୍ରା’ ଯୋଜନାର ୫ମ କିସ୍ତି ଟଙ୍କା